ଅଷ୍ଟ୍ରିଚ୍‌ ସରକାର

କୌଣସି ଦେଶର ନାଗରିକଙ୍କ ମାନବ ଅଧିକାର କ୍ଷୁଣ୍ଣ ହେଲେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ମାନବ ଅଧିକାର ସଙ୍ଗଠନଗୁଡ଼ିକ ଆଗେଇ ଆସିଥାଆନ୍ତି। ସରକାର କିମ୍ବା ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଅତ୍ୟାଚାରିତ ହେଉଥିବା ବର୍ଗକୁ ସିଭିଲ ସୋସାଇଟି ଅର୍ଗାନାଇଜେଶନ ବା ଭଦ୍ର ସମାଜ ସଙ୍ଗଠନ ରକ୍ଷା କରିବାର ଅନେକ ଦୃଷ୍ଟାନ୍ତ ବିଶ୍ୱବ୍ୟାପୀ ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ବିଶେଷକରି ଗଣତାନ୍ତ୍ରିକ ସରକାରଗୁଡ଼ିକ ସକାରାତ୍ମକ ସମାଲୋଚନାକୁ ଗ୍ରହଣ କରି ଭୁଲ ସୁଧାରିବାକୁ ଚେଷ୍ଟା କରିଥାଆନ୍ତି। କିନ୍ତୁ ଭାରତରେ ଏବେ ତାହାର ଓଲଟା ପ୍ରତିଫଳନ ହେଉଛି। ୨୯ ସେପ୍ଟେମ୍ବରରେ ମାନବ ଅଧିକାର ସଙ୍ଗଠନ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲର ଭାରତରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିବାରୁ ତା’ର କାର୍ଯ୍ୟ ବସ୍ତୁତଃ ଠପ୍‌ ହୋଇଯାଇଛି। ଏହି ବିଶ୍ୱସ୍ତରୀୟ ସଙ୍ଗଠନ କେନ୍ଦ୍ର ସରକାରଙ୍କ ଦୋଷତ୍ରୁଟି ଦର୍ଶାଇବାକୁ ଯାଇ ପ୍ରଶ୍ନ କରିବା ଯୋଗୁ ତାହାର କାର୍ଯ୍ୟଧାରା ଉପରେ ସରକାରୀ ଅଙ୍କୁଶ ଲଗାଇଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୧୯୭୭ରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲକୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ଦିଆଯାଇଥିଲା। ସଂଖ୍ୟାଲଘୁଙ୍କ ଅଧିକାର, ନାଗରିକଙ୍କ ଉପରେ ନିର୍ଯାତନା ବନ୍ଦ, ମୃତ୍ୟୁଦଣ୍ଡ ବିଲୋପ ଏବଂ ଶରଣାର୍ଥୀ ଅଧିକାର ଦିଗରେ ଏହା ପୃଥିବୀସାରା କାର୍ଯ୍ୟ କରୁଛି।
ନିକଟରେ ଶେଷ ହୋଇଥିବା ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ବିଦେଶୀ ଅନୁଦାନ (ନିୟନ୍ତ୍ରଣ) ସଂଶୋଧନ (ଏଫସିଆର୍‌ଏ) ଆଇନ ଅଣାଯାଇଥିଲା। ଫଳରେ ଭାରତରେ ଥିବା ବେସରକାରୀ ସଙ୍ଗଠନ (ଏନ୍‌ଜିଓ)ଗୁଡ଼ିକୁ ଦେଶ ବାହାରୁ ଆସୁଥିବା ଅନୁଦାନ ଉପରେ ଅନେକ କଟକଣା ଲଗାଯାଇଛି। ଆଇନ ଆଣିବା ପୂର୍ବରୁ ସରକାର କୌଣସି ସଙ୍ଗଠନ ସହ ଆଲୋଚନା କରିନାହାନ୍ତି କିମ୍ବା ସଂସଦରେ ନାମକୁମାତ୍ର ଆଲୋଚନା କରାଯାଇ ଯେଭଳି ତରବରିଆ ଭାବେ ଏହାକୁ ଗୃହୀତ କରାଇ ନିଆଗଲା ତାହା ଉପରେ ସିଭିଲ ସୋସାଇଟି ସଙ୍ଗଠନଗୁଡ଼ିକ ପ୍ରଶ୍ନ ଉଠାଇବା ସ୍ବାଭାବିକ। ଉକ୍ତ ଆଇନ ଅଣାଯିବା ପଛରେ ରହିଥିବା ମନ୍ଦ ଉଦ୍ଦେଶ୍ୟ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଭଳି ସଙ୍ଗଠନଗୁଡ଼ିକୁ ଭାରତରେ କାର୍ଯ୍ୟ କରି ନ ଦେବା କଥାରୁ ବୁଝି ହେଉଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ରେ ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ବତନ୍ତ୍ର ଅଧିକାରକୁ ୨୦୧୯ରେ ଉଚ୍ଛେଦ କରାଯାଇଥିଲା। ଫଳରେ ସେହି ରାଜ୍ୟରେ ଘଟୁଥିବା ମାନବ ଅଧିକାର ଉଲ୍ଲଂଘନ କାର୍ଯ୍ୟଗୁଡ଼ିକୁ ରିପୋର୍ଟ ମାଧ୍ୟମରେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ପୃଥିବୀବ୍ୟାପୀ ପ୍ରକାଶ କରିଥିଲା। ଏହାଦ୍ୱାରା ଅନ୍ତର୍ଜାତୀୟ ସ୍ତରରେ ନରେନ୍ଦ୍ର ମୋଦି ସରକାରଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିଥିଲା। ପ୍ରତିଶୋଧପରାୟଣ ହୋଇ କେନ୍ଦ୍ର ସରକାର ସମ୍ଭବତଃ ଉକ୍ତ ସଙ୍ଗଠନର କାର୍ଯ୍ୟ ଭାରତରେ ବନ୍ଦ କରିଦେବା ପାଇଁ ଉଚିତ ମଣିଛନ୍ତିି। ଏହାଦ୍ୱାରା ବିଦେଶରୁ ଅନୁଦାନ ପାଉଥିବା ସଙ୍ଗଠନଗୁଡ଼ିକୁ ଚେତାବନୀ ଦିଆଯାଇଛି ଯେ, ସରକାର ବିରୋଧରେ ଗଲେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଦଶା ଭୋଗିବାକୁ ପଡ଼ିବ। ଏଥିସହିତ ବିଦେଶରୁ ନ୍ୟାୟସଙ୍ଗତ ଉପାୟରେ ଏନ୍‌ଜିଓଗୁଡ଼ିକ ଅନୁଦାନ ପାଉଥିଲେ ମଧ୍ୟ ସେମାନଙ୍କ ଗତିବିଧି ଓ ଆର୍ଥିକ କାରବାର ଉପରେ ନଜର ରଖିବା ପାଇଁ ଦିଲ୍ଲୀର କୌଣସି ଏସ୍‌ବିଆଇରେ ସମ୍ପୃକ୍ତ ସଂସ୍ଥାର ଏକ ବ୍ୟାଙ୍କ ଆକାଉଣ୍ଟ ରହିବା ଆଇନରେ ବାଧ୍ୟତାମୂଳକ କରାଯାଇଛି। ଧରାଯାଉ ଏକ ସଂସ୍ଥା ଓଡ଼ିଶାର ଅନୁନ୍ନତ ଅଞ୍ଚଳରେ କାର୍ଯ୍ୟ କରୁଛି। ସେହି ସଂସ୍ଥାର ବ୍ୟାଙ୍କ ଆକାଉଣ୍ଟ ଦିଲ୍ଲୀରେ ରହିବା ବାଧ୍ୟତାମୂଳକ ପଛରେ ଉଦ୍ଦେଶ୍ୟ ରହିଥାଇପାରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ଅଧିକାରୀମାନେ ତାହାକୁ ଯାଞ୍ଚ କରିପାରିବେ। ସେହିପରି ବିଦେଶରୁ ଆସୁଥିବା ସମୁଦାୟ ଅର୍ଥର ମାତ୍ର ୨୦ ପ୍ରତିଶତ ସମ୍ପୃକ୍ତ ବେସରକାରୀ ସଙ୍ଗଠନ ପ୍ରଶାସନିକ ଖର୍ଚ୍ଚ ପାଇଁ ବ୍ୟୟ କରିପାରିବେ ବୋଲି ଆଇନରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଏହି ସୀମା ୫୦ ପ୍ରତିଶତ ଥିଲା। ସାମାଜିକ ଚିନ୍ତକଙ୍କ ମତରେ ଏଭଳି ବୁଦ୍ଧି ସରକାରଙ୍କ ମୁଣ୍ଡରେ ପଶିବାର ଅର୍ଥ ହେଉଛି ବିଦେଶୀ ଅନୁଦାନ ପାଉଥିବା ସଙ୍ଗଠନଗୁଡ଼ିକର ଭାରତ ସରକାରଙ୍କ ପ୍ରତି ଆନୁଗତ୍ୟ ରହୁ ନାହିଁ। ବଡ଼ ଏନ୍‌ଜିଓଗୁଡ଼ିକ ଅଧିକ ଦରମା ଦେଇ ଉଚ୍ଚଶିକ୍ଷିତ ତଥା ଅଭିଜ୍ଞତାସମ୍ପନ୍ନ ଗବେଷକ ଓ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦେଉଥିବାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ସରକାରଙ୍କ ତ୍ରୁଟିକୁ ଦର୍ଶାଇବାରେ ସଫଳ ହେଉଛି। ପ୍ରଶାସନିକ ଖର୍ଚ୍ଚକୁ ୨୦ ପ୍ରତିଶତରେ ରଖି ଦିଆଗଲେ ଏନ୍‌ଜିଓଗୁଡ଼ିକ ସାଧାରଣ ପଢ଼ୁଆ ପିଲାଙ୍କୁ ନିଯୁକ୍ତି ଦେଇ କାମ ଚଳାଇବାକୁ ବାଧ୍ୟ ହେବେ। ଫଳରେ ସେହିମାନଙ୍କୁ ଟଙ୍କା ଯାଚି ରିପୋର୍ଟ ବଦଳାଯାଇପାରେ ବା ନିମ୍ନ ସ୍ତରର ସମୀକ୍ଷା ରିପୋର୍ଟ ପ୍ରକାଶ ପାଇଲେ ସରକାରଙ୍କ ଭୁଲକାର୍ଯ୍ୟ ଲୁଚିଯିବାର ସମ୍ଭାବନା ରହିଛି।
ମରୁଭୂମିରେ ଅଷ୍ଟ୍ରିଚ୍‌ ନାମକ ଏକ ପକ୍ଷୀ ଦେଖାଯାଏ। ଏହି ପକ୍ଷୀ ଉଡ଼ିପାରେ ନାହିଁ। ତାକୁ ଯେତେବେଳେ କୌଣସି ବିପଦ ଦିଶେ ସେତେବେଳେ ଏହି ପକ୍ଷୀ ଏକ ଗାତ ଖୋଳିି ନିଜର ମୁଣ୍ଡ ତା’ଭିତରେ ପୂରାଇଦିଏ। ଯେହେତୁ ସେ ବିପଦକୁ ଦେଖିପାରେ ନାହିଁ, ସେହେତୁ ସେ ଭାବେ ଆସୁଥିବା ବିପଦ ମଧ୍ୟ ତାକୁ ଦେଖିପାରିବ ନାହିଁ। ଆଜି ଆମ୍‌ନେଷ୍ଟି ସମ୍ପର୍କରେ ନେଇଥିବା ନିଷ୍ପତ୍ତି ଦ୍ୱାରା ଭାରତ ସରକାର ଏହିଭଳି ଅଷ୍ଟ୍ରିଚ୍‌ ମାନସିକତା ପ୍ରଦର୍ଶନ କରିଛନ୍ତି। ବିଶ୍ୱର କେତେକ ଏକଚ୍ଛତ୍ରବାଦୀ ଦେଶକୁ ବାଦ୍‌ ପକାଇଲେ ସବୁ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗତ ୭୦ ବର୍ଷ ଧରି ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ୍‌ କାର୍ଯ୍ୟ କରିଆସୁଛି। କୌଣସି ଗଣତାନ୍ତ୍ରିକ ଦେଶର ସରକାର ଏହି ସଂସ୍ଥାକୁ ପସନ୍ଦ କରନ୍ତି ନାହିଁ ଏବଂ ବିଶ୍ୱବ୍ୟାପୀ ଏହାଦ୍ୱାରା ଅସନ୍ତୁଷ୍ଟ ଥିବା ସତ୍ତ୍ୱେ ତାହାର କାର୍ଯ୍ୟରେ ବାଧା ଦିଅନ୍ତି ନାହିଁ। ଏହାଫଳରେ ସବୁ ଗଣତାନ୍ତ୍ରିକ ଦେଶ ଭୁଲ୍‌ତ୍ରୁଟି ଦର୍ଶାଉଥିବା ଏହିଭଳି ସଙ୍ଗଠନ ଦ୍ୱାରା ପ୍ରସ୍ତୁତ ରିପୋର୍ଟକୁ ସମ୍ମାନ ଦେଇ ନିଜର ଦୋଷ ସୁଧାରି ଥାଆନ୍ତି। ତତ୍‌ସହିତ ସେହି ରିପୋର୍ଟକୁ ଖଣ୍ଡନ କରି ସମ୍ପୃକ୍ତ ସରକାର ନିଜର ସଫେଇ ଦେଇଥାନ୍ତି। ତାହା ଅନ୍ତର୍ଜାତୀୟ ସ୍ତରରେ ସମ୍ପୂର୍ଣ୍ଣ ଭାବେ ଗ୍ରହଣୀୟ ହୋଇଥାଏ। କିନ୍ତୁ ଭାରତ ସରକାର ଯେଉଁଭଳି ଭାବେ ଆମ୍‌ନେଷ୍ଟିକୁ ବିଦା କରିଦେଇଛନ୍ତି, ସେଥିରୁ ତାଙ୍କର ଅଷ୍ଟ୍ରିଚ୍‌ ମନୋଭାବ ଜଣାପଡୁଛି। ଭାରତ ସରକାର ସମାଲୋଚନା ପ୍ରତି ଅସହିଷ୍ଣୁ ହେଉଛି ବୋଲି ଏବେ ବିଶ୍ୱବ୍ୟାପୀ ପ୍ରମାଣ ମିଳିଲା। ଏହାଦ୍ୱାରା ଭାରତର ଭାବମୂର୍ତ୍ତି ଅନ୍ତର୍ଜାତୀୟ ସ୍ତରରେ ଯେଉଁଭଳି ଭାବେ କ୍ଷୁଣ୍ଣ ହେଲା ତାହାର କୁଫଳ ଆମ ସମସ୍ତଙ୍କୁ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri