ସାମ୍ପ୍ରତିକ ପେନ୍‌ସନ ଆନ୍ଦୋଳନ

ବୃହସ୍ପତି ସାମଲ

ଏକକ ଭାବେ ନିଜ ନିଜ ସଂଗଠନ ଜରିଆରେ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଶ୍ରମିକ ଓ କର୍ମଚାରୀମାନେ ସମସ୍ତଙ୍କ ପାଇଁ ମାସିକ ସର୍ବନିମ୍ନ ନ’ ହଜାର ଟଙ୍କାର ପେନ୍‌ସନ ବ୍ୟବସ୍ଥା, ନୂତନ ପେନ୍‌ସନ ଯୋଜନା ଅଥବା ଜାତୀୟ ପେନ୍‌ସନ ଯୋଜନା (ଏନ୍‌ପିଏସ୍‌)କୁ ବାତିଲ କରି ପୁରାତନ ପେନ୍‌ସନ ଯୋଜନା (ଓପିଏସ୍‌)ର ପୁନଃ ପ୍ରଚଳନ ସହ ଅନ୍ୟାନ୍ୟ ଯଥାର୍ଥ ସମସ୍ୟାର ସମାଧାନ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ବି କୌଣସି ସୁଫଳ ନାହିଁ। ଫଳରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ ଅନ୍ତର୍ଭୁକ୍ତ ରେଳବାଇ କର୍ମଚାରୀ ମହାସଂଘ, କେନ୍ଦ୍ର ସରକାରୀ କର୍ମଚାରୀ ଓ ଶ୍ରମିକ ପରିସଂଘ ଅନୁବନ୍ଧିତ ସମସ୍ତ ସଂଘ ଓ ମହାସଂଘ, ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଓ ଶିକ୍ଷକ ମହାସଂଘ ଅନୁବନ୍ଧିତ ସମସ୍ତ ସଂଘ ଏବଂ ପାରାମିଲିଟାରୀ ପେନ୍‌ସନର୍ସ ଆସୋସିଏଶନର ନୂଆଦିଲ୍ଲୀରେ ୮ ଡିସେମ୍ବର ୨୦୨୨, ୭ ଓ ୨୧ ଜାନୁଆରୀ ୨୦୨୩ରେ ତିନି ତିନୋଟି ମିଳିତ ବୈଠକ ଅନୁଷ୍ଠିତ ହୋଇ ସର୍ବସମ୍ମତି କ୍ରମେ ୨୦୨୩ ପାଇଁ ବର୍ଷସାରାର ଏକ ଆନ୍ଦୋଳନାତ୍ମକ ଚିଠା ପ୍ରସ୍ତୁତ କଲେ। ବିଶେଷ ଭାବେ ‘ଜଏଣ୍ଟ ଫୋରମ୍‌ ଫର୍‌ ରେଷ୍ଟୋରେଶନ ଅଫ ଓଲ୍ଡ ପେନ୍‌ସନ ସ୍କିମ’ ଭଳି ଏକ ମିଳିତ ମଞ୍ଚ ଦ୍ୱାରା ୨୧ ଫେବୃଆରୀ ୨୦୨୩ରୁ ମଣ୍ଡଳ, ପରିମଣ୍ଡଳ ସ୍ତରରୁ କ୍ରମାଗତ ଭାବେ ପ୍ରତ୍ୟେକ ମାସ ଆୟୋଜିତ କର୍ମଚାରୀଙ୍କର ସଂଗଠିତ ଆନ୍ଦୋଳନ କରାଯାଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଥିଲେ।
କିନ୍ତୁ ଏନ୍‌ପିଏସ୍‌ର ଉଚ୍ଛେଦ କଥାକୁ ଏଡେଇ ଯାଇ କିଛିଟା ପରିବର୍ତ୍ତନ ଆଣିବା ସକାଶେ କେନ୍ଦ୍ର ସରକାର ଭାରତର ଅର୍ଥସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କଲେ। ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ, ବ୍ୟୟ ବିଭାଗର ସ୍ବତନ୍ତ୍ର ସଚିବ ଓ ପେନ୍‌ସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣର ଅଧ୍ୟକ୍ଷଙ୍କୁ ସଭ୍ୟ ଭାବେ ମନୋନୀତ କରି ଏହି କମିଟି ଗଠନ କରାଗଲା। ଏହାରି ଭିତରେ ପେନ୍‌ସନ କମିଟି ସହ କର୍ମଚାରୀ ପକ୍ଷର ଦୁଇ ଦୁଇ ଥର ବୈଠକ ବସିସାରିଥିଲେ ବି କୌଣସି ସୁଫଳ ନ ମିଳିନାହିଁ। ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ସହ ପ୍ରତ୍ୟେକ ରାଜ୍ୟ ରାଜଧାନୀରେ କ୍ରମାଗତ ଅନଶନ କାର୍ଯ୍ୟକ୍ରମ ଆୟୋଜିତ ହେଲେ ମଧ୍ୟ ତାହା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିପାରିଲା ନାହିଁ।
କେନ୍ଦ୍ର ସରକାରଙ୍କ ପେନ୍‌ସନ ନୀତିରେ ପରିବର୍ତ୍ତନ ଯୋଗୁ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର କୋଟି କୋଟି ସରକାରୀ କର୍ମଚାରୀ ଓ ପେନ୍‌ସନଭୋଗୀ ବୟସର ଅପରାହ୍ନରେ ଆଶାବାଡ଼ି ସାଜିଥିବା ପେନ୍‌ସନର ଭବିଷ୍ୟତକୁ ନେଇ ସନ୍ଦେହ ଓ ଆଶଙ୍କାରେ କାଳାତିପାତ କରୁଛନ୍ତି। ନବ୍ୟ ଉଦାରବାଦ ନୀତି ପରିଚାଳନାର ଏକ ଅଂଶବିଶେଷ ଭାବେ କେନ୍ଦ୍ରର ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ୨୨ ଡିସେମ୍ବର ୨୦୦୩ର ଏକ ଅଧ୍ୟାଦେଶ ବଳରେ ଓପିଏସ୍‌କୁ ବାତିଲ କରି କେନ୍ଦ୍ରୀୟ ବେସାମରିକ ସେବା (ପେନ୍‌ସନ) ନିୟମ ୧୯୭୨ ଅଧୀନସ୍ଥ ସାମ୍ବିଧାନିକ ପ୍ରାବଧାନକୁ ହଟେଇଦେଲେ ଏବଂ ସମସ୍ତ କେନ୍ଦ୍ର ବେସାମରିକ ସରକାରୀ କର୍ମଚାରୀମାନଙ୍କ ପାଇଁ ଜାନୁଆରୀ ପହିଲା ୨୦୦୪ରୁ ଏନ୍‌ପିଏସ୍‌ର ପ୍ରଚଳନ କଲେ। ପରେ ପରେ ୨୦୦୪ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାର, ପେନ୍‌ସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ବିଲ୍‌ ଆଣି ୨୦୧୩ରେ ଅଧିନିୟମ ଲାଗୁକଲେ। ୨୦୦୪ରୁ ରାଜ୍ୟ ସ୍ତରରୁ ସର୍ବଭାରତୀୟ ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କର କ୍ରମାଗତ ସଂଘର୍ଷ ଫଳରେ ଏନ୍‌ପିଏସ୍‌ ନୀତିରେ କିଛିଟା ପରିବର୍ତ୍ତନ ଆସିବା ସହ ନିକଟ ଅତୀତରେ ରାଜସ୍ଥାନ, ଝାଡ଼ଖଣ୍ଡ, ଛତିଶଗଡ଼, ପଞ୍ଜାବ ଓ ହିମାଚଳ ପ୍ରଦେଶର ରାଜ୍ୟ ସରକାରମାନେ ସେମାନଙ୍କ କର୍ମଚାରୀଙ୍କ ପାଇଁ ଓପିଏସ୍‌କୁ ଫେରିବା ନିମିତ୍ତ ବିଜ୍ଞପ୍ତି ଜାରି କରିଛନ୍ତି । ଫଳରେ ୨୦୦୪ରୁ ଏଯାବତ ଗୋଟିଏ ପଟେ କର୍ମଚାରୀଙ୍କ ନିରବଚ୍ଛିନ୍ନ ଆନ୍ଦୋଳନ ଓ ଅନ୍ୟପକ୍ଷେ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ଓପିଏସ୍‌ ମୁହାଁ ହେଉଥିବା ଯୋଗୁ କେନ୍ଦ୍ର ସରକାରଙ୍କ ଉପରୋକ୍ତ କମିଟି ଗଠନ ଏକ ବାଧ୍ୟବାଧକତା, ଯାହାର କାର୍ଯ୍ୟକାରିତାକୁ ନେଇ କର୍ମଚାରୀ ମହଲରେ କମ୍‌ ଆଶା ଏବଂ ଅନେକ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି।
ପ୍ରାରମ୍ଭରୁ, ଏନ୍‌ପିଏସ୍‌ ଉପରେ କର୍ମଚାରୀ ପକ୍ଷ ସହ ବାରମ୍ବାର ଆଲୋଚନା ପରେ ଶେଷରେ ଜଏଣ୍ଟ କନ୍‌ସଲଟେଟିଭ ମେଶିନାରୀ ଜାତୀୟ ପରିଷଦର ୧୪ ଡିସେମ୍ବର ୨୦୦୭ର ଷ୍ଟାଣ୍ଡିଂ କମିଟି ବୈଠକରେ କେନ୍ଦ୍ର ସରକାର ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଯେତେବେଳେ ଏନ୍‌ପିଏସ୍‌ ଉପଭୋକ୍ତାମାନେ ଅବସରନେବା ଆରମ୍ଭ କଲେ, ସେତେବେଳେ ଜଣାପଡ଼ିଲା ଯେ ପ୍ରତିଶ୍ରୁତିରୁ ବାସ୍ତବତା ପ୍ରକୃତରେ ବହୁ ଦୂରରେ। କର୍ମଚାରୀଙ୍କ ତରଫରୁ କୌଣସି ଦେୟ ନ ଥାଇ ଓପିଏସ୍‌ରେ ଶେଷ ଦରମାର ୫୦% ପେନ୍‌ସନ ଆକାରରେ ମିଳୁଥିଲା ବେଳେ ଏନ୍‌ପିଏସ୍‌ରେ ମାସିକ କର୍ମଚାରୀଙ୍କ ଦେୟ ମୂଳ ଦରମାର ୧୦% ଓ ସରକାରଙ୍କ ଦେୟ ୧୪% ଥାଇ ମଧ୍ୟ ତାହା ପାଖାପାଖି ୮%ରେ ସୀମିତ ରହୁଛି, ଯାହା କୋଟି କୋଟି କର୍ମଚାରୀ ଓ ସେମାନଙ୍କ ପରିବାରର ସାମାଜିକ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ।
ଏନ୍‌ପିଏସ୍‌ ଉଚ୍ଛେଦ ପ୍ରସଙ୍ଗ ୨୦୦୪ରୁ ଆରମ୍ଭ ହୋଇ ୨୦ବର୍ଷରେ ପଦାର୍ପଣ କରି ଚାରି ଚାରିଟି ସରକାରର ସାମନା କଲାଣି। ତଥାପି ସଂଘର୍ଷ ଚାଲିଛି। ୨୦୨୪ ସାଧାରଣ ନିର୍ବାଚନର ବର୍ଷ ହୋଇଥିବା ଯୋଗୁ ୨୦୨୩ ପ୍ରାରମ୍ଭରୁ ସମସ୍ତ ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କଲାଭଳି ନିଜ ନିଜର ନିର୍ବାଚନୀ ଇସ୍ତାହାରକୁ ରୋଚକ ଓ ମନଲୋଭା କରିବାରେ ବ୍ୟଗ୍ରତା ଦେଖାଉଛନ୍ତି। ଏବେ ଯେଉଁ କେତୋଟି କଂଗ୍ରେସ ଶାସିତ ରାଜ୍ୟ ଓପିଏସ୍‌କୁ ଫେରିବାକୁ ପ୍ରତିଶ୍ରୁତି ଦେଉଛନ୍ତି, କେନ୍ଦ୍ରରେ ଯେତେବେଳେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେହି କଂଗ୍ରେସ ନେତୃତ୍ୱାଧୀନ ସରକାର ଚାଲିଥିଲା, ସେମାନେ ଏନ୍‌ପିଏସ୍‌ ଉଚ୍ଛେଦ ପାଇଁ କୌଣସି ପଦକ୍ଷେପ ନ ନେଇ ବରଂ ୨୦୧୩ରେ ପେନ୍‌ସନ ନିଧି ନିୟାମକ ଓ ବିକାଶ ପ୍ରାଧିକରଣ ଅଧିନିୟମ ଲାଗୁକରେଇ ଏନ୍‌ପିଏସ୍‌ର ଚେରକୁ ମଜଭୁତ କରେଇଲେ। ୨୦୧୩ର ଅଧିନିୟମ ଉଚ୍ଛେଦ ନ ହେଲେ ଏନ୍‌ପିଏସ୍‌ ଉପଭୋକ୍ତାଙ୍କୁ ନ୍ୟାୟ ମିଳିବା ଅସମ୍ଭବ। ଏ ସନ ମଳୁ, ଆର ସନକୁ ବଇଦ ନ୍ୟାୟରେ କର୍ମଚାରୀମାନେ ବି ଢେର ଅଭିଜ୍ଞତା ଗୋଟେଇଲେଣି। ତେଣୁ, ଏନ୍‌ପିଏସ୍‌ରେ ପରିବର୍ତ୍ତନ ଆଣିବା ନୁହେଁ ବରଂ ସମ୍ପୂର୍ଣ୍ଣ ଉଚ୍ଛେଦ କର୍ମଚାରୀଙ୍କର ଦାବି।
ପେନ୍‌ସନ କାହାରି ଦାନ ବା ଦୟା ନୁହେଁ, ବରଂ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଅନୁମୋଦିତ ଏହା ଏକ କର୍ମଚାରୀର ସାମ୍ବିଧାନିକ ଅଧିକାର। ଦେଶର ଜନ ପ୍ରତିନିଧିମାନେ ମାତ୍ର ୫ବର୍ଷ ପାଇଁ ନିର୍ବାଚିତ ହୋଇ ନିଜର ବେତନ ଓ ଭତ୍ତା ବୃଦ୍ଧି କରି ଓପିଏସ୍‌ ଆଧାରରେ ଏକାଧିକ ପେନ୍‌ସନର ସୁବିଧା ସୁଯୋଗ ଉପଭୋଗ କରୁଥିବା ବେଳେ, ସମ୍ପୂର୍ଣ୍ଣ ଯୋଗ୍ୟତା ଭିତ୍ତିରେ ୩୫ରୁ ୪୦ବର୍ଷ ଚାକିରି କରୁଥିବା କର୍ମଚାରୀଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରିବା ଭାରତ ଭଳି ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ପରିସ୍ଥିତିରେ ଦାବି ହାସଲ ପାଇଁ ଶ୍ରମିକ, କୃଷକ ତଥା କେନ୍ଦ୍ର, ରାଜ୍ୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ କର୍ମଚାରୀଙ୍କ ସମ୍ମିଳିତ ଆନ୍ଦୋଳନ ହିଁ ଏକମାତ୍ର ବିକଳ୍ପ; ଯେଉଁଥିପାଇଁ ଭାରତର ସମସ୍ତ ଶ୍ରମିକ ଓ କର୍ମଚାରୀ ସଂଗଠନ କେବଳ ପେନ୍‌ସନ ପାଇଁ ନୁହେଁ, ବରଂ ଅନ୍ୟାନ୍ୟ ବହୁ ନ୍ୟାଯ୍ୟ ଦାବି ହାସଲ ଲାଗି ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆପଣେଇବାକୁ ବାଧ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କୁ ସର୍ବନିମ୍ନ ମାସିକ ୯ ହଜାର ଟଙ୍କାର ପେନ୍‌ସନ ସୁବିଧା ସହ ପୁରାତନ ପେନ୍‌ସନର ପୁନଃ ପ୍ରଚଳନ ପାଇଁ କେନ୍ଦ୍ର ସରକାର ଏକ ବିଧିବଦ୍ଧ ନିଷ୍ପତ୍ତି ନେବା ଜରୁରୀ।
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri