ଲକ୍ଷ୍ନୌ,୧୬।୧୦:ଉତ୍ତରପ୍ରଦେଶର ଔରୈୟା ଜିଲାରେ ଏକ କଥିତ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ୭୫ ବର୍ଷୀୟ ରାମସୁଗର ଏବଂ ୩୦ ବର୍ଷୀୟ ଇନ୍ଷ୍ଟାଗ୍ରାମ ବ୍ଲଗର୍ ରାଣୀ ରାଜପୁତଙ୍କ ମଧ୍ୟରେ ପ୍ରାୟ ୪୫ ବର୍ଷର ବୟସ ବ୍ୟବଧାନ ରହିଛି। ଉଭୟଙ୍କର ପ୍ରାୟ ଏକ ସପ୍ତାହେ ପୂର୍ବରୁ ନିର୍ବନ୍ଧ ହୋଇଥିବା ଏବଂ ଏବେ ବିବାହ ପ୍ରସ୍ତୁତି ଚାଲିଛି।
ରିପୋର୍ଟ ଅନୁଯାୟୀ, ରାମସୁଗର ଔରୈୟା ଜିଲାର ସହାର ବ୍ଲକ ଅନ୍ତର୍ଗତ ଅରିୟାରୀ ଗାଁର ବାସିନ୍ଦା। ରାଣୀ ରାଜପୁତ ପ୍ରାୟ ଦୁଇ ବର୍ଷ ଧରି ତାଙ୍କ ଘରକୁ ଯିବାଆସିବା କରୁଥିବା କୁହାଯାଉଛି। ଏହି ସମୟରେ ଉଭୟଙ୍କ ମଧ୍ୟରେ ନିକଟତା ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ରାମସୁଗରଙ୍କ ଝିଅ ରାଧା ମଧ୍ୟ ଜଣେ ୟୁଟ୍ୟୁବର୍। ରାଧାଙ୍କ କହିବା ଅନୁସାରେ, ରାଣୀଙ୍କର ପରିବାର ସହ ଯୋଗାଯୋଗ ଥିଲା ଏବଂ ସମସ୍ତେ ମିଶି ଭିଡିଓ ମଧ୍ୟ ସୁଟ କରୁଥିଲେ।
ରାଧାଙ୍କ ସୂଚନାକୁ ଆଧାର କରି ଦାବି କରାଯାଉଛି ଯେ, ପ୍ରାୟ ଏକ ସପ୍ତାହ ପୂର୍ବରୁ ଔରୈୟାର ଏକ ବ୍ୟୁଟି ପାର୍ଲରରେ ରାମସୁଗର ଓ ରାଣୀଙ୍କ ରିଙ୍ଗ ସେରିମନି ହୋଇଥିଲା। ପାରମ୍ପରିକ ରୀତିନୀତିରେ ଉଭୟଙ୍କ ବିବାହ କରାଇବାକୁ ପ୍ରସ୍ତୁତି ଚାଲିଥିବା ମଧ୍ୟ କୁହାଯାଉଛି। ନିର୍ବନ୍ଧ ଚାଲିଥିବାବେଳେ ରାମସୁଗର ସ୍ବାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। ତାଙ୍କୁ ହସ୍ପିଟାଲ ନେବାକୁ ପଡ଼ିଥିଲା। ପରେ ସୁସ୍ଥ ହୋଇ ଫେରିଥିଲେ।
ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକଙ୍କ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳୁଛି। କେତେକ ଏହାକୁ ବୟସର ସୀମା ଡେଇଁଥିବା ପ୍ରେମ ବୋଲି କହୁଥିବା ବେଳେ, ଅନ୍ୟ କେତେକ ଏହା ଇନ୍ଷ୍ଟାଗ୍ରାମରେ ଲୋକପ୍ରିୟତା ପାଇବା ପାଇଁ କରାଯାଇଥିବା ଏକ ଷ୍ଟଣ୍ଟ ହୋଇପାରେ ବୋଲି ମତ ଦେଉଛନ୍ତି।
Dharitri – Odisha’s No.1 Odia Daily

