ଆମ ଜୀବନର ସୁନେଲି ଅତୀତ

ପ୍ରକାଶ ତ୍ରିପାଠୀ
ଗତ ରଜପର୍ବ ସମୟର ଘଟଣା। ଘର ପଛପଟେ ଥିବା ଏକ ପଣସଗଛରେ ଦୁଇଟି ପଣସ ପାଚିଥିବା ଦେଖି ତାକୁ ତୋଳିଦେବାକୁ ବଡ଼ଭଉଣୀ ମୋତେ କହିଲା। ପ୍ରାୟ କୋଡିଏ ଫୁଟ୍‌ ଉଚ୍ଚରେ ଥିବା ପଣସ ଦୁଇଟିକୁ ଗଛରେ ଚଢ଼ି ତୋଳିବାର ଦୃଶ୍ୟ ଦେଖୁଥିଲା ମୋର ଜଣେ ସମ୍ପର୍କୀୟ ନାତି। ଗଛରୁ ଓହ୍ଲାଇବା ପରେ ନାତି ଟୋକା ମୋତେ କୌତୂହଳୀ ହୋଇ ପଚାରିଥିଲା- ଅଜା! ତୁମେ ଗଛ ଚଢ଼ିବାର ଟ୍ରେନିଂ ନେଇଛ କି? ବିନା ଶିଡିରେ କେତେ ଶୀଘ୍ର ଏତେ ବଡ଼ ଗଛରେ ଚଢ଼ି ପଣସ ତୋଳିଦେଲ। ମୋ ବୟସର ଆଖପାଖରେ ଥିବା ଲୋକମାନଙ୍କ ପାଇଁ ଗଛରେ ଚଢ଼ିବା, ପାଣିରେ ପହଁରିବା, ଖାଲି ପାଦରେ ଦୌଡ଼ିବା ଅବା ଧାନବିଲର ସରୁ ହିଡ଼ରେ ଚାଲିବା ଏକ ସାଧାରଣ କଥା ହୋଇପାରେ। ମାତ୍ର ବର୍ତ୍ତମାନ ସମୟର ପିଲାମାନଙ୍କ ପାଇଁ ଏଗୁଡ଼ିକ ସବୁ ଅସାଧ୍ୟ କାର୍ଯ୍ୟ। ନ ହେଲେ ମୋ ନାତି ଆଶ୍ଚର୍ଯ୍ୟ ହୋଇ ପଚାରି ନ ଥାନ୍ତା କି ମୁଁ ଗଛଚଢ଼ା ଟ୍ରେନିଂ ନେଇଛି କି ନାହଁି।
ଏକ ଅନୌପଚାରିକ ଆଲୋଚନାରେ ମୋର ଜଣେ ବନ୍ଧୁ କହିଲେ ଯେ, ସ୍ବାଧୀନତା ପରବର୍ତ୍ତୀ ଅର୍ଥାତ୍‌ ୧୯୫୦ରୁ ୧୯୮୦ ମସିହା ଭିତରେ ଜନ୍ମ ଗ୍ରହଣ କରିଥିବା ଲୋକମାନେ ବଡ଼ ଭାଗ୍ୟବାନ। ପୁରାତନ ଓ ଆଧୁନିକ ଯୁଗର ସନ୍ଧିକ୍ଷଣରେ ଜନ୍ମିଥିବା ଓ ବର୍ତ୍ତମାନର ଅତ୍ୟାଧୁନିକ ଜୀବନ ଶୈଳୀରେ ବଞ୍ଚିଥିବା ଏହି ସ୍ବତନ୍ତ୍ର ପିଢ଼ିର ଲୋକମାନେ ଏଇଥିପାଇଁ ଭାଗ୍ୟବାନ ଯେ, ସେମାନେ ଦେଖିଥିବା ପରିବାର, ସମାଜ ଓ ପରିବେଶ ବର୍ତ୍ତମାନଠାରୁ ଢେର୍‌ ଉନ୍ନତ ଓ ସମୃଦ୍ଧ ଥିଲା, ଯାହାକି ବର୍ତ୍ତମାନ ପିଢ଼ି ସେସବୁ ଅନୁଭବ କରିବା ଅସମ୍ଭବ। ମୁଁ ନିଜକୁ ଭାଗ୍ୟବାନ ମନେକରେ ଏଇଥିପାଇଁ ଯେ, ଷାଠିଏ ଦଶକରେ ଜନ୍ମି ଯୁବାବସ୍ଥା ପର୍ଯ୍ୟନ୍ତ ମୁଁ ସେହି ସ୍ବର୍ଣ୍ଣିମ ସମୟକୁ ଅତିକ୍ରମ କରିଛି, ଯାହାକି ମୋତେ ବାରମ୍ବାର ଭାବବିହ୍ବଳ କରେ। ଆମେ ସବୁ ସେହି ସମୟରେ ଜନ୍ମିଥିବା ଲୋକ, ଯେଉଁମାନଙ୍କର କି ଜନ୍ମ ଓ ଲାଳନପାଳନ ହୋଇଥିଲା ଯୌଥ ପରିବାରରେ। ଏକାଧିକ ଭଉଣୀ-ଭାଇଙ୍କ ସ୍ନେହଶ୍ରଦ୍ଧା ସହ ବୋଉ-ବାପା, ଖୁଡୀ-କାକା, ଦେଠେଇ-ଦଦେଇ, ଜେଜେମା’-ଜେଜେବାପାଙ୍କ ଆଦର ଓ ଭଲ ପାଇବାରେ କଟିଥିଲା ଶୈଶବ। ସାରେ ଅଗଣାରେ ସପ ଉପରେ ଶୋଇ ତାରାଭର୍ତ୍ତି ଆକାଶକୁ ଦେଖି ଭାବନା ରାଜ୍ୟରେ ବୁଲିଛୁ। ଜେଜେମା’ ଚାରିପଟେ ରୁଣ୍ଡ ହୋଇ ପରୀ କାହାଣୀ, ବୁଢୀ ଅସୁରୁଣୀ ଆଦି ଗପରାଇଜରେ ଘୂରିଛୁ। ଜେଜେବାପାଙ୍କଠାରୁ ଶାସ୍ତ୍ର-ପୁରାଣର ଅନେକ କାହାଣୀ ସାଉଁଟିଛୁ। ମାଟିହାଣ୍ଡି ପ୍ରସ୍ତୁତ ବ୍ୟଞ୍ଜନର ଫଳକଟିଏ ଦେଖିଲେ ଆଜିର ଯୁବ ପିଢି ବିକଳ ହୋଇ ଦୌଡୁଛନ୍ତି ତା’ର ସ୍ବାଦ ପାଇବାକୁ। ହେଲେ ଆମ ପିଲାବେଳ କଟିଛି ସେହି ମାଟିପାତ୍ର ପ୍ରସ୍ତୁତ ସମସ୍ତ ବ୍ୟଞ୍ଜନରେ। ଖାଉଥିଲୁ କଂସା ଓ ପିତଳ ବାସନରେ। ରୋଷେଇ ପରେ ପରିବାରର ସମସ୍ତ ସଦସ୍ୟ ଅଗଣାରେ ତଳେ ଆସନ ବା ପିଢ଼ା ପକାଇ ଖାଉଥିଲୁ। ପରିବାର ସାରା ଲୋକଙ୍କ ସେହି ଅପୂର୍ବ ପଙ୍ଗତର ଦୃଶ୍ୟ ଆଜିର ଦିନରେ ସ୍ବପ୍ନ।
ନିଜ ଘର ବ୍ୟତୀତ ଆମ ପାଇଁ ଆଉ ଯେଉଁ ଘରଟିର ଆକର୍ଷଣ ଅଧିକ ଥିଲା ତାହା ହେଉଛି ମାମୁଘର। ସମୟ ପାଇଲେ ବୋଉ ସହିତ ଚାଲିଯାଉ ମାମୁଘରକୁ। ନିଜ ଗାଁ ଭଳି ମାମୁଘର ଗାଁରେ ମିଳେ ଅନେକ ସ୍ନେହ ଓ ଆଦର। ଖେଳିବାକୁ ମିଳିଯାନ୍ତି ଅନେକ ସାଙ୍ଗସାଥୀ। ଗାଁ ସାରା ମାଈଁ-ମାମୁ ଓ ଆଈ-ଅଜାଙ୍କ ଭଲ ପାଇବାରେ ଇଚ୍ଛାହୁଏ ନାହିଁ ଗାଁକୁ ଫେରିବାକୁ। ଏବର ପିଲାମାନେ ମାମୁଘର ଓ ମାମୁଘର ଗାଁର ସ୍ନେହ-ଆଦରଠାରୁ ଢେର୍‌ ଦୂରରେ। ଛୁଟିରେ ଟିଉସନ, କୋଚିଂରୁ ମୁକ୍ତି ନାହିଁ। ମାମୁଘରକୁ ଯିବାକୁ ସମୟ କାହିଁ? ଏବର ପିଲାଙ୍କ ଭଳି ଆମ ପିଲାବେଳେ ଏତେ ପାଠବୋଝ ନ ଥିଲା। ସ୍କୁଲରୁ ଫେରି ଘରେ ବହିବସ୍ତାନି ରଖି ସାଙ୍ଗସାଥୀଙ୍କ ସହ ଏପରି ଖେଳରେ ମାତିଯାଉଥିଲୁ ଯେ, କେତେବେଳେ ସନ୍ଧ୍ୟା ହୋଇଯାଏ ଜଣାପଡେନି। କବାଡି, ଡୁଡୁ, ଗିଲିଦଣ୍ଡା, ଡାଗରପୁଆ, ଡାଳିମାଙ୍କୁଡି, ଚୋର ପୋଲିସ, ଖୋ-ଖୋ, ବୋହୂଚୋରି, ବାଟି ଆଦି ପାରମ୍ପରିକ ଖେଳ ଥିଲା ଆମର ନିତିଦିନିଆ ଖେଳ। ପ୍ରତି ସଞ୍ଜରେ ଭଉଣୀ-ଭାଇଙ୍କ ଗହଣରେ ଆରମ୍ଭ ହୁଏ ପାଠପଢ଼ା। ପଢ଼ା ଆରମ୍ଭ ପୂର୍ବରୁ ବୋଲାଯାଏ ପ୍ରାର୍ଥନା। ସେତେବେଳେ ପାଠପଢିବା ପାଇଁ ଆଜିର ଦିନ ଭଳି ସ୍ବତନ୍ତ୍ର ପଢ଼ାଘର ନ ଥିଲା। ମାତ୍ର ଘର ଅଗଣାରେ ଡିବିରି/ଲଣ୍ଠନ ଚାରିପଟେ ଭଉଣୀ-ଭାଇମାନଙ୍କ ଗହଣରେ ପାଠପଢ଼ା ମନରେ ସୃଷ୍ଟି କରୁଥିଲା ପଢ଼ା ପ୍ରତି ଅପୂର୍ବ ଆଗ୍ରହ। ଆଜିର ବ୍ୟୟବହୁଳ ଘରୋଇ ଶିକ୍ଷାନୁଷ୍ଠାନ ବା କୋଚିଂ ସେଣ୍ଟରର ଚିନ୍ତା ମା’-ବାପାଙ୍କୁ ନ ଥିଲା କି ଆମ୍ଭମାନଙ୍କୁ ପରୀକ୍ଷାରେ ଶତକଡ଼ା ଅନେଶତ ନମ୍ବର ରଖିବାର ଚାପ ନ ଥିଲା। ସେତେବେଳେ ଶିକ୍ଷା ଦଣ୍ଡମୁକ୍ତ ନ ଥିଲା ସତ, ହେଲେ ପାଠପଢ଼ା ଚାପମୁକ୍ତ ଥିଲା। ଟିଉସନ ହେବା ଆମ କଳ୍ପନାର ବାହାରେ ଥିଲା। ବିଦ୍ୟାଳୟରେ ନିୟମିତ ପରୀକ୍ଷା ହେଉଥିଲା ଓ ପିଲା ପାସ୍‌-ଫେଲ୍‌ ହେଉଥିଲେ। ଗୁରୁମା’-ଗୁରୁଜୀ ଦେଉଥିବା ପାଠ କରିକି ନ ଗଲେ ବା ଶ୍ରେଣୀରେ ପାଠ ନ କରିପାରୁଥିଲେ ମାଡ଼ ଖାଉଥିଲୁ। ବେତମାଡ଼, କାନମୋଡ଼ା, କାନ ଧରି ବସଉଠ, ଚଉକିବସା, ଆଣ୍ଠେଇବା ଭଳି ଦଣ୍ଡକୁ ସମ୍ମାନର ସହ ଗ୍ରହଣ କରୁଥିଲୁ। ପିଲାମାନେ ଦଣ୍ଡ ପାଉଥିବା କଥା ଅଭିଭାବକମାନେ ଜାଣୁଥିଲେ ବି ଶିକ୍ଷକମାନଙ୍କ ପ୍ରତି ସେମାନଙ୍କର ସମ୍ମାନ କେବେ ବି ଊଣା ହେଉ ନ ଥିଲା। ଶିକ୍ଷାର୍ଥୀମାନଙ୍କର ବି ଗୁରୁମାନଙ୍କ ପ୍ରତି ଥିଲା ଅଜସ୍ର ଭକ୍ତି। କମ୍‌ ନମ୍ବର ରଖୁଥିବା ପିଲାଙ୍କୁ ଶିକ୍ଷକମାନେ ସକାଳେ ବା ସାରେ ମାଗଣାରେ ଟିଉସନ କରୁଥିଲେ। ସାଥୀ ବହି ନ ଥିଲା, ଟେକ୍ସଟ ବୁକ ପଢି ଆମେ ଭଲ ନମ୍ବର ଆଣୁଥିଲୁ। ଦୂରରେ ରହୁଥିବା ସମ୍ପର୍କୀୟଙ୍କୁ ହାତଲେଖା ଚିଠି ଡାକରେ ପଠାଉଥିଲୁ ଓ ସେମାନଙ୍କ ଭଲମନ୍ଦ ଜାଣିବା ପାଇଁ ସେମାନଙ୍କ ଚିଠିକୁ ଅପେକ୍ଷା କରୁଥିଲୁ। ଆମ୍ଭେମାନେ ସେଇ ସମୟର ମଣିଷ ଯେଉଁମାନଙ୍କର ପ୍ରକୃତି ସହ ଥିଲା ଘୋର ଆତ୍ମୀୟତା। ତୋଟା-ଜଙ୍ଗଲରେ ବୁଲୁଥିବା ଯୋଗୁ ସମସ୍ତ ପ୍ରଜାତିର ବୃକ୍ଷଲତାକୁ ଜାଣିବା, ଚିହ୍ନିବା, ଗଛରେ ଚଢିବା, ଚାଷବାସରେ ପ୍ରତ୍ୟକ୍ଷ ବା ପରୋକ୍ଷ ଅଂଶଗ୍ରହଣ କରିବା, କୃଷିଭିତ୍ତିକ ସମାଜ ଓ ପୂଜାପାର୍ବଣକୁ ଉପଭୋଗ କରିବା ଥିଲା ଆମ ସମୟର ସ୍ବତନ୍ତ୍ରତା। ଆମେ ସେହି ସମୟର ମଣିଷ, ଯେଉଁମାନଙ୍କର ପିଲାବେଳ କଟିଥିଲା ବିନା ବିଦ୍ୟୁତ୍‌ରେ, ବିନା ଟିଭିରେ, ବିନା ମୋବାଇଲ ଫୋନରେ ଓ ବିନା ଏୟାର କଣ୍ଡିଶନରରେ। ନା ଥିଲା କେବେ ଅଭିଯୋଗ ନା ଅଭିମାନ। ସବୁ ପରିସ୍ଥିତିରେ ଖାପଖୁଆଇ ଚଳି ପାରିବାର କଳା ବାଲ୍ୟକାଳରୁ ହିଁ ଆମେ ଶିଖିଛୁ। ଆଜିର ଦିନ ଭଳି ଆମର ଅବାସ୍ତବ ନେଟ୍‌ ଫ୍ରେଣ୍ଡ ନ ଥିଲେ। ଥିଲେ ଅନେକ ସତସତିକା ସାଙ୍ଗ, ଯେଉଁମାନେ କି ସାଙ୍ଗ ପାଇଁ ସବୁ କିଛି ଉତ୍ସର୍ଗ କରିଦେଉଥିଲେ। ଆଜିର ଦିନ ଭଳି ଫିଲ୍‌ଟର ବା ମିନେରାଲ ଓ୍ବାଟର ସେତେବେଳେ ଆବଶ୍ୟକ ପଡୁ ନ ଥିଲା। ଶୋଷ ଲାଗିଲେ ନଳକୂପରେ ମୁହଁ ଲଗାଇ ପେଟ ଭରି ପାଣି ପିଉଥିଲୁ। ମାଟି କାଦୁଅରେ ଲଟର-ପଟର ହେଉଥିଲୁ, ବେଳା-ଅବେଳାରେ ପୋଖରୀ-ନଦୀରେ ବୁଡୁଥିଲୁ। ହେଲେ କେବେ ବି ଏଥିପାଇଁ ଅସୁସ୍ଥ ହେଉ ନ ଥିଲୁ। ଘର ପ୍ରସ୍ତୁତ ଚୁଡା, ମୁଢି, ଛତୁଆ ଖାଇ ତାଗଡା ଥିଲୁ। ଆଜିର ଦିନ ଭଳି ଫୁଡ୍‌ ସପ୍ଲିମେଣ୍ଟ ବା ଭିଟାମିନ ଟାବ୍‌ଲେଟ ଖାଇବା ଆବଶ୍ୟକ ପଡୁ ନ ଥିଲା। ଆମ ପିଲାବେଳେ ହୃଦୟସ୍ପର୍ଶୀ ଓ ଶ୍ରୁତିମଧୁର ଥିଲା ଚଳଚ୍ଚିତ୍ର ଓ ଆଧୁନିକ ଗୀତ। ବିଭିନ୍ନ ରାଗ ଓ ଶାସ୍ତ୍ରୀୟ ଆଧାରରେ ଲେଖାଯାଇଥିବା ଓ ବୋଲାଯାଇଥିବା ସେହି ଅଭୁଲା ଗୀତଗୁଡିକର ଏବେ ବି ଚାହିଦା କମିନାହିଁ। ଗାଁ ଗାଁରେ ପାଲା, ଦାସକାଠିଆ, ଧୁଡୁକି, ଗୋଟିପୁଅ ନୃତ୍ୟ ହେଉଥିଲା ମନୋରଞ୍ଜନର ଭରପୂର ଖୋରାକ। ନା ଥିଲା ସେଥିରେ ଆଜିର ଦିନ ଭଳି ଅଶ୍ଳୀଳତା ନା ଅବାସ୍ତବତା। ପରିବାର ସହ ସିନେମା ଦେଖିପାରୁଥିଲୁ ଓ ଗୀତ ବି ଶୁଣିପାରୁଥିଲୁ। ପୋଷାକପତ୍ର ଥିଲା ଶାଳିନତାପୂର୍ଣ୍ଣ ଓ ସମ୍ପୂର୍ଣ୍ଣ ଶରୀର ଆବୃତ୍ତ ରହୁଥିଲା। ଆଜିର ଦିନ ଭଳି ଉଚ୍ଚଦାମ୍‌ର ପୋଷାକ ପିନ୍ଧିଲେ ବି ଅଙ୍ଗ ପ୍ରଦର୍ଶନ କରିବାର କୌଣସି ଅଭିଳାଷ ରହୁ ନ ଥିଲା। ଆଜିର ଦିନ ଭଳି ମମ୍‌, ଡାଡ୍‌, ଆଣ୍ଟି, ଅଙ୍କଲ ଭଳି କେତୋଟି ମାତ୍ର ସମ୍ପର୍କରେ ଆବଦ୍ଧ ହେଉ ନ ଥିଲୁ ଆମେ। ସମ୍ପର୍କ ଥିଲା ବ୍ୟାପକ। ଗୁରୁଜନଙ୍କ ପ୍ରତି ଥିଲା ଅଜସ୍ର ଭକ୍ତି, ସମ୍ମାନ ଓ ଲଘୁଜନଙ୍କ ପ୍ରତି ଥିଲା ନିଃସ୍ବାର୍ଥ ପ୍ରେମ।
ବର୍ତ୍ତମାନ ନିଜ ପଡ଼ିଶାଘରର ଲୋକଙ୍କୁ ନ ଜାଣିବାର ସମୟ ଚାଲିଛି। ଆମେ ସେଇ ପିଢିର ମଣିଷ ଯାହାକୁ କେବଳ ନିଜ ଗାଁ ନୁହେଁ, ଆଖପାଖ ଦଶପନ୍ଦର ଖଣ୍ଡ ଗାଁର ଲୋକ ଚିହ୍ନୁଥିଲେ। ସେତେବେଳେ ଘର କଚ୍ଚା ଥିଲା, ଛୋଟ ଥିଲା। ହେଲେ ମଣିଷ ଅଧିକ ରହୁଥିଲେ ଓ ସମ୍ପର୍କ ମଜଭୁତ ଥିଲା। ଏବେ ତ ଘର ପକ୍କା ଓ ବଡ଼। ହେଲେ ମଣିଷ ରୁହନ୍ତି କମ୍‌ ଓ ସେମାନଙ୍କ ସମ୍ପର୍କ ଦୁର୍ବଳ। ଶେଷରେ ଏତିକି କହିବି ଯେ, ଯଦି ଆପଣମାନେ ମୋ ବୟସର ଆଖପାଖର ହୋଇଥାନ୍ତି, ତେବେ ଆପଣଙ୍କ ସେହି ସୁନେଲି ଅତୀତ ନିଶ୍ଚିତ ଆପଣଙ୍କୁ ବେଳେ ବେଳେ ଆନମନା କରୁଥିବ। ଭାବବିହ୍ବଳିତ କରୁଥିବ ଓ ରୋମାଞ୍ଚିତ ବି କରୁଥିବ। ସେହି ଅବିସ୍ମରଣୀୟ ମୁହୂର୍ତ୍ତ ସବୁକୁ ଭାବିବସିଲେ ଈଶ୍ୱରଙ୍କୁ ନିୟୁତ ଧନ୍ୟବାଦ ଦେବାକୁ ଇଚ୍ଛାହୁଏ କି ମଣିଷ ଓ ପ୍ରକୃତି ସହ ସମ୍ପର୍କର ମଧୁରତାକୁ ଜୀବନ୍ତ ଭାବରେ ଅନୁଭବ କରିବାର ଅନେକ ସୁଯୋଗ ସେ ଆମକୁ ଦେଇଛନ୍ତି। ଆମେ ଯାହାସବୁ ପାଇଛେ ତାହା ଆଉ କେହି ପାଇବେ ନାହିଁ କି ଆମ ପରି ଆଉ କେହି ହେବେ ନାହିଁ। ବିଶିଷ୍ଟ ଲେଖକ ବୈଷ୍ଣବ ମହାନ୍ତିଙ୍କ ୟୁଟ୍ୟୁବ୍‌ ଭାଷଣ ‘ଆମେ ତ ଭାଗ୍ୟବାନ୍‌ ବୁଢ଼ାରେ’ ଶୁଣିଲେ ଯେ କେହି ଏହା ହୃଦୟଙ୍ଗମ କରିବେ।
ମୋ-୯୪୩୭୨୩୨୪୬୩, ଇମେଲ-prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri