ରାଜନଗର,୨୯ା୧୦(ଭାସ୍କର ରାଉତରାୟ): ୧୯୯୯ ଅକ୍ଟୋବର ୨୯ର ମହାବାତ୍ୟା ଉପକୂଳବାସୀଙ୍କ ପାଇଁ ଦୁଃଖର ଦିନାଙ୍କ। ଏହି ଦିନର କାଳରାତ୍ରିରେ ମହାକାଳ ରଚିଥିଲା ମହାପ୍ରଳୟ। ୩୦୦ କିଲୋମିଟର ବେଗରେ ପବନ ସାଙ୍ଗକୁ ୨୫ ଫୁଟ ଉଚ୍ଚର ସମୁଦ୍ର ଜୁଆର ଆସି ଛାରକାର କରିଦେଇଥିଲା ଉପକୂଳର ଜନଜୀବନ। ଏହି ପ୍ରଳୟଙ୍କରୀ ମହାବାତ୍ୟାକୁ ଏବେ ୨୬ବର୍ଷ ପୂରି ୨୭ରେ ପାଦ ଥାପିଛି। ମହାବାତ୍ୟାରେ କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରୁ ୪୦ଜଣ ଲୋକ ପ୍ରାଣ ହରାଇଥିଲେ। ଯେଉଁମାନେ ଭାଗ୍ୟ ଓ ଭଗବାନଙ୍କ ଦୟାରୁ ବଞ୍ଚି ଯାଇଥିଲେ। ସେଦିନର କରାଳ ଦୃଶ୍ୟ ଏବେବି ଜୀବନ୍ତ ହୋଇ ରହିଯାଇଛି ସେମାନଙ୍କ ସ୍ମୃତିର ମାନସପଟରେ। ୧୯୭୧, ୧୯୯୯ ମହାବାତ୍ୟା ଠିକ୍ ଅକ୍ଟୋବର ୨୮, ୨୯ ତାରିଖରେ ପ୍ରଳୟ ସୃଷ୍ଟି କରିଥିଲା। ତେଣୁ ଯେତେବେଳେ ଅକ୍ଟୋବର ମାସ ପାଖେଇ ଆସେ, ଉପକୂଳବାସୀଙ୍କ ଆଖିରୁ ଏକ ପ୍ରକାର ନିଦ ହଜିଯାଏ ବୋଲି କୁହନ୍ତି ବିପନ୍ନ ସାତଭାୟାର ୭୦ ବର୍ଷୀୟ ନିରଞ୍ଜନ ସ୍ବାଇଁ। ସେ କୁହନ୍ତି, ମହାବାତ୍ୟାରେ ଆମ ବାପ ଅଜା ଅମଳର ଭିଟାମାଟି ହରାଇ ସାରିଛୁ। ସରକାର ଆମକୁ ବଗପାଟିଆରେ ଥଇଥାନ କରିଥିଲେ। ଏବେ ଆମେ ନୂଆ ଠିକଣାକୁ ନେଇ ମାଟି କାମୁଡି ପଡ଼ିରହିଛୁ। ଏବେ ବାତ୍ୟା ଅର୍ଣ୍ଣବ ପୁଣି ସେହି ଅକ୍ଟୋବର ୨୮, ୨୯ରେ ଆସିଥିବାରୁ ଆମ୍ଭେମାନେ ଏବେ ଭୟ ଓ ଆଶା ଆଶଙ୍କାରେ ରହିଛୁ।

