ପୋଲ ଖସିଲା

କିଛିଦିନ ପୂର୍ବରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘୋଷଣା କରିଥିଲେ ଯେ, କୌଣସି ଜରୁରିକାଳୀନ ସ୍ଥିତି ଉପୁଜିଲେ ଭାରତର ସବୁ ଜାତୀୟ ରାଜପଥ (ଏନ୍‌.ଏଚ୍‌.) ହେଲିପ୍ୟାଡ୍‌ରେ ପରିଣତ ହେବା ଭଳି ଭିତ୍ତିଭୂମି ସୃଷ୍ଟି କରାଯାଇପାରିବ। ସେଥିନେଇ ତାଙ୍କ ମନ୍ତ୍ରଣାଳୟ ସଡ଼କ ପରିବହନ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରିସାରିଛି ବୋଲି ସେ କହିଥିଲେ। ହେଲେ ୨୦୨୨ ଜୁଲାଇରେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ନିଜେ ପାର୍ଲାମେଣ୍ଟରେ କହିଥିଲେ ୨୦୨୦ରେ ବିଶ୍ୱ ସଡ଼କ ଦୁର୍ଘଟଣାର ୨୬.୩୭ ପ୍ରତିଶତରେ ରହି ଭାରତ ସବୁଠୁ ଆଗରେ ଥିଲା। ଏଥିରୁ ବୁଝିହେଉଛି ଯେ ଆହୁରି ଅନେକ ଧନୀ ରାଷ୍ଟ୍ର, ଯେଉଁଠାରେ ଅତ୍ୟଧିକ ସଂଖ୍ୟାରେ ଯାନବାହନ ଚଳାଚଳ ହୁଏ, ସେଠାରେ ଭାରତ ତୁଳନାରେ ଯଥେଷ୍ଟ କମ୍‌ ଦୁର୍ଘଟଣା ଘଟିଥାଏ। ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାକୁ ସୁଗମ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଇ ଭିତ୍ତିଭୂମି ବିକାଶ ଚିନ୍ତା କରାଯିବା ଭଲ କଥା। କିନ୍ତୁ ତା’ ପୂର୍ବରୁ ଜାତୀୟ ରାଜପଥଗୁଡ଼ିକର ଅବସ୍ଥାକୁ ମଧ୍ୟ ପରଖାଯିବା ଦରକାର। ଓଡ଼ିଶା କଥା ଦେଖିଲେ କଟକର ମଙ୍ଗୁଳି ଭାୟା ଢେଙ୍କାନାଳ-ଅନୁଗୋଳ ଦେଇ ସମ୍ବଲପୁର ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥକୁ ଦୃଷ୍ଟାନ୍ତ ଭାବେ ନିଆଯାଇପାରିବ। ଏହି ଏନ୍‌.ଏଚ୍‌.ରେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ବିଷୟ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ସେତିକି ନୁହେଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହି ରାଜପଥର ଦୁରବସ୍ଥା ସମ୍ପର୍କରେ ଯେତେବେଳେ ପ୍ରଶ୍ନ କରାଯାଇଥିଲା ସେତେବେଳେ ତାଙ୍କ ଉତ୍ତରରେ ସେ କେବଳ କ୍ଷମା ମାଗିଥିଲେ। ଯେତେବେଳେ ସଡ଼କର ଅବସ୍ଥା ଏଭଳି ରହିଛି, ସେଥିରେ ହେଲିପ୍ୟାଡ୍‌ ଭିତ୍ତିଭୂମି ସୃଷ୍ଟି ନେଇ ପରିକଳ୍ପନା କରାଯିବା ହାସ୍ୟାସ୍ପଦ ମନେହେଉଛି।
୩୦ ଅକ୍ଟୋବର ସନ୍ଧ୍ୟାରେ ଗୁଜରାଟର ମୋର୍ବିସ୍ଥିତ ମାଛୁ ନଦୀରେ ୧୦୦ ବର୍ଷ ପୁରୁଣା ସସ୍ପେନ୍‌ସନ ବ୍ରିଜ୍‌ ଭୁଶୁଡ଼ିପଡ଼ିଛି। ଏଥିଯୋଗୁ ୬୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଲୋକ ଆହତ ହୋଇ ପାଣିରେ ଫସିରହିଥିବା ପ୍ରାଥମିକ ସୂଚନା ମିଳିଛି। ଉକ୍ତ ଝୁଲା ପୋଲ ବ୍ରିଟିଶ ସରକାର ଅମଳରେ ନିର୍ମାଣ କରାଯାଇଥିଲା। ଏହା ଦୁର୍ବଳ ହୋଇଯାଇଥିବାରୁ ନିକଟରେ ତାହାର ମରାମତି କରାଯାଇଥିଲା। ପୁନଃ ନିର୍ମାଣ ପରେ ଗତ ୨୬ ତାରିଖରେ ଏହାକୁ ଖୋଲାଯାଇଥିଲା। ଏପଟେ ସମାନ ଦିନରେ କଳାହାଣ୍ଡି ଜିଲା ସଦରମହକୁମା ଭବାନୀପାଟଣାରୁ ଥୁଆମୂଳ-ରାମପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ଉପରେ ଥିବା ଏକ ପୋଲ ଅଧାରୁ ଭୁଶୁଡ଼ି ପଡ଼ିବା ଫଳରେ ଦୁଇଟି କାର୍‌ ଗଳିପଡ଼ିବା ଦୃଶ୍ୟ ଦେଖିବାକୁ ମିଳିଛି। ସେଥିରେ ପ୍ରାୟ ୫ ଜଣ ଲୋକ ଗୁରୁତର ହୋଇଛନ୍ତି। ସୂଚନା ମିଳିଛି ଯେ, ଉକ୍ତ ପୋଲଟି ପାଖାପାଖି ଶହେ ବର୍ଷ ତଳେ ନିର୍ମାଣ କରାଯାଇଥିଲା। ସେହି ନିର୍ମାଣରେ ସମ୍ପୃକ୍ତ ଠିକାଦାର ବଞ୍ଚତ୍ ରହିଥିବେ ବୋଲି ବିଶ୍ୱାସ ହେଉନାହିଁ। କିନ୍ତୁ ସରକାର ଯେଉଁ ରକ୍ଷଣାବେକ୍ଷଣ କରିବା କଥା, ତାହା ଏବକାର ଯନ୍ତ୍ରୀମାନଙ୍କ ଦାୟିତ୍ୱରେ ନିଶ୍ଚିତ ଭାବେ ଥିବ; ଯାହାକି ସେଥିରେ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ଭିଜିଲାନ୍ସ ଚଢ଼ାଉ କରି ଯନ୍ତ୍ରୀଙ୍କ କ୍ରିପ୍‌ଟୋ କରେନ୍ସି ଲିଙ୍କ୍‌ ଧରିବା ପରିବର୍ତ୍ତେ ଦୁର୍ଘଟଣା ପାଇଁ ଦାୟୀ ଥିବା ଯନ୍ତ୍ରୀଙ୍କୁ ତତ୍‌କ୍ଷଣାତ୍‌ ଚାକିରିରୁ ବିଦା କରାଯାଇ ଯଦି ଗିରଫ କରାଯାଇପାରନ୍ତା, ତାହା ହେଲେ ସରକାରଙ୍କ ସଚ୍ଚୋଟପଣିଆ ଲୋକଙ୍କ ତୁଣ୍ଡରୁ ଶୁଣିବାକୁ ମିଳନ୍ତା। ଅବଶ୍ୟ ସମସ୍ତେ ଜାଣନ୍ତି ଯେ, ସେଭଳି ପଦକ୍ଷେପ ଓଡ଼ିଶା ଭଳି ରାଜ୍ୟରେ ନିଆଯିବ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି, ଦୀର୍ଘ ବର୍ଷ ତଳର ବ୍ରିଜ୍‌ରେ ଯାନବାହନ ଚଳାଚଳ ଲାଗି କାହିଁକି ଅନୁମତି ଦିଆଯାଉଥିଲା। ଅବଶ୍ୟ ଏଭଳି ପୋଲ ଓଡ଼ିଶା ସମେତ ଦେଶର ବହୁ ଅଞ୍ଚଳରେ ଏବେ ମଧ୍ୟ ବ୍ୟବହୃତ ହେଉଛି, ଯାହାର କୌଣସି ବିକଳ୍ପ ସୃଷ୍ଟି କିମ୍ବା ଠିକ୍‌ ଭାବେ ମରାମତି କରାଯାଉନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଏହି କିଛି ବର୍ଷ ମଧ୍ୟରେ ସରକାର ଅନେକ ଉପାୟରେ ଲୋକଙ୍କ ଉପରେ ପରିବହନ ଟିକସ ଲଦି ଚାଲିଛନ୍ତି। ନୂତନ ରାସ୍ତା ସୃଷ୍ଟି କରିବା ସକାଶେ ଯେଉଁ ଅର୍ଥ ଖର୍ଚ୍ଚ ହେଉଛି, ତାହାଠାରୁ କାହିଁ କେତେ ଅଧିକ ରାଜସ୍ବ ଫାସ୍‌ଟାଗ ଭଳି ବ୍ୟବସ୍ଥାରେ ସଂଗ୍ରହ କରାଯାଉଛି। ସେହିଭଳି ଶୁଖିଲାରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍‌ଏସ୍‌ଅର୍‌ପି) କରିବା ପାଇଁ ବାଧ୍ୟ କରାଯାଇ ଅର୍ଥ ଶୋଷଣ କରାଯାଉଛି। ଏଠାରେ ପ୍ରଶ୍ନ ଉଠିପାରେ ହାଇ ସିକ୍ୟୁରିଟିର ଅର୍ଥ କ’ଣ। ମାଲିକଙ୍କ ଗାଡ଼ି ଚୋରି ହୋଇଗଲେ ତାଙ୍କୁ ଗାଡ଼ି ଖୋଜିଆଣି ଦେବା ବା କ୍ଷତିପୂରଣ ବ୍ୟବସ୍ଥା କରାଯାଇ ନ ଥିବାରୁ ଏହି ନୂତନ ନମ୍ବର ପ୍ଲେଟ ଏକ ପ୍ରହସନ ମାତ୍ର। ସେହିଭଳି ଭାବରେ ସଡ଼କ ଟିକସର ପରିମାଣ ବାରମ୍ବାର ବୃଦ୍ଧି କରାଯାଉଛି ଏବଂ କୁହାଯାଉଛି ଯେ, ଅଧିକ ମୂଲ୍ୟର ଗାଡ଼ି ଉପରେ ଅଧିକ ଟିକସ ପଡ଼ୁଛି। ଗାଡ଼ିର ମୂଲ୍ୟ ଅଧିକ ହେବାର ଅନ୍ୟତମ କାରଣ ହେଉଛି ପ୍ରଦୂଷଣ ରୋକିବା ପାଇଁ ସରକାର ସୃଷ୍ଟି କରୁଥିବା ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା, ଯାହାକୁ ଭାରତ ଷ୍ଟେଜ୍‌ କୁହାଯାଉଛି। ତଥାପି ଅଧିକ ଅର୍ଥ ଦେଉଥିବା ସତ୍ତ୍ୱେ ଗାଡ଼ିର ଜୀବନକାଳକୁ ୧୫ ବର୍ଷରେ ସୀମିତ ରଖାଯାଉଛି। ସବୁଆଡ଼ୁ ଲାଭ କରୁଥିବା ସରକାର ସଡ଼କ ବ୍ୟବହାରକାରୀଙ୍କୁ ସର୍ବନିମ୍ନ ସୁରକ୍ଷା ଦେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହେଉଛନ୍ତି ବୋଲି ସ୍ପଷ୍ଟ ବୁଝାପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

କିମାଶ୍ଚର୍ଯ୍ୟମ

ମହାଭାରତର ଯକ୍ଷ ପ୍ରଶ୍ନ ‘କିମାଶ୍ଚର୍ଯ୍ୟମ?’ ର ଉତ୍ତରରେ ଯୁଧିଷ୍ଠିର କହିଥିଲେ, ପ୍ରତି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଜୀବ ମୃତ୍ୟୁବରଣ କରୁଥିଲେ ମଧ୍ୟ ଆମେ ଚିରଦିନ ବଞ୍ଚିବା...

ଆଷ୍ଟ୍ରାଜେନେକାର ସ୍ବୀକାର ଓ ଭାରତ

ଷ୍ଟ୍ରାଜେନେକା ହେଉଛି ଏକ ବ୍ରିଟେନ-ସୁଇଡେନ ମଲ୍‌ଟିନ୍ୟାଶନାଲ ଫାର୍ମାସ୍ୟୁଟିକାଲ ଆଣ୍ଡ ବାୟୋଟେକ୍ନୋଲୋଜି କମ୍ପାନୀ। ଏହି ଟିକାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ...

ଏଇ ଭାରତରେ

ଭାରତର ପ୍ରମୁଖ ସହରଗୁଡ଼ିକରେ ଥିବା କ୍ୟାନ୍‌ସର ହସ୍ପିଟାଲରେ ଚିକିତ୍ସାର ସୁବିଧା ରହିଥିଲେ ମଧ୍ୟ ପୀଡ଼ିତଙ୍କୁ ନେଇ ବାରମ୍ବାର ଯିବା ଓ ସେଠାରେ ରହି କେମୋଥେରାପି ନେବାରେ...

Dillip Cherian

ଶୂନ୍ୟତାର ସ୍ମାରକ

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରାଥମିକତାଭିତ୍ତିରେ କ’ଣ କରାଯିବ ତାହାର କୌଶଳ ଅର୍ଜନ କରିଛନ୍ତି। ଏହା ମଧ୍ୟ କହିବା ଉଚିତ ଯେ, ସେ ଯାହାକୁ ଅପ୍ରାସଙ୍ଗିକ...

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri