ବୃଦ୍ଧାବସ୍ଥା ଓ ସାର୍ବଜନୀନ ପେନ୍‌ସନ

ଇଂ. ଶକ୍ତି ପ୍ରସାଦ ଦାସ

ଭାରତରେ ବୟସ୍କଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ସ୍ବଳ୍ପ। ଏହି ପୃଷ୍ଠଭୂମିରେ ସେମାନଙ୍କ ଲାଗି ସାମାଜିକ ସୁରକ୍ଷାର ଗୁରୁତ୍ୱ ରହିଛିି। ବୟସ୍କଙ୍କ ପାଇଁ ଆୟ-ସୁରକ୍ଷା ସାଧାରଣ ପେନ୍‌ସନ ବ୍ୟବସ୍ଥାର ମୂଳଦୁଆ ଉପରେ ନିର୍ମାଣ କରାଯିବା ଆବଶ୍ୟକ । ଭାରତରେ ସାର୍ବଜନୀନ ନୀତିକୁ ଆଧାର କରି ବ୍ୟାପକ ପେନ୍‌ସନ ବ୍ୟବସ୍ଥା କରିବା ଦରକାର, ଯେପରି କି ଜଣେ ହେଲେ ବୟସ୍କ ଅଲୋଡ଼ା ରହି ନ ଯିବେ। ଦେଶରେ ସମୁଦାୟ କାର୍ଯ୍ୟବଳର ୮୦ ପ୍ରତିଶତରୁ ଅଧିକ ସ୍ବଳ୍ପ ମଜୁରିଯୁକ୍ତ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟରତ। ସେମାନଙ୍କ ପାଇଁ ପେନ୍‌ସନ କିମ୍ବା ଅବସରକାଳୀନ ସୁବିଧା କିଛି ନ ଥାଏ। ବିନା ସଞ୍ଚୟ ଓ ବିନା ପେନ୍‌ସନରେ ଅବସର ସମୟ କାଟନ୍ତି। ଅବସର ପରେ ଯୌଥ ପରିବାର ହେଉଛି ସେମାନଙ୍କ ପାଇଁ ଏକମାତ୍ର ଭରସା। ମୁକ୍ତ ଅର୍ଥନୀତିର ପ୍ରଭାବରେ ବ୍ୟାପକ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନର ଫଳ ସ୍ବରୂପ ଶ୍ରମଯୋଗ୍ୟ ଲୋକଙ୍କ ସମୂହ ପ୍ରବାସନ ବୟସ୍କଙ୍କୁ ସମୟକ୍ରମେ ଅସହାୟ କରିଦେଉଛି। ଏଣୁ ବୟସ୍କମାନଙ୍କ ଅବସର ପରବର୍ତ୍ତୀ ସାଧାରଣ ଜୀବନଯାପନକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ବୃଦ୍ଧାବସ୍ଥା ପେନ୍‌ସନ ବାବଦରେ ସମ୍ବଳ ଓ ବ୍ୟୟ ମଧ୍ୟରେ ଦୀର୍ଘମିଆଦୀ ସନ୍ତୁଳନ ଆଣିବାରେ ସରକାରଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ।
ବୟସ୍କଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥାକୁ ବ୍ୟାପକ କରିବାରେ ମୁଖ୍ୟ ଅନ୍ତରାୟ ହେଉଛି ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଦୀର୍ଘକାଳୀନ ଭିତ୍ତିରେ ଏକ ସୁସଙ୍ଗଠିତ ପେନ୍‌ସନ ବ୍ୟବସ୍ଥା ପାଇଁ ଆର୍ଥିକ ବ୍ୟୟବରାଦକୁ ପ୍ରାଥମିକତା ଦେବାରେ ଇଚ୍ଛାଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ । ରୋଜଗାର କ୍ଷେତ୍ରରେ ଉଚ୍ଚସ୍ତରର ଅନୌପଚାରିକତା ଏବଂ ଅଂଶଦାନକାରୀ ଓ ହିତାଧିକାରୀଙ୍କ ଆତ୍ମବିଶ୍ୱାସର ଅଭାବ ବୃଦ୍ଧାବସ୍ଥା ପେନ୍‌ସନ ବ୍ୟବସ୍ଥାର ମୁଖ୍ୟ ଆହ୍ବାନ ରୂପେ ଛିଡ଼ା ହୋଇଛି। ତେଣୁ, ଶ୍ରମ-ବଜାର ନୀତିକୁ ସୁଦୃଢ କରି ଔପଚାରିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଅଣ-ଅଂଶଦାନ ଓ ଆଂଶିକ-ଅଂଶଦାନ ଯୋଜନାଗୁଡିକ ପାଇଁ ପୂର୍ବରୁ ଦିଆଯାଇଥିବା ଆର୍ଥିକ ପ୍ରାବଧାନକୁ ସୁରକ୍ଷା ଦେଇ ସାମାଜିକ ବୀମା ବ୍ୟବସ୍ଥାକୁ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିବାକୁ ହେବ। ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଅଗ୍ରଗତି ସତ୍ତ୍ୱେ, ଆମ ଦେଶରେ ଅବସର କାଳୀନ ପେନ୍‌ସନର ପର୍ଯ୍ୟାପ୍ତତା ଏକ ପ୍ରମୁଖ ଆହ୍ବାନ ହୋଇ ରହିଛି । ଅଣ-ଅଂଶଦାନ ପେନ୍‌ସନ ପରିମାଣ ଜାତୀୟ ଦାରିଦ୍ର୍ୟ ସୀମାରେଖାର ୪୦ ପ୍ରତିଶତରୁ କମ୍‌ ରହିଥିବାର ଦେଖାଯାଏ। ସେଥିପାଇଁ ସାମାଜିକ ପେନ୍‌ସନ ଗ୍ରହଣ କରୁଥିବା ବୟସ୍କମାନେ ଦାରିଦ୍ର୍ୟର କଷାଘାତ ସହୁଛନ୍ତି। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ଜନସଂଖ୍ୟାରେ ପରିବର୍ତ୍ତନ ସହିତ ପେନ୍‌ସନ ପରିମାଣକୁ ସମୟୋଚିିତ କରିବାକୁ ହେବ।
ଦେଶରେ ପ୍ରଚଳିତ ପ୍ରମୁଖ ବୃଦ୍ଧାବସ୍ଥା ପେନ୍‌ସନ ଯୋଜନା ସବୁର ସାମ୍ପ୍ରତିକ ସ୍ଥିତିକୁ ଟିକିଏ ପରଖି ନେବା ।
ସରକାରୀ ଚାକିରିଆଙ୍କ ପାଇଁ କେନ୍ଦ୍ର କିମ୍ବା ସମ୍ପୃକ୍ତ ରାଜ୍ୟ ସରକାର ପରିଭାଷିତ ସୁବିଧା(ଡିଫାଇଣ୍ଡ ବେନିଫିଟ) ଭିତ୍ତିରେ ନିଜର ଚଳନ୍ତି ରାଜସ୍ବରୁ ପେନ୍‌ସନ ଦିଅନ୍ତି। ୨୦୦୪ ପରଠାରୁ ନୂତନ କର୍ମଚାରୀଙ୍କ ପାଇଁ ପରିଭାଷିତ ସୁବିଧା, ପରିଭାଷିତ ଅଂଶଦାନ(ଡିଫାଇଣ୍ଡ କଣ୍ଟ୍ରିବ୍ୟୁଶନ)ରେ ପରିବର୍ତ୍ତିତ ହୋଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ଯୋଜନା (ଇପିଏଫ୍‌ଓ) ‘କର୍ମଚାରୀ ଭବିଷ୍ୟନିଧି ଅଧିନିୟମ-୧୯୫୨’ ଦ୍ୱାରା ପରିଚାଳିତ ହୁଏ। ଏହା ସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଅଂଶଦାନ କୃତ ଭବିଷ୍ୟନିଧି, ପେନ୍‌ସନ ଯୋଜନା ଏବଂ ଏକ ବୀମା ଯୋଜନାକୁ ପରିଚାଳନା କରିଥାଏ। ଅକ୍ଟୋବର, ୨୦୧୯ ସୁଦ୍ଧା ୪.୫୦କୋଟି ସଦସ୍ୟଙ୍କ ସହିତ ୬୫ ଲକ୍ଷ ପେନ୍‌ସନଭୋଗୀ ଏହି ଯୋଜନା ଅଧୀନରେ ସକ୍ରିୟ ଥିବାର ଜଣାଯାଏ। ସ୍ବଚ୍ଛତାର ଅଭାବରୁ ହିତାଧିକାରୀ ଓ ବିଶେଷଜ୍ଞମାନେ ଏହାକୁ ‘ବ୍ଲାକ ହୋଲ୍‌’ ବା ‘କୃଷ୍ଣ ଗୌହର’ ନାମରେ ଅଭିହିତ କରୁଛନ୍ତି। ପ୍ରାୟ ୪.୫୦କୋଟି ବେତନପ୍ରାପ୍ତ କର୍ମଚାରୀଙ୍କ ୧୦ ଲକ୍ଷ କୋଟି ଟଙ୍କାର ଅବସରକାଳୀନ ସଞ୍ଚିତ ପାଣ୍ଠିର ପରିଚାଳନାରେ ଅଧିକ ସ୍ବଚ୍ଛତା ଆବଶ୍ୟକ। ଇପିଏଫ୍‌ଓ ତା’ର ସମ୍ପତ୍ତି ଓ ଆର୍ଥିକ ଦେୟକୁ ଆଧାର କରି ନିଜର କାର୍ଯ୍ୟଦକ୍ଷତାକୁ ସାଧାରଣରେ ପ୍ରକାଶ କରି ଆର୍ଥିକ ବଜାରରେ ନିଜର ଏକ ସ୍ପଷ୍ଟ ପରିଚୟ ସୃଷ୍ଟି କଲେ ସାଧାରଣରେ ଏହାର ବିଶ୍ୱସନୀୟତା ବଢ଼ିବ।
ବିଭିନ୍ନ ମାମଲାରେ ସରକାରଙ୍କ ନୀତିରେ ସ୍ପଷ୍ଟତା ଅଭାବରୁ ସଂଗଠନ ଅନେକ କ୍ଷେତ୍ରରେ କାମଚଳା ନୀତି ଆପଣାଇବା ପରି ମନେହୁଏ। ଅଂଶଦାନକାରୀଙ୍କ ସଞ୍ଚିତ ଅର୍ଥର ପରିଚାଳନା କରିବା ବାବଦରେ ଅର୍ଥ ପାଉଥିଲେ ମଧ୍ୟ ଗ୍ରାହକ-ସେବାରେ ସଂଗଠନର ଉତ୍ତରଦାୟିତ୍ୱ ଉତ୍ସାହପ୍ରଦ ନୁହେଁ। ସମୁଦାୟ ୪.୫୦କୋଟି ସକ୍ରିୟ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୩୬ ନିୟୁତ କର୍ମଚାରୀ ମାସକୁ ୧୫,୦୦୦ ଟଙ୍କାରୁ କମ୍‌ ବେତନ ପାଉଛନ୍ତି। ଏହି ସ୍ବଳ୍ପ ବେତନଭୋଗୀ ଶ୍ରମିକମାନଙ୍କ ବେତନରୁ ଏକ ବଡ଼ ଅଂଶ(୧୨ପ୍ରତିଶତ) ବାଧ୍ୟତାମୂଳକ ଭବିଷ୍ୟନିଧି ଅଂଶଦାନ ହିସାବରେ ଦେଲାବେଳକୁ ସେମାନଙ୍କୁ ଘର ଚଳାଇବା କାଠିକରପାଠ ହେଉଛି। ବୃଦ୍ଧାବସ୍ଥା ଉଦ୍ଦେଶ୍ୟରେ ସଞ୍ଚୟ କରିବା ଅପେକ୍ଷା ବର୍ତ୍ତମାନର ବେତନ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାର ନୂ୍ୟନତମ ୧୦୦୦ ଟଙ୍କା ପେନ୍‌ସନ ବୃଦ୍ଧାବସ୍ଥାରେ ପେନ୍‌ସନଗ୍ରାହୀକୁ ବିଦ୍ରୂପ କଲାଭଳି ସ୍ଥିତି। ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ନୂ୍ୟନତମ ପେନ୍‌ସନର ପୁନଃ ନିର୍ଦ୍ଧାରଣ ପାଇଁ ରାୟ ଦେଇଥିଲେ ମଧ୍ୟ ସରକାର ଅର୍ଥାଭାବର କାରଣ ଦର୍ଶାଇ କୋର୍ଟରେ ସମୟ ଗଡାଇ ଚାଲିଛନ୍ତି । ନିଜର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରି ୬୫ଲକ୍ଷ ପେନ୍‌ସନଭୋଗୀଙ୍କୁ ଏକ ସମ୍ମାନଯୋଗ୍ୟ ଜୀବନଯାପନ ପାଇଁ ଉପଯୁକ୍ତ ପରିମାଣର ମାସିକ ପେନ୍‌ସନ ଉପଲବ୍ଧ କରାଇବା ସଙ୍ଗଠନର ଦାୟିତ୍ୱ ନୁହେଁ କି ?
ଏହା ବାଦ୍‌, ବୃତ୍ତିଗତ ପେନ୍‌ସନ ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌), ରାଷ୍ଟ୍ରୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌) ଇତ୍ୟାଦି ବ୍ୟକ୍ତିଗତ ଅଂଶଦାନ କୃତ ଅବସର ଯୋଜନା ସରକାରୀ କିମ୍ବା ସରକାରୀ-ଘରୋଇ ମିଳିତ ଯୋଜନା ମାଧ୍ୟମରେ ଚାଲୁରହିଥିଲେ ମଧ୍ୟ ଏସବୁ ଯୋଜନା ସାର୍ବଜନୀନ ଭାବରେ ଆଦୃତ ହୋଇପାରିନାହିଁ । ‘ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ ଯୋଜନା’ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୬୦ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ବୃଦ୍ଧାବସ୍ଥା ପେନ୍‌ସନ ପାଇବାକୁ ଯୋଗ୍ୟ। ଏହା ଏକ ସରକାରୀ ଅନୁଦାନପ୍ରାପ୍ତ ଅଣ-ଅଂଶଦାନ ସାମାଜିକ ପେନ୍‌ସନ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ମାସିକ କେନ୍ଦ୍ରୀୟ ଯୋଗଦାନ ବ୍ୟକ୍ତିପିଛା ୨୦୦ଟଙ୍କା(୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ୫୦୦ ଟଙ୍କା) ଗତ ୨୦୦୭ ମସିହାରୁ ସଂଶୋଧିତ ହୋଇନାହିଁ। ମୁଦ୍ରାସ୍ଫୀତିକୁ ସମୟୋଚିତ କରିବା ମଧ୍ୟ ଦେଖାଯାଇ ନାହିଁ । ୨୦୦୭ରୁ ୨୦୨୦ ମଧ୍ୟରେ ଗ୍ରାହକ ମୂଲ୍ୟ ସୂଚକାଙ୍କ(ସିପିଆଇ)ର ବାର୍ଷିକ ହାରାହାରି ୭.୫ ପ୍ରତିଶତ ହ୍ରାସକୁ ହିସାବକୁ ନେଲେ ୨୦୦ ଟଙ୍କାର ଆଜିର ମୂଲ୍ୟ ୭୩ ଟଙ୍କା ।
‘ଆଇଏଲଓ’ର ସାମାଜିକ ସୁରକ୍ଷା ମାନକ ଅନୁସାରେ ଜଣେ ସାଧାରଣ ଅଣକୁଶଳୀ ଶ୍ରମିକର ହାରାହାରି ରୋଜଗାରର ଏକ ନିର୍ଦ୍ଦିଷ୍ଟ ଅନୁପାତ ଅବସର ପରେ ସର୍ବନିମ୍ନ ଆୟ-ସ୍ତର ହେବା ବିଧେୟ।
ଭାରତରେ ପ୍ରଚଳିତ ଭବଷ୍ୟନିଧି ଯୋଜନାଗୁଡ଼ିକ ଇଚ୍ଛାମୂଳକ ଅଥବା ସ୍ବେଚ୍ଛାକୃତ ହୋଇଥିବାରୁ ଏସବୁ ଯୋଜନା ଦେଶରେ ବ୍ୟାପକ ହୋଇପାରିନାହିଁ । ତେଣୁ, ଭାରତରେ ଏକ ଭିନ୍ନ ଧରଣର ସର୍ବନିମ୍ନ ପେନ୍‌ସନ ଯୋଜନାର ଆବଶ୍ୟକତା ରହିଛି, ଯାହା ଦେଶ ଉପରେ ଆର୍ଥିକ ବୋଝ ହ୍ରାସ କରି ଅଧିକାଂଶ ଶ୍ରମିକଙ୍କୁ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରିପାରିବ ।
ଏହାକୁ ‘ବିଭରେଜିଆନ୍‌’ ପେନ୍‌ସନ କୁହାଯାଉଛି । ପ୍ରଦାନ କରାଯାଇଥିବା ଅଂଶଦାନ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥାରେ ସମାନ ପେନ୍‌ସନ ସୁବିଧା ପ୍ରଦାନ କରାଯାଇଥାଏ। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଦ୍ୱାରା ପ୍ରକାଶିତ ବିଶ୍ୱ ଜନସଂଖ୍ୟା ସ୍ଥିତି ରେପୋର୍ଟ-୨୦୧୯ ଅନୁଯାୟୀ ଭାରତର ପ୍ରାୟ ୮ କୋଟି ଲୋକ ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ଅଟନ୍ତି। ମୋଟାମୋଟି ଭାବରେ ଯଦି ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୫୦୦ଟଙ୍କା ହିସାବରେ ପେନ୍‌ସନ ପ୍ରଦାନ କରାଯାଏ ତେବେ ସରକାରୀ ତହବିଲ ଉପରେ ଏହାର ଆର୍ଥିକ ପ୍ରଭାବ ୪୮,୦୦୦ କୋଟି ଟଙ୍କା ରହିବ। ୨୦୨୦-୨୧ରେ ଭାରତ ସରକାରଙ୍କ ସମୁଦାୟ ଖାଦ୍ୟ ସବ୍‌ସିଡି ପରିମାଣ(ଏଫ୍‌ସିଆଇ କ୍ଷତି ସହିତ) ପ୍ରାୟ ୧.୬୬ ଲକ୍ଷ କୋଟି ରହିଛି। ସାର୍ବଜନୀନ ପେନ୍‌ସନ ଖର୍ଚ୍ଚ ସମୁଦାୟ ଖାଦ୍ୟ ସବ୍‌ସିଡିର ଏକ-ତୃତୀୟାଂଶରୁ କମ୍‌ ହେବ।
ଦେଶରେ କାର୍ଯ୍ୟରତ ଶ୍ରମବଳର ପ୍ରାୟ ୮୦ ପ୍ରତିଶତ କୌଣସି ପେନ୍‌ସନ ପାଆନ୍ତିନି । ‘କ୍ରେଡିଟ୍‌ ସୁଇସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ର ଅଧ୍ୟୟନରୁ ଜଣାଯାଏ ଯେ, ବୃଦ୍ଧାବସ୍ଥା ପେନ୍‌ସନ ବାବଦରେ ଭାରତର ଖର୍ଚ୍ଚ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ମାତ୍ର ଏକ ପ୍ରତିଶତ। ଅଂଶଦାନ କୃତ ପେନ୍‌ସନ ସହିତ ଅଣ-ଅଂଶଦାନ ପେନ୍‌ସନର ଯୁକ୍ତିଯୁକ୍ତ ସମ୍ମିଶ୍ରଣରେ ଏକ ସାର୍ବଜନୀନ ପେନ୍‌ସନ ଯୋଜନା ଲକ୍ଷ ଲକ୍ଷ ଶ୍ରମଜୀବୀଙ୍କ ଅବସର ପରବର୍ତ୍ତୀ ଜୀବନକୁ ସହଜ କରିପାରିବ। ଆର୍ଜେଣ୍ଟିନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଥାଇଲାଣ୍ଡ ଭଳି ବହୁ ବିକାଶଶୀଳ ଦେଶ ଏହା ମଧ୍ୟରେ ସାର୍ବଜନୀନ ପେନ୍‌ସନରେ ସଫଳତା ହାସଲ କରିଛନ୍ତି। ତେଣୁ, ଆମ ଦେଶରେ ଏହା ସମ୍ଭବ। ଆବଶ୍ୟକ କେବଳ ଇଚ୍ଛାଶକ୍ତି।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର ମୋ: ୯୪୩୭୧୬୪୬୧୧, Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri