Posted inଫୁରସତ

ଓଡ଼ିଶାର ଟେକ: ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ବିଶିଷ୍ଟ ବ୍ୟକ୍ତି ମନୋନୀତ

ଚଳିତ ବର୍ଷ ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ପାଇବା ପାଇଁ ଓଡ଼ିଶାର ୭ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଜ୍ଞାନପୀଠ ସାରସ୍ବତ ସାଧିକା ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ, କଳା କ୍ଷେତ୍ର ଲାଗି ଡ. ଶ୍ୟାମାମଣି ଦେବୀ, ଶିକ୍ଷା ଓ ସାହିତ୍ୟରେ ନରସିଂହ ପ୍ରସାଦ ଗୁରୁ, ସମାଜସେବାରେ ବାବା ବଳିଆ, ବିଜ୍ଞାନ, ବୈଷୟିକ କ୍ଷେତ୍ରରେ ଡ. ଆଦିତ୍ୟ ପ୍ରସାଦ ଦାଶ, କ୍ରୀଡ଼ାରେ ପ୍ରମୋଦ ଭଗତ ଏବଂ ପ୍ରଶାସନିକ କ୍ଷେତ୍ରରେ ସ୍ବର୍ଗତ ଗୁରୁପ୍ରସାଦ ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ। ନିଜନିଜର ସାଧନା ବଳରେ ରାଜ୍ୟର ଟେକ ରଖିଥିବା ପ୍ରତିଭାମାନଙ୍କ ସମ୍ବନ୍ଧରେ ଏହି ପ୍ରତିବେଦନ।

ପୁରସ୍କାର ଦେଇ ସମାଜ ଆହୁରି ଦାୟିତ୍ୱବାନ୍‌ କରୁଛି
ପଦ୍ମଭୂଷଣ ପୁରସ୍କାର ପାଇବି ବୋଲି ଜାଣିବା ପରେ ବହୁତ ଖୁସି ଲାଗୁଛି। କେନ୍ଦ୍ର ସରକାର ପୁରସ୍କାର ଦେବାକୁ ମନୋନୀତ କରିଛନ୍ତି ତାହା ବଡ଼ କଥା। ବିଳମ୍ବରେ କି ଯଥା ସମୟରେ ଦେଇଛନ୍ତି ତାହା ଭିନ୍ନ। ଏତିକି କହିବି, ଫଳ ଗଛରେ ଯେତେଦିନ ରହିବ, ତାହା ସେତେ ମିଠା ବା ରସବର୍ଦ୍ଧକ ହେବ। ତେବେ ଜଣେ ଲେଖକ କେବେ ପୁରସ୍କାର ଆଶାରେ ଲେଖେନାହିଁ। ପୁରସ୍କାର ମିଳିଲେ ଲେଖିବ, ନ ମିଳିଲେ ବି ଲେଖିବ। ଯେହେତୁ ପୁରସ୍କାର ମିଳିବା ଏକ ପ୍ରକ୍ରିୟା, ତେଣୁ ତାହା ଜଣକୁ ମିଳିବ। ଫଳରେ ସମସ୍ତଙ୍କ ଭିତରେ ଏଥିପାଇଁ ଏକ ପ୍ରତିଯୋଗୀ ମନୋଭାବ ସୃଷ୍ଟି ହୁଏ। ପୁରସ୍କାର ପ୍ରଦାନ କରି ସମାଜ ଆମକୁ ଅଧିକ ଦାୟିତ୍ୱବାନ୍‌ ଏବଂ ସତର୍କ କରାଇଦିଏ। ଜଣେ ଲେଖକ ଭାବେ ଆଗକୁ କିପରି ଅଧିକରୁ ଅଧିକ ଲେଖିବି ଓ ଲେଖାଗୁଡ଼ିକ ପାଠକଙ୍କ ମନକୁ ଛୁଇଁବ ତାହାହଁି ମୋର ଯୋଜନା ରହିଛି। ନିଜର ପ୍ରତ୍ୟେକ ଲେଖା ମାଧ୍ୟମରେ ଜଣେ ଲେଖକ ନିଜ ଭିତରେ ଗଢ଼ିହୁଏ। ମୁଁ ମଧ୍ୟ ଆହୁରି ଗଢ଼ିହେବାକୁ ଚେଷ୍ଟା କରିବି। କିଏ ପୁରସ୍କାର ଦେଲା ବା ନ ଦେଲା, ସେଥିପ୍ରତି ଧ୍ୟାନ ନ ଦେଇ କେବଳ ଲେଖିଚାଲନ୍ତୁ। ନିଜ ନିଜ ସାଧନାରେ ବ୍ରତୀ ରୁହନ୍ତୁ। ସଫଳତା ନିଶ୍ଚୟ ମିଳିବ।
-ଡ. ପ୍ରତିଭା ରାୟ

ସଙ୍ଗୀତ ଜୀବନର ଶ୍ରେଷ୍ଠ ସମୟ
ଶାସ୍ତ୍ରୀୟ ସଙ୍ଗୀତରୁ ଜୀବନ ଆରମ୍ଭ କରିଥିବାବେଳେ ପଦ୍ମଶ୍ରୀ ପାଇବି ଜାଣିବା ପରେ ଆନନ୍ଦ ଲାଗୁଛି। ଏ ଖବର ଜାଣିବା ପରେ ସାରା ରାଜ୍ୟରୁ ପ୍ରଶଂସକଙ୍କ ପାଖରୁ ଅକୁଣ୍ଠ ଭଲପାଇବା, ଶ୍ରଦ୍ଧା, ସ୍ନେହ ମିଳିଛି। ଆଉ ଏହାହିଁ ମୋ ସଙ୍ଗୀତ ଜୀବନର ସବୁଠାରୁ ଶ୍ରେଷ୍ଠ ସମୟ। ପିଲାଦିନରୁ କୌଣସି ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଗ୍ରହଣ କରି ନ ଥିଲି। ଘରେ କୀର୍ତ୍ତନ, ଗଁାରେ ପାଲା, ଦାସକାଠିଆ ଶୁଣି ଗାଇବା ଆରମ୍ଭ କରିଥିଲି। ସେବେଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅତି କମ୍‌ରେ ଘଣ୍ଟାଏ ଅଭ୍ୟାସ କରିଆସୁଛି। ନିଷ୍ଠାର ସହ ନିୟମିତ ଅଭ୍ୟାସ ଦ୍ୱାରା ହିଁ ଗଳା ଭଲରହିବ। ସବୁ ସଙ୍ଗୀତର ମୂଳ ହେଉଛି ଶାସ୍ତ୍ରୀୟ ସଙ୍ଗୀତ। ଯୁବ ପିଢ଼ି ଆଧୁନିକ ସଙ୍ଗୀତ ପ୍ରତି ଆଗ୍ରହୀ ହେଲେ ମଧ୍ୟ ସବୁ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତରୁ ଜନ୍ମ। ସେଥିଲାଗି ପ୍ରତ୍ୟେକ ଦିନ ଅଭ୍ୟାସ ଦ୍ୱାରା ହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଙ୍ଗୀତ ତାଙ୍କ ପାଖରେ ତିଷ୍ଠି ପାରିଛି ବୋଲି ସେ କହିଛନ୍ତି।
-ଡ. ଶ୍ୟାମାମଣି ଦେବୀ

ଆଗକୁ ବଢ଼ିବାକୁ ଉତ୍ସାହିତ କରିବ
ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅରିଲୋ ଶିଶୁ ଅନନ୍ତ ଆଶ୍ରମର ମୁଖ୍ୟ ବାବା ବଳିଆ। ସମାଜସେବା କ୍ଷେତ୍ରରେ ପଦ୍ମଶ୍ରୀ ଲାଗି ତାଙ୍କ ନାମ ଘୋଷଣା କରାଯାଇଛି। ଏହା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଭଗବାନ୍‌ଙ୍କ ପାଦପଦ୍ମକୁ ଆଶ୍ରା କରିଛି। ଜୀବନରେ ପରିଶ୍ରମକୁ ସମ୍ମାନ ଦେଇଛୁ। ପରିବେଶ, ଗଣତନ୍ତ୍ରର ସୁରକ୍ଷା, ଗଛ ଲଗାଇବା ପାଇଁ ଆହ୍ବାନ ଦେଇଛୁ। ପତିହରା ମା’ମାନଙ୍କୁ ସମ୍ମାନ, ବୃଦ୍ଧାବସ୍ଥାରେ ମା’ବାପାଙ୍କ ସେବା ଲାଗି ସଚେତନତା ସହ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ବିରୋଧରେ ସ୍ବର ଉତ୍ତୋଳନ କରିଛୁ। ଏ ପୁରସ୍କାର ଆଗକୁ ବଢିବା ପାଇଁ ଅଧିକ ଉତ୍ସାହିତ କରିବ। ଭଲ ମଣିଷ ହେବାକୁ ଚାହୁଁଥିଲେ ଭଗବାନଙ୍କୁ ଭକ୍ତି କରିବା ସହ ସମାଜ, ପରିବେଶ ପାଇଁ କିଛି କାର୍ଯ୍ୟ କରିବା ଆବଶ୍ୟକ।
-ବାବା ବଳିଆ

କଠିନ ପରିଶ୍ରମକୁ ସମ୍ମାନ
ଜୀବନରେ କରିଥିବା କଠିନ ପରିଶ୍ରମର ସ୍ବୀକୃତି ମିଳିଥିବାରୁ ବହୁତ ଖୁସି ଲାଗୁଛି। ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅଶେଷ ଧନ୍ୟବାଦ। ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ମୋର ଅବଦାନକୁ ସରକାର ଚିହ୍ନଟ କରିଛନ୍ତି। ପ୍ରାୟ ୪ ଦଶକ ଧରି ପ୍ରାଣୀ ବିଜ୍ଞାନରେ ଉଚ୍ଚତର ଗବେଷଣା ପାଇଁ ପ୍ରଫେସର ଡ. ଆଦିତ୍ୟ ପ୍ରସାଦ ଦାଶଙ୍କୁ ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ କରାଯାଇଛି। ମଶା ଓ ବିଭିନ୍ନ କୀଟଙ୍କ ଜରିଆରେ ବ୍ୟାପୁଥିବା ମ୍ୟାଲେରିଆ, ଡେଙ୍ଗୁ, ଚିକୁନ୍‌ଗୁନିଆ ଭଳି ରୋଗକୁ କିଭଳି ରୋକାଯାଇପାରିବ ସେ ନେଇ ଭୁବନେଶ୍ୱର ଆଇଏଲ୍‌ଏସ୍‌ ଓ ଆଇସିଏମ୍‌ଆର୍‌ ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନରେ ଉଚ୍ଚ ପଦବୀରେ ରହି କାର୍ଯ୍ୟ କରିଥିଲେ। ତାମିଲନାଡୁ କେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅବସର ନେବା ପରେ ଏବେ ଓଡ଼ିଶାର ପ୍ରଥମ ଜନସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଐଶାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ହେଲ୍‌ଥ ୟୁନିଭରସିଟି, ପାହାଳର କୁଳପତି ଅଛନ୍ତି।
-ଡ. ଆଦିତ୍ୟ ପ୍ରସାଦ ଦାଶ

କୋଶଲୀ ଭାଷା, ସାହିତ୍ୟକୁ ସ୍ବୀକୃତି
ବଲାଙ୍ଗୀରର ବିଶିଷ୍ଟ ସାହିତି୍ୟକ ନରସିଂହ ପ୍ରସାଦ ଗୁରୁ ୧୫ ଅକ୍ଟୋବର ୧୯୩୨ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୯୨ ମସିହାରେ ସ୍କୁଲ ଏସ୍‌ଆଇ ଭାବେ ଅବସର ଗ୍ରହଣ କରିଥିବା ନରସିଂହ ଦୀର୍ଘ ୭ ଦଶନ୍ଧି ଧରି ଓଡ଼ିଆ ଓ କୋଶଲୀ ଭାଷା, ଲୋକସଂସ୍କୃତି ଉପରେ ଗବେଷଣା କରି ୪୧ଟି ପୁସ୍ତକ ରଚନା କରିଛନ୍ତି। ଗବେଷଣା ମାଧ୍ୟମରେ ବହୁ ଲୁପ୍ତପ୍ରାୟ ଢଗଢମାଳି, ଟପାଦାଏକା, ବଖାନୀ ସଂରକ୍ଷଣ କରିଛନ୍ତି। ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ସମ୍ପଦ ଓ ଲୋକସାହିତ୍ୟ ସମ୍ପଦ, କୋଶଲୀ-ଓଡ଼ିଆ ଅଭିଧାନ, ଆମର ବର୍ଣ୍ଣମାଳା ତାଙ୍କର ଶ୍ରେଷ୍ଠ କୃତୀଭାବେ ବିବେଚିତ। ପଦ୍ମଶ୍ରୀ ସମ୍ମାନ ପାଇଁ ତାଙ୍କ ନାମ ମନୋନୀତ ହୋଇଥିବା ଜାଣିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି। କୋଶଲୀ ଭାଷାରେ ଦୀର୍ଘ ୭୦ ବର୍ଷରୁ ଊର୍ଦ୍ଧ୍ୱ କାଳ ସେ ଗବେଷଣା, ରଚନା କରିଥିବାରୁ ଏହା ତାଙ୍କ ଭାଷା ଓ ସାହିତ୍ୟକୁ ସମ୍ମାନ ଏବଂ ସ୍ବୀକୃତି ବୋଲି କହିଛନ୍ତି। ମୃତ୍ୟୁ ପୂର୍ବରୁ କୋଶଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ଭାଷାର ମାନ୍ୟତା ଦିଆଯିବା ହିଁ ତାଙ୍କର ଏକମାତ୍ର ଅଭିଳାଷ ବୋଲି ସେ କହିଛନ୍ତି।
-ନରସିଂହ ପ୍ରସାଦ ଗୁରୁ

ରାଜ୍ୟବାସୀଙ୍କ ଭଲ ପାଇବାର ପ୍ରତିଫଳନ
ଜଣେ ପାରା ଆଥ୍‌ଲେଟକୁ ଜୀବନରେ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ପ୍ରଦର୍ଶନ ମାଧ୍ୟମରେ ନିଜର ଦକ୍ଷତା ପ୍ରଦର୍ଶିତ କରିବାକୁ ହୁଏ। ଏଥିପାଇଁ ଜନସାଧାରଣଙ୍କର ସମର୍ଥନ ଆବଶ୍ୟକ ହୋଇଥାଏ। ମୋ କ୍ଷେତ୍ରରେ ତାହାହିଁ ଘଟିଛି। ରାଜ୍ୟବାସୀଙ୍କ ଭଲପାଇବା ଏବଂ ଅକୁଣ୍ଠ ସମର୍ଥନ ଯୋଗୁ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇପାରିଛି। ମୁଁ ବହୁତ ଖୁସି। ଆଗାମୀ ଦିନରେ ଏହା ମୋତେ ଆହୁରି ଅଧିକ ପରିଶ୍ରମ କରିବାକୁ ଉତ୍ସାହିତ କରିବ ବୋଲି ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ କହିଛନ୍ତି। ୨୦୧୯ରେ ଅର୍ଜୁନ, ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର, ୨୦୨୧ରେ ମେଜର ଧ୍ୟାନଚାନ୍ଦ ଖେଳରନତ୍ ଏବଂ ୨୦୨୨ରେ ପଦ୍ମଶ୍ରୀ ସମ୍ମାନ ମୋ ଜୀବନର ଗୋଟିଏ ଲେଖାଏ ସ୍ମରଣୀୟ ସ୍ମୃତି। ଏହା ବ୍ୟତୀତ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରେ ମୋ ଆଦର୍ଶ ଖେଳାଳି ସଚିନ ତେନ୍ଦୁଲକରଙ୍କ ସହ ସାକ୍ଷାତ୍‌ ମଧ୍ୟ ସବୁଦିନ ମନେ ରହିବ। ମୋର ସ୍ବପ୍ନ ସାର୍ଥକ ହୋଇଛି। ଚଳିତ ବର୍ଷ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତି ଦେଶ ତଥା ରାଜ୍ୟକୁ ଅଧିକ ଗର୍ବିତ କରିବାକୁ ଚାହେଁ ବୋଲି ସମ୍ପ୍ରତି ସ୍ପେନ୍‌ରେ ଟ୍ରେନିଂ ଜାରି ରଖିଥିବା ପ୍ରମୋଦ କହିଛନ୍ତି।
-ପ୍ରମୋଦ ଭଗତ

ଗୁରୁ ପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତର ଭାବେ ପଦ୍ମଶ୍ରୀ ସମ୍ମାନ ମିଳିବ। ଗୁଜରାଟ କ୍ୟାଡରର ବରିଷ୍ଠ ଆଇଏଏସ୍‌ ଅଫିସର ତଥା ବିଶିଷ୍ଟ ଓଡ଼ିଆ ସାହିତି୍ୟକ ସ୍ବର୍ଗତ ମହାପାତ୍ର ନୀଳମଣି ସାହୁଙ୍କ କନିଷ୍ଠ ପୁତ୍ର ଗୁରୁ ପ୍ରସାଦ। ୨୦୨୧ରେ ମାତ୍ର ୫୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ଗୁଜରାଟରେ ନିଜର ପ୍ରଶାସନିକ ଦକ୍ଷତା ପ୍ରଦର୍ଶନ କରିଥିବା ଗୁୁରୁପ୍ରସାଦ ଅହମ୍ମଦାବାଦରେ ‘ମଡେଲ ରୋଡ୍‌’ର ଶୁଭାରମ୍ଭ କରିଥିଲେ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସ୍ବର୍ଗତ ମହାପାତ୍ର ଦିଲ୍ଲୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦାୟିତ୍ୱ ଗ୍ରହଣ କରିଥିଲେ। ସେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ (ଏଏଆଇ)ର ଅଧ୍ୟକ୍ଷ ବି ରହିଥିଲେ। ଭୁବନେଶ୍ୱରରେ ଜନ୍ମିତ ଗୁରୁପ୍ରସାଦ ବିଜେବି କଲେଜ ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ୨୦୨୦ ମାର୍ଚ୍ଚରେ ଦେଶରେ କରୋନାର ପ୍ରଥମ ଲହର ସମୟରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗଠିତ କ୍ଷମତାସମ୍ପନ୍ନ ଗୋଷ୍ଠୀ-୨ର ଅଧ୍ୟକ୍ଷ ଭାବେ ଦେଶରେ ଅକ୍ସିଜେନ୍‌ ଯୋଗାଣକୁ କିଭଳି ସୁଚାରୁରୂପେ କାର୍ଯ୍ୟକାରୀ କରାଯିବ ସେ ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଥିଲେ ଗୁରୁପ୍ରସାଦ।

– ଗୁରୁ ପ୍ରସାଦ ମହାପାତ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?