
ମାଲକାନଗିରି,୧୯ା୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ସୁକ୍ମା ଜିଲା ପୋଲିସ ୨ ପୁରସ୍କାର ଘୋଷିତ ମାଓବାଦୀଙ୍କ ସହ ୩ ଜଣଙ୍କୁ ଗିରଫ କରିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ବନ୍ଧରେ ସୂଚନା ପାଇ ଚିନ୍ତାଗୁଫା ଥାନାରୁ ଜିଲା ପୋଲିସ ଓ ଡିଆରଜି ବାହିନୀ ମିଳିତ ଭାବେ ଦୁଲେଡ, ମେଟାଗୁଡା ଓ ଏରନପାଲ୍ଲୀର ଆଖପାଖ ଜଙ୍ଗଲ ଅଞ୍ଚଳରେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ । ଦୁଲେଡ ଜଙ୍ଗଲ ନିକଟରେ କେତେକ ବ୍ୟକ୍ତି ପୋଲିସକୁ ଦେଖି ଲୁଚିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଉକ୍ତ ସ୍ଥାନରୁ ୩ ଜଣଙ୍କୁ ଗିରଫ କରିଥିଲେ । ସେମାନ ହେଲେ ୨ ଲକ୍ଷ ପୁରସ୍କାର ଘୋଷିତ ମଡକମ ନନ୍ଦା, ୧ ଲକ୍ଷ ପୁରସ୍କାର ଘୋଷିତ ଦଶା ଓ କବାସୀ ଲଖମା ।
ଏହି ୩ ଜଣ ଦକ୍ଷିଣ ବସ୍ତର ଡିଭିଜନ, ଜନତାନା ସରକାର, କଞ୍ଚାଲ ଆର୍ପିସି ଡିଏକେଏମ୍ଏସ୍ରେ କାର୍ଯ୍ୟ କରୁଥିଲେ। ଏହି ୩ଜଣ ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିବା କହିଛନ୍ତି। ସେହିପରି କାଙ୍କେର ଜିଲା ମଣ୍ଡାଗଁା ବିଏସ୍ଏଫ କ୍ୟାମ୍ପ ସମ୍ମୁଖରେ ବିଏସ୍ଏଫ ଓ ପୋଲିସ ମିଳିତ ଭାବେ ଏମ୍ସିପି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଗୋଟିଏ ବାଇକ୍ରେ ୩ ଜଣ ବ୍ୟକ୍ତି ଯାଉଥିବା ବେଳେ ସେମାନଙ୍କୁ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା। ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ରାଜେଶ ପୋଟାଇ, ଜଗତରାମ କୋବାଚି, ଲଛେନ ରାମ । ତାଙ୍କ ନିକଟରୁ ଓ୍ବାକିଟକି, ଡିଟୋନେଟର, ମେମୋରି କାର୍ଡ, ମାଓବାଦୀ ସାହିତ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସହଯୋଗୀ ଏବଂ ମାଓବାଦୀଙ୍କୁ ବିସ୍ଫୋରକ ସାମଗ୍ରୀ ଯୋଗାଇବା କାର୍ଯ୍ୟରେ ନିୟୋଜିତ ଥିବା ଜଣାପଡିଛି। ରବିବାର ଗିରଫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।