ଅଷ୍ଟ୍ରିଚ୍‌ ସରକାର

କୌଣସି ଦେଶର ନାଗରିକଙ୍କ ମାନବ ଅଧିକାର କ୍ଷୁଣ୍ଣ ହେଲେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମାନବ ଅଧିକାର ସଙ୍ଗଠନଗୁଡ଼ିକ ଆଗେଇ ଆସିଥାଆନ୍ତି। ସରକାର କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଅତ୍ୟାଚାରିତ ହେଉଥିବା ବର୍ଗକୁ ସିଭିଲ ସୋସାଇଟି ଅର୍ଗାନାଇଜେଶନ ବା ଭଦ୍ର ସମାଜ ସଙ୍ଗଠନ ରକ୍ଷା କରିବାର ଅନେକ ଦୃଷ୍ଟାନ୍ତ ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ବିଶେଷକରି ଗଣତାନ୍ତ୍ରିକ ସରକାରଗୁଡ଼ିକ ସକାରାତ୍ମକ ସମାଲୋଚନାକୁ ଗ୍ରହଣ କରି ଭୁଲ ସୁଧାରିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଭାରତରେ ଏବେ ତାହାର ଓଲଟା ପ୍ରତିଫଳନ ହେଉଛି। ୨୯ ସେପ୍ଟେମ୍ବରରେ ମାନବ ଅଧିକାର ସଙ୍ଗଠନ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲର ଭାରତରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିବାରୁ ତା’ର କାର୍ଯ୍ୟ ବସ୍ତୁତଃ ଠପ୍‌ ହୋଇଯାଇଛି। ଏହି ବିଶ୍ୱସ୍ତରୀୟ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଦୋଷତ୍ରୁଟି ଦର୍ଶାଇବାକୁ ଯାଇ ପ୍ରଶ୍ନ କରିବା ଯୋଗୁ ତାହାର କାର୍ଯ୍ୟଧାରା ଉପରେ ସରକାରୀ ଅଙ୍କୁଶ ଲଗାଇଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୭୭ରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲକୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା। ସଂଖ୍ୟାଲଘୁଙ୍କ ଅଧିକାର, ନାଗରିକଙ୍କ ଉପରେ ନିର୍ଯାତନା ବନ୍ଦ, ମୃତ୍ୟୁଦଣ୍ଡ ବିଲୋପ ଏବଂ ଶରଣାର୍ଥୀ ଅଧିକାର ଦିଗରେ ଏହା ପୃଥିବୀସାରା କାର୍ଯ୍ୟ କରୁଛି।
ନିକଟରେ ଶେଷ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ (ଏଫସିଆର୍‌ଏ) ଆଇନ ଅଣାଯାଇଥିଲା। ଫଳରେ ଭାରତରେ ଥିବା ବେସରକାରୀ ସଙ୍ଗଠନ (ଏନ୍‌ଜିଓ)ଗୁଡ଼ିକୁ ଦେଶ ବାହାରୁ ଆସୁଥିବା ଅନୁଦାନ ଉପରେ ଅନେକ କଟକଣା ଲଗାଯାଇଛି। ଆଇନ ଆଣିବା ପୂର୍ବରୁ ସରକାର କୌଣସି ସଙ୍ଗଠନ ସହ ଆଲୋଚନା କରିନାହାନ୍ତି କିମ୍ବା ସଂସଦରେ ନାମକୁମାତ୍ର ଆଲୋଚନା କରାଯାଇ ଯେଭଳି ତରବରିଆ ଭାବେ ଏହାକୁ ଗୃହୀତ କରାଇ ନିଆଗଲା ତାହା ଉପରେ ସିଭିଲ ସୋସାଇଟି ସଙ୍ଗଠନଗୁଡ଼ିକ ପ୍ରଶ୍ନ ଉଠାଇବା ସ୍ବାଭାବିକ। ଉକ୍ତ ଆଇନ ଅଣାଯିବା ପଛରେ ରହିଥିବା ମନ୍ଦ ଉଦ୍ଦେଶ୍ୟ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଭଳି ସଙ୍ଗଠନଗୁଡ଼ିକୁ ଭାରତରେ କାର୍ଯ୍ୟ କରି ନ ଦେବା କଥାରୁ ବୁଝି ହେଉଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାରକୁ ୨୦୧୯ରେ ଉଚ୍ଛେଦ କରାଯାଇଥିଲା। ଫଳରେ ସେହି ରାଜ୍ୟରେ ଘଟୁଥିବା ମାନବ ଅଧିକାର ଉଲ୍ଲଂଘନ କାର୍ଯ୍ୟଗୁଡ଼ିକୁ ରିପୋର୍ଟ ମାଧ୍ୟମରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପୃଥିବୀବ୍ୟାପୀ ପ୍ରକାଶ କରିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନରେନ୍ଦ୍ର ମୋଦି ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିଲା। ପ୍ରତିଶୋଧପରାୟଣ ହୋଇ କେନ୍ଦ୍ର ସରକାର ସମ୍ଭବତଃ ଉକ୍ତ ସଙ୍ଗଠନର କାର୍ଯ୍ୟ ଭାରତରେ ବନ୍ଦ କରିଦେବା ପାଇଁ ଉଚିତ ମଣିଛନ୍ତିି। ଏହାଦ୍ୱାରା ବିଦେଶରୁ ଅନୁଦାନ ପାଉଥିବା ସଙ୍ଗଠନଗୁଡ଼ିକୁ ଚେତାବନୀ ଦିଆଯାଇଛି ଯେ, ସରକାର ବିରୋଧରେ ଗଲେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଦଶା ଭୋଗିବାକୁ ପଡ଼ିବ। ଏଥିସହିତ ବିଦେଶରୁ ନ୍ୟାୟସଙ୍ଗତ ଉପାୟରେ ଏନ୍‌ଜିଓଗୁଡ଼ିକ ଅନୁଦାନ ପାଉଥିଲେ ମଧ୍ୟ ସେମାନଙ୍କ ଗତିବିଧି ଓ ଆର୍ଥିକ କାରବାର ଉପରେ ନଜର ରଖିବା ପାଇଁ ଦିଲ୍ଲୀର କୌଣସି ଏସ୍‌ବିଆଇରେ ସମ୍ପୃକ୍ତ ସଂସ୍ଥାର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଆଇନରେ ବାଧ୍ୟତାମୂଳକ କରାଯାଇଛି। ଧରାଯାଉ ଏକ ସଂସ୍ଥା ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ କାର୍ଯ୍ୟ କରୁଛି। ସେହି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଦିଲ୍ଲୀରେ ରହିବା ବାଧ୍ୟତାମୂଳକ ପଛରେ ଉଦ୍ଦେଶ୍ୟ ରହିଥାଇପାରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ତାହାକୁ ଯାଞ୍ଚ କରିପାରିବେ। ସେହିପରି ବିଦେଶରୁ ଆସୁଥିବା ସମୁଦାୟ ଅର୍ଥର ମାତ୍ର ୨୦ ପ୍ରତିଶତ ସମ୍ପୃକ୍ତ ବେସରକାରୀ ସଙ୍ଗଠନ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ କରିପାରିବେ ବୋଲି ଆଇନରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଏହି ସୀମା ୫୦ ପ୍ରତିଶତ ଥିଲା। ସାମାଜିକ ଚିନ୍ତକଙ୍କ ମତରେ ଏଭଳି ବୁଦ୍ଧି ସରକାରଙ୍କ ମୁଣ୍ଡରେ ପଶିବାର ଅର୍ଥ ହେଉଛି ବିଦେଶୀ ଅନୁଦାନ ପାଉଥିବା ସଙ୍ଗଠନଗୁଡ଼ିକର ଭାରତ ସରକାରଙ୍କ ପ୍ରତି ଆନୁଗତ୍ୟ ରହୁ ନାହିଁ। ବଡ଼ ଏନ୍‌ଜିଓଗୁଡ଼ିକ ଅଧିକ ଦରମା ଦେଇ ଉଚ୍ଚଶିକ୍ଷିତ ତଥା ଅଭିଜ୍ଞତାସମ୍ପନ୍ନ ଗବେଷକ ଓ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଥିବାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ସରକାରଙ୍କ ତ୍ରୁଟିକୁ ଦର୍ଶାଇବାରେ ସଫଳ ହେଉଛି। ପ୍ରଶାସନିକ ଖର୍ଚ୍ଚକୁ ୨୦ ପ୍ରତିଶତରେ ରଖି ଦିଆଗଲେ ଏନ୍‌ଜିଓଗୁଡ଼ିକ ସାଧାରଣ ପଢ଼ୁଆ ପିଲାଙ୍କୁ ନିଯୁକ୍ତି ଦେଇ କାମ ଚଳାଇବାକୁ ବାଧ୍ୟ ହେବେ। ଫଳରେ ସେହିମାନଙ୍କୁ ଟଙ୍କା ଯାଚି ରିପୋର୍ଟ ବଦଳାଯାଇପାରେ ବା ନିମ୍ନ ସ୍ତରର ସମୀକ୍ଷା ରିପୋର୍ଟ ପ୍ରକାଶ ପାଇଲେ ସରକାରଙ୍କ ଭୁଲକାର୍ଯ୍ୟ ଲୁଚିଯିବାର ସମ୍ଭାବନା ରହିଛି।
ମରୁଭୂମିରେ ଅଷ୍ଟ୍ରିଚ୍‌ ନାମକ ଏକ ପକ୍ଷୀ ଦେଖାଯାଏ। ଏହି ପକ୍ଷୀ ଉଡ଼ିପାରେ ନାହିଁ। ତାକୁ ଯେତେବେଳେ କୌଣସି ବିପଦ ଦିଶେ ସେତେବେଳେ ଏହି ପକ୍ଷୀ ଏକ ଗାତ ଖୋଳିି ନିଜର ମୁଣ୍ଡ ତା’ଭିତରେ ପୂରାଇଦିଏ। ଯେହେତୁ ସେ ବିପଦକୁ ଦେଖିପାରେ ନାହିଁ, ସେହେତୁ ସେ ଭାବେ ଆସୁଥିବା ବିପଦ ମଧ୍ୟ ତାକୁ ଦେଖିପାରିବ ନାହିଁ। ଆଜି ଆମ୍‌ନେଷ୍ଟି ସମ୍ପର୍କରେ ନେଇଥିବା ନିଷ୍ପତ୍ତି ଦ୍ୱାରା ଭାରତ ସରକାର ଏହିଭଳି ଅଷ୍ଟ୍ରିଚ୍‌ ମାନସିକତା ପ୍ରଦର୍ଶନ କରିଛନ୍ତି। ବିଶ୍ୱର କେତେକ ଏକଚ୍ଛତ୍ରବାଦୀ ଦେଶକୁ ବାଦ୍‌ ପକାଇଲେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗତ ୭୦ ବର୍ଷ ଧରି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ୍‌ କାର୍ଯ୍ୟ କରିଆସୁଛି। କୌଣସି ଗଣତାନ୍ତ୍ରିକ ଦେଶର ସରକାର ଏହି ସଂସ୍ଥାକୁ ପସନ୍ଦ କରନ୍ତି ନାହିଁ ଏବଂ ବିଶ୍ୱବ୍ୟାପୀ ଏହାଦ୍ୱାରା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ତାହାର କାର୍ଯ୍ୟରେ ବାଧା ଦିଅନ୍ତି ନାହିଁ। ଏହାଫଳରେ ସବୁ ଗଣତାନ୍ତ୍ରିକ ଦେଶ ଭୁଲ୍‌ତ୍ରୁଟି ଦର୍ଶାଉଥିବା ଏହିଭଳି ସଙ୍ଗଠନ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ସମ୍ମାନ ଦେଇ ନିଜର ଦୋଷ ସୁଧାରି ଥାଆନ୍ତି। ତତ୍‌ସହିତ ସେହି ରିପୋର୍ଟକୁ ଖଣ୍ଡନ କରି ସମ୍ପୃକ୍ତ ସରକାର ନିଜର ସଫେଇ ଦେଇଥାନ୍ତି। ତାହା ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ହୋଇଥାଏ। କିନ୍ତୁ ଭାରତ ସରକାର ଯେଉଁଭଳି ଭାବେ ଆମ୍‌ନେଷ୍ଟିକୁ ବିଦା କରିଦେଇଛନ୍ତି, ସେଥିରୁ ତାଙ୍କର ଅଷ୍ଟ୍ରିଚ୍‌ ମନୋଭାବ ଜଣାପଡୁଛି। ଭାରତ ସରକାର ସମାଲୋଚନା ପ୍ରତି ଅସହିଷ୍ଣୁ ହେଉଛି ବୋଲି ଏବେ ବିଶ୍ୱବ୍ୟାପୀ ପ୍ରମାଣ ମିଳିଲା। ଏହାଦ୍ୱାରା ଭାରତର ଭାବମୂର୍ତ୍ତି ଅନ୍ତର୍ଜାତୀୟ ସ୍ତରରେ ଯେଉଁଭଳି ଭାବେ କ୍ଷୁଣ୍ଣ ହେଲା ତାହାର କୁଫଳ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri