କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ପୋଲିସ ଚାକିରି ଦେବା ନାମରେ ଠକେଇ ମାମଲାର ପର୍ଦ୍ଦାଫାଶ କରିଛି। ଘଟଣାରେ ଜଡ଼ିତ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କଟକ ଜିଲା କିଶୋର ନଗର ଥାନାର ସାନ୍ତରାପୁର ଗ୍ରାମର ସମୀର କୁମାର ବର୍ମନ। ସେ ରାଜ୍ୟ ସଚିବାଳୟରେ ସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ଭାବେ ପରିଚୟ ଦେଇ ଅନେକ ଆଶାୟୀଙ୍କୁ ଠକିଥିଲେ।
ପୋଲିସ ତଦନ୍ତ କରି ଅଭିଯୁକ୍ତ ୧୦ ଜଣଙ୍କଠାରୁ ବିଭିନ୍ନ ସରକାରୀ ପ୍ରତିଷ୍ଠାନରେ ନିଯୁକ୍ତି ପ୍ରଦାନ କରିବାର ମିଥ୍ୟା ପ୍ରତିଶ୍ରୁତି ଦେଇ ମୋଟ ୨୩,୯୭,୦୦୦ ଟଙ୍କା ନେଇଥିବା ଜାଣିଥିଲା।
ପୀଡ଼ିତମାନେ ନଗଦ ଏବଂ ଡିଜିଟାଲ କାରବାର ମାଧ୍ୟମରେ ଟଙ୍କା ଦେଇଥିଲେ। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଚାକିରି ଦେଲେ ନାହିଁ କିମ୍ବା ଟଙ୍କା ଫେରସ୍ତ କରି ନ ଥିଲେ। ତେବେ ୮୦,୦୦୦ ଟଙ୍କା ଆଂଶିକ ପୀଡ଼ିତଙ୍କ ବିଶ୍ୱାସ ହାସଲ କରିବା ପାଇଁ ପରିଶୋଧ କରିଥିଲେ। ଏପରିକି କେତେଜଣ ପ୍ରାର୍ଥୀଙ୍କ ନାମରେ ନ କଲି ନିଯୁକ୍ତି ପତ୍ର ଜାରି କରିଥିବା ଅଭିଯୋଗ ହୋଇଛି। ତଦନ୍ତ ସମୟରେ ପୋଲିସ ଫୋନ ପେ, କାରବାର ରେକର୍ଡ, ବ୍ୟାଙ୍କ ଜମା ସ୍ଲିପ, ଚେକ୍ ବିବରଣୀ ଏବଂ ନକଲି ନିଯୁକ୍ତି ପତ୍ର ସମେତ ଡକ୍ୟୁମେଣ୍ଟାରୀ ପ୍ରମାଣ ଜବତ କରିଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪)/୩୧୯(୨)/୩୩୬(୩)/୩୪୦(୨)ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଅମିତ୍ କୁମାର ଭୂୟଁା କହିଛନ୍ତି।

