ମଙ୍ଗଳ ଅଭିଯାନ

ଆକାର ପଟେଲ
ଗତ ସପ୍ତାହରେ ଆମେ ଚନ୍ଦ୍ରଯାନ-୨ ଓ ଭାରତର ଚନ୍ଦ୍ର ଅଭିଯାନ ବିଷୟରେ ଉଲ୍ଲେଖ କରିଥିଲୁ ଏବଂ ସେଥିରେ ମଙ୍ଗଳ ଅଭିଯାନ ବିଷୟରେ ବି ସୂଚନା ଦେଇଥିଲୁ। ପୃଥିବୀ ବାହାରେ ବିଶ୍ୱରେ କ’ଣ ସବୁ ଚାଲିଛି ତାହା ଜାଣିବା ପାଇଁ ପାଠକମାନଙ୍କର ଆଗ୍ରହ ହେବା ସ୍ବାଭାବିକ। ଆସନ୍ତାବର୍ଷ ବିଭିନ୍ନ ସଂସ୍ଥା ଦ୍ୱାରା ଚାରୋଟି ମଙ୍ଗଳ ଅଭିଯାନର ଯୋଜନା କରାଯାଇଛି। ତେବେ ଏକାବେଳକେ ଏତେ ଅଭିଯାନ କାହିଁକି? ତା’ର ଗୋଟିଏ କାରଣ ହେଲା ପ୍ରତି ୨୬ ମାସରେ ଥରେ ମଙ୍ଗଳ ପୃଥିବୀର ଖୁବ୍‌ ନିକଟକୁ ଚାଲିଆସେ। ଉଭୟ ଗ୍ରହ ସୂର୍ଯ୍ୟ ଚାରିପଟେ ଭିନ୍ନ ଭିନ୍ନ କକ୍ଷପଥରେ ପରିକ୍ରମା କରୁଥିବାରୁ ବେଳେବେଳେ ମଙ୍ଗଳ ପୃଥିବୀଠାରୁ ୪୦ କୋଟି କିମିରୁ ବି ଅଧିକ ଦୂରକୁ ଚାଲିଯାଏ। କିନ୍ତୁ ଯେତେବେଳେ ପୃଥିବୀର ନିକଟତର ହୁଏ, ସେତେବେଳେ ମାତ୍ର ୪ କୋଟିରୁ ବି କମ୍‌ କିମି ଦୂରରେ ଥାଏ। ତେଣୁ ଏହି ସମୟ ହିଁ ମଙ୍ଗଳକୁ ରକେଟ ପ୍ରେରଣ କରିବାର ଉପଯୁକ୍ତ ସମୟ ଏବଂ ସେହି ସମୟ ଆସୁଛି ଜୁଲାଇ ୨୦୨୦ରେ। ୨୦୨୦ ଜୁଲାଇ ୧୭ରେ ଆମେରିକାର କାର୍‌ ଆକୃତିର ରୋଭର ଭୂପୃଷ୍ଠ ଛାଡ଼ିବ। ଏହାର ଆଠଦିନ ପରେ ‘ରୋଜାଲିଣ୍ଡ ଫ୍ରାଙ୍କ୍‌ଲିନ’ ନାମକ ରୁଷୀୟ-ୟୁରୋପୀୟ ମିଶନ ତା’ର ଅଭିଯାନ ଆରମ୍ଭ କରିବ। ଉଭୟ ଅନ୍ତରୀକ୍ଷ ଯାନ ଫେବୃୟାରୀ ୨୦୨୧ରେ ମଙ୍ଗଳରେ ପହଞ୍ଚିବା ଆଶା କରାଯାଉଛି। ସେମାନେ ସେଠାରେ ପହଞ୍ଚିଲା ପରେ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରିବେ ଏବଂ ସେଠାରେ ଜୀବସତ୍ତା ଅଛି କି ନାହିଁ ଦେଖିବେ। ଚାଇନା ମଧ୍ୟ ସେହି ଏକା ସମୟରେ ମଙ୍ଗଳକୁ ଏକ ଅର୍ବିଟର (ଯାହା ମଙ୍ଗଳର ଚାରିପଟେ ଉପଗ୍ରହ ପରି ବୁଲିବ) ଓ ଏକ ରୋଭର (ଯାହା ମଙ୍ଗଳରେ ଓହ୍ଲାଇବ) ପଠାଇବ। ବର୍ତ୍ତମାନ ମଙ୍ଗଳରେ ଛଅଟି ଅର୍ବିଟର ଅଛି- ଆମେରିକାର ନାସା ପଠାଇଥିବା ତିନିଟି, ୟୁରୋପର ଦୁଇଟି ଓ ଭାରତର ମାର୍ସ ଅର୍ବିଟର। ଏବେ ମଙ୍ଗଳରେ ଦୁଇଟି ରୋଭର ମଧ୍ୟ କାର୍ଯ୍ୟକ୍ଷମ ଅଛି ଏବଂ ସେ ଉଭୟ ହେଉଛି ନାସାର। ସୌରଶକ୍ତିରେ ଚାଳିତ ଚାଇନାର ରୋଭରଟି ପ୍ରାୟ ୨୫୦ କିଲୋ ଓଜନବିଶିଷ୍ଟ। ମଙ୍ଗଳକୁ ଯାଉଥିବା ଚତୁର୍ଥ ଅଭିଯାନଟି ସଂଯୁକ୍ତ ଆରବ ଏମିରେଟ୍‌ସର ଏବଂ ସେମାନେ ଏକ ଜାପାନତିଆରି ରକେଟ ମଙ୍ଗଳକୁ ପଠାଇବେ।
ମଙ୍ଗଳ ପ୍ରତି କେବଳ ବୈଜ୍ଞାନିକମାନଙ୍କର ଆକର୍ଷଣ ନାହିଁ। ବର୍ତ୍ତମାନ ମଣିଷ ଚାହୁଁଛି ମଙ୍ଗଳରେ କଲୋନୀ ପ୍ରତିଷ୍ଠା କରିବା ପାଇଁ। ଏହା ପଛରେ ରହିଥିବା ଯୁକ୍ତି ହେଉଛି ପର୍ଯ୍ୟାବରଣ ଦୃଷ୍ଟିରୁ ମଙ୍ଗଳ ପୃଥିବୀର ନିକଟତମ। ଏହାର ଏକ ବାୟୁମଣ୍ଡଳ ଅଛି, ଯଦିଚ ଏହା ମୁଖ୍ୟତଃ ଅଙ୍ଗାରକାମ୍ଳ ବାଷ୍ପରେ ପରିପୂର୍ଣ୍ଣ। ମଙ୍ଗଳର ଗୋଟିଏ ଦିନ ହେଉଛି ୨୪ ଘଣ୍ଟା ୩୦ ମିନିଟ୍‌ ଯାହା ପୃଥିବୀର ଗୋଟିଏ ଦିନ ସହ ପ୍ରାୟ ସମାନ। ମଙ୍ଗଳର ଆକାର ପୃଥିବୀର ପ୍ରାୟ ଅଧା ହୋଇଥିବାରୁ ମଣିଷ ସେଠାରେ ଚଳପ୍ରଚଳ କରିପାରିବ। ଯେଉଁ ଲୋକର ଓଜନ ପୃଥିବୀରେ ୫୦ କିଲୋ ମଙ୍ଗଳରେ ତା’ର ଓଜନ ୨୦ କିଲୋରୁ କମ୍‌ ହେବ। ଆମ ସୌରଜଗତର ଅନ୍ୟ ଗ୍ରହଗୁଡ଼ିକ ପୃଥିବୀଠାରୁ ଢେର ଅଲଗା। ସେଗୁଡ଼ିକ ସୂର୍ଯ୍ୟଠାରୁ ବହୁ ଦୂରରେ, ତେଣୁ ଥଣ୍ଡା। ବୃହସ୍ପତି ପରି ଗ୍ରହ ବହୁତ ବଡ଼ ହୋଇଥିବାରୁ ତା’ର ମାଧ୍ୟାକର୍ଷଣ ଶକ୍ତି ବହୁ ଅଧିକ। ଅନ୍ୟ କେତେକ ଗ୍ରହରେ ଥିବା ବାୟୁମଣ୍ଡଳ ହେଉଛି ବିଷାକ୍ତ। ମଙ୍ଗଳରେ ମଧ୍ୟ ବରଫ ଆକାରରେ ଯଥେଷ୍ଟ ପାଣି ଅଛି। ମଙ୍ଗଳରେ ଅଙ୍ଗାରକାମ୍ଳ ଥିବାରୁ ସେଥିରୁ ସେଠାରେ ଉପଲବ୍ଧ ଅନ୍ୟ ଉପାଦାନ ସାହାଯ୍ୟରେ ପ୍ଲାଷ୍ଟିକ୍‌ ପ୍ରଭୃତି ବିଭିନ୍ନ ହାଇଡ୍ରୋକାର୍ବନ ତିଆରି କରିହେବ। ମହାକାଶଯାତ୍ରା ଲାଗି ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଇନ୍ଧନ ଏବଂ ରକେଟଗୁଡ଼ିକରେ ମିଥେନ ଓ ତରଳ ଅମ୍ଳଜାନ ବ୍ୟବହାର କରାଯାଏ ଏବଂ ଏ ଉଭୟ ଉପାଦାନ ମଙ୍ଗଳରେ ପ୍ରସ୍ତୁତ କରାଯାଇପାରିବ।
ମଣିଷ ଏବେ ମଙ୍ଗଳଗ୍ରହକୁ ପୃଥିବୀ ପରି ବାସୋପଯୋଗୀ କରିବାକୁ ଚେଷ୍ଟା କରୁଛି। ଏହା ସମୟସାପେକ୍ଷ ହେଲେ ବି ଅସମ୍ଭବ ମନେହେଉ ନାହିଁ। ଉଦ୍ଭିଦ ପାଇଁ ସୂର୍ଯ୍ୟକିରଣ ଓ ଅଙ୍ଗାରକାମ୍ଳ ଦରକାର, ଯାହା ମଙ୍ଗଳରେ ଅଛି। ଉଦ୍ଭିଦ ପାଇଁ ମଙ୍ଗଳର ମାଟିରେ ଥିବା ପୋଷକଗୁଡ଼ିକ ମଧ୍ୟ ବ୍ୟବହାର କରାଯାଇପାରିବ। ଉଦ୍ଭିଦ ସଂଖ୍ୟା ବୃଦ୍ଧି ପାଇଲେ ମଣିଷ ପାଇଁ ଆବଶ୍ୟକ ଅମ୍ଳଜାନ ମଧ୍ୟ ମିଳିପାରିବ। ଏହିସବୁ କାରଣରୁ ମଙ୍ଗଳ ପ୍ରତି ମଣିଷର ଆଗ୍ରହ ବୃଦ୍ଧି ପାଇଛି ଏବଂ ଏକାବେଳକେ ଏତେ ଦେଶ ସେମାନଙ୍କ ମଙ୍ଗଳ ଅଭିଯାନ ଆରମ୍ଭ କରୁଛନ୍ତି। ସ୍ପେସ୍‌ଏକ୍ସ ପରି ଘରୋଇ କମ୍ପାନୀ ମଙ୍ଗଳରେ କଲୋନୀ ପ୍ରତିଷ୍ଠା ପାଇଁ ଉଦ୍ୟମ ଅବ୍ୟାହତ ରଖିଛି। ଏହି କମ୍ପାନୀ ମାତ୍ର ୧୭ ବର୍ଷର ପୁରୁଣା ହେଲେ ମଧ୍ୟ ଉପଗ୍ରହ ପ୍ରେରଣରେ ବିଭିନ୍ନ ଦେଶର ସରକାରୀ ସଂସ୍ଥାଗୁଡ଼ିକୁ ଟପିଯାଇଛି। ସେମାନେ ୧୦୦ ଟନ ଓଜନର ଜିନିଷ ନେଇ ମଙ୍ଗଳକୁ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ ମଙ୍ଗଳ ଗ୍ରହର ମାଲିକ କିଏ- ବିଭିନ୍ନ ଦେଶ ବା କମ୍ପାନୀ ନା ଆମେ ସମସ୍ତେ। ଏ ପ୍ରଶ୍ନର ଉତ୍ତର ସମୟକ୍ରମେ ମିଳିବ। ମଙ୍ଗଳ ଗ୍ରହକୁ ନେଇ ସମସ୍ତେ ଖୁବ୍‌ ଉତ୍ସାହିତ ଅଛନ୍ତି। ମଙ୍ଗଳ ପୃଷ୍ଠରେ ମଣିଷଟିଏ ଠିଆ ହୋଇ ନୀଳବିନ୍ଦୁ ପରି ଦେଖାଯାଉଥିବା ପୃଥିବୀକୁ ଚାହିଁଲାବେଳେ ଏବଂ ପୃଥିବୀର ବିଭିନ୍ନ ଜାତି, ଧର୍ମ ଓ ବିଭାଜନ ବିଷୟ ଚିନ୍ତା କଲାବେଳେ କିପରି ଅନୁଭବ କରିବ? ଗତବର୍ଷ ଯେତେବେଳେ ସ୍ପେସ୍‌ଏକ୍ସ ଏକ ବିରାଟ ରକେଟ୍‌ ମଙ୍ଗଳକୁ ପଠାଇଲା, ସେତେବେଳେ ସେଥିରେ ଥିଲା ଏକ ଇଲେକ୍ଟ୍ରିକ୍‌ କାର୍‌, ଯାହାକୁ ସେମାନେ ମଙ୍ଗଳର କକ୍ଷପଥକୁ ପଠାଇଛନ୍ତି। ବୋଧହୁଏ କେତେକ ପରଗ୍ରହର ମଣିଷ (ଆଲିଏନ୍‌) କେତେ ନିୟୁତ ବର୍ଷ ପରେ ଏହାକୁ ଠାବ କରିବେ। ସେହି କାର୍‌ରେ ଲେଖା ହୋଇଛି: ”ମେଡ୍‌ ଅନ୍‌ ଆର୍ଥ ବାଇ ହ୍ୟୁମ୍ୟାନ୍ସ“।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri