Posted inଜାତୀୟ

୬ ଦୋଷୀଙ୍କ ମୁକ୍ତି ପଥ ଫିଟିପାରେ

ନୂଆଦିଲ୍ଲୀ/ଚେନ୍ନାଇ, ୧୯ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଏ.ଜି. ପେରାରିଭଲନ୍‌ ମୁକୁଳିବା ପରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ସନ୍ଥନ, ମୁରୁଗାନ, ନଳିନୀ, ରବର୍ଟ ପାୟସ୍‌, ଜୟକୁମାର ଓ ରବୀନ୍ଦ୍ରନ୍‌ଙ୍କ ମୁକ୍ତି ପଥ ପରିଷ୍କାର ହୋଇଛି। ପେରାରିଭଲନ୍‌ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ କାରାଦଣ୍ଡ ଭୋଗିସାରିଥିବାରୁ ତାଙ୍କୁ ଅବଶିଷ୍ଟ ଦଣ୍ଡରୁ ମୁକ୍ତ କରାଯାଉ ବୋଲି ୨୦୧୮ରେ ତାମିଲନାଡ଼ୁ ସରକାର ସୁପାରିସ କରିଥିଲେ। ଏହାସତ୍ତ୍ୱେ ତାଙ୍କୁ ମୁକ୍ତ କରା ନ ଯିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ରାଜକ୍ଷମା ଆବେଦନ ଉପରେ ବିଚାର କରିବା ପାଇଁ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରୁ କିଏ ଉପଯୁକ୍ତ କର୍ତ୍ତୃପକ୍ଷ ତାକୁ ନେଇ ଏହି ମାମଲାରେ ଆଇନଗତ ବିବାଦ ଦେଖାଦେଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଦଫା ୩୦୨ ସମ୍ପର୍କିତ ରାଜକ୍ଷମା ଉପରେ ରାଷ୍ଟ୍ରପତି ହିଁ ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ। ଜଷ୍ଟିସ୍‌ ଏଲ୍‌. ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ତଥା ବି.ଆର୍‌. ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ସମସ୍ତ ୭ ଦୋଷୀଙ୍କୁ ଦଣ୍ଡାଦେଶ ଅବଧି ଶେଷ ହେବା ପୂର୍ବରୁ ମୁକ୍ତ କରିବା ପାଇଁ ତାମିଲନାଡ଼ୁ କ୍ୟାବିନେଟ୍‌ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲା।

ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ପେରାରିଭଲନ୍‌ଙ୍କୁ ତୁରନ୍ତ ମୁକ୍ତ କରିବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୬୧ ଅନୁସାରେ ରାଜକ୍ଷମା ଆବେଦନ ଉପରେ ରାଜ୍ୟପାଳ ନିଷ୍ପତ୍ତି ନେବାରେ ଅତ୍ୟଧିକ ବିଳମ୍ବ କରିବାରୁ ତାଙ୍କୁ ମୁକ୍ତ କରାଯାଇଛି। ପ୍ରକାଶ ଯେ, ୨୦୨୨ ମେ’ ୧୧ରେ ରାଜ୍ୟ ସରକାରଙ୍କ ସୁପାରିସକୁ ଗ୍ରହଣ କରି ଅଦାଲତ ଏହି ମାମଲାର ରାୟ ସଂରକ୍ଷିତ ରଖିଥିଲେ।

ନିଷ୍ପତ୍ତି ନେବେ ତାମିଲନାଡ଼ୁ ସରକାର

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଜେଲଦଣ୍ଡ ଭୋଗୁଥିବା ଅବଶିଷ୍ଟ ୬ ଦୋଷୀଙ୍କ ମୁକ୍ତି ନିଷ୍ପତ୍ତି ନିଆଯିବ ବୋଲି ବୁଧବାର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ କହିଛନ୍ତି। ସୁପ୍ରିମକୋର୍ଟ ଏ. ଜି. ପେରାରିଭଲନ୍‌ଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେବା ପରେ ଖବରଦାତାଙ୍କୁ ଷ୍ଟାଲିନ୍‌ କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସରକାର ଅନୁଧ୍ୟାନ କରିବେ। ଏଥିସହ ଆଇନ ବିଶେଷଜ୍ଞମାନଙ୍କ ସହତ ବିଚାରବିମର୍ଶ କରି ସେମାନଙ୍କ ମୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନେବେ। ପ୍ରକାଶ ଯେ, ୧୯୯୧ରେ ଥେନମୋଝି ରାଜରନତ୍ମ୍‌ (ଧାନୁ) ନାମ୍ନୀ ଶ୍ରୀଲଙ୍କା ନାଗରିକ ତଥା ଏଲ୍‌ଟିଟିଇର ଆତ୍ମଘାତୀ ମହିଳା ବିସ୍ଫୋରଣ ଘଟାଇ ରାଜୀବଙ୍କୁ ହତ୍ୟା କରିବା ପରଠୁ ସମସ୍ତ ଦୋଷୀ ଜେଲରେ ଦଣ୍ଡାଦେଶ ଭୋଗୁଛନ୍ତି।

୨ ବ୍ୟାଟେରି ପାଇଁ ଜେଲରେ ୩୧ ବର୍ଷ

ରାଜୀବ ଗାନ୍ଧୀ ୧୯୯୧ ସାଧାରଣ ନିର୍ବାଚନ ପାଇଁ ମେ’ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମ୍ବୁଦୁରରେ ପ୍ରଚାର କରୁଥିବାବେଳେ ଆମତ୍ଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଏହି ରାଜନୈତିକ ହତ୍ୟାକାଣ୍ଡ କେବଳ ଭାରତ ନୁହେଁ, ବରଂ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେତେବେଳେ ଏ.ଜି. ପେରାରିଭଲନ୍‌ଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା ଲିବରେଶନ୍‌ ଟାଇଗର୍ସ ଅଫ୍‌ ତାମିଲ ଇଲମ୍‌ (ଏଲ୍‌ଟିଟିଇ)ର ଶିବାଶରଣଙ୍କ ପାଇଁ ପେରାରିଭଲନ୍‌ ଦୁଇଟି ୯-ଭୋଲ୍ଟ ବ୍ୟାଟେରି କିଣି ଆଣିଦେଇଥିଲେ। ଉକ୍ତ ବ୍ୟାଟେରିକୁ ରାଜୀବଙ୍କ ହତ୍ୟା ପାଇଁ ପ୍ରସ୍ତୁତ ବୋମାରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା। ୧୯୯୮ରେ ଆତଙ୍କବାଦ ନିରୋଧୀ କୋର୍ଟ ପେରାରିଭଲନ୍‌ଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପରବର୍ଷ ସୁପ୍ରିମକୋର୍ଟ ଏହାକୁ ବଳବତ୍ତର ରଖିଥିଲେ ହେଁ ୨୦୧୪ରେ ଆଜୀବନ କାରାଦଣ୍ଡରେ ପରିବର୍ତ୍ତିତ କରିଥିଲେ। ଗତ ମାର୍ଚ୍ଚରେ ଶୀର୍ଷ ଅଦାଲତ ତାଙ୍କୁ ଜାମିନ ଦେଇଥିଲେ। ଜାମିନ ପାଇବା ପରେ ସେ ଜେଲରୁ ତୁରନ୍ତ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଅପିଲ କରିଥିଲେ। ଅନ୍ୟପକ୍ଷେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ତାମିଲନାଡୁ ରାଜ୍ୟପାଳ ଏହି ପ୍ରସଙ୍ଗ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ବିଚାର ପାଇଁ ପଠାଇଛନ୍ତି। ତେବେ ରାଷ୍ଟ୍ରପତି ଏହା ଉପରେ କୌଣସି ନିଷ୍ପତ୍ତି ନେଇ ନ ଥିବା କେନ୍ଦ୍ର ପକ୍ଷରୁ ଯୁକ୍ତି ବଢ଼ାଯାଇଥିଲା। ସୁପ୍ରିମକୋର୍ଟ ପେରାରିଭଲନ୍‌ଙ୍କୁ ବୁଧବାର ମୁକ୍ତ କରିଛନ୍ତି।

ଷ୍ଟାଲିନ୍‌ଙ୍କୁ ଧନ୍ୟବାଦ ଦେଲେ

ପେରାରିଭଲନ୍‌ ଜେଲରୁ ମୁକୁଳିବା ପରେ ଚେନ୍ନାଇ ବିମାନବନ୍ଦରରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ଙ୍କୁ ସାକ୍ଷାତ୍‌ କରିଛନ୍ତି। ଏଥିସହ ତାଙ୍କ ମୁକ୍ତି ପାଇଁ ପ୍ରୟାସ କରିଥିବାରୁ ରାଜ୍ୟ ସରକାରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ସତ୍ୟ ଓ ନ୍ୟାୟ ଆମ ସପକ୍ଷରେ ରହିଛି। ଲୋକଙ୍କ ସମର୍ଥନ ଓ ଭଲ ପାଇବା ନ ଥିଲେ ଏହା ସମ୍ଭବ ହୋଇ ନ ଥାଆନ୍ତା। ମୃତ୍ୟୁଦଣ୍ଡର ଆବଶ୍ୟକତା ନ ଥିବା ମଁୁ ଦୃଢ଼ ଭାବେ ବିଶ୍ୱାସ କରେ ବୋଲି ପେରାରିଭଲନ୍‌ କହିଛନ୍ତି। ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ସ୍ବାଗତ କରିଛନ୍ତି।

କେନ୍ଦ୍ରକୁ ଦୋଷ ଦେଲା କଂଗ୍ରେସ

କେନ୍ଦ୍ର ସରକାରଙ୍କ ଶସ୍ତା ରାଜନୀତି ଯୋଗୁ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିର ବାଟ ଫିଟିଥିବା କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଏଆଇସିିସି ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟଓ୍ବୋଲା କହିଛନ୍ତି, ଏହି ଘଟଣାକ୍ରମକୁ ନେଇ କେବଳ କଂଗ୍ରେସ କର୍ମୀମାନେ ନୁହନ୍ତି, ବରଂ ସମସ୍ତ ଭାରତୀୟ ଦୁଃଖିତ। ଜଣେ ଆତଙ୍କବାଦୀଙ୍କୁ ଆତଙ୍କବାଦୀ ଭଳି ବ୍ୟବହାର କରାଯିବା ଉଚିତ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ସୁପ୍ରିମକୋର୍ଟ ମୁକ୍ତ ପାଇଁ ନିର୍ଦ୍ଦେଶ ଦେବା ଆମ ସମସ୍ତଙ୍କୁ ବ୍ୟଥିତ ଓ ନିରାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri