ସଚେତନତା ହିଁ ରକ୍ଷାକବଚ

ଅଲେଖ ଚନ୍ଦ୍ର ମିଶ୍ର

ଆଜିକାଲି ଗଣମାଧ୍ୟମରେ ନାରୀବିରୋଧୀ ଅପରାଧ ବେଶି ପ୍ରକାଶ ପାଉଛି। ଏଭଳି ଅପରାଧର ଧାରାକୁ ରୋକିବା ପାଇଁ ଅନେକ ଗଣ ସଚେତନତା ସୃଷ୍ଟି କରାଯାଉଛି। ଜାତିସଂଘର ୟୁନିଭର୍ସାଲ ଡିକ୍ଲାରେଶନ ଅଫ୍‌ ହ୍ୟୁମାନ୍‌ ରାଇଟ୍ସ ସନନ୍ଦଠାରୁ ଆରମ୍ଭ କରି ଆମ ଦେଶର ବାରବର୍ଷ ପର୍ଯ୍ୟନ୍ତ ବୟସ୍କଙ୍କ ପ୍ରତି ଅତ୍ୟାଚାର ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଯାଏ ଆଇନ ପରେ ଆଇନ ପ୍ରଣୟନ ହୋଇ ଚାଲିଛି। ତଥାପି ଏଭଳି ଅପରାଧ ବଢିଚାଲିଛି। ଆଇନ ଡାଳେ ଡାଳେ ଗଲେ ଅପରାଧୀମାନେ ପତରେ ପତରେ ଯାଉଛନ୍ତି। ଆମ ଦେଶରେ ପ୍ରତ୍ୟହ ପ୍ରାୟ ୯୩ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି (ଏନସିଆର୍‌ବି ରିପୋର୍ଟ) ଏବଂ ପ୍ରତି ୩୪ ମିନିଟରେ ଗୋଟିଏ ବଳାତ୍କାର ତଥା ପ୍ରତି ୨୬ ମିନିଟରେ ଗୋଟିଏ ଅସଦାଚରଣ ଘଟଣା ଘଟୁଛି (ଦକ୍ଷିଣ ଭାରତସ୍ଥ ହ୍ୟୁମାନ୍‌ ରାଇଟ୍ସ ମନିଟରିଂ ସେଲ୍‌ର ତଥ୍ୟ)। ଏହାର ଏକ କାରଣ ହେଲା ଅପରାଧୀମାନଙ୍କର ଆଇନକୁ ଡର ନାହିଁ। ଅପରାଧୀ ଯଦି ନାବାଳକ ହୋଇଥାଏ ତେବେ ସେ ତ ଆଇନର ଊର୍ଦ୍ଧ୍ୱରେ। ଯେଉଁ କାମାନ୍ଧ ପୁରୁଷ ମାତ୍ର ନଅ ମାସର ଉତିିଆଣି ଶିଶୁକୁ ଶୋଇଥିବା ବେଳେ ଉଠେଇନେଇ ବଳାତ୍କାର କରେ (୨୦୧୭ରେ ଘଟିଥିବା ଦିଲ୍ଲୀର ବିକାଶପୁରୀ ଅଞ୍ଚଳର ଘଟଣା) ଅଥବା ଯିଏ ୯୦ ବର୍ଷର ବୃଦ୍ଧାଙ୍କୁ ଛୁରି ଦେଖେଇ ବଳାତ୍କାର କଲେ (୨୦୧୬ରେ ଘଟିଥିବା କେରଳର କୋଲାମ୍‌ ଜିଲାର ଘଟଣା) କିମ୍ବା ବଳାତ୍କାର ପରେ ଯିଏ ବଳାତ୍କୃତାକୁ କଲବଲ କରି ମାରେ (ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଘଟଣା) ତାଙ୍କୁ କି ଆଇନର ଭୟ ଦେଖେଇ ହେବ। ଆଇନଗତ କାର୍ଯ୍ୟାନୁଷ୍ଠାନ ତ ଘଟଣା ଘଟି ସାରିବା ପରେ ହୁଏ। ଏହାଦ୍ୱାରା ଦୋଷୀ ହୁଏତ ଦଣ୍ଡ ପାଇପାରେ କିନ୍ତୁ ପୀଡିତାର ପୂର୍ବାବସ୍ଥା ଫେରେନା କିମ୍ବା ମୃତା ବଞ୍ଚେନା। ଅତଏବ ସ୍ବତଃ ପ୍ରଶ୍ନଉଠେ ଏଭଳି ଘଟଣା ଘଟିବା ପୂର୍ବରୁ ତାକୁ ରୋକାଯାଇପାରନ୍ତାନି? ଏ ପ୍ରଶ୍ନର ଉତ୍ତର ଏକ ଅପ୍ରିୟ ସତ୍ୟର ଉନ୍ମୋଚନ କରିପାରେ ଏବଂ ଅନେକ ଭ୍ରୂକୁଞ୍ଚନ ସୃଷ୍ଟି କରିପାରେ। ତଥାପି ତା’ର ଅବତାରଣା କରିବା ସମୀଚୀନ ମନେହୁଏ।
ଯୁଗ ବଦଳୁଛି। ତା’ ସହିତ ବଦଳିଯାଉଛି ସମାଜ, ସଂସ୍କୃତି ଓ ମାନବ ଚରିତ୍ରର ରୂପରେଖ। କିନ୍ତୁ ଗୋଟିଏ କଥା ସ୍ଥିର ରହିଛି, ରହିଥିବ। ତାହା ହେଲା ଅନୈତିକ ସମ୍ପର୍କର କୁଫଳ କେବଳ ନାରୀକୁ ହିଁ ଭୋଗିବାକୁ ପଡେ। ଅଥଚ ସେମାନେ ଏହା ଜାଣି ବି ଅଜଣା ହୁଅନ୍ତି। ଆଗେ ଅନୈତିକ ସମ୍ପର୍କକୁ ଏକ ସାମାଜିକ କୁତ୍ସା ବୋଲି ଧରାଯାଉଥିଲା। ସେଥିପାଇଁ ଲୋକଲଜ୍ଜା ଓ ଭୟ ରହୁଥିଲା। ତେଣୁ ଏଭଳି ସମ୍ପର୍କ ଖୁବ୍‌ ସନ୍ତର୍ପଣରେ ଲୁଚାଛପାରେ କାଁ ଭାଁ ହୋଇଯାଉଥିଲା। ଜଣାପଡିଲେ ବି ତା’ର ସ୍ଥାୟୀ ପ୍ରତିକାର ହେଉଥିଲା। ଇଚ୍ଛା ଥିଲେ ବି ଖାନଦାନୀ, ପ୍ରତିଷ୍ଠା, ସମ୍ମାନ, ଗୌରବ ଆଦି ଅନ୍ତରାୟ ସୃଷ୍ଟି କରୁଥିଲା। ଯୌଥ ପରିବାରର ଆକଟ ଭିତରେ ସବୁ କାମନା ଚାପି ହୋଇଯାଉଥିଲା। ଏବେ ତ ଯିଏ ଯାହା ହାତରେ ଚଉଦ ପାଆ। ଲଜ୍ଜା ନାହିଁ, ଭୟ ନାହିଁ କି ନିୟନ୍ତ୍ରଣ ନାହିଁ। ଏ କ୍ଷେତ୍ରରେ ଏକ ଜ୍ୱଳନ୍ତ ଉଦାହରଣ ହେଲା ପ୍ରଖ୍ୟାତ ଆସ୍‌ଲି ମ୍ୟାଡିସନ ଓ୍ବେବ୍‌ସାଇଟ ଯାହା ବିନା ସଂକୋଚରେ ପ୍ରଚାର କରୁଛି- ଲାଇଫ୍‌ ଇଜ୍‌ ଶର୍ଟ, ହାଭ୍‌ ଆନ୍‌ ଆଫେୟାର୍‌ (ଜୀବନ ବା କେତେଦିନ, ତାକୁ ଉପଭୋଗ କର)। କିଛି ସ୍ତ୍ରୀଲୋକ ଆଉ ପାଦେ ଆଗେଇଯାଇ କହିବାକୁ ଲାଗିଲେଣି- ମାଇଁ ବଡି, ମାଇଁ ରାଇଟ୍‌ (ମୋ ଦେହ ଉପରେ ମୋର ହିଁ ଅଧିକାର।) ନିର୍ଲଜ୍ଜତାର ଏକ ଖୋଲା ପ୍ରଦର୍ଶନ ହେଲା କେହି କେହି ଉନ୍ନତ ଜିନ୍‌ ଆଶାରେ ପରକୀୟାକୁ ପସନ୍ଦ କରୁଛନ୍ତି ତ କେହି ବିନା ବିବାହରେ ସନ୍ତାନସମ୍ଭବା ହୋଇ ବି ସେଲିବ୍ରିଟିର ଆଖ୍ୟା ପାଉଛନ୍ତି (ଟିନ୍‌ ସେଲଓ୍ବାର୍ଲଡର ତାରକା)। ଏଭଳି ମନୋଭାବକୁ ସମର୍ଥନ ବି ମିଳୁଛି। ସମ୍ପ୍ରତି ଆମେରିକାର ପ୍ରଖ୍ୟାତ ଖବରକାଗଜ (ନ୍ୟୁୟର୍କ ଟାଇମ୍ସ)ରେ ପ୍ରକାଶିତ ଏକ ନିବନ୍ଧ ଅନୁସାରେ କୌଣସି ଦୈହିକ ସମ୍ପର୍କ ଅନୈତିକ ନୁହେଁ, କାରଣ ଏହା ମନକୁ କାର୍ଯ୍ୟକ୍ଷମ କରିବା ପାଇଁ ଏକ ରିଓ୍ବାର୍ଡ ସର୍କିଟ ଭାବରେ କାମ କରେ। ସୂଚନା ପ୍ରଯୁକ୍ତି ବିଦ୍ୟାର ପ୍ରସାରଣ ସହିତ ସୋସିଆଲ ମେଡିଆରେ ଚାଟିଂ, ସେଲଫୋନ ଇତ୍ୟାଦି ଏବେ ସମ୍ପର୍କର ସେତୁ ପାଲଟିଛି। କ୍ଲବ୍‌, ପାର୍ଟି, ପିକ୍‌ନିକ୍‌ର ସଂସ୍କୃତି ସେଥିରେ ଇନ୍ଧନ ଯୋଗାଉଛି। ଫଳରେ ବିଦେଶରେ ପ୍ରଚଳିତ ଏକ ଘୃଣ୍ୟ ପ୍ରଥା ‘ସ୍ବାଫି’(କ୍ଲବରେ ପରସ୍ପରର ସ୍ତ୍ରୀବିନିମୟ) ଆମ ଦେଶରେ ପ୍ରବେଶ କଲାଣି। ଶିକ୍ଷାୟତନଠାରୁ ଧର୍ମପୀଠ, ଆଶ୍ରୟସ୍ଥଳ, ସୁଧାରଗୃହ, କନ୍ୟାଶ୍ରମ, ଗୁରୁ ଆଶ୍ରମ ପରି ପବିତ୍ର ସ୍ଥଳ ବି ଏଭଳି କୁକର୍ମରୁ ମୁକ୍ତ ହୋଇପାରୁନି। ଟିଭି, ସିନେମା, ଆଲବମ୍‌, ଅପେରା ଇତ୍ୟାଦିରେ ଅଂଶଗ୍ରହଣ ପାଇଁ ଉତ୍କଣ୍ଠା ଏବଂ ଚାକିରି କିମ୍ବା ସ୍ବାର୍ଥସିଦ୍ଧି ପାଇଁ ପରମୁଖାପେକ୍ଷିତା ଅନେକ ସମୟରେ ମହିଳାଙ୍କ ଲାଗି ମହଙ୍ଗା ସାବ୍ୟସ୍ତ ହେଉଛି। ବିବାହର ମିଥ୍ୟା ପ୍ରତିଶ୍ରୁତି ପଛରେ ଧାଇଁ କେତେ ଯେ ହତାଶ ହେଉଛନ୍ତି ତା’ର ହିସାବ ନାହିଁ। ଏ ପ୍ରତ୍ୟେକେ ନାରୀ ଉପରେ ଅତ୍ୟାଚାର ପାଇଁ ପଥ ସୁଗମ କରେ।
ଆଗେ ବିବାହ ପାଇଁ କନ୍ୟା ଚୟନ କରିଲାବେଳେ ଚରିତ୍ରକୁ ପ୍ରାଥମିକତା ଦିଆଯାଉଥିଲା। ଏବେ କିନ୍ତୁ ଚାକିରି, ଯୌତୁକ, ପାରିବାରିକ ସଂଗତି ଇତ୍ୟାଦି ଭିତରେ ଚାରିତ୍ରିକ ଦୁର୍ବଳତା ଗୌଣ ପାଲଟିଗଲାଣି। ଫଳରେ ବିବାହ ପରେ ବି ପୂର୍ବ ପ୍ରେମର ସ୍ମୃତି ଉଜ୍ଜୀବିତ ରହୁଛି, ଯାହା ବ୍ଲାକ୍‌ମେଲର ରୂପ ନେଉଛି।
ପରିବର୍ତ୍ତନକୁ ତ ଏଡେଇ ହେବନି। ଯାହାକୁ ଏଡେଇହେବ ସେ ବିଷୟରେ ସାମାନ୍ୟ ବି ଚିନ୍ତା କଲେ ଅନେକ ଅଘଟଣ ଘଟନ୍ତାନି। କେହି କରୁ ନ କରୁ ନାରୀମାନେ ଯଦି ଏଥିପାଇଁ ଚିନ୍ତାଶୀଳ ହୁଅନ୍ତି ତେବେ ଏ କ୍ଷେତ୍ରରେ ଆଶାତୀତ ଫଳ ମିଳନ୍ତା। ନାରୀ ସଶକ୍ତୀକରଣ, ନାରୀ ସ୍ବାଧୀନତା ଏସବୁ ସୁନ୍ଦର ଚିନ୍ତାଧାରା, କିନ୍ତୁ ସ୍ବାଧୀନତା ମାନେ ସ୍ବୈରତା ନୁହେଁ। ନିର୍ଭୀକତା ଓ ଅସାବଧାନତା ଏକା କଥା ନୁହେଁ। ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ୨୦୧୫ରେ ଦେଇଥିବା ନିଷ୍ପତ୍ତି ସମସ୍ତଙ୍କର ପ୍ରଣିଧାନଯୋଗ୍ୟ। ତାହା ହେଲା ‘ଦି ଡିଗ୍ନିଟି ଅଫ୍‌ ଏ ଓମ୍ୟାନ୍‌ ଇଜ୍‌ ପାର୍ଟ ଅଫ୍‌ ହର ନନ୍‌ ପେରିସେବଲ ଆଣ୍ଡ ଇମୋର୍ଟାଲ୍‌ ସେଲ୍ଫ’ (ଜଣେ ନାରୀର ମର୍ଯ୍ୟାଦା ତା’ର ଆତ୍ମାର ଅବିନଶ୍ୱର ଓ ଶାଶ୍ୱତ ନାରୀତ୍ୱର ଅଂଶବିଶେଷ)। ବ୍ୟାସକବିଙ୍କ ଭାଷାରେ ସବୁ ଯାଉ, ମହତ ଥାଉ। ମହତ ଗଲେ ନ ମିଳେ ଆଉ।
ନାରୀମାନେ ଯଦି ନିଜର ଇଜ୍ଜତ ଓ ସମ୍ମାନ ବିଷୟରେ ସଚେତନ ହେବେ ତାହା ହିଁ ହେବ ଏଭଳି ଅପରାଧ ପାଇଁ ଉପଯୁକ୍ତ ପ୍ରତିଷେଧକ ବ୍ୟବସ୍ଥା। ସୁପ୍ରିମକୋର୍ଟ ଯେତେବେଳେ ପରକୀୟାକୁ ବୈଧ କହୁଛି, ସଚେତନତା ହିଁ ନାରୀର ଏକମାତ୍ର ରକ୍ଷାକବଚ।

ସାରଦାଶ୍ରୀ, ୯୦୪, ଶାସ୍ତ୍ରୀନଗର, ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri