ରାଜ୍ୟ ବଜେଟରେ ନିଯୁକ୍ତି ପ୍ରସଙ୍ଗ

ନଟବର ଖୁଣ୍ଟିଆ
ପଞ୍ଚମ ପାଳିର ନବୀନ ପଟ୍ଟନାୟକଙ୍କ ସରକାରର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବିଧାନସଭାରେ ଗତ ଜୁନ୍‌ ୨୮ ତାରିଖରେ ତାଙ୍କ ପ୍ରଥମ ବଜେଟ ଉପସ୍ଥାପନ କରିଛନ୍ତି। ମୋଟ ବ୍ୟୟ ବରାଦ କରିଛନ୍ତି ୧,୩୯,୦୦୦ କୋଟି ଟଙ୍କା। ଏହାକୁ ଗଣମାଧ୍ୟମ ଲୋକାଭିମୁଖୀ ଓ କୃଷକାଭିମୁଖୀ ବଜେଟ କହି ଶିରୋନାମାରେ ଲେଖୁଛନ୍ତି। ବଜେଟ ଯେଉଁ ଦିନ ଉପସ୍ଥାପନ ହେଲା, ସେହିଦିନ ରାଜ୍ୟ ବିଧାନସଭାରେ ରାଜ୍ୟର ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ ହୋଇଥିଲା। ସାଧାରଣତଃ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଭିତ୍ତିକରି ବଜେଟ ପ୍ରସ୍ତୁତ ହୋଇଥାଏ। ସର୍ଭେ ରିପୋର୍ଟରେ ଅନ୍ୟାନ୍ୟ ମଧ୍ୟରେ ଉଲ୍ଲେଖ ଅଛି ଯେ, ଓଡ଼ିଶାରେ ବେକାରି ଭାରତବର୍ଷର ହାରାହାରି ବେକାରି ଅପେକ୍ଷା ଅଧିକ। ଭାରତବର୍ଷରେ ବେକାରି ଅବସ୍ଥା ଅତି ଉତ୍କଟ ବୋଲି ଦେଶସାରା ଚର୍ଚ୍ଚା ହେଉଛି। ଏହା ଗତ ୪୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ସମାଲୋଚନା ହେଉଛି। ଓଡ଼ିଶାରେ ବେକାରି ତାହାଠାରୁ ଅଧିକ। ଭାରତବର୍ଷରେ ଏହା ୬.୧ ପ୍ରତିଶତ ହୋଇଥିବା ବେଳେ ଓଡ଼ିଶାରେ ୭.୧ ପ୍ରତିଶତ। ଓଡ଼ିଶାରେ ନିଯୁକ୍ତି ସମ୍ଭାବନା କମ୍‌ ଥିବାରୁ ପ୍ରାୟ ୬୦ ଲକ୍ଷ ଲୋକ ଅନ୍ୟ ରାଜ୍ୟକୁ ଯାଇ ଅତି ଅସ୍ବାସ୍ଥ୍ୟକର ପରିବେଶରେ ଦାଦନ ଖଟୁଛନ୍ତି। ସୁତରାଂ ଓଡ଼ିଶାର ବଜେଟରେ ରାଜ୍ୟରୁ ବେକାରି କିପରି ଦୂର ହେବ, ସେଥିପାଇଁ ବଜେଟରେ ପ୍ରାବଧାନ ହେବା ଉଚିତ ଥିଲା। ସରକାରଙ୍କର ନିଜସ୍ବ ରାଜସ୍ବ ଆୟ ଯଥେଷ୍ଟ ହେଉ ନ ଥିବାରୁ ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ କରିପାରୁନାହାନ୍ତି। ଏହି ସ୍ଥିତିରେ ବିଭିନ୍ନ ବିଭାଗ ମାଧ୍ୟମରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସ୍ଥାପନ କରି ଆତ୍ମନିଯୁକ୍ତି ମାଧ୍ୟମରେ ବେକାରି ଦୂର କରିବା ପାଇଁ ଉଦ୍ୟମ କରିବା ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ।
ଏବେ ଆସନ୍ତୁ ସମ୍ୟକ ଆଲୋଚନା କରିବା ରାଜ୍ୟରେ କେଉଁ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସୁଯୋଗ ରହିଛି। ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ର ହେଉଛି ନିଯୁକ୍ତି ସୃଷ୍ଟି କରିବାର ସର୍ବଶ୍ରେଷ୍ଠ କ୍ଷେତ୍ର। ଆଜିକାଲି ଲୋକେ ଅର୍ଥ କମାଇବା ଦୌଡ଼ରେ ବ୍ୟତିବ୍ୟସ୍ତ ହୋଇ କିଛି ସମୟ ପାଇଁ ଅନ୍ୟତ୍ର ବୁଲି ଆସି ପୁନଶ୍ଚ କାମରେ ଲାଗି ଯିବାକୁ ପସନ୍ଦ କରୁଛନ୍ତି। କେବଳ ଭାରତବର୍ଷରେ ନୁହେଁ, ସମଗ୍ର ବିଶ୍ୱରେ ଲୋକଙ୍କର ଆୟ ବଢୁଛି। ସେଥିରୁ କିଛି ଅର୍ଥ ଲୋକେ ପର୍ଯ୍ୟଟନରେ ଖର୍ଚ୍ଚ କରି ମନୋରଞ୍ଜନ କରିବାକୁ ପସନ୍ଦ କରୁଛନ୍ତି। ଆମ ଓଡ଼ିଶାରେ ଯଦି ପର୍ଯ୍ୟଟନ ଶିଳ୍ପ ପ୍ରତି ଗୁରୁତ୍ୱ ଦିଆଯାଇ ଦେଶରୁ ଓ ଦେଶ ବାହାରୁ ପର୍ଯ୍ୟଟକମାନଙ୍କୁ ଆସିବା ପାଇଁ ଆକୃଷ୍ଟ କରାଯାଆନ୍ତା, ତେବେ ଆମର ହୋଟେଲ, ଖାଦ୍ୟ, ପରିବହନ କ୍ଷେତ୍ରରେ ବିକାଶ ହେଲେ ବହୁ ଲୋକ ନିଯୁକ୍ତି ପାଆନ୍ତେ। ଯଦିଓ ଓଡ଼ିଶା ୨୦୧୬ରେ ପର୍ଯ୍ୟଟନ ନୀତି ପ୍ରସ୍ତୁତ କରିଛି, କିନ୍ତୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଯଥେଷ୍ଟ ଧ୍ୟାନ ଦେଇ ନାହିଁ। ଓଡ଼ିଶାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଅପର୍ଯ୍ୟାପ୍ତ ପ୍ରାକୃତିକ ସମ୍ପଦ ସହ କଳାକୃତି ଓ ଧାର୍ମିକ କ୍ଷେତ୍ର ଅଛି। ୪୮୦ କିଲୋମିଟର ବ୍ୟାପୀ ବେଳାଭୂମି, କ୍ରିକ୍‌ରେ ନୌଚାଳନା ପାଇଁ ସୁବିଧା, ଚିଲିକା ପରି ହ୍ରଦ, ପାହାଡ଼, ଜଙ୍ଗଲ, ଅଭୟାରଣ୍ୟ, ନଦୀ, ଜଳପ୍ରପାତ ଆଦି ଅନେକ ପର୍ଯ୍ୟଟନ ବୈଭବ। ଏସବୁକୁ ଓଡ଼ିଶା ଉପଯୋଗ କରି ପାରିନାହିଁ ଏପର୍ଯ୍ୟନ୍ତ। କେରଳ ପରି ଏକ ଛୋଟିଆ ରାଜ୍ୟ ଯାହାର କ୍ଷେତ୍ରଫଳ ଆମର ଅଣ ବିଭାଜିତ ଜିଲା କୋରାପୁଟଠାରୁ ସାମାନ୍ୟ ଅଧିକ ସେ ରାଜ୍ୟ ତା’ର ପର୍ଯ୍ୟଟନ ଶିଳ୍ପକୁ ଏପରି ଉନ୍ନତ କରିଛି ଯେ, ସାରା ବିଶ୍ୱରୁ ପର୍ଯ୍ୟଟକମାନେ ଧାଇଁଛନ୍ତି କେରଳ। ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ କେରଳ ସୃଷ୍ଟି କରିଛି ଅନେକ ନିଯୁକ୍ତି ସୁଯୋଗ। ସେ ରାଜ୍ୟର ଆୟର ଏକ ମୁଖ୍ୟାଂଶ ହେଲା ପର୍ଯ୍ୟଟନ ଶିଳ୍ପରୁ ଆୟ ହେଉଥିବା ଟିକସ। ଆମ ରାଜ୍ୟରେ ପର୍ଯ୍ୟଟନ ପାଇଁ ଆଦୌ ନିଷ୍ଠାପର ଉଦ୍ୟମ ହେଉ ନ ଥିବା ବଜେଟର ବ୍ୟୟବରାଦ କହୁଛି। ୨୦୧୯-୨୦ ବଜେଟରେ ପର୍ଯ୍ୟଟନ ବିକାଶ ପାଇଁ ୧୯୪ କୋଟି ଟଙ୍କାର ବ୍ୟୟବରାଦ ହେବା ବେଳେ ୨୦୧୮-୧୯ରେ ତାହା ହୋଇଥିଲା ୨୧୩.୪୬ କୋଟି ଟଙ୍କା। ପର୍ଯ୍ୟଟନ ପରି ଏକ ନିଯୁକ୍ତି ସୃଷ୍ଟିକାରୀ ବିଭାଗ ପାଇଁ ବ୍ୟୟବରାଦ ହ୍ରାସ ପାଇବା ସୂଚାଇ ଦେଉଛି ସରକାର ଦିଶାହୀନ ଭାବରେ ଚାଲିଛନ୍ତି। ବେକାରି ଦୂର କରିବା ପାଇଁ ମନଧ୍ୟାନ ଦେଇ କାର୍ଯ୍ୟ କରୁନାହାନ୍ତି।
୨୦୦୦ ମସିହାରୁ ନବୀନ ପଟ୍ଟନାୟକଙ୍କ ସରକାର ଆଜି ପର୍ଯ୍ୟନ୍ତ କ୍ରମାଗତ ଭାବେ ରାଜ୍ୟକୁ ଶାସନ କରିଆସୁଛି। ସରକାର ବିଶେଷ ଭାବରେ ବଡ ବଡ ଶିଳ୍ପ ସ୍ଥାପନ କରି ରାଜ୍ୟରୁ ବେକାରି ଦୂର କରିବା ପାଇଁ ଉଦ୍ୟମ କରୁଥିବା ଦେଖାଯାଉଛି। ଶିଳ୍ପ ବିକାଶ ପାଇଁ କନ୍‌କ୍ଲେଭ ପରେ କନ୍‌କ୍ଲେଭ କରି ଦେଶ ବାହାରୁ ଓ ଦେଶ ମଧ୍ୟରୁ ଶିଳ୍ପପତିମାନଙ୍କୁ ଏକତ୍ର କରାଇ ଓଡ଼ିଶାରେ ଶିଳ୍ପ ବିକାଶ ସାଙ୍ଗକୁ ନିଯୁକ୍ତି ସୁବିଧା ବୃଦ୍ଧି ପାଇଁ ଉଦ୍ୟମ କରୁଛନ୍ତି। ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି, ଓଡ଼ିଶା କନ୍‌କ୍ଲେଭ ମାଧ୍ୟମରେ ୪.୨୩ ଲକ୍ଷ କୋଟି ଟଙ୍କାର ନିବେଶର ପ୍ରତିଶ୍ରୁତି ପାଇଛି, ଯାହାଦ୍ୱାରା ୫.୯୧ ଲକ୍ଷ ଲୋକ ନିଯୁକ୍ତି ପାଇବେ। କିନ୍ତୁ ବଜେଟ ଭାଷଣରେ ସେ କହିଲେ ନାହିଁ କେତୋଟି ଶିଳ୍ପ କେତେ ଟଙ୍କା ଏ ପର୍ଯ୍ୟନ୍ତ ନିବେଶ କଲେଣି ଓ କେତେଜଣଙ୍କୁ ନିଯୁକ୍ତି ଯୋଗାଇଲେଣି। ସରକାରଙ୍କ ଅର୍ଥନୈତିକ ସର୍ଭେ ରିପୋର୍ଟ କହେ ୨୦୦୪ରେ ଘରୋଇ କ୍ଷେତ୍ରର ବଡ ବଡ ସଙ୍ଗଠିତ ଶିଳ୍ପ ୮୯ ହଜାର ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ୨୦୧୫ ବେଳକୁ ତାହା ନାମକୁ ମାତ୍ର ବୃଦ୍ଧି ପାଇ ହୋଇଛି ୧.୦୪ ଲକ୍ଷ । ଏହି ଅନୁଭୂତିରୁ ଜଣାଯିବ ଏହି ବଡ ବଡ ଶିଳ୍ପ ଦେଇଥିବା ପ୍ରତିଶ୍ରୁତି କେତେଦୂର କାର୍ଯ୍ୟକାରୀ ହେବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ହିଁ ପ୍ରକୃତରେ ଅଳ୍ପ ପୁଞ୍ଜି ନିବେଶରେ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରି ବେକାରି ଦୂର କରିବା ପାଇଁ ସକ୍ଷମ ହେବ। ଏହି କ୍ଷେତ୍ରରେ ବିକାଶକୁ ତ୍ୱରାନ୍ବିତ କରିବାକୁ ସରକାର ଅଗ୍ରାଧିକାର ଦେବା ଉଚିତ। କିନ୍ତୁ ୨୦୧୯-୨୦ ବଜେଟରେ ସରକାର ଏହି ବିଭାଗ ପାଇଁ ୧୯୨ କୋଟି ବ୍ୟୟ ବରାଦ କରିଥିବା ବେଳେ ଗତବର୍ଷ କରିଥିଲେ ୨୧୨.୨ କୋଟି ଟଙ୍କା। ଏହା ସୂଚାଇ ଦେଉଛି ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରିବାରେ କେତେ ତତ୍ପର। ଏହି କ୍ଷେତ୍ର ଆଜି ସଫଳତାର ସହିତ ବେକାରି ଦୂର କରିପାରିବ, ଯଦି ରାଜ୍ୟରେ ସ୍ଥାପିତ ଦକ୍ଷତା ବିକାଶ ସଂସ୍ଥା ଯେଉଁ ଉଦ୍ୟୋଗୀମାନେ ଏହି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ସେମାନଙ୍କୁ ହିସାବ ରଖିବା, ଶିଳ୍ପ ପରିଚାଳନା କରିବା ଓ ଯେଉଁ ଉଦ୍ୟୋଗ କରିବେ ସେହି ଉଦ୍ୟୋଗ ସମ୍ବନ୍ଧରେ ପ୍ରାଥମିକ ବୈଷୟିକ ଜ୍ଞାନକୌଶଳ ସମ୍ବନ୍ଧରେ ଉପଯୁକ୍ତ ତାଲିମ ଦେବାର ବ୍ୟବସ୍ଥା କରିବେ। ତାହା ନ କରି କେବଳ ଷ୍ଟାର୍ଟ ଅପ୍‌ ଯୋଜନାରେ ଉଦ୍ୟୋଗୀମାନଙ୍କୁ ଋଣ ଦେବା ପାଇଁ ବ୍ୟାଙ୍କଗୁଡିକ ଉପରେ ଚାପ ସୃଷ୍ଟି କରିବା ଫଳବବତୀ ହେବନାହିଁ।
ଏବେ ଚାରିଆଡ଼େ ହୁରି ପଡିଛି ଯେ, ସରକାର କୃଷି ବିକାଶ ପାଇଁ ଏଥର ବଜେଟରେ ଅଧିକ ବ୍ୟୟ ବରାଦ କରି କୃଷକମାନଙ୍କର ଆୟ ବଢାଇବା ପାଇଁ ଉଦ୍ୟମ କରିଛନ୍ତି। କୃଷି ବଜେଟ୍‌ରେ ଅଧିକ ବ୍ୟୟବରାଦ କେବଳ କାଳିଆ ଯୋଜନା ପାଇଁ ହୋଇଛି। କାଳିଆ ଯୋଜନା ପାଇଁ ୫୮୧୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଏହା କୌଣସି ଭିତ୍ତିଭୂମି ସୃଷ୍ଟିକରି ଚାଷୀର ଉତ୍ପାଦନ, ଉତ୍ପାଦିକା ଶକ୍ତି ବୃଦ୍ଧି କରିପାରିବ ନାହିଁ ବା ଚାଷୀର ଉତ୍ପାଦନକୁ ମୂଲ୍ୟଯୁକ୍ତ କରି ବଜାରରେ ଲାଭଜନକ ମୂଲ୍ୟରେ ବିକ୍ରି କରିପାରିବ ନାହିଁ। ଏହି ଅର୍ଥ ନଗଦ ଆକାରରେ ୭୫ ଲକ୍ଷ ଚାଷୀଙ୍କୁ ଦିଆଯିବ। ଏହି ଟଙ୍କାକୁ ନେଇ କ’ଣ ଚାଷୀ ଉତ୍ପାଦନ ଖର୍ଚ୍ଚରେ ବିନିଯୋଗ କରିବ ? ତା’ର ଅଭାବ କହିଲେ ନ ସରେ। ସେ ଏହି ଅର୍ଥରୁ ଅଧିକାଂଶ ଭାଗ ଅଣ ଉତ୍ପାଦନ ଖର୍ଚ୍ଚରେ ବିନିଯୋଗ କରିବ। କାଳିଆ ଯୋଜନା ଖର୍ଚ୍ଚକୁ ବାଦ୍‌ ଦେଲେ ପ୍ରକୃତ ପକ୍ଷରେ ଗତବର୍ଷ ଅପେକ୍ଷା ଏ ବର୍ଷ କୃଷି ବଜେଟରେ କମ୍‌ ଅର୍ଥର ବ୍ୟୟବରାଦ ହୋଇଛି। ନିଯୁକ୍ତି ସୃଷ୍ଟି କରିବାର ଥିଲେ ଶୀତଳ ଭଣ୍ଡାର, କୃଷି ପ୍ରକ୍ରିୟାକରଣ ଶିଳ୍ପ,କୃଷିଜାତ ଦ୍ରବ୍ୟର ଠିକ୍‌ ବିପଣନ, ଶସ୍ୟ ଗୋଦାମ, ପନିପରିବା ଓ ଅଣ୍ଡା, ମାଛର ଉତ୍ପାଦନ ବୃଦ୍ଧି ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବା ଉଚିତ ଥିଲା।
ଉପରୋକ୍ତ ଆଲୋଚନାରୁ ଏହା ସହଜରେ ଅନୁମେୟ ଯେ, ୨୦୧୯-୨୦ ବଜେଟରେ କେବଳ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ବ୍ୟୟବରାଦ ହୋଇଛି। ଦୀର୍ଘସ୍ଥାୟୀ ବିକାଶ ପ୍ରତି ଧ୍ୟାନ ଦିଆ ଯାଇନାହିଁ କି ନିଯୁକ୍ତି ସୃଷ୍ଟି ପାଇଁ ଆନ୍ତରିକ ଉଦ୍ୟମ ହୋଇନାହିଁ।
ଏ ୫୦୨, ମୋତି ବ୍ଲକ, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

ପରମାଣୁ ଶାନ୍ତିଯାତ୍ରା

୧୯୪୫ ଜୁଲାଇ ୧୬ ତାରିଖର ଏକ ବର୍ଷାଭିଜା ସକାଳ, କେତେଜଣ ବୈଜ୍ଞାନିକ ଓ ସୈନିକ ମେକ୍ସିକୋର ଜୋର୍ନଡା ଡେଲ ମରୁଭୂମିରେ ଏକତ୍ରିତ ହୋଇଥାନ୍ତି। ସାଙ୍କେତିକ ଭାଷାରେ ‘ଗାଜେଟ’…

ଜୈବିକ ଖାଦ୍ୟର ପୃଥିବୀ

ଆଜିକାଲି ଲୋକଙ୍କ ଭିତରେ ଖାଦ୍ୟ ସଚେତନତା ବଢ଼ୁଛି। ରଙ୍ଗିନ, ଆଖିକୁ ଖୁସି ଦେଲାପରି ଖାଦ୍ୟ ସବୁ ଗ୍ରହଣ କରିବା ବଦଳରେ ଜୈବିକ ଖାଦ୍ୟ ପ୍ରତି ଲୋକମାନଙ୍କ ଆଗ୍ରହ…

ବିଶ୍ୱରେ ଅରାଜକତା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଏବଂ ଇରାନ ମଧ୍ୟରେ ଅବ୍ୟବସ୍ଥିତ କୂଟନୀତି ଜାରି ରହିଛି। ଏଥିରୁ ବିଶ୍ୱ ବ୍ୟାପାରକୁ ବୁଝିବା ଅସମ୍ଭବ ବୋଲି ଅନେକେ ମନେକରୁଛନ୍ତି।…

ନଦୀ ପ୍ରଦୂଷଣ

ନନଦୀ ମନୁଷ୍ୟ ସଭ୍ୟତାର ଜନ୍ମଦାତ୍ରୀ ହୋଇ ସମଗ୍ର ଜୀବଜଗତକୁ ଲାଳନପାଳନ କରିଥିବାରୁ ଭାରତରେ ନଦୀକୁ ମା’ର ଆଖ୍ୟା ଦିଆଯାଇ ଦେବୀ ରୂପରେ ପୂଜା କରାଯାଏ। କିନ୍ତୁ ବିଡ଼ମ୍ବନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri