
ଭୁବନେଶ୍ୱର ,୧୯ା୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ବର୍ତ୍ତମାନ ଖଣିଜ ସମ୍ପଦକୁ ନେଇ ବିଶ୍ୱ ଦରବାରରେ ପରିଚିତ। ହେଲେ ଜାତି ପ୍ରଥାକୁ ନେଇ ଏହି ଗାଁରେ ଦେଖାଦେଇଛି ଏକ ଭିନ୍ନ ଚିତ୍ର। ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ପ୍ରେମ ବିବାହ କରିଥିବା ଘଟଣାକୁ ନେଇ ଝିଅ ପରିବାରର ୪୦ ଜଣ ସଦସ୍ୟ ଶୁଦ୍ଧି ହେବା ପାଇଁ ମୁଣ୍ଡନ କରିବା ସହିତ ପାରମ୍ପରିକ ରୀତିନୀତି ପାଳନ କରିଛନ୍ତି। ବର୍ତ୍ତମାନ ଏହି ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କାଶୀପୁର ବ୍ଲକର ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବାଇଗଣଗୁଡ଼ା ଗ୍ରାମର ଘଟିଛି ଏହିଭଳି ଅଭାବନୀୟ ଘଟଣା।
ଘଟଣାରୁ ପ୍ରକାଶ ଯେ, ବାଇଗଣଗୁଡ଼ା ଗ୍ରାମର ଜଣେ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଝିଅ ଜଣେ ଅନୁସୂଚିତ ଜାତି ବର୍ଗର ପୁଅକୁ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ପରିବାରବର୍ଗଙ୍କ ଅନିଚ୍ଛା ସତ୍ତ୍ବେ ଉକ୍ତ ଯୁବକଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଜାତିରେ ରହିବାକୁ ହେଲେ ପରିବାରବର୍ଗଙ୍କୁ ତାଙ୍କ ପରମ୍ପରା ଅନୁଯାୟୀ ଛେଳି, କୁକୁଡ଼ା, ଘୁଷୁରି ଆଦି ବଳି ଦେବା ସହିତ ମୁଣ୍ଡନ କରିବାକୁ କହିଥିଲେ ଗ୍ରାମବାସୀ। ଏହି କାର୍ଯ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିଲା। ଗୋଟିଏ ପଟେ ଜାତିଆଣ ଭେଦଭାବ ନ ରଖି ସମସ୍ତେ ମିଳିମିଶି ରହିବାକୁ ସଚେତନତା ହେଉଥିଲେ ମଧ୍ୟ ଆଜି ବି ଜୀବିତ ରହିଛି ପୁରୁଣା ପ୍ରଥା ଓ ପରମ୍ପରା। ତେବେ ଏନେଇ କାଶୀପୁର ବିଡିଓ ବିଜୟ ସୋଏଙ୍କୁ ପଚାରିବାରୁ ଏନେଇ ଖବର ମିଳିବା ପରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ସେଠାକୁ ଯାଇ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ବିଡିଓ ବିଜୟ କହିଛନ୍ତି।