କର୍ଲାମୁଣ୍ଡା, ୨୮/୧୧ (ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ର ରେଗଡ଼ା ପଞ୍ଚାୟତ ଅନ୍ତର୍ଗତ ବିଜାପାଟି ଗ୍ରାମସ୍ଥିତ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ କାର୍ଯ୍ୟାଳୟଠାରେ ତିନିଦିନିଆ ଆବାସିକ ଉଦ୍ୟୋଗିତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ସାଇଟସେଭର ଇଣ୍ଡିଆ ଏବଂ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ମିଳିତ ଉଦ୍ୟମରେ ଆୟୋଜିତ ଏହି କର୍ମଶାଳାରେ କେସିଙ୍ଗା, ନର୍ଲା, ମଦନପୁର ରାମପୁର ଓ କର୍ଲାମୁଣ୍ଡା ବ୍ଲକ୍ର ପ୍ରାୟ ୫୦ ଜଣ ଦିବ୍ୟାଙ୍ଗ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଅଂଶଗ୍ରହଣ କରିଥିଲେ।
ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି କର୍ମଶାଳାରେ ସାଧନ କର୍ମୀ ଭାବେ ରବୀନ୍ଦ୍ର ଖଟୁଆ ଯୋଗଦେଇଥିଲେ। ସେ ତିନିଦିନ ଧରି ଅଂଶଗ୍ରହଣକାରୀମାନଙ୍କୁ ମହମବତୀ ତିଆରିର ବିଭିନ୍ନ ପ୍ରକ୍ରିୟା ଓ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଏହାଦ୍ୱାରା ଦିବ୍ୟାଙ୍ଗମାନେ ନିଜସ୍ୱ ଉଦ୍ୟୋଗ ଆରମ୍ଭ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲା ଶିଳ୍ପ ଅଧିକାରୀ ଅଂଶୁମାନ ଦାସ ଯୋଗଦେଇ ସରକାରଙ୍କ ବିଭିନ୍ନ ଶିଳ୍ପ ଓ ଉଦ୍ୟୋଗ ସମ୍ପର୍କିତ ଯୋଜନା ବିଷୟରେ ଆଲୋଚନା କରିଥିଲେ। ଦିବ୍ୟାଙ୍ଗମାନେ କିପରି ସରକାରୀ ଯୋଜନାର ସୁଯୋଗ ନେଇ ନିଜର ଉଦ୍ୟୋଗ ଆରମ୍ଭ କରିପାରିବେ, ସେ ସମ୍ପର୍କରେ ସେ ମାର୍ଗଦର୍ଶନ କରିଥିଲେ।
କର୍ମଶାଳାର ଉଦ୍ଯାପନୀ ସମାରୋହରେ କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚର ସଭାପତି ସୁରେଶ ଚୌଧୁରୀ, ସାଇଟସେଭର ଇଣ୍ଡିଆର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜିକା ମୋନାଲିସା ପତି, ସାମାଜିକ ସୁରକ୍ଷା ସହାୟକ ପ୍ରିୟବ୍ରତ ପାଢ଼ୀ, ଜୀବନଜୀବିକା ସହାୟକ ସୁଚିତ୍ରା ନାଏକ ଏବଂ ଖବରଦାତା ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ।
ଉପସ୍ଥିତ ଅତିଥିମାନେ ଦିବ୍ୟାଙ୍ଗମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ଉତ୍ସାହିତ କରିବା ସହ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ। ଏଭଳି ତାଲିମ କାର୍ଯ୍ୟକ୍ରମ ଦିବ୍ୟାଙ୍ଗମାନଙ୍କ ଦକ୍ଷତା ବିକାଶ ଓ ଆର୍ଥିକ ସଶକ୍ତୀକରଣରେ ସହାୟକ ହେବ ବୋଲି ମତ ପ୍ରକାଶ କରାଯାଇଥିଲା।

