ଭାରତୀୟ ଅର୍ଥନୀତି କାହିଁକି ପ୍ରଭାବିତ

ଡ. ସନ୍ତୋଷ କୁମାର ମହାପାତ୍ର

ଅନେକ ସମୟରେ ଅଧିକାଂଶ ଲୋକ ବଡ଼ ପଦପଦବୀରେ ଥିବା ଲୋକଙ୍କ କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ସେମାନେ ମଧ୍ୟ ଜ୍ଞାନକୁ ପଦବୀ ସହିତ ଯୋଡ଼ିଥାନ୍ତି। କିନ୍ତୁ ବାସ୍ତବ କଥା ହେଉଛି, ଯେଉଁମାନେ ଉଚ୍ଚ ପଦପଦବୀରେ ଥା’ନ୍ତି, ସେମାନେ କ୍ୱଚିତ ସ୍ବାଧୀନ ମତ ଦେଇଥା’ନ୍ତି। ଯଦି ସେମାନେ ବଡ଼ ପ୍ରଶାସକ ତେବେ ସରକାରଙ୍କ ନୀତି ସପକ୍ଷରେ ହଁି କହିଥାନ୍ତି। ସେହିପରି ଯେଉଁମାନେ ମନ୍ତ୍ରୀ ବା ନେତା ସେମାନେ ଦଳୀୟ ଚିନ୍ତାଧାରା ଅନୁସାରେ ମତ ଦେଇଥାନ୍ତି। କିନ୍ତୁ ତାଙ୍କ କଥା ବା ମତରେ ନିରପେକ୍ଷତା ନ ଥିଲେ ମଧ୍ୟ ଲୋକ ତାଙ୍କୁ କ୍ୱଚିତ୍‌ ପ୍ରଶ୍ନ କରିଥାନ୍ତି। ବୁଦ୍ଧିଜୀବୀ, କ୍ଷମତାଶାଳୀ ଓ ଉଚ୍ଚ ପଦବୀରେ ଅଧିଷ୍ଠିତ ବ୍ୟକ୍ତିଙ୍କ ତ୍ରୁଟିପୂର୍ଣ୍ଣ ମତାମତର ସମୀକ୍ଷାକରି ଉତ୍ତର ରଖିବା ଉଚିତ। ନଚେତ୍‌ ‘ଗଣତନ୍ତ୍ର ବିପନ୍ନ ହେବ, ସରକାର ତାଙ୍କୁ ସୁହାଇଲା ପରି ସିଦ୍ଧାନ୍ତ ନେବେ’ ଏକଥା ଏଠାରେ ଉଲ୍ଲେଖ କରିବାର କାରଣ ନିକଟରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ତା’ର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଜିଏସ୍‌ଟି କ୍ଷତି ଭରଣା ଦେବାରେ ଅସମର୍ଥ ହେବା ଯୋଗୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରାମନ କରୋନା ସଂକ୍ରମଣକୁ ଦାୟୀ କରିବା ସହିତ ଏହା ଈଶ୍ୱରକୃତ ବୋଲି କହିଥିଲେ। ତାଙ୍କର କହିବା ଅନୁଯାୟୀ କରୋନାଜନିତ ସବୁ ସଙ୍କଟ ଈଶ୍ୱରକୃତ। ତାଙ୍କ ପରେ ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମଣ୍ୟମ୍‌ ଏବଂ ଜାତୀୟ ସ୍ତରର ଇଂଲିଶ ଖବରକାଗଜରେ ‘ଅନ ଇକୋନୋମି ଫଲୋ ଦି ଏଭିଡେନ୍ସ’ ଶୀର୍ଷକ ଲେଖାରେ ଭାରତର ଆର୍ଥିିକ ଅଭିବୃଦ୍ଧି ଯେଉଁ ଭୟଙ୍କର ଭାବେ ହ୍ରାସ ପାଇଛି ସେଥିପାଇଁ ମହାମାରୀ କରୋନାକୁ ଦାୟୀ କରିଛନ୍ତି। ତାଙ୍କ ପରେ ପରେ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏସବୁ ସମସ୍ୟାର ସମାଧାନ ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ ସପକ୍ଷରେ ଯୁକ୍ତି କରିଛନ୍ତି। ଉପରୋକ୍ତ ୩ଜଣଙ୍କର ମତାମତ ତ୍ରୁଟିପୂର୍ଣ୍ଣ ବୋଲି ଆମର ମନେହୁଏ।
ଯଦି କରୋନା ମହାମାରୀ ଆର୍ଥିିକ ଅଭିବୃଦ୍ଧି ହ୍ରାସର ସମ୍ପୂର୍ଣ୍ଣ କାରଣ ତେବେ ଭାରତର ଆର୍ଥିକ ଅଭିବୃଦ୍ଧି କାହିଁକି ଅନ୍ୟ ପ୍ରମୁଖ ଅର୍ଥନୀତି ତୁଳନାରେ ଅଧିକ ହ୍ରାସ ପାଇଛି। ଉଲ୍ଲେଖଯୋଗ୍ୟ, ଏପ୍ରିଲ-ଜୁନ୍‌ ୨୦୨୦ରେ ଜର୍ମାନୀ (୧୦.୧%), କାନାଡ଼ା (୧୨%), ଇଟାଲୀ (୧୨.୪%), ଫ୍ରାନ୍‌ସ (୧୩.୮%), ଆମେରିକା (୯.୧%) ହ୍ରାସ ପାଇଥିବା ବେଳେ ଭାରତୀୟ ଅର୍ଥନୀତି ୨୩.୯% ହ୍ରାସ ପାଇଛି। କିନ୍ତୁ ଚାଇନାର ଅଭିବୃଦ୍ଧି ହ୍ରାସ ନ ପାଇ ୩.୨% ବୃଦ୍ଧି ପାଇଛି। ଅନେକ ଖବରକାଗଜରେ ଭାରତର ବିଫଳତା ଲୁଚାଇବା ପାଇଁ ଆମେରିକାର ଆର୍ଥିକ ଅଭିବୃଦ୍ଧି ୩୨.୯% ହ୍ରାସ ପାଇଥିବା ପ୍ରକାଶ ପାଇଛି, ଯାହା ଭୁଲ୍‌ । ସାଧାରଣତଃ ୨ ପ୍ରକାରରେ ଆର୍ଥିକ ଅଭିବୃଦ୍ଧି ଆକଳନ ହୁଏ। ଚଳିତବର୍ଷର ଏକ ତ୍ରିମାସୀର ଜିଡିପି ପୂର୍ବ ଆର୍ଥିକ ବର୍ଷର ସେହି ତ୍ରିମାସୀ ତୁଳନାରେ କେତେ ବୃଦ୍ଧି ପାଇଛି ତାହା ବିଚାର କରାଯାଇଥାଏ। ସେହି ଅନୁସାରେ ଏପ୍ରିଲ-ଜୁନ୍‌ ୨୦୧୯ରେ ଭାରତ ଜିଡିପି ମୂଲ୍ୟ ୩୫.୩୫ ଲକ୍ଷ କୋଟି ଟଙ୍କା ହୋଇଥିଲାବେଳେ ୨୦୨୦ର ଏପ୍ରିଲ-ଜୁନ୍‌ରେ ଏହା ୨୬.୯୦ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି। ଅର୍ଥାତ୍‌ ୨୩.୯% ହ୍ରାସ ପାଇଛି। ଏହି ପଦ୍ଧତିରେ ଆମେରିକାର ଜିଡିପି ୯.୧% ହ୍ରାସ ପାଇଛି। କିନ୍ତୁ ଆମେରିକାରେ ଗୋଟିଏ ତ୍ରିମାସୀର ଜିଡିପି ପରିମାଣ ତା’ର ପୂର୍ବ ତ୍ରିମାସୀ ତୁଳନାରେ କେତେ ବୃଦ୍ଧି ପାଇଛି ବିଚାର କରାଯାଇଥାଏ। ସେହି ଅନୁସାରେ ଆମେରିକାର ଜି.ଡି.ପି. ୩୨.୯% ହ୍ରାସ ପାଇଛି। ପରେ ସଂଶୋଧିତ ଅଟକଳରେ ଏହା ୩୧.୭% ହୋଇଛି। ଏହି ପଦ୍ଧତିରେ ଯଦି ଭାରତର ଜି.ଡି.ପି. ଆକଳନ କରାଯାଏ ତେବେ ୨୯.୮% ହ୍ରାସ ପାଇଛି। ପୁନଶ୍ଚ ଭାରତରେ ଜିଡିପି ଆକଳନ ତ୍ରୁଟିପୂର୍ଣ୍ଣ ବୋଲି ଏକଥା ପୂର୍ବତନ ମୁଖ୍ୟ ଅର୍ଥନୈତିଜ୍ଞ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ୍‌ କହିଥିଲେ। ଆମର ଅଣ ସଂଗଠିତ କ୍ଷେତ୍ରର ଜିଡିପିକୁ ଅବଦାନ ୪୦%, କିନ୍ତୁ ଏହି କ୍ଷେତ୍ରର ତଥ୍ୟ ଠିକ୍‌ ଭାବେ ନିରୂପଣ ହୋଇ ନ ଥାଏ। ଏଣୁ ଭାରତର ପୂର୍ବତନ ମୁଖ୍ୟ ପରିସଂଖ୍ୟାନବିତ୍‌ ପ୍ରଣବ ସେନ୍‌ଙ୍କ ଅନୁସାରେ ଭାରତରେ ଜିଡିପି ୨୩.୯% ବଦଳରେ ୩୦ରୁ ୩୨% ହ୍ରାସ ପାଇଛି।
ପ୍ରଶ୍ନ ହେଉଛି ଭାରତର ଅର୍ଥନୀତି କାହିଁକି ଅଧିକ କ୍ଷତିଗ୍ରସ୍ତ ହେଲା। ଜଣେ ଭଲ ଶାସକ ସର୍ବଦା ଚେଷ୍ଟା କରିଥାଏ କିପରି ବିଭିନ୍ନ ପ୍ରାକୃତିକ ବା ଆର୍ଥିିକ ବିପର୍ଯ୍ୟୟରୁ ତା’ର ଦେଶ କମ୍‌ କ୍ଷତିଗ୍ରସ୍ତ ହୁଏ। ଉଦାହରଣ ସ୍ବରୂପ ବିଶ୍ୱ ଆର୍ଥିକ ସଙ୍କଟ ବା ଦି ଗ୍ରେଟ୍‌ ରିସେସନ୍‌ ଡିସେମ୍ବର ୨୦୦୭ରୁ ଆରମ୍ଭ ହୋଇ ଜୁନ୍‌ ୨୦୦୯ରେ ଶେଷ ହୋଇଥିଲା। ଏହି ଅବଧିରେ ବିଶ୍ୱ ଜିଡିପି ୪% ହ୍ରାସ ପାଇଥିଲାବେଳେ ଆମେରିକା ଜିଡିପି ୪.୨% ହ୍ରାସ ପାଇଥିଲା କିନ୍ତୁ ୨୦୦୭-୦୮ରେ ଭାରତର ଅଭିବୃଦ୍ଧି ୯.୩%, ୨୦୦୮-୦୯ରେ ୬.୭% ଏବଂ ୨୦୦୯-୧୦ରେ ୮.୪% ହୋଇଥିଲା। ସେହିପରି ଉପା ସରକାର ଅମଳରେ ବିଶ୍ୱ ଆର୍ଥତ୍କ ସଙ୍କଟ ବ୍ୟତୀତ ମୁଦ୍ରା ସଙ୍କଟ ଦେଖାଦେଇଥିଲା। କିନ୍ତୁ ଉପା-୧ ସରକାର ଅମଳରେ ଆର୍ଥିକ ଅଭିବୃଦ୍ଧି ୮.୮୬ ହୋଇଥିଲାବେଳେ ଉପା-୨ ଅମଳରେ ୭.୩୯% ହୋଇଥିଲା। କିନ୍ତୁ ନରେନ୍ଦ୍ର ମୋଦିଙ୍କ ପ୍ରଥମ ୫ ବର୍ଷରେ ଅଭିବୃଦ୍ଧି ୭.୧୬% ହୋଇଛି। ବର୍ତ୍ତମାନର ତଥ୍ୟ ଦେବା ଆବଶ୍ୟକ ନୁହେଁ ।
ଏହି ତଥ୍ୟରୁ କ’ଣ ପ୍ରମାଣିତ ହେଉନି ବର୍ତ୍ତମାନର ସରକାର ବିଭିନ୍ନ ସଙ୍କଟ ମୁକାବିଲା କରିବାରେ ବିଫଳ ଅଟନ୍ତି ଏବଂ ପୂର୍ବ ସରକାର ତୁଳନାରେ ବହୁତ ପଛରେ। ବାସ୍ତବରେ କରୋନା ମହାମାରୀ ଭାରତୀୟ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିବା ପୂର୍ବରୁ ଏହା ସରକାରଙ୍କ ବିଭିନ୍ନ ତ୍ରୁଟିପୂର୍ଣ୍ଣ ନୀତି ଯଥା କ୍ରୂର ବିମୁଦ୍ରୀକରଣ ଓ ତରବରିଆ ଜିଏସ୍‌ଟି ପ୍ରଚଳନ ଆର୍ଥିକ ଅଭିବୃଦ୍ଧିକୁ ନିମ୍ନମୁଖୀ କରିଥିଲା। ଏତଦ୍‌ବ୍ୟତୀତ ସରକାର କର୍ପୋରେଟମାନଙ୍କ ସ୍ବାର୍ଥକୁ ଅଧିକ ପ୍ରାଧାନ୍ୟ ଦେବା, ବିଭିନ୍ନ ଅର୍ଥନୈତିକ ସମସ୍ୟା ଯଥା ଦାରିଦ୍ର୍ୟ, କ୍ଷୁଧା, ବେକାରି ଓ ବୈଷମ୍ୟର ସମାଧାନ ପାଇଁ ଗୁରୁତ୍ୱ ନ ଦେଇ ବିଭିନ୍ନ ଭାବାବେଗ ସହିତ ଜଡିତ ପ୍ରସଙ୍ଗ ଉପରେ ପ୍ରାଧାନ୍ୟ ଦେବା, ଯୋଜନା ଆୟୋଗର ବିଲୟ, ପ୍ରତିମୂର୍ତ୍ତି ରାଜନୀତି, ନେହେରୁ- ପଟେଲ ତର୍କ ଆଦି ଉପରେ ସମୟ ବିତାଇବା ଯୋଗୁ ଅର୍ଥନୀତି ବିପର୍ଯ୍ୟୟମୁଖୀ ହୋଇଥିଲା। ଉଦାହରଣ ସ୍ବରୂପ ୨୦୧୮-୧୯ର ଜାନୁୟାରୀ-ମାର୍ଚ୍ଚ ପରଠାରୁ ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ା ଏହି ତ୍ରୈମାସୀରେ ଅଭିବୃଦ୍ଧି ୮.୨% ହୋଇଥିବା ବେଳେ ପରବର୍ତ୍ତୀ ତ୍ରୈମାସରେ ଏପ୍ରିଲ-ଜୁନ ୨୦୧୮(୭.୧%), ଜୁଲାଇ- ସେପ୍ଟେମ୍ବର (୬.୨%), ଅକ୍ଟୋବର-ଡିସେମ୍ବର (୫.୬%), ଜାନୁୟାରୀ-ମାର୍ଚ୍ଚ ୨୦୧୯ (୫.୭%), ଏପ୍ରିଲ-ଜୁନ (୫.୨%), ଜୁଲାଇ-ସେପ୍ଟେମ୍ବର (୪.୪%), ଅକ୍ଟୋବର-ଡିସେମ୍ବର (୪.୨%), ଜାନୁୟାରୀ-ମାର୍ଚ୍ଚରେ ୩.୧% ହ୍ରାସ ପାଇଥିଲା, ଯାହା ବିଗତ ୪୪ଟି ତ୍ରୈମାସରେ ସର୍ବନିମ୍ନ ।
ସେହିପରି ବାର୍ଷିକ ଅଭିବୃଦ୍ଧି ମଧ୍ୟ ୨୦୧୫-୧୬ରୁ ହ୍ରାସ ପାଇ ଚାଲିଛି । ଏହି ବର୍ଷ ଏହା ୮.୨% ଥିବା ବେଳେ ତା’ର ପରବର୍ତ୍ତୀ ବର୍ଷ ୨୦୧୬-୧୭ରେ ୭.୧%, ୨୦୧୭-୧୮ରେ ୭%, ୨୦୧୮-୧୯ରେ ୬.୧% ଏବଂ ୨୦୧୯-୨୦ରେ ୪.୨%କୁ ହ୍ରାସ ପାଇଛି; ଯାହା ଗତ ୧୧ ବର୍ଷରେ ସର୍ବନିମ୍ନ ା ୨୦୧୯-୨୦ ବର୍ଷରେ ଲକ୍‌ଡାଉନ୍‌ର ମାତ୍ର ୭ ଦିନର ପ୍ରଭାବ ରହିଛି ।
କେବଳ ଅଭିବୃଦ୍ଧି ନୁହେଁ ବିଭିନ୍ନ ସୂଚକାଙ୍କ ମଧ୍ୟ ଲକ୍‌ଡାଉନ୍‌ ପୂର୍ବରୁ ଭାରତୀୟ ଅର୍ଥନୀତି ନିମ୍ନମୁଖୀ ହୋଇଥିଲା । କୋର ସେକ୍ଟର ଅଭିବୃଦ୍ଧି ୨୦୧୮-୧୯ରେ ୪.୪% ହୋଇଥିବା ବେଳେ, ୨୦୧୯-୨୦ରେ ୦.୬%କୁ ହ୍ରାସ ପାଇଛି। ଟିକସ-ଜିଡିପି ଅନୁପାତ ଯାହା ୨୦୧୭-୧୮ରେ ୧୧.୭୨% ଥିଲା, ତାହା ୨୦୧୯-୨୦ରେ ୯.୮%କୁ ହ୍ରାସ ପାଇଛି। ବାହ୍ୟ ଋଣ ୨୦୧୪-୧୫ରେ ଯାହା ୪୭୫ ବିଲିୟନ ଡଲାର ଥିଲା ତାହା ୨୦୧୯-୨୦ରେ ୫୪୩ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ଋଣ ଓ ଜିଡିପି ଅନୁପାତ ଯାହା ୨୦୧୧-୧୨ରେ ୬୭.୪% ଥିଲା, ତାହା ୨୦୧୯-୨୦ରେ ୭୨.୨%କୁ ବୃଦ୍ଧି ପାଇଛି ।
ବ୍ୟାଙ୍କ ଜାଲିଆତି ପରିମାଣ ୨୦୧୪-୧୫ରେ ୧୯୪୫୫ କୋଟି ଟଙ୍କା ଥିବାବେଳେ ୨୦୧୯-୨୦ର ପ୍ରଥମ ୬ ମାସରେ ଏହା ୧୧୩୩୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି ା ଅଚଳ ସମ୍ପତ୍ତି ବୃଦ୍ଧି କଥା କହିବାର ଆବଶ୍ୟକ ନାହିଁ ା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ଉପା ସରକାରଙ୍କୁ ପ୍ରଶ୍ନ କରିଥିଲେ। କିନ୍ତୁ ତାଙ୍କ ଶାସନ ଅମଳରେ ଅଗଷ୍ଟ ୧୫ ସୁଦ୍ଧା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨୭.୮୩% ହ୍ରାସ ପାଇଛି ।
୨୦୧୭-୧୮ରେ ବେକାରି ହାର ୬.୮%ରେ ପହଞ୍ଚତ୍ଥିଲା, ଯାହା ଗତ ୪୫ ବର୍ଷରେ ସର୍ବାଧିକ। ପାରିବାରିକ ପରିବ୍ୟୟ ଗତ ୪ ଦଶନ୍ଧିରେ ସର୍ବନିମ୍ନ ସ୍ତରରେ ପହଞ୍ଚତ୍ଥିଲା। ନିଯୁକ୍ତି ପ୍ରଥମ ଥର ପାଇଁ ହ୍ରାସ ପାଇଥିଲା। ଅଜିମ୍‌ ପ୍ରେମ୍‌ଜୀ ବିଶ୍ୱବିଦ୍ୟାଳୟ ତଥ୍ୟ ଅନୁସାରେ ୨୦୧୧-୧୨ରୁ ୨୦୧୭-୧୮ ମଧ୍ୟରେ ନିଯୁକ୍ତି ୯୦ ଲକ୍ଷ ହ୍ରାସ ପାଇଥିଲା। ବିମୁଦ୍ରୀକରଣ ଯୋଗୁ ୨୦୧୬ରୁ ୨୦୧୮ ମଧ୍ୟରେ ନିଯୁକ୍ତି ୫୦ ଲକ୍ଷ ହ୍ରାସ ପାଇଛି। ଗ୍ରାମୀଣ ଦାରିଦ୍ର୍ୟ ବୃଦ୍ଧି ପାଇବା ଯୋଗୁ ଦାରିଦ୍ର୍ୟ ସୀମାରେଖା ତଳକୁ ୩ କୋଟି ଲୋକ ଖସି ଆସିଛନ୍ତି। ଏଣୁ କେନ୍ଦ୍ର ଅର୍ଥମନ୍ତ୍ରୀ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ତଥା ଭାଜପା ବିଭିନ୍ନ ନେତୃତ୍ୱ ବର୍ତ୍ତମାନର ଆର୍ଥିକ ସଙ୍କଟ ପାଇଁ କରୋନା ମହାମାରୀକୁ ଦାୟୀ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍‌ । କରୋନା ସଂକ୍ରମଣ ପୂର୍ବରୁ ଅର୍ଥନୀତି ବିପର୍ଯ୍ୟୟମୁଖୀ ଥିଲା। କରୋନା ମହାମାରୀ ଦେଖେଇଦେଲା ଯେ, ଆମ ଆର୍ଥତ୍କ ବ୍ୟବସ୍ଥା କିପରି ଦୁର୍ବଳ ା ବିଭିନ୍ନ ଆଭ୍ୟନ୍ତରୀଣ ବା ବାହ୍ୟ ସକ୍‌ ସହିବାକୁ ଶକ୍ତି ନାହିଁ।
ମୋ-୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri