ନୂଆପଡ଼ା,୨୮ା୮(ମକାରୁ ବେମାଲ): ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଓଡ଼ିଶା ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ ନୂଆପଡ଼ା ସହରର ରେଲୱେ ଫାଟକ ନିକଟ ବହୁମୁଖୀ ହଲ୍ରେ ଅନୁଷ୍ଠିତ ହୋଇଯାଇଛି। ଜିଲାର ମୋଟ ୧,୬୭,୦୯୪ ହିତାଧିକାରୀଙ୍କ ଖାତାକୁ ପଞ୍ଚମ କିସ୍ତି ବାବଦରେ ପ୍ରତ୍ୟେକଙ୍କୁ ୫,୦୦୦ ଟଙ୍କା ହିସାବରେ ମୋଟ ୮୩ କୋଟି ୫୪ ଲକ୍ଷ ୭୦ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି।
ସମାରୋହରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲାପାଳ ମଧୁସୂଦନ ଦାଶଙ୍କ ସମେତ ଅନ୍ୟ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ। ଏହି ଅବସରରେ ବିଧାୟକ ଢୋଲକିଆ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ଦିଗରେ ‘ସୁଭଦ୍ରା’ ଯୋଜନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଜିଲାପାଳ ଦାଶ ମହିଳା ସଶକ୍ତ୍ୀକରଣ ଉପରେ ଗୁରୁତ୍ୱାରୋପ କରି ‘ସୁଭଦ୍ରା’ ଯୋଜନାରୁ ମିଳୁଥିବା ଅର୍ଥକୁ ସୁବିନିଯୋଗ କରି ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ କ୍ଷମାନିଧି ଭୋଇ, ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଜିଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲା ପରିଷଦ ସଦସ୍ୟ ଭାନୁପ୍ରତାପ ସିଂ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
‘ସୁଭଦ୍ରା’ର ପଞ୍ଚମକିସ୍ତି ପାଇ ହିତାଧିକାରୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଥିଲା। ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କୁ ଆତ୍ମନିର୍ଭର କରିବା ସହ ରାଜ୍ୟର ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ‘ସୁଭଦ୍ରା’ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ଜିଲା ସମ୍ବଳ ସଂଯୋଜକ ଅନିଲ କୁମାର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

