ବୈଷମ୍ୟ ହଟିଲେ ଏକତା ଆସିବ

ଅକ୍ଷୟ କୁମାର ମିଶ୍ର

ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଏକତା ଥିଲେ ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ। କିନ୍ତୁ ବାସ୍ତବରେ ଆମେ ବହୁଧା ବିଭାଜିତ। ସବୁଠି ବିଭାଜନର ବିଷମଞ୍ଜି ସମ୍ପର୍କ ଓ ସଂହତିକୁ ଧ୍ୱଂସ କରି ଚାଲିଛି। ସମସ୍ତଙ୍କ ମୁହଁରେ ଏକତାର ମନ୍ତ୍ର କିନ୍ତୁ ବିଭାଜନର ତନ୍ତ୍ର ଆମକୁ କବଳିତ କରୁଛି । ଅସହିଷ୍ଣୁତା ଓ ଅନ୍ଧବିଶ୍ୱାସ ଆମକୁ ବିଭାଜିତ କରିଛି ତ ଅପସଂସ୍କୃତି ପରସ୍ପରଠାରୁ ଦୂରେଇ ଦେଇଛି। କିଛି ବିଧିବିଧାନ ଆମ ଭିତରେ ପ୍ରାଚୀର ସୃଷ୍ଟି କରୁଛି । କିଛି ରକ୍ଷଣଶୀଳ ଭାବନା ଆମକୁ ଏକାଠି ହେବାରେ ଅନ୍ତରାୟ ସାଜିଛି। ପ୍ରଶ୍ନ ଉଠେ; ଯଦି ମଣିଷ ସର୍ବଶ୍ରେଷ୍ଠ ପ୍ରାଣୀ ତେବେ ପରସ୍ପର ମଧ୍ୟରେ କାହିଁକି ଏତେ ଶତ୍ରୁତା, ବିଭାଜନ ଓ ପାର୍ଥକ୍ୟ? ଏଥି ପାଇଁ ଦାୟୀ କିଏ?
ଯେତେବେଳେ ମଣିଷ ବଣ ଜଙ୍ଗଲରେ ବାସ କରୁଥିଲା, ସେତେବେଳେ ତା’ ଭିତରେ ଏମିତି ବିଭାଜନ ନଥିଲା! ଆବଶ୍ୟକତାଠାରୁ ମଣିଷ ଯେତେବେଳେ ଅଧିକ ଉପତ୍ାଦନ କଲା; ତା’ ମୁଣ୍ଡକୁ ସମ୍ପଦ, ସମ୍ପତ୍ତି, ସଞ୍ଚୟ କଥା ଜୁଟିଲା । ମାଲିକାନା ଚାହିଁଲା। ଦଳ, ଦଳପତିର ଯୁଗ ଆସିଲା। ଆଞ୍ଚଳିକ ଭିିତ୍ତିରେ ବିଭାଜନର ସୂତ୍ରପାତ ହେଲା । ଭୂମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ ହେଲା। ଯିଏ ଅଧିକ ଶକ୍ତିଶାଳୀ ହେଲା, ସିଏ ଅଧିକ ଭୂମି ଦଖଲ କଲା। ବିଶେଷକରି ନଦୀକୂଳରେ ବଡ଼ ବଡ଼ ଜନବସତି ଗଢ଼ି ଉଠିଲା। ତା’ପରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସ କରୁଥିବା ଲୋକମାନେ ତା’ର ନାମକରଣ କଲେ। ଦେଶର ନାମ ଅନୁସାରେ ସେଠାରେ ବସବାସ କରୁଥିବା ଲୋକ ଏକ ଭିନ୍ନ ପରିଚୟ ପାଇଲେ। ଆରମ୍ଭ ହୋଇଗଲା ସୀମା ବିବାଦ। ଆମେ ଭାରତୀୟ, ସେ ଚାଇନା, ସେ ଜଣକ ପାକିସ୍ତାନୀ….. ଇତ୍ୟାଦି ନାମରେ ବିଭାଜିତ ହୋଇଗଲୁ। ଭୌଗୋଳିକ ବିଭାଜନ ସେଇଠି ଥମିଗଲା ନାହିଁ। ତା’ପରେ ଓଡ଼ିଆ, ବଙ୍ଗାଳୀ, ବିହାରୀ….। ଯଦିଓ ଏହା ପ୍ରଶାସନିକ ସୁବିଧା ନିମନ୍ତେ ଦେଶକୁ କେତେକ ରାଜ୍ୟ, ରାଜ୍ୟକୁ କେତେକ ଜିଲା, ବ୍ଲକ୍‌, ପଞ୍ଚାୟତ ଆଦିରେ ବିଭକ୍ତ କରାଯାଇଛି, ମାତ୍ର ଉଗ୍ର ଜାତୀୟତା ତଥା ସଂକୀର୍ଣ୍ଣ ଆଞ୍ଚଳିକବାଦର ଆବେଗ ଆମକୁ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ଉସୁକାଉଛି।
ଉଦ୍‌ବେଗଜନକ ପାଲଟିଛି ଧର୍ମକୁ ନେଇ ସୃଷ୍ଟି ହୋଇଚାଲିଥିବା ବିଭାଜନ। ଏହା ସତ୍ୟ ଯେତେ ଧର୍ମ ସେତେ ମତ, ସେତେ ପଥ । ପଥ ଅଲଗା ହେଲେ ମଧ୍ୟ ସବୁ ପଥର ଅନ୍ତିମ ସ୍ଥଳ ଏକ। ସବୁ ମତରେ ସମାନ କଥା ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ଏକ ଅଲୌକିକ ଶକ୍ତିଦ୍ୱାରା ଘଟିଛି। ସବୁ ଧର୍ମ ସେହି ଶକ୍ତିର ଭିଆଣ ବୋଲି କୁହାଗଲା। ସୁଖ ଶାନ୍ତିରେ ଜୀବନ ବିତାଇବା ଏବଂ ମୋକ୍ଷ ଲାଭ ପାଇଁ ଧର୍ମ ଏକ ମାଧ୍ୟମ ବୋଲି ଲୋକେ ବିଶ୍ୱାସ କରିବାକୁ ଲାଗିଲେ।
କିନ୍ତୁ ବାସ୍ତବତା ହେଉଛି ପ୍ରତ୍ୟେକ ଧର୍ମର ପ୍ରବର୍ତ୍ତକ କେହି ନା କେହି ଜଣେ ମଣିଷ। ସେ ଯାହା କହିଲେ ତାହା ହେଲା ବାଣୀ। ସେହି ବାଣୀକୁ ଯେଉଁମାନେ ଗ୍ରହଣ କଲେ ସେମାନେ ହେଲେ ଭକ୍ତ। ଭକ୍ତମାନେ ନିଜ ଧର୍ମର ପ୍ରଚାର ପ୍ରସାରରେ ଲାଗି ପଡ଼ିଲେ। ଦୀକ୍ଷିତ କରାଇଲେ। ଆରମ୍ଭ ହେଲା ପ୍ରତିଯୋଗିତା ।
ଧର୍ମାନ୍ତରୀକରଣ କରିବାରେ ଲାଗି ପଡ଼ିଲେ କିଛି ଅନୁଗାମୀ। ପ୍ରଚାର ଭିତରେ ଚାଲିଲା ଅପପ୍ରଚାର। ଏଥିରୁ ଜନ୍ମ ନେଲା ଘୃଣା, ବିଦ୍ୱେଷ, ଅସହିଷ୍ଣୁତା। ବ୍ୟକ୍ତିଠାରୁ ଗୋଷ୍ଠୀ ଭିତରକୁ ଏହା ସଂକ୍ରମିତ ହେଲା। ସଂକ୍ରମଣ ବ୍ୟାପିଲା ସମ୍ପ୍ରଦାୟ ଭିତରେ। ତା’ପରେ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଲା। ଇତିହାସ କହେ ଦୂରଦୃଷ୍ଟିର ଅଭାବ ହେତୁ କିଛି କିଛି ରାଷ୍ଟ୍ର ଏଥିରେ ଜଡ଼ିତ ହୋଇଗଲେ। ତା’ପରେ ଯୁଦ୍ଧ। ଏପରିକି ଧର୍ମ, ବିଶ୍ୱଯୁଦ୍ଧର କାରଣ ହେଲା । ଲକ୍ଷ ଲକ୍ଷ ନିରୀହ, ନିରପରାଧ ନରନାରୀ ହତ୍ୟା, ଧର୍ଷଣ, ଲୁଟତରାଜର ଶିକାର ହେଲେ। ଏହା ସତ୍ତ୍ୱେ ଏବେବି ଆମ ଭିତରେ ଶିଖ୍‌, ହିନ୍ଦୁ, ଇହୁଦୀ, ମୁସଲମାନ, ଖ୍ରୀଷ୍ଟିଆନ୍‌ ନାମିତ ବିଭାଜନର ଧର୍ମ ପ୍ରାଚୀର ଛିଡ଼ା ହୋଇଛି। ଆମେ ଇତିହାସରୁ କିଛି ଶିକ୍ଷା ଲାଭ କରିପାରିଲୁ ନାହିଁ। ଆମେ ବୁଝିବାକୁ ନାରାଜ ଯେ ଖାଦ୍ୟ ଓ ପୋଷାକ ଯେମିତି ମଣିଷର ନିଜସ୍ବ ରୁଚି, ଧର୍ମ ସେମିତି ମଣିଷର ବ୍ୟକ୍ତିଗତ ବିଶ୍ୱାସର ରୂପରେଖ। କିଏ କେଉଁ ଧର୍ମ ଗ୍ରହଣ କରିବ, କିଏ କେଉଁ ଧର୍ମକୁ ଭଲ ପାଇବ ଏହା ତା’ର ସ୍ବାଧୀନତା ହୋଇଥିଲା ବେଳେ ତାକୁ ନେଇ ବାଦବିବାଦ ଅତ୍ୟନ୍ତ ବେଦନାଦାୟକ। ଏହି କୁତ୍ସିତ ବିଭାଜନ ପ୍ରକ୍ରିୟାରୁ ଈଶ୍ୱର ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ମନ ଖୋଜି ହୁଏ ଈଶ୍ୱରଙ୍କ ସୃଷ୍ଟି ମଣିଷ ନା ମଣିଷଙ୍କ ସୃଷ୍ଟି ଈଶ୍ୱର? ଯଦି ଈଶ୍ୱରଙ୍କ ସୃଷ୍ଟି ମଣିଷ, ତେବେ ଈଶ୍ୱରଙ୍କୁ ଭାଗ ଭାଗ କଲା କିଏ?
କେବଳ ଏତିକିରେ ମଣିଷର ମନ ମାନିଲା ନାହିଁ ଯେ ଅସ୍ପୃଶ୍ୟତାର ଭିତ୍ତି ଉପରେ ଛିଡ଼ା ହେଲା ଆଉ ଏକ ବିଭାଜନ।
ଉତ୍କଟ ବର୍ଣ୍ଣ ବୈଷମ୍ୟର ବ୍ୟାଧି ମଣିଷର ମାନବିକତାକୁ ପଙ୍ଗୁ କରିଦେଲା। ଯାହା ଜଣାଯାଏ, ଏହି ଘୃଣ୍ୟ ଜାତିପ୍ରଥାର ଉପତ୍ତ୍ତି ଧର୍ମ ଓ କର୍ମକୁ ନେଇ। ଧର୍ମୀୟ ମତବାଦ ଅନୁସାରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖଗହ୍ବର ଦେଇ ଜାତ ମଣିଷ ହେଲେ କ୍ଷତ୍ରିୟ, ଚକ୍ଷୁ ଦେଇ ଆଗମନ ମଣିଷ ହେଲେ ବ୍ରାହ୍ମଣ, ଜାନୁରୁ ଜାତ ମଣିଷ ହେଲେ ବୈଶ୍ୟ, ପାଦରୁ ପଦାର୍ପଣ କରିଥିବା ମଣିଷ ହେଲେ ଶୂଦ୍ର। କିନ୍ତୁ ଐତିହାସିକଙ୍କ ମତରେ କର୍ମ ଆଧାରରେ ମାନବ ସମାଜକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଯେଉଁମାନେ ପୂଜାର୍ଚ୍ଚନା କଲେ ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିବା ବେଳେ ଯେଉଁମାନେ ଯୁଦ୍ଧରେ ଅଂଶଗ୍ରହଣ କଲେ ସେମାନେ ହେଲେ କ୍ଷତ୍ରିୟ। କୃଷିକାର୍ଯ୍ୟ କରୁଥିବା ଲୋକମାନଙ୍କୁ ବୈଶ୍ୟ ଏବଂ ସେବା କାର୍ଯ୍ୟରେ ଯେଉଁମାନେ ନିୟୋଜିତ ହେଲେ ସେମାନଙ୍କୁ ଶୂଦ୍ର ବୋଲି କୁହାଗଲା। ପରବର୍ତ୍ତୀ ସମୟରେ ଏହି ବିଭାଜନ ଆହୁରି ତୀବ୍ରତର ହେଲା। ଆଜି ସମାଜରେ ପଚିଶ ହଜାରରୁ ଊର୍ଦ୍ଧ୍ୱ ଜାତି ଅଛି ବୋଲି କୁହାଯାଉଛି। ଜାତି-ଜାତି ଭିତରେ ସମ୍ପର୍କ ଅତି ତିକ୍ତ। ଛୁଆଁ ଅଛୁଆଁର ଭେଦଭାବ ଭରପୂର। ପ୍ରଥା ଓ ପରମ୍ପରାକୁ ନେଇ ବିବାଦ, ମନ୍ଦିର ପ୍ରବେଶକୁ ନେଇ ପୋଡ଼ାଜଳା, ମାରପିଟ୍‌ ଭଳି ଅଘଟଣ ଘଟିଚାଲିଛି। ଛାଇ ପଡ଼ିଲେ ଭୋଗ ଅପବିତ୍ର ହୋଇଯାଉଛି, ଛୁଇଁଦେଲେ ପାଣି ମାରା ହୋଇଯାଉଛି। ଏମିତି ଅନ୍ଧବିଶ୍ୱାସ, ଅସଭ୍ୟ ଆଚରଣ ଆମକୁ କବଳିତ କରି ରଖିଥିବା ଯାଏ ଐକ୍ୟ, ସଂହତି ଯେ ପ୍ରତି ମୁହୂର୍ତ୍ତରେ ବାଧାପ୍ରାପ୍ତ ହେଉଥିବ ଏଥିରେ ସନ୍ଦେହ ନାହିଁ।
ମନରେ ପ୍ରଶ୍ନ ଉଠେ ଉଚ୍ଚ ଜାତି ଓ ନୀଚଜାତି, ସବର୍ଣ୍ଣ ଓ ଅସବର୍ଣ୍ଣ, ଆର୍ଯ୍ୟ ଓ ଅନାର୍ଯ୍ୟ ଏସବୁ ଯଦି ଐଶ୍ୱରିକ ଅବଦାନ, ତେବେ ପଚିଶ ହଜାରରୁ ଊର୍ଦ୍ଧ୍ୱ ଜାତିର ଜନକ କିଏ? ପୁଣି କର୍ମ ଆଧାରରେ ଯଦି ଚାରୋଟି ଜାତିକୁ ସୃଷ୍ଟି କରାଯାଇଥିଲା, ତେବେ ଏତେ ପ୍ରକାରର ଉପଜାତି କେମିତି ହେଲା? ଯଦି ହେଲା, ଏବେ ତ ସମସ୍ତେ ସବୁ ପ୍ରକାର କାର୍ଯ୍ୟ କରିବାର ସ୍ବାଧୀନତା ପାଇଛନ୍ତି, ତେବେ ଜାତିପ୍ରଥାକୁ ନେଇ ଆମେ କାହିଁକି ବିଭାଜିତ? ଏହା ସ୍ପଷ୍ଟ ଯେ , ସବୁ ବିଭେଦ, ବିଭାଜନ ଓ ବୈଷମ୍ୟର ସୃଷ୍ଟିକର୍ତ୍ତା ଏହି ମଣିଷ। ଯେଉଁ ସବୁ ପ୍ରଥା, ପରମ୍ପରା, ପ୍ରକ୍ରିୟା ମଣିଷ-ମଣିଷ ଭିତରେ ଦୂରତା ବୃଦ୍ଧି କରୁଛି ମଣିଷ ଚାହିଁଲେ ସେ ସବୁ ପ୍ରାଚୀର ଅଚିରେ ଧୂଳିସାତ୍‌ କରିଦେଇ ପାରିବ। ଏଥିପାଇଁ ଲୋଡ଼ା ମାନବୀୟ ଗୁଣ, ମାନବିକ ମୂଲ୍ୟବୋଧ।
ସଭାପତି, ଓଷ୍ଟା
ମୋ : ୯୯୩୮୭୬୩୨୩୭


Enter your email to get our daily news in your inbox.

All Right Reserved By Dharitri.Com

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?