ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ ହେଉଥିବା ସାହାରା ମରୁଭୂମିର ସାହେଲ ଅଞ୍ଚଳର ଅଧିକାଂଶ ଭାଗରେ ଉପର ମୃତ୍ତିକା ଅତୀବ କଠିନ । ଏହି କଠିନ ପୃଷ୍ଠ ଦେଇ ବର୍ଷାଜଳ ମୃତ୍ତିକାରେ ପ୍ରବେଶ କରିବା ସମ୍ଭବପର ହୁଏନାହିଁ ଏବଂ ଉପରସ୍ଥ ବର୍ଷାଜଳ ପ୍ରାୟତଃ ତୁରନ୍ତ ବାଷ୍ପୀଭୂତ ହୋଇଯାଏ। ଏପରି ସ୍ଥିତିରେ ଲଗାଯାଇଥିବା ମଞ୍ଜି ତଥା ଚାରାଗୁଡ଼ିକ ନଷ୍ଟ ହୋଇଯାଏ ଏବଂ ସବୁଜିମା ସୃଷ୍ଟିର ପ୍ରୟାସ ଅସଫଳ ରହେ। ଏକ ପରୀକ୍ଷଣ କ୍ରମରେ ୨୦୨୧ରେ ଗବେଷକମାନେ ଏପରି ପରିବେଶକୁ ଠିକ୍‌ ଭାବରେ ଖାପ ଖୁଆଇ ପାରୁଥିବା ୫୦୦ ସଂଖ୍ୟାର ବିଶାଳକାୟ କଇଁଛଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ମୁକ୍ତ କଲେ I ପାଞ୍ଚ ବର୍ଷର ଅବଧି ପରେ, ସାଟେଲାଇଟ ଚିତ୍ରରେ ବାଲି ଆସ୍ତରଣ ମଧ୍ୟ ଦେଇ ଉପରକୁ ଉଠିଥିବା ବିକ୍ଷିପ୍ତ ସବୁଜ ଅଞ୍ଚଳସବୁ ସ୍ପଷ୍ଟଭାବେ ଦୃଶ୍ୟମାନ ଏବଂ ମହାକାଶରୁ ମରୁଭୂମି ଜୀବିତ ଅନୁଭୂତ ହେଲା। କଇଁଛମାନେ ଭୂମିର ୧୦-୧୫ ମିଟର ତଳ ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳି ସେଥିରେ ଅବସ୍ଥାନ କରି ମଧ୍ୟାହ୍ନର ଘାତକ ତାପମାତ୍ରା ଏବଂ ରାତ୍ରିର ଅସହ୍ୟ ଥଣ୍ଡାକୁ ସହ୍ୟକରି ବଞ୍ଚତ୍ପାରନ୍ତି I ବର୍ଷାଜଳ ଭୂପୃଷ୍ଠରେ ବହିଯିବା ପରିବର୍ତ୍ତେ ଗର୍ତ୍ତ ମଧ୍ୟରେ ମୃତ୍ତିକାକୁ ପ୍ରବେଶ କରେ ଏବଂ ଏହାର ଜଳଧାରଣ କ୍ଷମତା ଓ ଆର୍ଦ୍ରତା ବୃଦ୍ଧିରେ ସହାୟକ ହୁଏ। ପରିଣାମରେ, ଯଥେଷ୍ଟ ଆର୍ଦ୍ରତା ହାସଲ କରି ମଞ୍ଜିସବୁ ଅଙ୍କୁରିତ ଓ ଚାରାମାନେ ବଞ୍ଚିବାରେ ସକ୍ଷମ ହୁଅନ୍ତି I ସମୟ ସହିତ, ସୁଡ଼ଙ୍ଗ ଚତୁଃପାର୍ଶ୍ୱରେ ବୃକ୍ଷଲତା ଘନୀଭୂତ ହୋଇଚ଼ାଲନ୍ତି ଏବଂ ଅନ୍ୟ ଜୀବଜନ୍ତୁ, କୀଟପତଙ୍ଗଙ୍କର ସମାହାରରେ ପରିବେଶୀୟ ଶୃଙ୍ଖଳ ଗଢ଼ିଉଠେ। ସବୁଜିମା ସୃଷ୍ଟିର ଏହି ଅଭିନବ ନିଦର୍ଶନ ନିଶ୍ଚିତ ରୂପେ ସମ୍ପ୍ରତି ହ୍ରାସ ପାଉଥିବା ବନାଞ୍ଚଳର ପୁନରୁଦ୍ଧାର ନିମନ୍ତେ ପରିବେଶ କର୍ମୀମାନଙ୍କୁ ଉଦ୍‌ବୁଦ୍ଧ କରିବ I
ଆସାମରେ ୧୯୫୯ରେ ଜନ୍ମିତ ଯାଦବ ପାୟେଙ୍ଗଙ୍କର ବନୀକରଣ ପ୍ରଚେଷ୍ଟା ପ୍ରକୃତି ସୁରକ୍ଷାର ଏକ ଶ୍ରେଷ୍ଠ ନିଦର୍ଶନ। ବ୍ରହ୍ମପୁତ୍ର ନଦୀରେ ଏକ ଭୟଙ୍କର ବନ୍ୟା ପରବର୍ତ୍ତୀ ସମୟରେ ନଦୀଶଯ୍ୟାର ବିସ୍ତୃତ ବୃକ୍ଷହୀନ, ଶୁଷ୍କ ବାଲୁକାମୟ ଅଞ୍ଚଳରେ ଅତ୍ୟଧିକ ଉତ୍ତାପର ପ୍ରକୋପରେ ଅଗଣିତ ସାପ ଏବଂ ବିବିଧ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟିଥିବା ଦୃଶ୍ୟ ଦେଖି ମାତ୍ର ୧୬ ବର୍ଷ ବୟସର ପାୟେଙ୍ଗଙ୍କ ହୃଦୟ ମ୍ରିୟମାଣ ହୋଇଥିଲା। ଅଧିକ ପରିବେଶୀୟ କ୍ଷତିକୁ ରୋକିବା ନିମନ୍ତେ ସଂକଳ୍ପବଦ୍ଧ ହୋଇ ସେ ବାଉଁଶ ଏବଂ ଅନ୍ୟ ସ୍ଥାନୀୟ ଉଦ୍ଭିଦର ମଞ୍ଜି ଓ ଚାରାରୋପଣ କରିବା ଆରମ୍ଭ କଲେ, ଯାହା ସମ୍ପ୍ରତି ୧୩୬୦ ଏକର ବିଶିଷ୍ଟ ‘ମୋଲାଇ ଜଙ୍ଗଲ’ ନାମରେ ଖ୍ୟାତ ଏକ ସମୃଦ୍ଧ, ଆତ୍ମନିର୍ଭରଶୀଳ ବନାଞ୍ଚଳରେ ପରିଣତ ହୋଇଛି I ପାୟେଙ୍ଗ ନିରନ୍ତର ଭାବରେ କୀଟପତଙ୍ଗ, ପିମ୍ପୁଡ଼ି ଏବଂ ଜିଆ ଇତ୍ୟାଦିଙ୍କୁ ଯତ୍ନର ସହିତ ସେଠାରେ ଛାଡ଼ିଥିଲେ, ଯାହା ସ୍ଥାନୀୟ ଗଛଲତାର ମୂଳ ଓ ଚେରକୁ ସୁଦୃଢ଼ କରିବାରେ ସହାୟତା କରିଥିଲା। ମୋଲାଇ ଜଙ୍ଗଲ ପରିସଂସ୍ଥା ଆଜି ମହାବଳ ବାଘ, ଭାରତୀୟ ଗଣ୍ଡା, ହାତୀ, ହରିଣ ଏବଂ ଶହ ଶହ ପକ୍ଷୀ ସମେତ ବିଭିନ୍ନ ପ୍ରକାରର ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ପାଲଟିଛି। ପରିବେଶ ସୁରକ୍ଷା କ୍ଷେତ୍ରକୁ ଏପରି ଅନନ୍ୟ, ନିଷ୍ଠାପର ଅବଦାନ ନିମନ୍ତେ ମିସିଙ୍ଗ ଜନଜାତିର ଏହି ପରିବେଶ କର୍ମୀ ଆଜି ‘ଭାରତର ବନ ପୁରୁଷ’ ଆଖ୍ୟା ପାଇଛନ୍ତି ଏବଂ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍ତି।
ତେବେ, ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ, ଯେତେବେଳେ ଦ୍ରୁତ ସହରୀକରଣ, ଶିଳ୍ପାୟନ, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ପରିସଂସ୍ଥାରେ ମାନବୀୟ ହସ୍ତକ୍ଷେପର ପ୍ରଭାବରେ ବିଶ୍ୱ ଗମ୍ଭୀର ପରିବେଶଜନିତ ସଙ୍କଟର ମୁକାବିଲା କରୁଛି, ସେତେବେଳେ ବୃକ୍ଷରୋପଣ ମାଧ୍ୟମରେ ସବୁଜିମାର ବ୍ୟାପକ ବୃଦ୍ଧି ଏକ ଜରୁରୀ ଆବଶ୍ୟକତା ପାଲଟିଛି। ଏହା ପ୍ରଶଂସନୀୟ ଯେ ଭାରତବର୍ଷର ପୂର୍ବତନ କୃଷି ଓ ଖାଦ୍ୟ ମନ୍ତ୍ରୀ ଡ. କେ.ଏମ. ମୁନ୍‌ସୀ ୭୬ ବର୍ଷ ପୂର୍ବେ ହୃଦୟଙ୍ଗମ କରିପାରିଥିଲେ ଯେ ଭବିଷ୍ୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ପ୍ରାକୃତିକ ଜଙ୍ଗଲ ଅବକ୍ଷୟିତ ହୋଇଚାଲିବ, ଯେଉଁଥି ପାଇଁ ୧୯୫୦ରେ ସେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ବା ‘ବୃକ୍ଷର ପର୍ବ’ ଭାବରେ ପାଳନ କରିବାର ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ଏକ ରାଷ୍ଟ୍ରବ୍ୟାପୀ ବୃକ୍ଷରୋପଣ ଆନ୍ଦୋଳନ ଯାହାର ଲକ୍ଷ୍ୟ ହେଉଛି ନାଗରିକମାନଙ୍କ ଯୋଗଦାନରେ ସବୁଜିମା ଆଚ୍ଛାଦନ ବୃଦ୍ଧି କରିବା ଏବଂ ଜଙ୍ଗଲ ତଥା ପରିବେଶ ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜନସଚ଼େତନତା ଜାଗ୍ରତ କରିବା। ସାମୂହିକ ପ୍ରୟାସରେ ବ୍ୟାପକ ବୃକ୍ଷରୋପଣକୁ ପ୍ରୋତ୍ସାହିତ କରି ଏକ ସବୁଜ, ସୁସ୍ଥ ଗ୍ରହର ବିକାଶ ନିମନ୍ତେ ବନ ମହୋତ୍ସବ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରେ। ଏତଦ୍‌ ବ୍ୟତୀତ, ଜଳବାୟୁ ପରିବର୍ତ୍ତନର ମୁକାବିଲା, ଜୈବବିବିଧତା ସଂରକ୍ଷଣ ଏବଂ ପରିବେଶଗତ ସନ୍ତୁଳନ ରକ୍ଷା କରିବାରେ ବୃକ୍ଷ ଆଚ୍ଛାଦନର ଭୂମିକାକୁ ଗୁରୁତ୍ୱର ସହ ଉପଲବ୍ଧି କରିବାର ପ୍ରୟାସ ଆଗାମୀ ଦିନରେ ଅତିରିକ୍ତ ସଫଳତା ହାସଲରେ ସହାୟକ ହେବ। ସାମୂହିକ ସମ୍ପୃକ୍ତିରେ ସମ୍ପ୍ରଦାୟ ପାର୍କ, ରାସ୍ତାପାର୍ଶ୍ୱ ଅଞ୍ଚଳ, ଖାଲିଥିବା ଜମି ଏବଂ ନଦୀକୂଳକୁ ସବୁଜ ଅଞ୍ଚଳରେ ପରିଣତ କରାଯାଇପାରିବ। ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବ୍ୟତୀତ, ଶିକ୍ଷାନୁଷ୍ଠାନମାନେ ସେମାନଙ୍କ ଆଖପାଖରେ ଚାରାରୋପଣ କରିବା ଏବଂ ସେସବୁର ଯତ୍ନ ନେବାକୁ ଛାତ୍ରୀଛାତ୍ରମାନଙ୍କୁ ପ୍ରେରଣା ଦେଇପାରିବେ।
ବନୀକରଣକୁ ପ୍ରୋତ୍ସାହିତ କରିବାରେ ପ୍ରଯୁକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଯେପରିକି ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ବୃକ୍ଷରୋପଣ କାର୍ଯ୍ୟକଳାପକୁ ଅନୁସରଣ କରିବାରେ, ବୃକ୍ଷ ବୃଦ୍ଧି ଉପରେ ନଜର ରଖିବାରେ ଏବଂ ସମ୍ପ୍ରଦାୟର ସମ୍ପୃକ୍ତିକୁ ଉତ୍ସାହିତ କରିବାରେ ଭୂମିକା ନିର୍ବାହ କରିପାରିବେ। ମୋବାଇଲ ଆପ୍ଲିକେଶନ, ଅନଲାଇନ ଅଭିଯାନ ଏବଂ ସାମାଜିକ ଗଣମାଧ୍ୟମ ଯୁବପିଢ଼ିଙ୍କ ପରିବେଶ ସଂରକ୍ଷଣ ପ୍ରୟାସରେ ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରନ୍ତି। କର୍ପୋରେଟ ସଂଗଠନଗୁଡ଼ିକ ବୃକ୍ଷରୋପଣ ଅଭିଯାନକୁ ପାଣ୍ଠି ଯୋଗାଇ ସବୁଜିମା ବିସ୍ତାର ନିମନ୍ତେ ସେମାନଙ୍କ ସାମାଜିକ ଦାୟିତ୍ୱବୋଧ ନିର୍ବାହ କରିପାରିବେ। ସର୍ବୋପରି, ପ୍ରାକୃତିକ ଜଙ୍ଗଲକୁ ସୁରକ୍ଷା ଦେବା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ, କାରଣ ବୃକ୍ଷରୋପଣ ପ୍ରାକୃତିକ, ପରିପକ୍ୱ ପ୍ରାଥମିକ ପରିସଂସ୍ଥାର ଜଟିଳ ଜୈବବିବିଧତା, ଜଳଚକ୍ର କିମ୍ବା ଅଙ୍ଗାରକ ସଂରକ୍ଷଣକୁ ପୂର୍ଣ୍ଣମାତ୍ରାରେ ସ୍ଥାପନ କରିବାରେ ସମର୍ଥ ହୁଏନାହିଁ। ପ୍ରକୃତ ସଂରକ୍ଷଣ ନିମନ୍ତେ ଅପହଞ୍ଚ ବାସସ୍ଥଳୀଗୁଡ଼ିକୁ ମାନବୀୟ ହସ୍ତକ୍ଷେପରୁ ମୁକ୍ତ ରଖିବା ଏବଂ କ୍ଷୟପ୍ରାପ୍ତ ଜଙ୍ଗଲକୁ ସକ୍ରିୟ ଭାବରେ ପୁନରୁଦ୍ଧାର କରିବା ଅତ୍ୟାବଶ୍ୟକ।
ଏହା ହୃଦ୍‌ବୋଧ ହେବା ବାଞ୍ଛନୀୟ ଯେ ବନ ମହୋତ୍ସବ କେବଳ ଏକ ଉତ୍ସବ ପାଳନ ନୁହେଁ; ଏହା ଏକ ଜନଆନ୍ଦୋଳନ ଯାହା ପ୍ରକୃତି ପ୍ରତି ମାନବତାର ପ୍ରତିବଦ୍ଧତାର ପ୍ରତୀକ। ବନୀକରଣକୁ ବହୁ ପରିମାଣରେ ପ୍ରୋତ୍ସାହିତ କରି, ଆମେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଅବକ୍ଷୟ ଏବଂ ପ୍ରଦୂଷଣ ଭଳି ପରିବେଶଜନିତ ଚ୍ୟାଲେଞ୍ଜର ମୁକାବିଲାରେ ସମର୍ଥ ହୋଇପାରିବା। କେବଳ ବୃକ୍ଷରୋପଣ କରିବା ଯଥେଷ୍ଟ ନୁହେଁ; ଚାରାଗୁଡ଼ିକ ବଞ୍ଚତ୍ବା ନିମନ୍ତେ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଅତ୍ୟନ୍ତ ଜରୁରୀ। ଏହା ସ୍ବୀକାର୍ଯ୍ୟ ଯେ ଆଜି ରୋପଣ କରାଯାଇଥିବା ପ୍ରତ୍ୟେକ ଚାରା ସୁସ୍ଥ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ ନିମନ୍ତେ ଏକ ଉପଯୁକ୍ତ ନିବେଶ। ଏହି ପରିପ୍ରେକ୍ଷୀରେ, ସମସ୍ତ ନାଗରିକଙ୍କର ବନ ମହୋତ୍ସବରେ ଭୂମିକା ଗ୍ରହଣ ଏବଂ ଏକ ସବୁଜ ଭାରତ ଗଠନରେ ଯୋଗଦାନ ଏକାନ୍ତ ପ୍ରୟୋଜନୀୟ।

ଡ. ଜୟକୃଷ୍ଣ ପାଣିଗ୍ରାହୀ
କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
ମୋ:୯୪୩୭୦୭୬୧୦୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

ବାଂଲାଦେଶର ନାଲିଆଖି

ଆସନ୍ତା ସେପ୍ଟେମ୍ବର ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି । ୧୧ ରାଷ୍ଟ୍ର…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri