ନୂଆଦିଲ୍ଲୀ, ୨୯।୧୦: ବୁଧବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ (WPL) ନିଲାମରେ ଉମା କାଶଭୀ ଇତିହାସ ରଚିଛନ୍ତି। ସେ WPL ନିଲାମରେ ବିକ୍ରି ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି। ଘରୋଇ କ୍ରିକେଟରେ କର୍ନାଟକର ପ୍ରତିନିଧିତ୍ୱ କରୁଥିବା ଉମାଙ୍କୁ ମାତ୍ର ୧୫ ବର୍ଷ ବୟସ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୦ ଲକ୍ଷ ଟଙ୍କାର ବେସ ପ୍ରାଇସ୍ରେ କିଣିଛି। ଉମାଙ୍କ କାହାଣୀ ଆଇପିଏଲରେ ଖେଳିଥିବା ସବୁଠୁ କମ ବୟସ୍କ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମେଳ ଖାଉଛି।
ମହିଳା ପ୍ରିମିୟର ଲିଗ୍ର ପଞ୍ଚମ ସଂସ୍କରଣ ପାଇଁ ବୁଧବାର କୋଚିରେ ନିଲାମ ପ୍ରକ୍ରିୟା ଶେଷ ହୋଇଥିଲା। ଏହା ଏକ ମିନି ନିଲାମ ଥିଲା। ଅଷ୍ଟ୍ରେଲିଆର ସୋଫି ମୋଲିନକ୍ସ ଏହି ନିଲାମର ସବୁଠୁ ମହଙ୍ଗା ଖେଳାଳି ହୋଇଥିଲେ। ତାଙ୍କୁ ୟୁପି ୱାରିୟର୍ଜ ୧.୧ କୋଟି ଟଙ୍କାରେ କିଣିଥିଲା। ମୋଲିନକ୍ସଙ୍କ ବେସ ପ୍ରାଇସ ୫୦ ଲକ୍ଷ ଟଙ୍କା ଥିଲା। ଅନ୍ୟପକ୍ଷରେ, ଭାରତୀୟ ଖେଳାଳିଙ୍କ ମଧ୍ୟରେ କିରଣ ନାଭଗିରେ ସବୁଠୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସ କିଣିଥିଲା। ଉମା କାଶଭୀଙ୍କୁ ମଧ୍ୟ ଦିଲ୍ଲୀ ଦଳ କିଣିଛି।
ଭାରତ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିବାର ଗୋଟିଏ ସପ୍ତାହ ପୂର୍ବରୁ ଉମା କାଶଭୀଙ୍କ ଜନ୍ମ ହୋଇଥିଲା। ତାଙ୍କ ଜନ୍ମ ୯ ଏପ୍ରିଲ ୨୦୧୧ରେ ହୋଇଥିଲା। ବୈଭବ ସୂର୍ଯ୍ୟବଂଶୀଙ୍କ ଜନ୍ମ ମଧ୍ୟ ୨୦୧୧ରେ ହୋଇଥିଲା। ସେ ମାତ୍ର ୧୫ ବର୍ଷ ବୟସରେ ଆଇପିଏଲରେ ଡେବ୍ୟୁ କରିଥିଲେ।
ତେବେ ରାଜସ୍ଥାନ ରୟାଲ୍ସ ଯେତେବେଳେ ବୈଭବଙ୍କୁ କିଣିଥିଲା, ସେତେବେଳେ ତାଙ୍କ ବୟସ ମାତ୍ର ୧୪ ବର୍ଷ ଥିଲା। ରାଜସ୍ଥାନ ତାଙ୍କୁ ୧.୧ କୋଟି ଟଙ୍କାରେ କିଣିଥିଲା। ଏହା ସହ ସେ ଆଇପିଏଲ ଇତିହାସରେ କୌଣସି ଦଳରେ ସାମିଲ ହୋଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଥିଲେ। ସେହିପରି ଉମା କାଶଭୀ ମହିଳା ପ୍ରିମିୟର ଲିଗ୍ରେ ଚୁକ୍ତି ପାଇଥିବା ସବୁଠୁ କମ ବୟସ୍କ ଖେଳାଳି ହୋଇଛନ୍ତି।
ଉମା ଏହି କ୍ଷେତ୍ରରେ ହରିୟାଣାର ଦିୟା ଯାଦବଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତବର୍ଷ ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ସାମିଲ ହୋଇଥିବା ଦିୟା ୧୬ ବର୍ଷ ବୟସରେ WPL ଚୁକ୍ତି ପାଇଥିଲେ। ଏବେ ମାତ୍ର ୧୫ ବର୍ଷ ବୟସରେ ଉମା ତାଙ୍କ ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚିଛନ୍ତି।

