ସହମତିରେ ଦୁର୍ଗତି

ଖରା ଛୁଟି ସରିଲା। ପିଲାଏ ବିଦ୍ୟାଳୟକୁ ଫେରିଲେ। ହଷ୍ଟେଲରେ ରହୁଥିବା ଛୁଆ ରହିବା ଆରମ୍ଭ କଲେ। ବଢ଼ିଲା ଝିଅଙ୍କ ସମସ୍ୟା ଟିକେ ଅଧିକ। କର୍ମଚାରୀଙ୍କୁ ଭାରି ଟେନ୍‌ସନ। ରେଡ୍‌ ରେକର୍ଡକୁ ତନଖି କରାଗଲା। ମାସିକ ଋତୁସ୍ରାବ ତାରିଖ ଯାଞ୍ଚ କରାଗଲା। ପ୍ରାୟତଃ ସବୁ ଠିକ୍‌ଠାକ୍‌ ଥିଲା। କିନ୍ତୁ ମାସେ ପରେ ବି ଜଣେ ବଢ଼ିଲା ଛୁଆର ମାସିକ ଧର୍ମ ହେଲାନି। ଭାବିଲେ ରକ୍ତହୀନତା ଅଥବା ଅନିୟମିତତା ହେତୁ ଏମିତି ହୋଇଥାଇପାରେ। ଡାକ୍ତରଙ୍କ ପରାମର୍ଶ ନିଆଗଲା, ତଥାପି କିଛି ସୁଫଳ ମିଳିଲାନି। ତା’ପରେ ଗର୍ଭଧାରଣ କିଟ୍‌ ପରୀକ୍ଷା କରାଗଲା। ମୁଣ୍ଡରେ ହାତ ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ଆରମ୍ଭ ହେଲା କାଉନ୍‌ସେଲିଂ। ଶେଷରେ ସ୍ବୀକାର କଲା ଝିଅ। ଗଁାରେ ସହମତିରେ ନିଜ ପୁଅ ସାଙ୍ଗ ସହ ଯୌନ ସମ୍ପର୍କ ସ୍ଥାପନ କରିଛି। ପୁଅର ନାମ ଓ ଠିକଣା ଲିପିବଦ୍ଧ ହେଲା। ବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଗଲା। ତେଣିକି ଆରମ୍ଭ ହେଲା ତନାଘନା। ଶିଶୁ ସୁରକ୍ଷା କମିଟି, ଶିଶୁ କଲ୍ୟାଣ କମିଟି ପଛକୁ ପଛ ଅଫିସରଙ୍କ ତୁହାକୁ ତୁହା ବିଦ୍ୟାଳୟକୁ ଗସ୍ତ ଚାଲିଲା। ଥାନାରେ ଏତଲା ଦେବାକୁ ପଡ଼ିଲା। ସହମତିରେ ଯୌନ ସମ୍ପର୍କ ସ୍ଥାପନ ହୋଇଥିଲେ ମଧ୍ୟ ନାବାଳକ ହେତୁ ପୋକ୍ସୋ ଆଇନ ମୁତାବକ ତାକୁ ଅପରାଧ ବିବେଚନା କରାଗଲା। ବାଳ ଅପରାଧୀକୁ ପୋଲିସ ଧରି ଆଣିଲା। ଆରମ୍ଭ ହେଲା ତାଡ଼ନା। ଦୁଇ ଜନଜାତି ପରିବାର ଗଁାରେ ବୈଠକ ହେଲା। ଉଭୟ ପକ୍ଷ ସହମତିରେ ବିବାହ ପାଇଁ ସମ୍ମତି ପ୍ରକଟ କଲେ। କିନ୍ତୁ ବିବାହ ବୟସ ହୋଇ ନ ଥିବାରୁ ବାଲ୍ୟ ବିବାହ କରିବାର ସୁଯୋଗ ଦେଲାନି ଆଇନ। ଏଣେ ଗଣମାଧ୍ୟମର ଶିରୋନାମା ପାଲଟିଲା ଖବର। ଘାଣ୍ଟି ହୋଇଗଲେ ବିଦ୍ୟାଳୟର ସମସ୍ତ କର୍ମଚାରୀ। ତିଳେ ମାତ୍ର ଭୁଲ ନ ଥିବା ସତ୍ତ୍ୱେ ଜଣେ ଜଣେ ଅପରାଧୀ ଭଳି ସମସ୍ତଙ୍କୁ ବିବେଚନା କରାଗଲା।
ସୁରକ୍ଷିତ ପ୍ରସବ ଉପରେ ଗୁରୁତ୍ୱଦେଲା ପ୍ରଶାସନ ଓ ଆଇନ। ଅପରପକ୍ଷେ ଝିଅ ଓ ପୁଅ ଗୋଷ୍ଠୀର ଲୋକେ ବିଦ୍ୟାଳୟକୁ ଆସି ତୁହାକୁତୁହା ନିଜ ଇଚ୍ଛା ମୁତାବକ ଭଲମନ୍ଦ କହି ଚାଲିଲେ। ବିଚରା ବିଦ୍ୟାଳୟ କର୍ତ୍ତୃପକ୍ଷ ଚାକିରିର ଦାୟରେ ନୀରବରେ ସବୁ ସହିବାକୁ ବାଧ୍ୟ ହେଲା। ସେମାନଙ୍କ କହିବା କଥା- ଘଟଣା ଜଣାଇବା ପରେ ପୋଲିସରେ ଏତଲା ଦେଲେ କ’ଣ ପାଇଁ? ଉଭୟ ପକ୍ଷକୁ ଜଣେଇ କଥା ପ୍ରଘଟ ନ ହୋଇ ସହମତିରେ ସମାଧାନ ହୋଇପାରନ୍ତା। ଉଭୟଙ୍କର ବାହାଘର ହୋଇପାରନ୍ତା। ଏଭଳି ପ୍ରଶ୍ନର ଉତ୍ତର ଦେବା ଭାରି କଷ୍ଟ। ମୁହଁ ଖୋଲିଲେ ବିସ୍ଫୋରଣ ହେବ, ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ। ସେମାନଙ୍କଠାରୁ ଆକ୍ରମଣ ବି ହୋଇପାରିବ। ବିଚରା ସ୍କୁଲ କର୍ତ୍ତୃପକ୍ଷଙ୍କୁ ତତ୍କାଳ ସୁରକ୍ଷା ଦେବ କିଏ ? ପୁଣି ତାକୁ ନେଇ ଥାନା କଚେରୀ ଝାମେଲାରେ ପଶିବ କିଏ? ବରଂ ଏଭଳି ସ୍ଥିତିରେ ସବୁ ସହିଯିବା ବୁଦ୍ଧିମାନର କାମ ବୋଲି ସହିଗଲେ ସମସ୍ତେ। ଦିନ ଗଡ଼ିଲା। ଛୁଆ ପ୍ରସବ ହେଲା। ଏଭଳି ଘଟଣା ପରେ ଏଇ ସ୍ପର୍ଶକାତର ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିନି ଏଇଠି। ବରଂ ବର୍ତ୍ତମାନ ପରିସ୍ଥିତିରେ ସହମତିରେ ଯୌନ ସମ୍ପର୍କ ଓ ଗର୍ଭଧାରଣ ଘଟଣା ସମାଜରେ ହୁ ହୁ ହୋଇ ବଢ଼ିଚାଲିଛି। ସହମତିରେ ହେଉଛି ଦୁର୍ଗତି। ଅନେକ ଘଟଣା ପଦାକୁ ଆସୁଛି। ବହୁ ଘଟଣା ଚାପି ହୋଇଯାଉଛି। ଲୋକଲଜ୍ଜା ଭୟରେ ଝିଅ ପକ୍ଷ ପରିବାର ଘଟଣାକୁ ରଫାଦଫା କରିବା ଲାଗି ସବୁ ସାଧ୍ୟମତେ ଉଦ୍ୟମ କରୁଛନ୍ତି। ହାଇସ୍କୁଲ ସ୍ତରରୁ ଏଇ ଘଟଣାମାନ ଘଟିବାରେ ଲାଗିଛି। କଲେଜ ସ୍ତରରେ ଏବେ ଏହା ଉତ୍କଟ ପ୍ରସଙ୍ଗ। କିଶୋର ବୟସର ଅନୁସନ୍ଧିତ୍ସୁ ମନ ଏଭଳି ବାଟବଣା କରିବାକୁ ବାଧ୍ୟ କରୁଛି। ବିଶେଷକରି ବହୁଳ ଭାବରେ ମୋବାଇଲ ଓ ଇଣ୍ଟରନେଟର ବ୍ୟବହାର ପିଲାଙ୍କୁ କୁପଥରେ ନେବାକୁ ସହାୟକ ହୋଇଛି। ଏହା ଯେତିକି ସତ୍ୟ ବଦଳୁଥିବା ସାମାଜିକ ପରିସ୍ଥିତି ଓ ଆମ ପାରିବାରିକ ବ୍ୟବସ୍ଥା ବି ସେତିକି ପରିମାଣରେ ଦାୟୀ ବୋଲି ବିଚାର କରିବାକୁ ହେବ।
ନିକଟରେ ସୁପ୍ରିମକୋର୍ଟ ପ୍ରମୁଖ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୂଡ଼ କିଶୋରୀ କିଶୋରଙ୍କ ମଧ୍ୟରେ ସହମତିରେ ହେଉଥିବା ଯୌନ ସମ୍ପର୍କ ଓ ତଜ୍ଜନିତ ସମସ୍ୟାକୁ ନେଇ ଏକ ଚିନ୍ତାଶୀଳ ପ୍ରସ୍ତାବ ଦେଇଛନ୍ତି। ୨୦୧୨ ପୋକ୍ସୋ ଆଇନରେ ନିର୍ଦ୍ଧାରିତ ବୟସ ସୀମା ଉପରେ ପୁନର୍ବିଚାର କରିବା ଲାଗି ବ୍ୟବସ୍ଥାପିକା ସଭାକୁ ପ୍ରସ୍ତାବ ଦେଇଛନ୍ତି। ସହମତିରେ ଯୌନ ସ୍ଥାପନ ପରେ ବି ପୁଅ ସାଙ୍ଗକୁ ଅପରାଧୀ ବିଚାର କରାଯାଇ ଦଣ୍ଡବିଧାନ କରାଯାଉଛି। ଝିଅର ସହମତି ଥାଇ ବି ଅନେକ ବାଳକ କିଶୋରାବସ୍ଥାରୁ ଅପରାଧୀ ହୋଇ ଦଣ୍ଡ ଭୋଗିବାକୁ ବାଧ୍ୟ ହେଉଛନ୍ତି। ଏପରିକି ପୀଡ଼ିତା ନାବାଳିକାର ପରିବାର ନିଜର ସାମାଜିକ ପ୍ରତିଷ୍ଠାକୁ ବଞ୍ଚେଇବାକୁ ଉଦ୍ଦେଶ୍ୟମୂଳକ ଭାବେ ମାମାଲା ରୁଜୁ କରିବାକୁ ଆଗ୍ରହ ପ୍ରକଟ କରୁଥିବା ସେ ଦର୍ଶାଇଛନ୍ତି। ମୁଖ୍ୟ ବିଚାରପତି ସାମ୍ପ୍ରତିକ ସାମାଜିକ ସ୍ଥିତିର ବାସ୍ତବ ଦିଗକୁ ଉନ୍ମୋଚନ କରିଛନ୍ତି। ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନାର ପ୍ରଭାବ କମାଇବା ପାଇଁ ବିଦ୍ୟାଳୟସ୍ତରରେ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି। ଯୌନ ସମ୍ପର୍କ ସ୍ଥାପନର ଭୟାବହ ସ୍ଥିତିକୁ ନେଇ କିଶୋରୀ କିଶୋରଙ୍କୁ ବିଦ୍ୟାଳୟସ୍ତରରୁ ସଚେତନ କରାଯାଉଛି। ଏ ଦିଗରେ କିଛି ଲାଭ ମିଳୁଛି ସତ, କିନ୍ତୁ ବେଳେବେଳେ ଏମିତି ପରିସ୍ଥିତି ଉପୁଜୁଛି ଶିକ୍ଷୟିତ୍ରୀ ଶିକ୍ଷକମାନେ ଏଭଳି ସ୍ପର୍ଶକାତର ଘଟଣାରେ ନିଜକୁ ଯଥାସମ୍ଭବ ଦୂରେଇ ରଖିବାକୁ ଚେଷ୍ଟା କରୁଛନ୍ତି। ଅନେକ କ୍ଷେତ୍ରରେ ଉଭୟ ପରିବାରର ମିଳିତ ଆକ୍ରମଣରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚେପା ହୋଇପଡ଼ୁଛନ୍ତି। ହଷ୍ଟେଲରେ ରହି ପଢ଼ୁଥିବା କିଶୋରୀ କିଶୋରଙ୍କୁ ନେଇ ବିଦ୍ୟାଳୟ ଓ କଲେଜସ୍ତରରେ ପରିସ୍ଥିତି ଆହୁରି ଭୟଙ୍କର। କଡ଼ା କଟକଣା ସତ୍ତ୍ୱେ କିଛି ଅଘଟଣ ଘଟିଲେ ଅନେକ ସମୟରେ ପୁଅଝିଅ ମିଳିତ ଭାବେ ନିଜକୁ ବଞ୍ଚେଇବା ପାଇଁ ବିଚରା କର୍ମଚାରୀଙ୍କୁ ଟାର୍ଗେଟ କରି ଦୋଷ ଢାଳିବାକୁ ପଛାଉନାହାନ୍ତି। ତେଣିକି ପରିସ୍ଥିତି ଗମ୍ଭୀର। ଏମିତି ବହୁ କାରଣରୁ ଏବେ ସବୁଠି ସମସ୍ତେ ଏଭଳି ପରିସ୍ଥିତି ଉପୁଜିଲେ ଭିତିରି ଭିତିରି ଘଟଣାକୁ ପ୍ରଶମିତ କରିବାକୁ ଉଦ୍ୟମ କରାଯାଉଛି। ସବୁକିଛି ରଫାଦଫା କରାଯାଉଛି, କିନ୍ତୁ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ବରଂ ପ୍ରଧାନ ବିଚାରପତିଙ୍କ ଭାଷାରେ ବ୍ୟାପକ ସଚେତନତା ଶିକ୍ଷା ଜରୁରୀ। ହୁଏତ ଏଥିରେ କିଛି ଆଶ୍ୱସ୍ତି ମିଳିପାରିବ!

  •  ଦ୍ୱିତୀ ଚନ୍ଦ୍ର ସାହୁ
    ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
    ମୋ: ୯୪୩୭୯୦୯୬୭୧

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri