ଭୁବନେଶ୍ୱର,୨୪।୯ (ପ୍ରସନଜିତ୍ ସାହୁ):ରାଜଧାନୀ ଭୁବନେଶ୍ବରରେ ବୁଧବାର ସାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ନୟାପଲ୍ଲୀ ଗଡ଼ସାହିରେ ତାୱାରେ ପିଟି ଜଣେ ଯୁବକ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତାଙ୍କ ନାଁ ହେଲା ବନସ୍ମିତା ସାଇଁ(୨୬)। ଘଟଣାସ୍ଥଳରେ ଜୋନ୍ ୫ ଏସିପି ବିଶ୍ୱରଞ୍ଜନ ସେନାପତିଙ୍କ ସମେତ ନୟାପଲ୍ଲୀ ଥାନା ପୋଲିସ ପହଞ୍ଚତ୍ ଅଭିଯୁକ୍ତ ସ୍ବାମୀ ସର୍ବେଶ୍ୱର ପ୍ରଧାନ(୨୮)ଙ୍କୁ ଥାନାରେ ଅଟକ ରଖିବା ସହ ତାୱା ଜବତ କରିଛି। କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଛି ସେନେଇ ପୋଲିସ ଖୋଳତାଡ଼ କରୁଥିବା କହିଛି। ଅନ୍ୟପଟେ ସର୍ବେଶ୍ୱର ଜଣେ ମାନସିକ ରୋଗୀ ହୋଇଥିବା ତାଙ୍କ ବାପା ଶଶିକାନ୍ତ ପ୍ରଧାନ କହିଛନ୍ତି।
ଶଶିକାନ୍ତଙ୍କ ସୂଚନା ଅନୁଯାୟୀ, ତାଙ୍କର ପ୍ରକୃତ ଘର କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବେଲପାଳ ଗ୍ରାମରେ ହୋଇଥିବାବେଳେ ସେ ନୟାପଲ୍ଲୀ ଗଡ଼ସାହି ଅଞ୍ଚଳରେ ଦୀର୍ଘଦିନ ହେବ ରହୁଛନ୍ତି। ସେ ଜଣେ ଠିକାଦାର ଭାବରେ କାମ କରନ୍ତି। ତାଙ୍କ ବଡ଼ପୁଅ ସର୍ବେଶ୍ୱର ମଧ୍ୟ ଠିକାଦାର କାମ କରନ୍ତି। ବୁଧବାର ସା ପ୍ରାୟ ୭ଟାରେ ସର୍ବେଶ୍ୱର ବନସ୍ମିତାଙ୍କୁ ପାଣି ମାଗିଥିଲେ। ତାଙ୍କ କଥା ଅନୁସାରେ ବନସ୍ମିତା ପାଣି ଆଣିଦେବା ପରେ ସେ ହଠାତ୍ ରାଗିଯାଇ ଏକ ତାୱାରେ ତାଙ୍କ ମୁହଁକୁ ଏକାଧିକ ଥର ପିଟିଥିଲେ। ବନସ୍ମିତାଙ୍କ ଚିତ୍କାର ଶୁଣି ପଡ଼ିଶା ଲୋକ ଗେଟ୍ ଖୋଲି ସେମାନେ ରହୁଥିବା ଫାଷ୍ଟ ଫ୍ଲୋର୍କୁ ଆସିବାବେଳକୁ ବନସ୍ମିତାଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ପାଇଥିଲେ। ପଡ଼ୋଶୀମାନେ ସର୍ବେଶ୍ୱରଙ୍କୁ ଅଟକ ରଖି ଥାନାକୁ ଖବର ଦେଇଥିଲେ। ଏହାପରେ ବାପା ଶଶିକାନ୍ତ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ସହିତ ଫୋରେନ୍ସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଥିଲା। ବନସ୍ମିତା ପ୍ରାୟ ଦେଢ଼ବର୍ଷ ତଳେ ସର୍ବେଶ୍ୱରଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କର ୪ ମାସର ପୁଅ ମଧ୍ୟ ଅଛି।
ଏନେଇ ଜୋନ୍- ୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି, ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲୁ। ସର୍ବେଶ୍ୱର ତାଙ୍କ ସ୍ତ୍ରୀ ବନସ୍ମିତାଙ୍କ ମୁଣ୍ଡକୁ ଏକ ତାୱାରେ ଆକ୍ରମଣ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ଦେଢ଼ବର୍ଷ ତଳେ ପ୍ରେମ ବିବାହ ହୋଇଥିଲା। ସର୍ବେଶ୍ୱର ଜଣେ ମାନସିକ ରୋଗୀ ବୋଲି ତାଙ୍କ ବାପା କହୁଛନ୍ତି। ଏନେଇ ତଦନ୍ତ ଚାଲିଛି। ସର୍ବେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅଧିକ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେନାପତି କହିଛନ୍ତି।
Dharitri – Odisha’s No.1 Odia Daily

