ନୂଆଦିଲ୍ଲୀ, ୨୫ା୮: ମହାମାରୀ କରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିବାବେଳେ ସେପ୍ଟେମ୍ବର ୧ରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଖୋଲିବା ଲାଗି ଯୋଜନା କରୁଛନ୍ତି। ହେଲେ ଅଧିକାଂଶ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଏବେ ଛାଡ଼ିବା ଲାଗି ପ୍ରସ୍ତୁତ ନ ଥିବା ଜଣାପଡ଼ିଛି। ଯଦି ସରକାର ସେପ୍ଟେମ୍ବର ୧ରୁ ଉଚ୍ଚ ଶ୍ରେଣୀଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନିଅନ୍ତି ଓ ପର୍ଯ୍ୟାୟ କ୍ରମେ ସବୁ ଶ୍ରେଣୀ ଖୋଲେ, ତେବେ ଅଧିକାଂଶ ଅଭିଭାବକ ଏହାକୁ ଗ୍ରହଣ କରିବାକୁ ନାରାଜ ଥିବା ସର୍ଭେରୁ ଜଣାପଡ଼ିଛି। କେବଳ ୨୩ ପ୍ରତିଶତ ଅଭିଭାବକ ଏଥିଲାଗି ରାଜି ଥିବା ପ୍ରକାଶ କରିଛନ୍ତି। ସମ୍ପ୍ରତି ଅନ୍ଲାଇନ୍ କ୍ଲାସ ଜାରି ରଖିବା ସପକ୍ଷରେ ଅଧିକାଂଶ ଅଭିଭାବକ ଅଛନ୍ତି।
ସର୍ଭେରୁ ଜଣାପଡ଼ିଛି ଯେ, ୬୨ ପ୍ରତିଶତ ଅଭିଭାବକ ସେପ୍ଟେମ୍ବର ୧ରୁ ପିଲାଙ୍କୁ ସ୍କୁଲକୁ ଛାଡ଼ିବା ଲାଗି ଅମଙ୍ଗ ଅଛନ୍ତି। ଲୋକାଲ ସର୍କଲ ସର୍ଭେ ଅନୁଯାୟୀ ମାତ୍ରେ ୬ ପ୍ରତିଶତ ନାଗରିକ ସେପ୍ଟମ୍ବର ୧ରୁ ମଲ୍ଟିପ୍ଲେକ୍ସ ଓ ଥିଏଟର ଖୋଲିଲେ ସେଠାକୁ ଯିବା ଲାଗି ମନ ବଳାଇଛନ୍ତି। ଆଗାମୀ ୬୦ ଦିନ ମଧ୍ୟରେ ମେଟ୍ରୋ ଓ ଲୋକାଲ ଟ୍ରେନ୍ରେ ଯିବା ଲାଗି ୩୬ ପ୍ରତିଶତ ଲୋକ ଚାହିଁଛନ୍ତି। ଦୈନିକ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେଉଥିବାବେଳେ ଲୋକଙ୍କ ମନୋଭାବ ଏଭଳି ରହିଛି। ଆମେରିକାରେ ସ୍କୁଲ ଖୋଲିବାର ୨ ସପ୍ତାହ ମଧ୍ୟରେ ୯୭ ହଜାର ପିଲା କରୋନା ଆକ୍ରାନ୍ତ ହୋଇଥିଲେ। ଜର୍ମାନୀରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତି ଭାରତର ଅଭିଭାବକ ମହଲାରେ ଆତଙ୍କ ସୃଷ୍ଟିକରିବା ସ୍ବାଭାବିକ। ଅତି କମ୍ରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ନ ଖୋଲିବା ସପକ୍ଷରେ ଅଧିକାଂଶ ଅଭିଭାବକ ଅଛନ୍ତି। ଦେଶର ୨୬୧ ଜିଲାରେ ୨୫ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଛି।