ଖାପ୍‌ ପଞ୍ଚାୟତ ଓ ପୋଲିସ ସଂସ୍କାର

ଯୁଧିଷ୍ଠିର ମହାରଣା

 

ଜାତି , ଗୋଷ୍ଠୀ ବା ପରିବାରର ମାନସମ୍ମାନ ରକ୍ଷା ନଁାରେ ଅନେକ ଅପରାଧ ସଂଘଟିତ ହୋଇଥାଏ। ଏଥିପାଇଁ ଭାରତୀୟ ସମାଜରେ ପ୍ରଚଳିତ ଘୃଣ୍ୟ ଜାତିପ୍ରଥା ହୁଏତ ଅନେକାଂଶରେ ଦାୟୀ, କିନ୍ତୁ ଏହା ବାଦ୍‌ ଆହୁରି କେତେକ କାରଣ ମଧ୍ୟ ରହିଛି। ସେଗୁଡିକ ହେଲା ଭାରତୀୟ ସମାଜର ସାମନ୍ତବାଦୀ ସଂରଚନା, ମନରେ ବଦ୍ଧମୂଳ ହୋଇ ରହିଥିବା ଘୃଣା ବା ଅସହିଷ୍ଣୁତା ଏବଂ ପିତୃକୈନ୍ଦ୍ରିକ ମନୋବୃତ୍ତି ଏପରି କି‘ଅନର କିଲିଂ’ ବା ‘ପରିବାରର ମାନ ଇଜ୍ଜତ ରକ୍ଷା କରିବା ପାଇଁ ହତ୍ୟା ।
ଆଇନକାନୁନ୍‌ ତିଆରି କରି ଏଭଳି ମାନସିକତାକୁ ରାତାରାତି ହଟାଇ ଦେବା ତ ସମ୍ଭବପର ନୁହେଁ, ତଥାପି ଏକ କଠୋର ଆଇନ ବ୍ୟବସ୍ଥା ମାନସମ୍ମାନ ବା ଇଜ୍ଜତ ନଁାରେ ସମାଜରୁ ସଂଘଟିତ ହେଉଥିବା ହତ୍ୟା ବା ସାମାଜିକ ବାସନ୍ଦ କରିବା ଭଳି ମଧ୍ୟଯୁଗୀୟ ମାନସିକତାକୁ ଦୂର କରିବାରେ ଅନେକ ପରିମାଣରେ ସହାୟକ ହେବ। ଏହି ପରିପ୍ରେକ୍ଷୀରେ ତେଣୁ ଆନ୍ତଃଜାତି ବା ସମାନ ଗୋତ୍ରରେ ବିବାହକୁ ବିରୋଧ କରୁଥିବା ବୟସ୍କ ଲୋକମାନଙ୍କୁ ନେଇ ଗଠିତ ଖାପ୍‌ ପଞ୍ଚାୟତଗୁଡ଼ିକ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ କଟୁ ମନ୍ତବ୍ୟ ପ୍ରଦାନ ଏବଂ ସେମାନଙ୍କୁ କାବୁ କରିବା ପାଇଁ ଦୃଢ଼ହସ୍ତରେ ସେମାନଙ୍କୁ ଦମନ କରିବାକୁ ଫତୱା ଜାରି କରିବା ବା ନିର୍ଦ୍ଦେଶ ଦେବା ବେଶ୍‌ ଗୁରୁତ୍ୱ ରଖେ। ପରସ୍ପରକୁ ଭଲ ପାଉଥିବା ଯୁବକ ଯୁବତୀଙ୍କ ବିବାହ କରିବାର ଯୋଜନାକୁ ପଣ୍ଡ କରିଦେବା, ପୁଣି ଜାତିଆଣ ଭାବ ଭଳି ଏକ ପୁରୁଣାକାଳିଆ ପ୍ରଥା ଆଳରେ କନ୍ୟା ବା ବରକୁ ହତ୍ୟା କରିବାଠାରୁ ଘୃଣ୍ୟ କାମ କିଛି ନାହିଁ। ସାମ୍ପ୍ରତିକ ସମୟର ବିଜ୍ଞାନ ଯୁଗରେ ଏହାର ଆଦୌ ସ୍ଥାନ ନ ଥିବା ବେଳେ ସମାନତାର ଅଧିକାର ବହନ କରୁଥିବା ଏକ ଗଣତାନ୍ତ୍ରିକ ଦେଶରେ ଏପରି କାର୍ଯ୍ୟ ଉପରୋକ୍ତ ନୀତିର ମୂଳଦୁଆ ପ୍ରତି ଆହ୍ବାନ ସୃଷ୍ଟି କରିଥାଏ। ତେଣୁ ଆନ୍ତଃଜାତି ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ପୋଲିସକୁ କୋର୍ଟଙ୍କର ନିର୍ଦ୍ଦେଶ ପ୍ରଦାନ କରିବାର ଆବଶ୍ୟକତା ରହିଛି। ଏହା ହୋଇ ପାରିଲେ ଆନ୍ତଃଜାତି ବିବାହ ବା ସମାନ ଗୋତ୍ରରେ ବିବାହ ପ୍ରତି ରହିଥିବା ଘୃଣା ଭାବ ଅନେକାଂଶରେ ହ୍ରାସ ପାଇବ। ପୁନଶ୍ଚ, କେବଳ ଖାପ୍‌ ପଞ୍ଚାୟତଗୁଡ଼ିକ ଉପରେ ଲଗାମ କଷିଦେଲେ ହେବନାହିଁ, ଦେଶର ଅନ୍ୟାନ୍ୟ ବହୁ ରାଜ୍ୟ ଯେଉଁଠି ଜାତିପ୍ରଥାର ଏବେ ସୁଦ୍ଧା ସମାଜ ବ୍ୟବସ୍ଥା ଉପରେ ଯଥେଷ୍ଟ ପ୍ରଭାବ ରହିଛି, ସେସବୁ ରାଜ୍ୟରେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବା ଉଚିତ। ଖାପ୍‌ ପଞ୍ଚାୟତ କେବଳ ଭାରତର ଅନ୍ୟ କେଉଁ ରାଜ୍ୟ ନୁହେଁ ଓଡ଼ିଶାର କେବଳ ଗ୍ରାମାଞ୍ଚଳ ବା ଉପାନ୍ତ ଅଞ୍ଚଳ ନୁହେଁ ସହରାଞ୍ଚଳରେ ମଧ୍ୟ ନିୟମିତ ଭାବେ ସଂଗଠିତ ହେଉଛି। ବଡ଼ ଦୁଃଖଦ କଥା ହେଉଛି ଏଥିରୁ କଟକ ଭୁବନେଶ୍ୱର ପରି ଦ୍ୱୈତନଗରୀରେ ଘଟୁଥିଲେ ବି ଅଧିକାଂଶ କ୍ଷେତ୍ରରେ ପୋଲିସର ଉଦାସୀନତା ଏହାର ନିରପେକ୍ଷ ତଦନ୍ତ ପ୍ରତି ପ୍ରଶ୍ନ ଉଠାଉଛି।
ଖାପ୍‌ ପଞ୍ଚାୟତଗୁଡ଼ିକ ବିରୁଦ୍ଧରେ ପ୍ରଥମ ଥର ପାଇଁ ସର୍ବୋଚ୍ଚ ଅଦାଲତ ମୁହଁ ଖୋଲିଛନ୍ତି, ତା ନୁହେଁ। ପୂର୍ବ ରାୟଗୁଡ଼ିକ ମଧ୍ୟ ଏକଥା ସ୍ପଷ୍ଟ କରିସାରିଛି ଯେ ପ୍ରାପ୍ତବୟସ୍କମାନଙ୍କର ପସନ୍ଦ କରିବାର ବିଶେଷକରି ପ୍ରେମ ଓ ବିବାହ ବ୍ୟାପାରରେ ଅଧିକାରରେ କୌଣସି କ୍ଷେତ୍ରରୁ ହସ୍ତକ୍ଷେପ ହେବା ଉଚିତ ନୁହେଁ। ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ତାଙ୍କର ସାମ୍ପ୍ରତିକ ରାୟରେ ଏହି ସମସ୍ୟାଟିକୁ ନିରୂପଣ କରିଛନ୍ତି, ଯାହା ବ୍ୟକ୍ତିବିଶେଷଙ୍କର ସ୍ବାଧୀନତା ଓ ମର୍ଯ୍ୟାଦାର ଉଲ୍ଲଂଘନ କରୁଛି ଏବଂ ଏହାର ସୁରକ୍ଷା ନିମନ୍ତେ ପ୍ରତିଷେଧମୂଳକ, ପ୍ରତିକାରମୂଳକ ତଥା ଦଣ୍ଡବିଧାନ ଭଳି ପଦକ୍ଷେପମାନ ନିଆଯିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସୁପ୍ରିମକୋର୍ଟ ଆହୁରି ପାଦେ ଆଗେଇ ଯାଇ ବିପଦାପନ୍ନ ଦମ୍ପତିଙ୍କୁ ସୁରକ୍ଷା ଗୃହ ଯୋଗାଇ ଦେବାକୁ ପୋଲିସକୁ କହିଛନ୍ତି। ପୁଣି ଖାପ୍‌ ପଞ୍ଚାୟତଗୁଡ଼ିକୁ ଏଭଳି ବେଆଇନ ନିଷ୍ପତ୍ତି ନେବାରୁ ନିବୃତ୍ତ କରିବା ଲାଗି ପ୍ରବର୍ତ୍ତାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହା ଆପାତତଃ ଏକ ନରମ ପନ୍ଥା ଭଳି ମନେହୁଏ। କିନ୍ତୁ ସଙ୍ଗେ ସଙ୍ଗେ କୋର୍ଟ ଏଭଳି ନିଷ୍ପତ୍ତି ନେବା ପାଇଁ ହେଉଥିବା ମେଳିକୁ ପ୍ରତିହତ କରିବା ପାଇଁ ଏପରି କି ଏହାକୁ ରୋକିବା ଲାଗି ଗିରଫ କରିବା ନିମନ୍ତେ ମଧ୍ୟ ପୋଲିସକୁ କ୍ଷମତା ଦେଇଛନ୍ତି। ତେବେ ଏଭଳି ବିବାହ ପ୍ରତି ସମର୍ଥନ ହାସଲ କରିବା ନିମନ୍ତେ ସମାଜର କେତେକ ବର୍ଗଙ୍କ ହୃଦୟରେ ପ୍ରକୃତ ପରିବର୍ତ୍ତନ ଆସିବା ପାଇଁ ହୁଏତ ଆହୁରି ଅନେକ ବର୍ଷ ଲାଗିଯାଇ ପାରେ। କାରଣ, ସହରାଞ୍ଚଳରେ ମିଳୁଥିବା ଅନେକ ପ୍ରକାରର ସୁବିଧା ସୁଯୋଗ ବିଶେଷକରି ମୌଳିକ ସମାନତାରୁ ବଞ୍ଚତ୍ତ ଗ୍ରାମାଞ୍ଚଳର ଲୋକମାନଙ୍କ ଭିତରୁ ଅନେକେ ଏବେ ବି ବିଶ୍ୱାସ କରନ୍ତି ଯେ ନିଜ ପାଇଁ ଆଇନ ତିଆରି କରିବାର ଦାୟିତ୍ୱ ସେମାନଙ୍କର। ତେଣୁ ଏ କ୍ଷେତ୍ରରେ ପ୍ରକୃତ ଆହ୍ବାନ ହେଉଛି ସମାଜରେ ସଂସ୍କାର ଆଣିବା। ସମାଜରେ ଏକ ବଡ଼ ଧରଣର ପରିବର୍ତ୍ତନ ଆଣିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶାବଳୀର କିଛି ଉଲ୍ଲେଖନୀୟ ପ୍ରଭାବ ପକାଇବାର ସମ୍ଭାବନା ରଖୁଥିବାବେଳେ ରାଜ୍ୟମାନେ ଏହାକୁ ପାଳନ କରିବେ ବୋଲି ଧରିନେଇ କେନ୍ଦ୍ର ସରକାର ସନ୍ତୁଷ୍ଟ ହେଲେ ଚଳିବ ନାହିଁ। ଅନର କିଲିଂ ଏବଂ ବିବାହ କ୍ଷେତ୍ରରେ ପସନ୍ଦ କରିବାର ଅଧିକାର ସୁରକ୍ଷା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ମଧ୍ୟ ତପତ୍ରତା ପ୍ରକାଶ କରିବା ଆବଶ୍ୟକ। ସେହିପରି ଖାପ୍‌ ପଞ୍ଚାୟତ ପ୍ରସଙ୍ଗରେ ଆମ ବଳୁଆ ପୋଲିସର ନୀରବତା ଓ ଅପାରଗତା ନିଶ୍ଚିତ ବଡ଼ ବିସ୍ମୟ ସୃଷ୍ଟି କରେ। କାରଣ ୧୫୦ ବର୍ଷରୁ ଢେର ବର୍ଷ ତଳୁ ଆମ ଦେଶରେ ବର୍ତ୍ତମାନ ପ୍ରଚଳିତ ପୋଲିସ ବ୍ୟବସ୍ଥା ଇଂରେଜୀ ଉପନିବେଶବାଦୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଛି। ସେ ସମୟର ଉପନିବେଶବାଦ ବିରୁଦ୍ଧରେ ନିର୍ଭୀକ ସ୍ବର ଉଠାଉଥିବା ଯେ କେହି ନାଗରିକଙ୍କୁ ଦୃଢ଼ ଦମନ କରାଯାଉଥିବାରୁ ବର୍ତ୍ତମାନ ପୋଲିସ ସେହି ରାସ୍ତାରେ ଚାଲିଛି। ନିକଟରେ ପ୍ରକାଶିତ ‘ଷ୍ଟାଟସ ଅଫ ପୋଲିସ ଇନ୍‌ ଇଣ୍ଡିଆ’ର ତଥ୍ୟ ଅନୁଯାୟୀ ଭାରତରେ ପୋଲିସକୁ ପାଖାପାଖି ୧୫ଘଣ୍ଟିଆ ଡ୍ୟୁଟି ଦିଆଯାଉଛି। ଏବେ ପାଖାପାଖି ୭୭ପ୍ରତିଶତ ପୋଲିସ କର୍ମଚାରୀଙ୍କୁ ନେଇ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା କରୁଥିବା ପୋଲିସ ବାହିନୀ କାର୍ଯ୍ୟ କରୁଛି। ତେଣୁ ଏ କ୍ଷେତ୍ରରେ ପୋଲିସ ଦକ୍ଷତା ଓ ଆଧୁନିକ ସୂଚନା ପ୍ରଯୁକ୍ତିର ସହଯୋଗ ନେଇ ସଂସ୍କାର ଅତ୍ୟନ୍ତ ଜରୁରୀ ମନେହୁଏ।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୪୩୭୧୬୩୫୨୮


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri