ସୁଖୀର ମନସ୍ତତ୍ତ୍ୱ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ମଣିଷ ଭ୍ରମବଶତଃ ଇନ୍ଦ୍ରିୟାନୁଭୂତ ଆନନ୍ଦକୁ ସୁଖ ମଣେ। ଇନ୍ଦ୍ରିୟତୃପ୍ତି ପାଇଁ ସେ ଅମାପ ଧନ ଅର୍ଜନ କରେ। ସେ ଭାବେ ଧନ ହିଁ ସୁଖ ଆଣିପାରିବ। ତା’ ଦୃଷ୍ଟିରେ ସୁଖ ଏକ ପଣ୍ୟଦ୍ରବ୍ୟ ପାଲଟିଯାଏ। ଏହି ସୁଖ ଅନ୍ତରାଳରେ ଥିବା ମନସ୍ତତ୍ତ୍ୱକୁ ଆଧାର କରି ରହିଛି ଅନେକ କାହାଣୀ। ଦାରିଦ୍ର ଲୋକଟିଏ ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କଲା। ଭଗବାନ ତାକୁ ବର ଯାଚନ୍ତେ ସେ କହିଲା, ”ପ୍ରଭୁ! ମୋତେ ଏମିତି ଏକ ବର ଦିଅନ୍ତୁ, ଯେମିତି ମୁଁ ସୁଖରେ ରହିବି।“ ଭଗବାନ୍‌ କହିଲେ, ”ମୁଁ ଏକ ବର ଦେଉଛି। ତୁ ଯାହା ଚାହିଁବୁ ତାହା ପାଇବୁ। ମାତ୍ର ତୁ ଏକୁଟିଆ ସୁଖୀ ରହିପାରିବୁ ନାହିଁ। ତୋର ଚତୁଃପାର୍ଶ୍ୱରେ ଥିବା ଗରିବ ପଡ଼ୋଶୀମାନଙ୍କୁ ମଧ୍ୟ ସୁଖୀ କରିବାକୁ ପଡ଼ିବ। ଏଣୁ ତୁ ଯାହା ତୋ’ ପାଇଁ ମାଗିବୁ, ତୋର ପଡ଼ୋଶୀମାନେ ବି ମନକୁ ମନ ତାହା ପାଇବେ।“ ଲୋକଟି ସେହି ବର ବଳରେ ନିଜ ଇଚ୍ଛାନୁଯାୟୀ ସବୁ କିଛି ଭୋଗ ସାମଗ୍ରୀ ପାଇଲା। କିଛି ଦିନ ପରେ ସେ ପୁଣି ତପସ୍ୟାରେ ବସିଲା ଓ ଭଗବାନ ଆବିର୍ଭୂତ ହୁଅନ୍ତେ କହିଲା, ”ପ୍ରଭୁ! ମୁଁ ଏତେ କଷ୍ଟରେ ତପସ୍ୟା କରି ବର ଲାଭ କଲି, ଅଥଚ ମୋର ପଡ଼ୋଶୀମାନେ ବିନା କଷ୍ଟରେ ସେଇ ଫଳ ପାଇଲେ। “ ଭଗବାନ୍‌ କହିଲେ, ” ମୁଁ ତୋତେ ଏପରି ଏକ ଜାଗାରେ ରଖିବାର ବ୍ୟବସ୍ଥା କରିବି ଯେଉଁଠି ତୋର ପଡ଼ୋଶୀ କେହି ନ ଥିବେ।“ ସେ ନିଜକୁ ଏକ ନିର୍ଜନ ଦ୍ୱୀପରେ ଆବିଷ୍କାର କଲା। ସେଠାରେ ସୁଖ ଭୋଗ ପାଇଁ ସବୁକିଛି ଥିଲା। ମାତ୍ର କିଛିଦିନ ପରେ ସେ ଅସନ୍ତୁଷ୍ଟ ହୋଇ ପୁଣି ତପସ୍ୟା କଲା। ଭଗବାନ୍‌ ଆବିର୍ଭୂତ ହେଲେ। ସେ କହିଲା, ”ପ୍ରଭୁ! ମୁଁ ସୁଖ ଭୋଗ କରୁଛି ଠିକ୍‌। ମାତ୍ର ମୋ’ ସୁଖଭୋଗ ଦେଖିବା ପାଇଁ ସେଠି କେହି ନାହାନ୍ତି।“ ଭଗବାନ୍‌ କହିଲେ, ”ତା’ହେଲେ ସମସ୍ତ ଭୋଗସାମଗ୍ରୀ ଥାଇ ବି ତୁ ସୁଖୀ ନୁହଁ। କାରଣ ତୁ ଚାରିପାଖରେ ଏମିତି ଲୋକ ଚାହୁଁଛୁ, ଯେଉଁମାନେ ତୋତେ ଈର୍ଷା କରିବେ। ନ ହେଲେ ତୋତେ ସୁଖ ମିଳିବ ନାହିଁ।“ ମଣିଷର ସୁଖ ଭାବନା ପଛରେ ରହିଛି ଏଭଳି ମନସ୍ତତ୍ତ୍ୱ। ସେ ଚାହେଁ ତାର ଚତୁଃପାର୍ଶ୍ୱସ୍ଥ ଲୋକେ ତା’ଠାରୁ ନିମ୍ନସ୍ତରରେ ଜୀବନଯାପନ କରନ୍ତୁ। ସେ ନିଜକୁ ସେମାନଙ୍କ ସହ ତୁଳନା କରି ନିଜକୁ ସୁଖୀ ମଣିବ।
ସୁଖୀର ମନସ୍ତତ୍ତ୍ୱ ସମ୍ପର୍କରେ ଅତୀତର ପ୍ରାଜ୍ଞମାନଙ୍କ ଦ୍ୱାରା କଥିତ ଅନେକ କାହାଣୀ ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି ବିଶିଷ୍ଟ ଲେଖକ ମନୋଜ ଦାସ। ସୁଖ ସନ୍ଧାନ କରିବାକୁ ଯାଇ ଜଣେ ବ୍ୟକ୍ତି ଭେଟିଲେ ଜଣେ ମହାପୁରୁଷଙ୍କୁ। ସେ ବିଷୁବ ସଂକ୍ରାନ୍ତି ପୂର୍ବରାତ୍ରରେ ଧ୍ୟାନମଗ୍ନ ହୁଅନ୍ତି ଓ ବିଷୁବ ସଂକ୍ରାନ୍ତିରେ ସୂର୍ଯ୍ୟୋଦୟ ସମୟରେ ଅନ୍ୟର ମନସ୍କାମନା ପୂରଣ କରିବା ପାଇଁ ଶକ୍ତିସମ୍ପନ୍ନ ହୁଅନ୍ତି। ଠିକ୍‌ ସେହିଭଳି ଏକ ପ୍ରଭାତରେ ସେହି ବ୍ୟକ୍ତି ତାଙ୍କୁ ଭକ୍ତିପୂତ ପ୍ରଣାମ କରି ତାଙ୍କର ମନୋବାଞ୍ଛା ପୂରଣ କରିବା ପାଇଁ ପ୍ରାର୍ଥନା କଲେ। ମହାପୁରୁଷ ପଚାରିଲେ, ”କ’ଣ ଚାହୁଁଛ!“ ସୁଖସନ୍ଧାନୀ କହିଲେ, ”ମୋତେ ଲୁହାକୁ ସୁନାରେ ପରିଣତ କରିବାର ମନ୍ତ୍ର ଶିଖାଇଦିଅନ୍ତୁ।“ ମହାପୁରୁଷ ”ତଥାସ୍ତୁ“ କହି ପଚାରିଲେ, ”ଏହି ବର ଦ୍ୱାରା ତୋର କି ଉପକାର ହେବ?“ ଲୋକଟି ଉତ୍ତରଦେଲା, ” ଲୁହାର ମୂଲ୍ୟ ନଗଣ୍ୟ, ମାତ୍ର ସୁନାର ମୂଲ୍ୟ ବହୁ ଉଚ୍ଚ। ମୁଁ ଆପଣଙ୍କ ବର ସାହାଯ୍ୟରେ ସବୁ ଲୁହା ସାମଗ୍ରୀକୁ ସୁନାରେ ପରିଣତ କରି ଅଜସ୍ର ଅର୍ଥ ରୋଜଗାର କରିପାରିବି।“ ଲୋକଟିର ପଡ଼ୋଶୀ ଥିଲା ଜଣେ ଲୁହା ବ୍ୟବସାୟୀ। ସେ ଚାହିଁଲା ତା’ ପଡ଼ୋଶୀ ପାଖରୁ ଲୁହା କିଣି ତାକୁ ସୁନା କରିବ। ମାତ୍ର ସେତେବେଳେ ଲୁହା କିଣିଲେ ପଡ଼ୋଶୀ ଜଣକ ଲାଭବାନ୍‌ ହେବ। ଏଣୁ ସେ ଲୁହାର ମୂଲ୍ୟ ତଳକୁ ଖସିଲା ପରେ କିଣିବ। ସେ ସମୟକୁ ଅପେକ୍ଷା କରୁକରୁ ଛଅ ମାସ ଅତିକ୍ରାନ୍ତ ହୋଇଗଲା। ଲୁହାର ଦାମ ସର୍ବନିମ୍ନ ହେଲା ପରେ ଲୁହା କିଣି ତାକୁ ସୁନାରେ ପରିଣତ କରିବା ପାଇଁ ମନ୍ତ୍ରଟି ପଢ଼ିବାକୁ ଉଦ୍ୟତ ହେଲା। ମାତ୍ର ସେ ମନ୍ତ୍ରଟିକୁ ମନେପକାଇ ନ ପାରି ସେହି ମହାପୁରୁଷଙ୍କ ନିକଟକୁ ଦୌଡ଼ିଲା ଆଉ ଥରେ ମନ୍ତ୍ରଟି ପାଇବା ପାଇଁ। ମାତ୍ର ସେତେବେଳକୁ ମହାପୁରୁଷ ସେହି ବର ଦେବାପାଇଁ ଶକ୍ତି ସମ୍ପନ୍ନ ନ ଥିଲେ। ସେ ତାକୁ ପଚାରିଲେ, ”ବତ୍ସ! ତୁ କାହିଁକି ଲୁହାକୁ ସୁନା କରିବାକୁ ଚାହୁଁଥିଲୁ?“ ଲୋକଟି ଉତ୍ତରଦେଲା, ”ସୁଖ ଲାଭ ପାଇଁ।“ ମହାପୁରୁଷ କହିଲେ, ”ତା’ହେଲେ ତୁ ସିଧାସଳଖ ମୋତେ ସୁଖ ମାଗିଲୁ ନାହିଁ କାହିଁକି?“ ଏହିଠାରେ କାହାଣୀର ସମାପ୍ତି। ମହାପୁରୁଷ ସିଧାସଳଖ ସୁଖ ଦେଇପାରିଥାନ୍ତେ କି ନାହିଁ ତାହା ଭିନ୍ନ କଥା। ମାତ୍ର ସୁଖ ସନ୍ଧାନୀ ବ୍ୟକ୍ତିର ଧାରଣା ଥିଲା ଯେ, ସୁଖ ଥାଏ ଧନ ସମ୍ପଦରେ। ସେ ଭୁଲିଯାଇଥିଲା ଯେ ପ୍ରାଚୁର୍ଯ୍ୟ ଭିତରେ ବୁଡି଼ ରହି ଅନେକ ସୁଖୀ ହୋଇ ପାରିନାହାନ୍ତି। ଅପରପକ୍ଷରେ ଦାରିଦ୍ର୍ୟ ଭିତରେ ରହିବି ଅନେକ ନିଜକୁ ସୁଖୀ ମଣିଥାନ୍ତି। ଖ୍ରୀ:ପୂ. ପଞ୍ଚମ ଶତାବ୍ଦୀରେ ଗ୍ରୀସ୍‌ରେ ଡାୟୋଜିନିସ ଭୌତିକ ଆବଶ୍ୟକତାକୁ ତୁଚ୍ଛ ମଣୁଥିଲେ। ଭୋଗବିଳାସରୁ ଦୂରରେ ରହି ଏକ ସରଳ ଜୀବନ ଜିଇ ସେ ଥିଲେ ସୁଖୀ। ଏଣୁ ଥରେ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ଡାର କହିଥିଲେ, ”ମୁଁ ଯଦି ଆଲେକ୍‌ଜାଣ୍ଡାର ହୋଇ ନ ଥା’ନ୍ତି, ତେବେ ନିଶ୍ଚୟ ଡାୟୋଜିନିସ୍‌ ହେବାକୁ ପସନ୍ଦ କରନ୍ତି।“
ଧର୍ମବିଶ୍ୱାସୀ ମଣିଷ ସ୍ବର୍ଗକୁ ସୁଖାଳୟ ଭାବରେ ବିଶ୍ୱାସ କରେ। ମାତ୍ର ସୁଖର ପ୍ରତୀକ ସ୍ବର୍ଗ ଏକ ସ୍ଥୂଳ ଲୋକାଳୟ ନୁହେଁ। ଜଣେ ଗୁରୁ ସର୍ବଦା କହୁଥାନ୍ତି ତାଙ୍କର ଶିଷ୍ୟ ହେମଚନ୍ଦ୍ର ଯେଉଁଠି, ସ୍ବର୍ଗ ସେଇଠି। ବ୍ରଜ ନାମକ ଶିଷ୍ୟ ସ୍ବର୍ଗ ସୁଖ ପ୍ରତି ଆକର୍ଷିତ ହୋଇ ଆଶ୍ରମର ଅନ୍ତେବାସୀଙ୍କଠାରୁ ହେମଚନ୍ଦ୍ର ରହୁଥିବା ତଥାକଥିତ ସ୍ବର୍ଗର ଠିକଣା ସଂଗ୍ରହ କଲା ଓ ସେଠାରେ ପହଞ୍ଚତ୍ଲା। ନିଜେ ରହୁଥିବା ଆଶ୍ରମଠାରୁ ହେମଚନ୍ଦ୍ର ରହୁଥିବା ତଥାକଥିତ ସ୍ବର୍ଗ କୌଣସି ଗୁଣରେ ଆକର୍ଷଣୀୟ ମନେ ହେଲାନାହିଁ। ବ୍ରଜ ବୁଝିପାରିଲା ନାହିଁ, ସେହିଭଳି ଏକ ନିରସ ଉପତ୍ୟକାକୁ ଗୁୁରୁଦେବ କାହିଁକି ସ୍ବର୍ଗ କହୁଥିଲେ। ହତାଶ ହୋଇ ସେ ନିଜ ଆଶ୍ରମକୁ ଫେରି ଆସିଲା। ଗୁରୁଙ୍କୁ କହିଲା, ”ଆପଣ ତ କହୁଥିଲେ ହେମଚନ୍ଦ୍ର ଯେଉଁଠି, ସ୍ବର୍ଗ ସେଇଠି। ମାତ୍ର ମୁଁ ସେଠାରେ ପହଞ୍ଚିବା ପରେ ଜାଣିଲି ତାହା ଏକ ସାଧାରଣ ଉପତ୍ୟକା ଓ ଆମ ଆଶ୍ରମଠାରୁ କୌଣସି ଦୃଷ୍ଟିରୁ ଉନ୍ନତ ନୁହେଁ।“ ଗୁରୁଦେବ ବ୍ରଜକୁ କହିଲେ, ”ହେମଚନ୍ଦ୍ରକୁ ଭେଟିବା ପଛରେ ତୋର ଉଦ୍ଦେଶ୍ୟ ଯଦି ମୋତେ ଜଣାଇଥା’ନ୍ତୁ ମୁଁ ତୋତେ ସତ୍ୟଟି କହିଥାନ୍ତି।“ ବ୍ରଜ ପଚାରିଲା, ”ତେବେ ସତ୍ୟ କ’ଣ ଗୁରୁଦେବ?“ ଗୁରୁ ଉତ୍ତରଦେଲେ, ”ହେମଚନ୍ଦ୍ର ଯେଉଁଠି, ସ୍ବର୍ଗ ସେଇଠି। ମାତ୍ର ହେମଚନ୍ଦ୍ର ସ୍ବର୍ଗରେ ନୁହେଁ, ସ୍ବର୍ଗ ହେମଚନ୍ଦ୍ର ଭିତରେ ଥାଏ। ଏହାହିଁ ସତ୍ୟ।“ ସୁଖ ସ୍ଥୂଳ ଜଗତରେ ନ ଥାଏ କି ଭୋଗ ସାମଗ୍ରୀରେ ନଥାଏ। ଏହା ଥାଏ ମଣିଷର ଚେତନାରେ। ମଣିଷ ଚାହିଁଲେ ଅଳ୍ପରେ ବି ସନ୍ତୁଷ୍ଟ ହୋଇପାରିବ ଏବଂ ପ୍ରାଚୁର୍ଯ୍ୟ ମଧ୍ୟରେ ବି ଅସନ୍ତୁଷ୍ଟ ହେବ। ଯେଉଁଠି ତୃଷ୍ଣା ବେଶି, ସେଠି ଅତୃପ୍ତି ବି ବେଶି। ସେଥିପାଇଁ ବୁଦ୍ଧ କହିଥିଲେ, କାମନା ହିଁ ଦୁଃଖର କାରଣ। କାମନାର ବିନାଶରେ ଦୁଃଖର ବିନାଶ।
ମୋ:୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri