ହିନ୍ଦୀ ଓ ହିନ୍ଦୁତ୍ୱ

ଗତ କିଛି ମାସର ବିରତି ପରେ ଏବେ ସମ୍ଭବତଃ କେନ୍ଦ୍ର ସରକାରଙ୍କ ‘ନୂତନ ଭାରତ’ରେ ପୁରୁଣା କଥା ଓ କାର୍ଯ୍ୟକଳାପର ଆବିର୍ଭାବ ହେବା ଭଳି ମନେ ହେଲାଣି। ମୋଦି ସରକାରଙ୍କ ପ୍ରଥମ ପାଳିର ଶାସନରେ ହିନ୍ଦୁତ୍ୱ ଚିନ୍ତାଧାରା ଲୋକମାନଙ୍କ ଉପରେ ଲଦି ଦିଆଯିବା ଦେଖାଯାଇଥିଲା। ଏଠାରେ ମନେରଖିବାକୁ ହେବ ଯେ, ହିନ୍ଦୁ ଧର୍ମରେ ଉଦାରତା ଓ ସହନଶୀଳତା ହେଉଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ସେଥିପାଇଁ ଏହି ଚିନ୍ତାଧାରା ସର୍ବପୁରାତନ ହୋଇ ବଞ୍ଚିରହିଛି। ଅନ୍ୟପଟେ ‘ହିନ୍ଦୁତ୍ୱ’ ଏକ ଚିନ୍ତାଧାରା ଯେଉଁଥିରେ ସହନଶୀଳତା ଏବଂ ଉଦାରତାର କୌଣସି ସ୍ଥାନ ନାହିଁ। ଅନ୍ୟସବୁ ଧର୍ମର ସଂକୀର୍ଣ୍ଣ ଚିନ୍ତାଧାରା ଭଳି ହିନ୍ଦୁତ୍ୱ ଚିନ୍ତାଧାରାରେ ଅନୁରୂପ ପ୍ରତିଫଳନ ଦେଖିବାକୁ ମିଳିଥାଏ। ଆମେ ସମସ୍ତେ ହିନ୍ଦୁ। କିନ୍ତୁ ହିନ୍ଦୁତ୍ୱରେ ଥିବା ଘୃଣାଭାବକୁ ସ୍ବୀକାର କରିପାରୁ ନାହୁଁ। କେବଳ ଉଚ୍ଚ ଜାତିର ମାନସିକତାକୁ ନେଇ ସୃଷ୍ଟି ହୋଇଥିବା ହିନ୍ଦୁତ୍ୱ ଚିନ୍ତାଧାରାରେ ସବୁ ହିନ୍ଦୁ ସାମିଲ ହେବା ସମ୍ଭବପର ନୁହେଁ ଏବଂ ଏହା ହିନ୍ଦୁ ସମାଜରେ ବିଭେଦ ସୃଷ୍ଟି କରୁଛି।
ବିଗତ ଦିନକୁ ଦେଖିଲେ ସେତେବେଳେ ଯେଉଁମାନେ ହିନ୍ଦୁତ୍ୱ ପ୍ରୟାସକୁ ବିରୋଧ କରିଥିଲେ ସେମାନଙ୍କୁ କଳେବଳେ କୌଶଳେ ଦମନ କରାଯାଉଥିଲା ଏବଂ ସ୍ଥଳବିଶେଷରେ ପ୍ରତିବାଦର ସ୍ବର ବଦଳାଉ ନ ଥିବା ବ୍ୟକ୍ତିଙ୍କୁ ଜୀବନରୁ ମାରି ଦିଆଯାଉଥିଲା। ହେତୁବାଦୀ ନରେନ୍ଦ୍ର ଡାଭଲକରଙ୍କଠାରୁ ଆରମ୍ଭକରି ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ପର୍ଯ୍ୟନ୍ତ ଅନେକଙ୍କ ପ୍ରାଣ ଯିବା କଥା ଦେଶବାସୀ ଦେଖିଛନ୍ତି। ନିକଟରେ ଅଯୋଧ୍ୟାରେ ରାମ ମନ୍ଦିର ଭୂମିପୂଜନ ସରିବା ପରେ ପୁନଶ୍ଚ ହିନ୍ଦୁତ୍ୱ ରୂପକ ଚାରାଟି ପାଣି ପାଇଲା ଭଳି ମନେହେଉଛି। ଦୁଇ ଦିନ ତଳେ ରାଜସ୍ଥାନର ଜଣେ ଅଟୋ ରିକ୍ସା ଡ୍ରାଇଭର ଗଫର ମହମ୍ମଦ କାଚ୍ଚଓ୍ବାଙ୍କୁ ଦୁଇ ଜଣ ବ୍ୟକ୍ତି ‘ମୋଦି ଜିନ୍ଦାବାଦ୍‌’ ଓ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିବାକୁ ବାଧ୍ୟ କରିଥିଲେ। ସେମାନଙ୍କ କଥାରେ ରାଜି ନ ହେବାରୁ ତାଙ୍କୁ ନିର୍ଧୁମ ମାଡ଼ ଖାଇବାକୁ ପଡ଼ିଥିଲା। ଏ ହେଉଛି ଗୋଟିଏ ତରିକା, ଯେଉଁଥିରେ ଲୋକଙ୍କୁ ଭୟଭୀତ କରାଇ ବିଶୃଙ୍ଖଳା ସୃଷ୍ଟି କରାଯାଉଛି। ଦ୍ୱିତୀୟ ସଦ୍ୟ ଘଟଣା ହେଉଛି ଡିଏମ୍‌କେ ଏମ୍‌ପି କାନିମୋଝିଙ୍କୁ ଚେନ୍ନାଇ ବିମାନବନ୍ଦରଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବଳ (ସିଆଇଏସ୍‌ଏଫ୍‌)ର ଜଣେ ଅଧିକାରୀ ହିନ୍ଦୀ ଜାଣିଛନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଉତ୍ତରରେ କାନିମୋଝି କହିଥିଲେ ତାମିଲ ବା ଇଂଲିଶ ବୁଝିପାରିବେ। ଏହାର ଜବାବରେ ସିଆଇଏସ୍‌ଏଫ୍‌ର ଅଧିକାରୀ ଆକ୍ଷେପ କରି କାନିମୋଝିଙ୍କୁ ଭାରତୀୟ କି ବୋଲି ପଚାରିଥିଲେ। ଅର୍ଥାତ୍‌ ହିନ୍ଦୀ ଜାଣି ନ ଥିବା ବ୍ୟକ୍ତି ଭାରତୀୟ ହୋଇପାରିବେ ନାହିଁ ବୋଲି ସଂକେତ ଦିଆଗଲା। କାନିମୋଝି ଏସବୁକୁ ଟୁଇଟ୍‌ କରିବା ପରେ ସିଆଇଏସ୍‌ଏଫ୍‌ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯିବ ବୋଲି ତତ୍‌କ୍ଷଣାତ୍‌ ଜବାବ ଦିଆଯାଇଛି।
ଉପରବର୍ଣ୍ଣିତ ଦ୍ୱିତୀୟ ଘଟଣାକୁ ଦେଖିଲେ ସମଗ୍ର ଦେଶ ଉପରେ ହିନ୍ଦୀ ଭାଷା ଲଦି ଦିଆଯିବାର ଧାରା ଉପର ସ୍ତରରୁ ତଳକୁ ନିଗିଡ଼ି ଚାଲିଛି ବୋଲି ବୁଝାପଡ଼ୁଛି। ଉତ୍ତର ଭାରତରେ ଅଧିକ ଲୋକ ହିନ୍ଦୀ କହୁଥିବାରୁ ଓ ଜାତୀୟ ରାଜନୀତିରେ ଏହି ଭାଷାଭାଷୀ ଲୋକଙ୍କ ଦଖଲ ଥିବାରୁ ହିନ୍ଦୀକୁ ସର୍ବତ୍ର ପ୍ରଚଳନ କରିବା ଲାଗି ଜୋରଜବରଦସ୍ତ ପଦକ୍ଷେପ ନିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ନିକଟରେ ଘୋଷଣା କରାଯାଇଥିବା ନୂଆ ଶିକ୍ଷା ନୀତି-୨୦୨୦ରେ ହିନ୍ଦୀକୁ ପ୍ରାଧାନ୍ୟ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଧରାଯାଉ ସିଆଇଏସ୍‌ଏଫ୍‌ର ଅଧିକାରୀଙ୍କୁ ତାମିଲ ଜଣା ନାହିଁ ଓ ସେ ଇଂଲିଶରେ ପାରଙ୍ଗମ ନୁହନ୍ତି, ତାହା ହେଲେ କାନିମୋଝିଙ୍କୁ ପଚାରିବାରେ ଅନ୍ୟ ଅଧିକାରୀଙ୍କ ସହାୟତା ନେଇପାରିଥାଆନ୍ତେ। କିନ୍ତୁ ହିନ୍ଦୀ ଭାଷା କହୁଥିବା କିଛି ଭାରତୀୟଙ୍କ ମନରେ ଏଭଳି ଏକ ବିଶ୍ୱାସ ସୃଷ୍ଟି କରିଦିଆଗଲାଣି ଯେ, ଭାରତୀୟତାର ପ୍ରଥମ ସଂଜ୍ଞା ହେଉଛି ହିନ୍ଦୀ ଭାଷା। ଏପରି ବିକୃତ ମନୋଭାବକୁ ଓଡ଼ିଶାରେ ମୁଷ୍ଟିମେୟ ଆଦରରେ କୋଳେଇ ନେଇପାରନ୍ତି, କିନ୍ତୁ ଦେଶବ୍ୟାପୀ ଏବଂ ଓଡ଼ିଶାରେ ମଧ୍ୟ ଅନେକ ଏଭଳି ଭାଷାପ୍ରେମୀ ଅଛନ୍ତି ଯେଉଁମାନେ ନିଜ ଭାଷାକୁ ମରିବାକୁ ଦେବେ ନାହିଁ। କାରଣ ସେମାନେ ଜାଣନ୍ତି ଯେ, ଭାଷା ମରିଗଲେ ସଂସ୍କୃତି ଓ ଜାତି ମରିଯିବ।
ଭାରତୀୟ ସମ୍ବିଧାନରେ ରହିଛି ଯେକୌଣସି ନାଗରିକ ତାଙ୍କ ଇଚ୍ଛା ଅନୁଯାୟୀ ଭାଷା ବ୍ୟବହାର କରିପାରିବେ। ମାତ୍ର ସମ୍ପୃକ୍ତ ଭାଷା ଜାଣି ନ ଥିବା ଜଣେ କହିବା ପରେ ତାଙ୍କ ନାଗରିକତ୍ୱକୁ ନେଇ ପ୍ରଶ୍ନ ଉଠାଯିବା ଗ୍ରହଣୀୟ ନୁହେଁ। ରାଜସ୍ଥାନରେ ଡ୍ରାଇଭରଙ୍କୁ ‘ମୋଦି ଜିନ୍ଦାବାଦ୍‌’ ଓ ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ନ ଥିବାରୁ ଆକ୍ରମଣ କରାଯିବା ହେଉ ବା କାନିମୋଝିଙ୍କୁ ହିନ୍ଦୀ ଜାଣି ନ ଥିବାରୁ ଅପଦସ୍ଥ କଲା ଭଳି ସ୍ଥିତି ସୃଷ୍ଟି କରାଯାଉଥିବାରୁ ଭାରତୀୟ ସମ୍ବିଧାନ ତା’ର ଧର୍ମନିରପେକ୍ଷତା ହରାଇ ବସୁଛି। ଯେପର୍ଯ୍ୟନ୍ତ ଜନସାଧାରଣ କୌଣସି ପ୍ରସଙ୍ଗ ବା ଘଟଣାକୁ ହୃଦୟରୁ ସମର୍ଥନ କରିନାହାନ୍ତି, ସେପର୍ଯ୍ୟନ୍ତ କେବଳ ‘ଚାପ’ ପକାଯାଇ ଲୋକଙ୍କ ମନକୁ ପରିବର୍ତ୍ତନ କରାଯାଇପାରିବ ନାହିଁ। ଯେହେତୁ ଭାରତବ୍ୟାପୀ ଏକ ଭୟର ବାତାବରଣ ସୃଷ୍ଟି କରିଦିଆଯାଉଛି, ଅନେକେ ଅନନ୍ୟୋପାୟ ହୋଇ ଭୁଲ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିବାକୁ ଜୁ ପାଉନାହାନ୍ତି। ବାସ୍ତବରେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶ ସକାଶେ ଏଭଳି ଚିନ୍ତାଧାରା ବିକାଶରେ ବାଧା ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri