ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା ଓ ଚାପଗ୍ରସ୍ତ ଛାତ୍ରୀଛାତ୍ର

ଅଧ୍ୟାପକ ଶରତ କୁମାର ଦାସ

ସାରା ଭାରତରେ ଜୀବନ ଜୀବିକା ନେଇ ଯେତିକି ଚର୍ଚ୍ଚା ଚାଲିଛି, ସମପରିମାଣରେ ଚର୍ଚ୍ଚା ଜୋର୍‌ ଧରିଛି ଆମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ। ଅନେକଙ୍କ ମତରେ ୨୦୨୦-୨୧ର ଶିକ୍ଷାବର୍ଷ ଏକ ପ୍ରକାର ନଷ୍ଟ ହୋଇଗଲାଣି ଓ ଏହା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତ ଉପରେ ଗଭୀର ପ୍ରଭାବ ପକାଇଛି। କେବଳ ଆଲୋଚନା ଓ ପର୍ଯ୍ୟାଲୋଚନା ସହିତ ଆ..ହା..ଚୁ..ଚୁ ରେ କଥା ଅଟକି ରହୁଛି। କାହାର କିଛି କରିବାରେ ନାହିଁ ।
କରୋନା କବଳିତ ଶିକ୍ଷାବ୍ୟବସ୍ଥା ନିକଟରେ ସମସ୍ତେ ଯେମିତି ଏକ ପ୍ରକାର ଆତ୍ମସମର୍ପଣ କରିସାରିଛନ୍ତି। ଚିନ୍ତାରେ ଅଭିଭାବକ ଓ ଚାପରେ ଛାତ୍ରୀଛାତ୍ର। ଅସହାୟ ଓ ବିପର୍ଯ୍ୟସ୍ତ ସାଂପ୍ରତିକ ଶିକ୍ଷା ବ୍ୟବସ୍ଥା। ପାଖାପାଖି ୨୦୨୦ ମାର୍ଚ୍ଚ ମାସ ଅଧାଠାରୁ କୋଭିଡ୍‌-୧୯ର ବ୍ୟାପକତା କାରଣରୁ ଆମ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଛାତ୍ରୀଛାତ୍ରମାନଙ୍କର ଭାଗ୍ୟ ଭବିଷ୍ୟତ ଶୂନ୍ୟରେ ଝୁଲୁଛି। ପ୍ରତ୍ୟେକ ଅଭିଭାବକ ଚାହାନ୍ତି ଯେ ସେମାନଙ୍କର ପିଲା ସ୍ବାଭାବିକ ଭାବରେ ବିଦ୍ୟାଳୟ ଯାଉ, ପାଠ ପଢୁ ଓ ଠିକ୍‌ ଢଙ୍ଗରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେଉ। ମାତ୍ର ଏହା ଚଳିତ ଶିକ୍ଷା ବର୍ଷରେ ସମ୍ଭବ ହୋଇପାରୁନାହିଁ।
ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍‌ ଲାଇନ୍‌ ପାଠପଢା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାର ଆଦର୍ଶ ସୁଦୂରପ୍ରସାରୀ, ମାତ୍ର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ। ପରିସଂଖ୍ୟାନ ଅନୁଯାୟୀ ୩୦ରୁ ୪୦ ପ୍ରତିଶତ ଛାତ୍ରୀଛାତ୍ର ଏହାଦ୍ବାରା ଉପକୃତ ହେଉଛନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ, ଓଡିଶାରେ ୩୧.୯୫ ପ୍ରତିଶତ ସ୍କୁଲ୍‌ ଛାତ୍ରୀଛାତ୍ର ଓ ୩୩ ପ୍ରତିଶତ କଲେଜ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠ ପଢ଼ନ୍ତି। ମାତ୍ର ବାସ୍ତବତା ଅନ୍ୟ କିଛି ଭିନ୍ନ ହୋଇପାରେ। ସର୍ବପ୍ରଥମେ ଆମକୁ ବୁଝିବାକୁ ପଡିବ ଯେ ଅନ୍‌ଲାଇନ୍‌ ପାଠପଢା ଶ୍ରେଣୀଗୃହର ପାଠ ପଢା ସହିତ କେବେ ବି ସମକକ୍ଷ ନୁହେଁ ବା ଏହାର ଆଦୌ ବିକଳ୍ପ ବି ନୁହେଁ। କାରଣ ଅନ୍‌ଲାଇନ୍‌ ପାଠ ପଢାରେ ଛାତ୍ରୀଛାତ୍ରମାନଙ୍କ ସହିତ ଶିକ୍ଷକଶିକ୍ଷୟିତ୍ରୀମାନଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନ ଥାଏ। ପାଠପଢା ସମ୍ପର୍କିତ କିଛି ସନ୍ଦେହ ସହଜରେ ଦୂର ହୋଇପାରେ ନାହିଁ । ତେଣୁ ସତ କହିବାକୁ ଗଲେ ‘ନାହିଁ ମାମୁଠାରୁ କଣାମାମୁ ଭଲ’ ନ୍ୟାୟରେ ଏ ବ୍ୟବସ୍ଥା ଚାଲିଛି ।
ଆମ ରାଜ୍ୟରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଅନେକ ଅଭିଭାବକ ଅଛନ୍ତି, ଯେଉଁମାନେ କି ନିଜ ପିଲାମାନଙ୍କୁ ବହି ଖଣ୍ଡେ କିଣିଦେବାର ସାମର୍ଥ୍ୟ ନାହିଁ। ଦୁଇ ବେଳା ଦୁଇମୁଠା ପେଟକୁ ଦାନା ଦେବାରେ ଅସମର୍ଥ । ଏଭଳି ଆର୍ଥିକ ଅନଟନରେ ଥାଇ ନିଜ ପିଲାମାନଙ୍କୁ ଅନ୍‌ଲାଇନ୍‌ ପାଠପଢ଼ାର ସାଧନ ଯଥା ଆଣ୍ଡ୍ରୋଏଡ୍‌ ମୋବାଇଲ ସେଟ୍‌ ହେଉ ବା କମ୍ପ୍ୟୁଟର ପ୍ରଭୃତି କିଣିଦେବା ‘ଆକାଶ କଇଁଆ ଚିଲିକା ମାଛ’ ସହିତ ସମାନ।
ସକଳ ଦୁଃସ୍ଥିତି ମଧ୍ୟରେ ସରକାର ଗତ ସେପ୍ଟେମ୍ବର ମାସଠାରୁ ଆମ ଦେଶରେ ଅନ୍‌ଲକ-୪.୦ ଆରମ୍ଭ କରି ଜୀବନଯାତ୍ରା ସହଜ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଗଷ୍ଟ ୨୯ ତାରିଖରେ ଅନ୍‌ଲକ୍‌-୪.୦ ନିମନ୍ତେ ନିର୍ଦ୍ଦେଶାବଳୀ ଘୋଷଣା କରି ସେପ୍ଟେମ୍ବର ୨୧ ତାରିଖଠାରୁ ସ୍କୁଲ୍‌ଗୁଡିକ ଆଂଶିକ ଖୋଲିବା ପାଇଁ ଅନୁମତି ଦେଇଥିଲେ। ଶିକ୍ଷକମାନଙ୍କ ତତ୍ତ୍ବାବଧାନ ତଥା ଅଭିଭାବକମାନଙ୍କ ଲିଖିତ ଅନୁମତି କ୍ରମେ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ କେବଳ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ପିଲାମାନେ ସ୍ବଇଚ୍ଛାରେ ସ୍କୁଲକୁ ଯାଇପାରିବେ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଥିଲା। ଦେଖାଯାଇଛି ଯେ, ଦେଶର ୮ଟି ରାଜ୍ୟ ଯଥା-ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଆସାମ, ନାଗାଲାଣ୍ଡ, ମେଘାଳୟ, ହରିୟାଣା, ଜମ୍ମୁ କଶ୍ମୀର ଓ ହିମାଚଳପ୍ରଦେଶରେ ସ୍କୁଲ୍‌ ଖୋଲିଛି। ମାତ୍ର ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅତି ନଗଣ୍ୟ ରହିଛି। ଅଭିଭାବକମାନେ ମହାମାରୀର ସାଂପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ ରଖି ନିଜ ପିଲାମାନଙ୍କୁ ସ୍କୁଲ୍‌କୁ ଛାଡିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏଭଳି ପରିସ୍ଥିତିରେ ସେପ୍ଟେମ୍ବର ୨୮ତାରିଖରୁ ବିହାର ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ। ସପ୍ତାହକୁ ଦୁଇଦିନ ଛାତ୍ରୀଛାତ୍ର ସ୍କୁଲକୁ ଆସିବାକୁ କୁହାଯାଇଥିଲା।
ଏହା ମଧ୍ୟରେ ସମଗ୍ର ଦେଶରେ ଏଇ ଅକ୍ଟୋବର ମାସରୁ ଅନଲକ୍‌-୫.୦ ପ୍ରକ୍ରିୟା ଆରମ୍ଭ ହୋଇଛି। ଅକ୍ଟୋବର ୧୫ରୁ ରାଜ୍ୟ ସରକାରମାନେ ଚାହିଁଲେ କଣ୍ଟେନମେଣ୍ଟ ଅଞ୍ଚଳ ବାହାରେ ସମ୍ପୂର୍ଣ୍ଣ କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ମାନି ଶିକ୍ଷାନୁଷ୍ଠାନ ଖୋଲିପାରିବେ ବୋଲି କେନ୍ଦ୍ର ସରକାର କହିବା ସହିତ ଅନ୍‌ଲାଇନ୍‌ ଶିକ୍ଷା ଉପରେ ମଧ୍ୟ ସମପରିମାଣରେ ଗୁରୁତ୍ୱ ଦେଇଛନ୍ତି। ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶ ସରକାର ଅକ୍ଟୋବର ୧୫ରୁ ସ୍କୁଲ୍‌ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମାତ୍ର ଦୁଃଖର ବିଷୟ ଯେ ସରକାରଙ୍କର ସତର୍କତାମୂଳକ ପଦକ୍ଷେପ ବର୍ତ୍ତମାନର କରୋନା କବଳିତ ଶିକ୍ଷା ବ୍ୟବସ୍ଥାରେ କୌଣସି ସୁଧାର ଆଣିପାରୁ ନାହିଁ।
ଆମ ରାଜ୍ୟ ସରକାର ବର୍ତ୍ତମାନର ପରିସ୍ଥିତିକୁ ଗୁରୁତର ସହ ବିଚାରକୁ ନେଇ ଆସନ୍ତା ଦୁର୍ଗାପୂଜା ପରେ ସ୍କୁଲ୍‌ ଖୋଲିିବା ପାଇଁ ଏକ ସମୟୋଚିତ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରଙ୍କର ଏତାଦୃଶ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ହେଲେ ବର୍ତ୍ତମାନ ଓଡ଼ିଶାରେ କୋଭିଡ୍‌-୧୯ର ସଂକ୍ରମଣ ଥମିନାହିଁି। ଏଭଳି ପରିସ୍ଥିତିରେ କୌଣସି ଅଭିଭାବକ ନିଜ ପିଲାର ଜୀବନକୁ ବିପନ୍ନ କରି ସ୍କୁଲକୁ ଛାଡିବା ପାଇଁ ନ ଚାହିଁବା ସ୍ବାଭାବିକ। କାରଣ କୋମଳମତି ଛାତ୍ରୀଛାତ୍ରମାନଙ୍କର ଜୀବନ ନିଶ୍ଚୟ ବଡ।
ଏତଦ୍‌ବ୍ୟତୀତ ପିଲାମାନେ ସ୍କୁଲକୁ ଗଲେ ସଂକ୍ରମଣ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁଠି ମଧ୍ୟବୟସ୍କ ଓ ବୟସ୍କମାନେ କୋଭିଡ୍‌ କଟକଣା ପାଳନ କରି ଚଳିପାରୁନାହାନ୍ତି, ସେଭଳି ପରିସ୍ଥିତିରେ ସ୍କୁଲ୍‌ର ଛାତ୍ରୀଛାତ୍ରମାନେ କିଭଳି ସରକାରଙ୍କର କୋଭିଡ୍‌ ନିୟମାବଳୀ ମାନି ଚାପମୁକ୍ତ ଭାବରେ ପାଠ ପଢିପାରିବେ ତାହା ବିଚାରଯୋଗ୍ୟ ନିଶ୍ଚୟ। ସାମାଜିକ ଦୂରତ୍ୱ ରହିବ ନାହିଁ । ମାସ୍କ ଠିକ୍‌ ଭାବେ ପିନ୍ଧିବେ ନାହିଁ। ସବୁ ସମୟରେ ପ୍ରତ୍ୟେକ ଅନ୍ୟ ଜଣକର ସଂସ୍ପର୍ଶରେ ଆସିବେ। ଏକାଠି ଯିବା ଆସିବା, ଖେଳ, ପ୍ରାର୍ଥନା ଇତ୍ୟାଦି ସମୟରେ ରୋଗ ସଂକ୍ରମଣର ସର୍ବାଧିକ ଭୟ ରହିଛି। ଏ ସମସ୍ତ ଘଟଣା ପ୍ରତି ଅଭିଭାବକମାନେ ସଚେତନ ଅଛନ୍ତି ଯାହାଫଳରେ ସେମାନେ ନିଜ ପିଲାମାନଙ୍କ ପାଇଁ ସର୍ବଦା ମାନସିକ ଚିନ୍ତା ଓ ଚାପରେ ରହୁଛନ୍ତି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ସ୍କୁଲ୍‌ ଖୋଲିଦିଆଗଲା, ମାତ୍ର ତାହାର କୁଫଳ ଭୋଗିଲେ ଛାତ୍ରୀଛାତ୍ରମାନେ। ଏକ ସର୍ଭେ ଅନୁଯାୟୀ ପ୍ରାୟ ୯୪ ହଜାର ଛାତ୍ରୀଛାତ୍ର ଏକସମୟରେ କରୋନାରେ ଆକ୍ରାନ୍ତ ହେଲେ ଓ ଅନେକ ଛାତ୍ରୀଛାତ୍ର ମୃତ୍ୟୁବରଣ କଲେ ମଧ୍ୟ। ତେଣୁ ସେଠାକାର ଜନମତ ଏବେ ସ୍କୁଲ୍‌ ଖୋଲିବା ସପକ୍ଷରେ ନାହିଁ। ଅଧିକାଂଶ ଶିକ୍ଷକଶିକ୍ଷୟିତ୍ରୀ ସ୍କୁଲ୍‌ ଖୋଲିବାକୁ ବିରୋଧ କରୁଛନ୍ତି। ଯଦି ବର୍ତ୍ତମାନ ଆମ ଦେଶରେ ସ୍କୁଲ୍‌ ଖୋଲିଦିଆଯାଏ ତେବେ ସଂକ୍ରମଣ ହାର ନିଶ୍ଚୟ ବୃଦ୍ଧିପାଇବ। ଏଭଳି ପରିସ୍ଥିତିରେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ। ଆମେରିକାର ପରିସ୍ଥିତି ଆମ ଦେଶରେ ପୁନରାବୃତ୍ତି ନ ହେଉ। ସରକାର ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି । ଅଭିଭାବକମାନଙ୍କ ଭାବନାକୁ ଯଥାର୍ଥ ଭାବେ ବିଚାର କରି ଏକାନ୍ତ ଭାବେ ଦୂରଦର୍ଶୀ ନିଷ୍ପତ୍ତି ନେବାର ସମୟ ଆସିଛି।
ଇତିମଧ୍ୟରେ ସରକାର ୩୦ ପ୍ରତିଶତ ପାଠ୍ୟକ୍ରମ ହ୍ରାସ କରିଛନ୍ତି। ମାତ୍ର ଏହା ଯଥେଷ୍ଟ ପଦକ୍ଷେପ ନୁହେଁ। ଏ ଦିଗରେ ଯଥାର୍ଥ ଓ ସ୍ପଷ୍ଟ ନୀତି ପ୍ରଣୟନ କରିବା ଅପରିହାର୍ଯ୍ୟ। ପାଠ୍ୟକ୍ରମର ହ୍ରାସ ତଥା ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ଅନିଚ୍ଛାକୃତ ପରିବର୍ତ୍ତନ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପକାଇବାର ସମ୍ଭାବନା ସୃଷ୍ଟି କରିଛି। ଭବିଷ୍ୟତରେ ଛାତ୍ରୀଛାତ୍ରମାନଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ ତଥା ପ୍ରବେଶିକା ପରୀକ୍ଷା ପଦ୍ଧତି ଉପରେ ଏହା କି ପ୍ରଭାବ ପକାଇବ, ତାହା ସମୟ କହିବ ନିଶ୍ଚୟ। ସେଥିପାଇଁ ପାଠ୍ୟକ୍ରମର ହ୍ରାସ କାରଣକୁ ନେଇ ଚାରିଆଡେ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ଏ ସକଳ ସମସ୍ୟାର ସମାଧାନ ନିମନ୍ତେ ସରକାର ଯେତେ ପଦକ୍ଷେପ ଗ୍ରହଣ କଲେ ବି ବିଦ୍ୟାଳୟ ଖୋଲିବା ସଂକ୍ରାନ୍ତରେ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ରହିବା ବିଧେୟ। ଏହା ଦ୍ୱାରା ଛାତ୍ରୀଛାତ୍ରମାନଙ୍କର ଭବିଷ୍ୟତ ସୁରକ୍ଷିତ ହୋଇପାରିବା ସହିତ ଅଭିଭାବକମାନେ ଚିନ୍ତା ଶୂନ୍ୟ ହୋଇପାରିବେ। ଶିକ୍ଷା ବ୍ୟବସ୍ଥା ମଧ୍ୟ ଶୃଙ୍ଖଳିତ ଓ ଚାପମୁକ୍ତ ହୋଇପାରିବ ।
ଅପରପକ୍ଷରେ ୨୦୨୦-୨୧ ଶିକ୍ଷା ବର୍ଷ କ୍ରମଶଃ ଶେଷ ହୋଇଆସୁଅଛି । ପରୀକ୍ଷା ପାଖେଇ ଆସୁଛି । ଏ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ହୋଇରହିଛି ।
ଅଭିଭାବକମାନେ ମଧ୍ୟ ଏଦିଗରେ ସେମାନଙ୍କ ପିଲାମାନଙ୍କ ପ୍ରତି ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ଅଛି। ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇ ନିଜ ଦାୟିତ୍ୱରୁ ଦୂରେଇ ଯିବା ମଧ୍ୟ ବୁଦ୍ଧିମତ୍ତାର କାର୍ଯ୍ୟ ନୁହେଁ । ବର୍ତ୍ତମାନ କାଦୁଅ ଫିଙ୍ଗାର ସମୟ ନୁହେଁ । ଆମେ ସମସ୍ତେ ସତର୍କ ଓ ଯତ୍ନବାନ ହେବା ସହିତ ଓ ପ୍ରତି କ୍ଷେତ୍ରରେ ସରକାରଙ୍କୁ ସାହାଯ୍ୟ କରିବା ବିଧେୟ । ଯାହା ଫଳରେ ଆମ ପିଲାମାନଙ୍କ ଭବିଷ୍ୟତ ଉପରେ ମାଡି ଆସୁଥିବା ଅକାଳ ଚଡକ ସହଜରେ ବାଟ ଭାଙ୍ଗି ଚାଲିଯିବ।
ରାଜନୀତି ବିଜ୍ଞାନ ବିଭାଗ, ବଡବିଲ ମହାବିଦ୍ୟାଳୟ, ବଡବିଲ, କେନ୍ଦୁଝର
ମୋ-୮୨୪୯୧୩୭୦୯୧


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri