୭ ବିଧାୟକଙ୍କ ଟିକେଟ କାଟିଲା ବିଜେଡି

ଭୁବନେଶ୍ୱର,୪ା୪(ଅନିଲ ଦାସ)ଆସନ୍ତା ନିର୍ବାଚନ ପାଇଁ ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଏବଂ ତୃତୀୟ ପର୍ଯ୍ୟାୟ ଲୋକ ସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ବୁଧବାର ଭିଡିଓ ବାର୍ତ୍ତା ଦେଇ ନଁା ଘୋଷଣା କରିଛନ୍ତି। ଦଳ ଏଥର ଅଧିକାଂଶ ସ୍ଥାନରେ ବିଧାୟକମାନଙ୍କୁ ପୁଣିଥରେ ଟିକେଟ ଦେଇଛି। ତେବେ ୭ ଜଣ ବିଧାୟକଙ୍କ ଟିକେଟ କଟିଛି। ସେମାନେ ହେଲେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ସୋର ବିଧାୟକ ପର୍ଶୁରାମ ଧଡ଼ା, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ଏବଂ ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ। ହେଲେ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ୍‌ ପ୍ରତାପ ଜେନା ଏବଂ ରାଜ କିଶୋରଙ୍କ ସ୍ତ୍ରୀ ପ୍ରୀତିନନ୍ଦା କାନୁନ୍‌ଗୋଙ୍କୁ ବିଜେଡି ଟିକେଟ୍‌ ଦେଇଛି। ୨ ପର୍ଯ୍ୟାୟରେ ମୋଟ ୯୯ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବାବେଳେ ଆହୁରି ୪୮ ଆସନ ବାକି ରହିଛି।
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ବିଜେଡି ୭ ମହିଳାଙ୍କୁ ପ୍ରାର୍ଥୀ କରିଥିବାବେଳେ ସେଥିରେ ୪ ଜଣ ବିଧାୟିକା ରହିଛନ୍ତି। ୭ ମହିଳା ପ୍ରାର୍ଥୀ ହେଲେ ବ୍ରଜରାଜନଗରରୁ ଅଳକା ମହାନ୍ତି, ଝାରସୁଗୁଡ଼ାରୁ ଦୀପାଳି ଦାସ, ବଡ଼ସାହିରୁ ଅନସୂୟା ପାତ୍ର, ମୋରଡ଼ାରୁ ପ୍ରୀତିନନ୍ଦା କାନୁନ୍‌ଗୋ, ଫୁଲବାଣୀରୁ ଜୟଶ୍ରୀ କହଁର, ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟ ଓ ଆସ୍କାରୁ ମଞ୍ଜୁଳା ସ୍ବାଇଁଙ୍କୁ ବିଜେଡି ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି ଅନସୂୟା, ଜୟଶ୍ରୀ, ପ୍ରୀତିନନ୍ଦା, ଅଙ୍କିତ୍‌ ପ୍ରତାପ ଜେନାଙ୍କ ସମେତ ୯ ପ୍ରାର୍ଥୀଙ୍କୁ ପ୍ରଥମଥର ପାଇଁ ଟିକେଟ ଦିଆଯାଇଛି। ଅନ୍ୟ ନୂଆ ପ୍ରାର୍ଥୀମାନେ ହେଲେ ତିର୍ତ୍ତୋଲରୁ ରମାକାନ୍ତ ଭୋଇ, ପାରଳାଖେମୁଣ୍ଡିରୁ ରୂପେଶ ପାଣିଗ୍ରାହୀ, ରାଜଗାଙ୍ଗପୁରରୁ ଅନିଲ ବରୁଆ, ଯଶୀପୁରରୁ ଚକ୍ରଧର ହେମ୍ବ୍ରମ ଓ ସୋରରୁ ମାଧବ ଧଡ଼ା।
ଗତ ନିର୍ବାଚନରେ ସୁନ୍ଦରଗଡ଼ରୁ ପରାଜିତ ପ୍ରାର୍ଥୀ ଯୋଗେଶ ସିଂହଙ୍କୁ ବିଜେଡି ପୁଣି ପ୍ରାର୍ଥୀ କରିଥିବା ବେଳେ ବଣାଇଁରୁ ଭୀମସେନ ଚୌଧୁରୀ, ଉଦଳାରୁ ଶ୍ରୀନାଥ ସୋରେନ, ବାରିପଦାରୁ ସାନନ୍ଦ ମାରାଣ୍ଡି, ତଳସରାରୁ ବିନୟ କୁମାର ଟପ୍ପୋ, ଆଠମଲ୍ଲିକରୁ ନଳିନୀକାନ୍ତ ପ୍ରଧାନ, ବୀରମହାରାଜପୁରରୁ ପଦ୍ମନାଭ ବେହେରା, ଖରିଆରରୁ ଅଧିରାଜ ପାଣିଗ୍ରାହୀ, ଭୁବନେଶ୍ୱର(ଏକାମ୍ର)ରୁ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର(ଉତ୍ତର)ରୁ ସୁଶାନ୍ତ କୁମାର ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲରୁ ବିଜୟଶଙ୍କର ଦାସଙ୍କୁ ହଟାଇ ଦଳ ରମାକାନ୍ତ ଭୋଇଙ୍କୁ ଟିକେଟ ଦେଇଛି। ଭୋଇ ତିର୍ତ୍ତୋଲ ଉପନିର୍ବାଚନ ବେଳେ ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ସେହିପରି ଜଗତ୍‌ସିଂହପୁରରୁ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପୁଣି ଥରେ ଟିକେଟ ଦେଇଥିବା ବେଳେ ଖଲ୍ଲିକୋଟରୁ ସୂର୍ଯ୍ୟମଣି ବୈଦ୍ୟଙ୍କୁ ପୁନର୍ବାର ସୁଯୋଗ ଦିଆଯାଇଛି। ୨୦୧୯ରେ ଟିକେଟରୁ ବଞ୍ଚିତ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଏଥର ବ୍ରହ୍ମପୁରରୁ ପ୍ରାର୍ଥୀ କରାଯାଇଥିବାବେଳେ ମୋହନାରୁ ଅନ୍ତର୍ଯ୍ୟାମୀ ଗମାଙ୍ଗୋ ଏବଂ ପଟାଙ୍ଗୀରୁ ପ୍ରଫୁଲ୍ଲ କୁମାର ପାଙ୍ଗୀଙ୍କୁ ଟିକେଟ ଦିଆଯାଇଛି। ସେହିପରି ଯଶୀପୁର ଆସନରୁ ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା ବନ୍ୟପ୍ରାଣୀ ସୁରକ୍ଷା ପାଇଁ କାର୍ଯ୍ୟରତ ସାମାଜିକ କର୍ମୀ ଚକ୍ରଧର ହେମ୍ବ୍ରମ ପ୍ରାର୍ଥୀ ହୋଇଛନ୍ତି। ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଥିବା ସୋର ମ୍ୟୁନିସିପାଲିଟି ଅଧ୍ୟକ୍ଷ ମାଧବ ଧଡ଼ାଙ୍କୁ ବିଜେଡି ପ୍ରତିଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦେଇଛି। ଫୁଲବାଣୀ ଆସନରେ ବିଧାୟକ ଅଙ୍ଗଦ କଅଁରଙ୍କ ବଦଳରେ ଜିଲା ପରିଷଦ ସଭ୍ୟ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କରିଛି। ବଡ଼ସାହିରେ ବିଜେଡି ନେତା ଗଣେଶ୍ୱର ପାତ୍ରଙ୍କ ବଦଳରେ ତାଙ୍କ ସ୍ତ୍ରୀ ଅନସୂୟାଙ୍କୁ ଟିକେଟ ମିଳିଛି। ସେହିପରି ବିଜେଡିରେ ସାମିଲ ହୋଇଥିବା ଭୀମସେନ ଚୌଧୁରୀଙ୍କୁ ଦଳ ଏଥର ବଣାଇଁ ଆସନରୁ ପ୍ରାର୍ଥୀ କରିଛି। ତଳସରାରେ ବିନୟ ଟପ୍ପୋ, ସୁନ୍ଦରଗଡ଼ରେ ଯୋଗେଶ ସିଂ, ଉଦଳାରେ ଶ୍ରୀନାଥ ସୋରେନ ଓ ସମ୍ବଲପୁର ଲୋକ ସଭା ଆସନରେ ନଳିନୀକାନ୍ତ ପ୍ରଧାନ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ବିଜେଡି ଏଥର ସେମାନଙ୍କୁ ପୁଣିଥରେ ଟିକେଟ ଦେଇଛି। ସେହିପରି ଗତ ନିର୍ବାଚନରେ ଟିକେଟରୁ ବଞ୍ଚିତ ଥିବା ପ୍ରଫୁଲ୍ଲ ପାଙ୍ଗୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ସାନନ୍ଦ ମାରାଣ୍ଡିଙ୍କ ଉପରେ ଦଳ ଭରସା କରି ଏଥର ଟିକେଟ ଦେଇଛି।
ଅନ୍ୟପକ୍ଷରେ ବିଜେଡି ଲୋକ ସଭା ପାଇଁ ୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ମିଶାଇ ଲୋକ ସଭା ପ୍ରାର୍ଥୀଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଏହି ୫ ପ୍ରାର୍ଥୀଙ୍କ ମଧ୍ୟରେ ୪ ନୂଆ ଚେହେରା ଅଛନ୍ତି। ଲୋକ ସଭା ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ୨ ଜଣ ମହିଳାଙ୍କ ନାମ ରହିଛି । ଭଦ୍ରକରୁ ମଞ୍ଜୁଲତା ମଣ୍ଡଳ ଓ ବରଗଡ଼ରୁ ପରିଣୀତା ମିଶ୍ର ବିଜେଡି ଟିକେଟରେ ନିର୍ବାଚନ ଲଢ଼ିବେ। ଭାଜପା ଛାଡ଼ି ବିଜେଡିରେ ମିଶିଥିବା ଭୃଗୁ ବକ୍ସିପାତ୍ରଙ୍କୁ ଦଳ ବ୍ରହ୍ମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ତାଙ୍କର ଲଢ଼େଇ ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ହେବ। ଭୃଗୁ ୨୦୧୯ରେ ଭାଜପା ଟିକେଟରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ତାଙ୍କୁ ବିଜେଡିର ଚନ୍ଦ୍ରଶେଖର ସାହୁ ହରାଇଥିଲେ। ହେଲେ ବିଜେଡି ଚନ୍ଦ୍ରଶେଖରଙ୍କ ବଦଳରେ ଏଥର ଭୃଗୁଙ୍କୁ ଟିକେଟ ଦେଇଛି। ସେହିପରି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂ ଭୋଇ ବଲାଙ୍ଗୀରରୁ ଲୋକ ସଭା ପ୍ରାର୍ଥୀ ହୋଇଥିବାବେଳେ ଭଦ୍ରକ ଲୋକ ସଭା ଆସନରୁ ପୁଣିଥରେ ମଞ୍ଜୁଲତା ମଣ୍ଡଳ ନିର୍ବାଚନ ଲଢ଼ିବେ। ସେହିପରି ପରିଣୀତା ମିଶ୍ରଙ୍କୁ ଦଳ ବରଗଡ଼ରୁ ଓ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ କେନ୍ଦୁଝରରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ଏହାପୂର୍ବରୁ ବିଜେଡି ୧୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ଏବେ କେବଳ ବାଲେଶ୍ୱର ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ବାକି ରହିଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ସେ ବିଜେଡିରେ ମିଶିବା ପରେ ଉକ୍ତ ଲୋକ ସଭା ଆସନ ପାଇଁ ବିଜେଡି ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?