ବେଙ୍ଗାଲୁରୁ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଗୋଡ଼ରେ ଆଘାତ ଲାଗିଛି। ସେ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ କରି ୪ଟି ଫଟୋ ଶେୟାର କରିବା ସହ ଏହି ସୂଚନା ଦେଇଛନ୍ତି। ଉକ୍ତ ଫଟୋଗୁଡ଼ିକରେ ରଶ୍ମିକାଙ୍କର ଆଘାତପ୍ରାପ୍ତ ଗୋଡ଼ ଦୃଶ୍ୟମାନ ହେଉଛି। ଏହାସହ ତାଙ୍କ ଗୋଡ଼ରେ ପ୍ଲାଷ୍ଟର କରାଯାଇଛି ଏବଂ ସେ ବିଶ୍ରାମ କରୁଥିବାର ଏହି ଫଟୋଗୁଡ଼ିକରେ ଦେଖିବାକୁ ମିଳିଛି। କ୍ୟାପ୍ଶନରେ ରଶ୍ମିକା ଲେଖିଛନ୍ତି, ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା। ଜିମ୍ରେ ୱର୍କଆଉଟ୍ କରିବା ସମୟରେ ଗୋଡ଼ରେ ଆଘାତ ଲାଗିଛି। ବୋଧହୁଏ ଆଗାମୀ କିଛି ସପ୍ତାହ କିମ୍ବା ମାସ ଯାଏ ‘ସିକନ୍ଦର’ ଏବଂ ‘କୁବେରା’ ଫିଲ୍ମର ଶୁଟିଂରେ ଯୋଗଦେବା ସମ୍ଭବ ହେବ ନାହିଁ। ତାଙ୍କ ଯୋଗୁଁ ଫିଲ୍ମ ଶୁଟିଂରେ ନିଶ୍ଚିତ ଭାବେ ବିଳମ୍ବ ଘଟିବ। ତେଣୁ ସେ ଉଭୟ ଫିଲ୍ମର ନିର୍ଦ୍ଦେଶକଙ୍କୁ କ୍ଷମା ମାଗିଛନ୍ତି। ଶୁଟିଂ ଶେଟ୍ର ଆକ୍ସନ ପାଇଁ ଗୋଡ଼ ଫିଟ୍ ହେବା ମାତ୍ରେ ସେ କାର୍ଯ୍ୟକୁ ଫେରିବେ ବୋଲି ରଶ୍ମିକା କହିଛନ୍ତି। ତେବେ ରଶ୍ମିକା ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ତାଙ୍କର ଅନେକ ପ୍ରଶଂସକ ଏବଂ ବହୁ ତାରକା ଏହି ପୋଷ୍ଟରେ କମେଣ୍ଟ କରି ଆଶା ପ୍ରକଟ କରିଛନ୍ତି।
ରଶ୍ମିକାଙ୍କ ଅଭିନୀତ ‘ପୁଷ୍ପା ୨’ ଫିଲ୍ମ ସୁପର ହିଟ୍ ହୋଇଥିବାବେଳେ ତାଙ୍କୁ ଖୁବ୍ଶୀଘ୍ର ଐତିହାସିକ କାହାଣୀ ଉପରେ ଆଧାରିତ ଫିଲ୍ମ ‘ଛାବା’ରେ ଅଭିନେତା ଭିକି କୌଶଲଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ଆସନ୍ତା ଫେବୃଆରୀ ୧୪ରେ ଏହି ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ସେହିପରି ଚଳିତ ବର୍ଷ ରିଲିଜ୍ ହେବାକୁ ଥିବା ଅଭିନେତା ସଲମାନ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ ‘ସିକନ୍ଦର’ର ମୁଖ୍ୟ ନାୟିକା ଭୂମିକାରେ ରଶ୍ମିକା ନଜରକୁ ଆସିବେ। ୨୦୨୫ରେ ରିଲିଜ୍ ହେବାକୁ ଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘କୁବେରା’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।


