ମକା ଖାଇ ଚୋପା (ହସ୍କ)କୁ ଏଣେ ତେଣେ ଆଉ ପକାଇବାକୁ ପଡ଼ିବନି। ଏହାର ପୁନଃ ବିନିଯୋଗ କରାଯିବାର ଉପାୟ ସାମ୍ନାକୁ ଆଣିଛନ୍ତି ମଣିପୁର ସେନପତି ଜିଲାର ଫ୍ଲୋରିଷ୍ଟ ନେଲି ଛାଛେୟା। ସେ ହସ୍ତକଳାରେ ଶିକ୍ଷା ଲାଭ କରିଛନ୍ତି। ନେଲି ମକା ଚୋପାରୁ ଜୈବ କଣ୍ଢେଇ ତିଆରି କରୁଛନ୍ତି ଏବଂ ଏହା ଶୀଘ୍ର ମାଟିରେ ମିଶିଯାଇପାରୁଛି। ଏହି କାର୍ଯ୍ୟରେ ସେ ଅନେକ ମହିଳାଙ୍କୁ ନିଯୁକ୍ତ କରିଛନ୍ତି। ଏହି କଣ୍ଢେଇଗୁଡ଼ିକୁ ସେମାନେ ହାତରେ ସିଲାଇକରି ତିଆରି କରୁଛନ୍ତି। ନେଲି ମଧ୍ୟ ରୋଷେଇ ଘରୁ ବାହାରୁ ଥିବା ବର୍ଜ୍ୟକୁ ଏହି କଣ୍ଢେଇ ତିଆରିରେ ବ୍ୟବହାର କରୁଛନ୍ତି। କଣ୍ଢେଇରେ ଉଦ୍ଭିଦରୁ ପ୍ରସ୍ତୁତ ଜୈବ ରଙ୍ଗ ବ୍ୟବହାର କରୁଛନ୍ତି। ନେଲି ଆଖପାଖ ଗାଁର ମକାଚାଷୀ ଓ ଦୋକାନୀଙ୍କଠାରୁ ମକା ଚୋପା ସଂଗ୍ରହ କରୁଛନ୍ତି । ସେ ମଧ୍ୟ ଏହି କଣ୍ଢେଇ ତିଆରି ସମ୍ପର୍କରେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି।


