
ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଏମ୍.ଲିଲି ପାତ୍ରଙ୍କୁ ତାଙ୍କ ସ୍ବାମୀ ଏମ୍.ଅଶୋକ ପାତ୍ର ନିସ୍ତୁକ ମାଡ଼ ମାରିବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ଲିଲି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କେସ୍ ନଂ.୩୪/୨୫ ଅନୁଯାୟୀ ଅଭିଯୁକ୍ତ ଅଶୋକଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି।
ଗତ ପ୍ରାୟ ୭ ବର୍ଷ ପୂର୍ବେ ପାଟପୁର ଥାନା ଭାଲିଆଝୋଳା ଗ୍ରାମର ଲିଲି ଭୀଷ୍ମଗିରି ଗ୍ରାମର ଏମ. ମାଲେଶୁଙ୍କ ପୁଅ ଅଶୋକଙ୍କୁ ବିବାହ କରିଥିଲେ। ତାଙ୍କର ୨ ଟି ସନ୍ତାନ ଅଛନ୍ତି। ବିବାହର କିଛିଦିନ ହସଖୁସିରେ କାଟିବା ପରେ ସ୍ବାମୀ ସଦାସର୍ବଦା ନିଶାସକ୍ତ ଅବସ୍ଥାରେ ତାଙ୍କୁ ମାଡ଼ ମାରିବା ସହ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ପରେ ଶାଶୁ ଶ୍ୱଶୁରଙ୍କଠାରୁ ଅଲଗା ହୋଇ ଗାଁର ଅନ୍ୟ ଏକ ସାହିରେ ଉଭୟେ ଏକ ଭଡ଼ା ଘରେ ରହୁଥିଲେ। ସେଠାରେ ମଧ୍ୟ ନିର୍ଯାତନା କମ ହେଲା ନାହିଁ। ରାତି ଅଧରେ ମାଡ଼ ମାରି ଘରୁ ତଡ଼ି ଦେଉଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସେ ଛୁଆ ପିଲାଙ୍କୁ ନେଇ ବାପଘର ଭାଲିଆଝୋଳା ଗ୍ରାମକୁ ଚାଲିଯାଇଥିଲେ। କିଛିଦିନ ପରେ ସେଠାରୁ ଫେରି ସ୍ବାମୀଙ୍କ ସହ ରହିଥିଲେ। ସ୍ବାମୀ ପୁଣି ଲିଲିଙ୍କ ଚରିତ୍ରରେ ସନ୍ଦେହ କରି ନିସ୍ତୁକ ମାଡ଼ ମାରି ଘରୁ ତଡ଼ି ଦେବାରୁ ବାଧ୍ୟହୋଇ ସେ ଏତଲା ଦେଇଥିବା ପୋଲିସକୁ କହିଛନ୍ତି। ତଦନ୍ତକାରୀ ଅଧିକାରୀ ଏସ୍.ଆଇ ସୋଫିଆ ମିଶ୍ର ଘଟଣାର ତଦନ୍ତ ଚଳାଇଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।