ଭୁବନେଶ୍ୱର,୨୫।୮(ବ୍ୟୁରୋ):,ନୟାପଲୀ ଥାନା ଅନ୍ତର୍ଗତ ସାଲିଆସାହିର ରିଙ୍କୁ ସ୍ବାଇଁ ହତ୍ୟା ଘଟଣାର ୧୪ ମାସ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଓ ଖୋର୍ଦ୍ଧାରୁ ଗିରଫ କରିଛି। ସେମାନେ ହେଲେ କଟକ ବାଙ୍କୀର ସୌମ୍ୟରଞ୍ଜନ ମହାପାତ୍ର(୨୩), ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବଳରାମ ବାରିକ(୨୪), ବାଲିପଦରର ଗଣେଶ ବେହେରା(୨୭), ଖଲିକୋଟ ଲକ୍ଷ୍ମୀନାରାୟଣପୁରର ଶୁଭରାଜ ମହାରଣା(୨୨) ଓ ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଅଚ୍ୟୁତାନନ୍ଦ ଦାଶ(୨୩)। ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ଏୟାର ଗନ୍ ଓ ଏକ ପଲସର ବାଇକ ଜବତ କରିଛି। ମାମଲା ନଂ.୨୫୯/୨୦୧୯ ଏବଂ ଆଇପିସି ଦଫା ୩୪୧, ୩୦୭, ୩୨୬, ୪୨୭ ଓ ୩୪ରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
୨୦୧୯ ମେ ୨୯ରେ ରିଙ୍କୁ ବାଣୀବିହାର ନିକଟରେ ରହୁଥିବା ସାଙ୍ଗ ପ୍ରକାଶ ରେଡ୍ଡୀଙ୍କ ବିବାହ ଭୋଜିରେ ଯୋଗଦେଇ ଘରକୁ ଫେରୁଥିବାବେଳେ ସାଲିଆସାହି ନିକଟରେ ଅଭିଯୁକ୍ତମାନେ ତାଙ୍କ ଉପରକୁ ବୋମା ମାଡ଼ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରିଙ୍କୁଙ୍କ ବାପା କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିବର୍ଷ ଜୁନ ୨ରେ ଦୁଇ ଅଭିଯୁକ୍ତ ସନାତନ ରେଡ୍ଡୀ ଓ ବିକ୍ରମ ରେଡ୍ଡୀ ଗିରଫ ହୋଇଥିବାବେଳେ ବାକି ୫ ଅଭିଯୁକ୍ତ ଫେରାର ଥିଲେ। ସେମାନେ ଗିରଫ ଭୟରେ ମାଡ୍ରାସ ପଳାଇ ସେଠାରେ କାମ କରୁଥିଲେ। ଲକ୍ଡାଉନ୍ ଯୋଗୁ କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନେ ଘରକୁ ପଳାଇ ଆସିଥିଲେ। ହେଲେ ବାଲେଶ୍ୱର ଖନ୍ତାପଡାର ଅଛ୍ୟୁତାନନ୍ଦ ଘରେ ଥିବା ପୋଲିସ ଖବର ପାଇଥିଲା। ପ୍ରଥମେ ତାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ପଚରାଉଚରା କରି ଅନ୍ୟ ୪ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ବରୁଣେଇସ୍ଥିତ ଧାନ କଳ ଓ ପେଟ୍ରୋଲ ପମ୍ପରୁ ଗିରଫ କରିଥିଲେ।