ବୃତ୍ତିଗତ ଶିକ୍ଷାରେ ସ୍ଥାନ ସଂରକ୍ଷଣ

ଅଧ୍ୟାପକ ଶରତ କୁମାର ଦାସ

ସରକାରୀ ବିଦ୍ୟାଳୟଗୁଡ଼ିକରେ ଯେଉଁ ବିଦ୍ୟାର୍ଥୀମାନେ ଅଧ୍ୟୟନ କରୁଥିବେ ସେମାନଙ୍କ ପାଇଁ ବୃତ୍ତିଗତ ଶିକ୍ଷା ଯଥା ଇଞ୍ଜିନିୟରିଂ ଓ ଡାକ୍ତରୀ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ୨୦୨୦ର ଶେଷ କ୍ୟାବିନେଟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାରୀ ସ୍କୁଲ୍‌ଗୁଡ଼ିକରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ଲାଗି ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟିକରିବା ପାଇଁ ଏହା ଏକ ନୂଆ ପଦକ୍ଷେପ ହୋଇପାରେ। ସାଧାରଣତଃ ସରକାରୀ ସ୍କୁଲ୍‌ ପ୍ରତି ଥିବା ଅଭିଭାବକ ତଥା ଛାତ୍ରୀଛାତ୍ରଙ୍କ ବିମୁଖତାକୁ ଦୂରକରିବା ଏହାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ମଧ୍ୟ ହୋଇପାରେ। ଆଗାମୀ ଶିକ୍ଷାବର୍ଷଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହାର ସଫଳ ରୂପାୟନ ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ଏହି କମିଟିରେ ଖ୍ୟାତିସମ୍ପନ୍ନ ଶିକ୍ଷାବିତ୍‌ମାନଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ସଦସ୍ୟ ରହିବେ ଓ ଏହି କମିଟି ତିନି ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିସ ରିପୋର୍ଟ ଦେବେ। ଏହି ରିପୋର୍ଟ ଆଧାରରେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଅନୁପାଳନ ପୂର୍ବକ ସଂରକ୍ଷଣର ମାନଦଣ୍ତ ନିର୍ଦ୍ଧାରଣ କରାଯିବ; ଯାହାଫଳରେ ମେଧାବୀ ଛାତ୍ରୀଛାତ୍ର ବୃତ୍ତିଗତ ଉଚ୍ଚଶିକ୍ଷା ପାଇପାରିବେ।
ବିଳମ୍ବରେ ହେଲେ ମଧ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଅନେକ ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ଛାତ୍ରୀଛାତ୍ର ତଥା ସାଧାରଣ ଜନତା ଏହାକୁ ସ୍ବାଗତ କରିଥିବା ବେଳେ ଅନେକେ ମଧ୍ୟ ଏହି ବ୍ୟବସ୍ଥାକୁ ତୀବ୍ର ବିରୋଧ କରୁଛନ୍ତି। ଏହାକୁ ନେଇ ଗଣମାଧ୍ୟମଗୁଡ଼ିକରେ ଚର୍ଚ୍ଚା ଓ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ମାତ୍ର ବିନାଦ୍ବିଧାରେ କୁହାଯାଇପାରେ ଯେ, ଏହି ନିଷ୍ପତ୍ତି ପଶ୍ଚାତ୍‌ରେ ପ୍ରତ୍ୟକ୍ଷ ଅବା ପରୋକ୍ଷରେ ହେଉ କେଉଁଠି ନା କେଉଁଠି ସରକାର ସ୍ବୀକାର କରିଛନ୍ତି ଯେ ରାଜ୍ୟରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଭୁଶୁଡ଼ି ପଡ଼ିବା ସହିତ ଜନସାଧାରଣଙ୍କର ଆସ୍ଥା ହରାଇଛି । ଏ ପ୍ରକାର ଅବ୍ୟବସ୍ଥା ତଥା ଶୈକ୍ଷିକ ବିପର୍ଯ୍ୟୟରୁ ଶିକ୍ଷାବ୍ୟବସ୍ଥାକୁ ପୁନରୁଦ୍ଧାର କରିବାକୁ ହେଲେ ସଂରକ୍ଷଣ ଏକ ଗୁରୁତ୍ୱପୂର୍ଣ୍ଣ ଓ ଫଳପ୍ରଦ ପଦକ୍ଷେପ; ଯାହାଫଳରେ ଭବିଷ୍ୟତରେ ସରକାରୀ ସ୍କୁଲ୍‌ରେ ପଢ଼ିବା ପାଇଁ କେହି ମୁହଁ ମୋଡ଼ିବେ ନାହିଁ।
ଏହି ସଂରକ୍ଷଣ ବ୍ୟବସ୍ଥାକୁ ମୁଖ୍ୟତଃ ସକାରାତ୍ମକ ଓ ନକାରାତ୍ମକ ଦୃଷ୍ଟିକୋଣରୁ ବିଚାର କରାଯାଇପାରେ। ପୁନଶ୍ଚ ସକାରାତ୍ମକ ଦିଗଟିକୁ ମଧ୍ୟ ଦୁଇଟି ଦୃଷ୍ଟିରୁ ଆଲୋଚନା କରାଯାଇପାରେ। ପ୍ରଥମ ସ୍ବାଗତଯୋଗ୍ୟ ଦିଗଟି ହେଉଛି ଯେ ସରକାରୀ ସ୍କୁଲ୍‌ର ବିକାଶ ପ୍ରତି ସରକାରଙ୍କର ଥିବା ନିଷ୍ଠା ଓ ଦାୟିତ୍ୱବୋଧ। ଜନସାଧାରଣ ତଥା ଛାତ୍ରୀଛାତ୍ରଙ୍କର ବିତୃଷ୍ଣା ଭାବକୁ ଦୂର କରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଏକ ଫଳପ୍ରଦ ଶୈକ୍ଷିକ ପରିବେଶ ସୃଷ୍ଟି କରିପାରିବା ସହିତ ଏହି ବିଦ୍ୟାଳୟଗୁଡ଼ିକ ପ୍ରତି ବିଦ୍ୟାର୍ଥୀମାନଙ୍କ ଆଗ୍ରହ ତଥା ବିଶ୍ବସନୀୟତା ବୃଦ୍ଧି କରିବା ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ । ଯଦି ସର୍ବଭାରତୀୟ ସ୍ତରରେ ଦେଖାଯାଏ ଏକ ଆକଳନ ଅନୁଯାୟୀ ୧୯୯୬ରେ ସରକାରୀ ସ୍କୁଲ୍‌ରେ ପଢୁଥିବା ପିଲାଙ୍କ ସଂଖ୍ୟା ୯୦% ଥିଲାବେଳେ ଠିକ୍‌ ଏକ ଦଶନ୍ଧି ପରେ ଅର୍ଥାତ୍‌ ୨୦୦୬ରେ ଏହି ପିଲାଙ୍କ ସଂଖ୍ୟା ୮୧.୩ % ଓ ୨୦୧୧ରେ ୭୪.୪ %ରେ ପହଞ୍ଚିଥିଲା।
ଅର୍ଥାତ୍‌ ଘରୋଇ ସ୍କୁଲରେ ପଢୁଥିବା ପିଲାଙ୍କ ସଂଖ୍ୟା ଅତି ନଗଣ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପ୍ରସ୍ତୁତ ୨୦୧୬-୧୭ର ଏକ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ୮୩% ପିଲା ସରକାରୀ ବିଦ୍ୟାଳୟରେ ପାଠପଢ଼ନ୍ତି। ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାସ କରୁଥିବା ୭୦%ରୁ ଅଧିକ ପରିବାର ନିମ୍ନ ଆର୍ଥିକ ବର୍ଗର ହୋଇଥିବାରୁ ସେମାନଙ୍କ ପିଲା ଶିକ୍ଷା ଲାଭ ପାଇଁ ସରକାରୀ ବିଦ୍ୟାଳୟ ଉପରେ ନିର୍ଭରଶୀଳ। ତେଣୁ ସ୍କୁଲ ବ୍ୟବସ୍ଥାକୁ ସୁଦୃଢ କରିପାରିଲେ ଏତେ ସଂଖ୍ୟକ ପିଲାଙ୍କ ସ୍ବାର୍ଥକୁ ରକ୍ଷା କରାଯାଇ ପାରିବ।
ଦ୍ବିତୀୟଟି ହେଉଛି ଏହି ବ୍ୟବସ୍ଥା ଦ୍ବାରା ସାଧାରଣ ଗରିବ ତଥା ନିମ୍ନବର୍ଗର ସଂଖ୍ୟାଧିକ ମେଧାବୀ ବିଦ୍ୟାର୍ଥୀ ଉପଯୁକ୍ତ ସାମାଜିକ ନ୍ୟାୟ ପାଇପାରିବେ। ସେମାନଙ୍କ ମନରେ ଗଭୀର ଆତ୍ମବିଶ୍ବାସ ସୃଷ୍ଟି ହୋଇପାରିବ ଯେ ସେମାନେ ମଧ୍ୟ ଘରୋଇ ସ୍କୁଲ୍‌ରେ ପଢୁଥିବା ସ୍ବଚ୍ଛଳ ବର୍ଗର ପିଲାମାନଙ୍କଠାରୁ କୌଣସି ଗୁଣରେ କମ୍‌ ନୁହନ୍ତି। ସେମାନଙ୍କ ମଧ୍ୟରେ ଥିବା ମାନସିକ ବୈଷମ୍ୟ ଦୂର ହୋଇପାରିବ। ଏହାସହିତ ସରକାରୀ ଓ ଘରୋଇ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ଦୂର ହୋଇପାରିବ। ଏହାଦ୍ବାରା ସରକାର ମଧ୍ୟ ସ୍ପଷ୍ଟ କରିଦେବାକୁ ଚାହାନ୍ତି ଯେ ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ବଚ୍ଛଳ ବର୍ଗର ସ୍ବଳ୍ପ ସଂଖ୍ୟକ ବିଦ୍ୟାର୍ଥୀଙ୍କ ତୁଳନାରେ ବହୁ ସଂଖ୍ୟାରେ ଗରିବ ଓ ନିମ୍ନ ବର୍ଗର ମେଧାବୀ ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ସୁରକ୍ଷିତ ହୋଇପାରିଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ହୋଇପାରିବା ସମ୍ଭବ।
କେତେକ ଶିକ୍ଷାବିତ୍‌ଙ୍କ ମତରେ ଏହି ସଂରକ୍ଷଣ ନିଷ୍ପତ୍ତି ବଳରେ ସରକାରୀ ବିଦ୍ୟାଳୟଗୁଡ଼ିକ ନିଜର ହୃତ ଗୌରବ ଫେରିପାଇବେ। ଶିକ୍ଷା କ୍ଷେତ୍ରରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଛାତ୍ରୀଛାତ୍ରମାନେ ବ୍ୟୟବହୁଳ ଘରୋଇ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଛନ୍ତି। ଏକ ତୁଳନାତ୍ମକ ଆକଳନରୁ ଜଣାଯାଏ ଯେ, ୨୦୧୪-୧୫ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ୬୫ ଲକ୍ଷ ୪୩ ହଜାର ଛାତ୍ରୀଛାତ୍ର ନାମ ଲେଖାଇ ଥିବାବେଳେ ଗତ ୨୦୧୯-୨୦ ଶିକ୍ଷାବର୍ଷରେ ଏହି ସଂଖ୍ୟା ହ୍ରାସ ପାଇ ୫୫ ଲକ୍ଷ ୪୭ ହଜାରରେ ପହଞ୍ଚତ୍ଛି। ଜାତୀୟସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷାରେ ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ସଫଳତା ହାର ଅତ୍ୟନ୍ତ ନୈରାଶ୍ୟଜନକ। ଘରୋଇ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ ହେଉଥିବାର ଯେଉଁ ଧାରଣା ଅଭିଭାବକମାନଙ୍କ ମନରେ ରହିଛି ତାହା ମଧ୍ୟ ଘରୋଇ ସ୍କୁଲରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରୁଛି ଓ ଅଧିକାଂଶ ଅଭିଭାବକ ସେମାନଙ୍କ ପିଲାମାନଙ୍କୁ ଘରୋଇ ସ୍କୁଲ୍‌ରେ ନାମ ଲେଖାଇବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି; ଯାହାଫଳରେ ସରକାରୀ ବିଦ୍ୟାଳୟଗୁଡ଼ିକର ଦୁରବସ୍ଥା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଏଭଳି କ୍ରମହ୍ରାସମାନ ଛାତ୍ରୀଛାତ୍ରମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଏ ବାସ୍ତବଧର୍ମୀ ନିଷ୍ପତ୍ତି ତାତ୍ପର୍ଯ୍ୟ ବହନ କରେ; ଯାହାଦ୍ବାରା ଅଭିଭାବକମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିବା ସହିତ ସରକାରୀ ବିଦ୍ୟାଳୟଗୁଡ଼ିକ ପ୍ରତି ସ୍ବଚ୍ଛଳ ବର୍ଗର ପିଲାମାନଙ୍କ ଆଗ୍ରହ ବୃଦ୍ଧି ପାଇବ।
ଏହି ବ୍ୟବସ୍ଥାର ସକାରାତ୍ମକ ଦିଗକୁ ଆଲୋଚନା କଲାବେଳେ ଏହାର ନକାରାତ୍ମକ ଦିଗଟି ମଧ୍ୟ ମନକୁ ଆସେ। କେତେକ ଶିକ୍ଷାବିତ୍‌ ଓ ବୁଦ୍ଧିଜୀବୀଙ୍କ ମତରେ ସରକାରଙ୍କର ଏହି ସଂରକ୍ଷଣ ନିଷ୍ପତ୍ତି ଶିକ୍ଷା ବ୍ୟବସ୍ଥାର କୌଣସି ଗୁଣାତ୍ମକ ପରିବର୍ତ୍ତନ ଆଣିପାରିବ ନାହିଁ ବା ଶିକ୍ଷାର ଅଧଃପତିତମାନକୁ ବୃଦ୍ଧି କରିପାରିବ ନାହିଁ। କେତେକଙ୍କ ମତରେ ସଂରକ୍ଷଣ ବ୍ୟବସ୍ଥା ଏକ ଉତ୍ତମ ଶୈକ୍ଷିକ ପରିବେଶ ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ। ଛାତ୍ରୀଛାତ୍ର କେବଳ ସଂରକ୍ଷଣ ଆଶାରେ ସରକାରୀ ବିଦ୍ୟାଳୟରେ ନାମଲେଖାଇବେ ମାତ୍ର ସେମାନଙ୍କ ମାନସିକତାରେ କୌଣସି ପରିବର୍ତ୍ତନ ଆସିବ ନାହିଁ।
ଅନ୍ୟ କିଛି ଯୁକ୍ତି ମଧ୍ୟ ଦୃଷ୍ଟିକୁ ଆସୁଛି ଯେ, ସରକାରୀ ସ୍କୁଲ୍‌ଗୁଡ଼ିକର ଅଧଃପତିତ ବ୍ୟବସ୍ଥାକୁ ସଜାଡିବା ପାଇଁ କେବଳ ସଂରକ୍ଷଣ ଭଳି ଏକ ଦୁର୍ବଳ ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସରକାରୀ ବିଦ୍ୟାଳୟଗୁଡିକର ଗୁଣବତ୍ତାକୁ ବୃଦ୍ଧି କରିବା ପାଇଁ ସରକାରୀ ସ୍ତରରେ କାହିଁକି ଉଦ୍ୟମ ହେଉନାହିଁ? ସରକାରୀ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ନିମନ୍ତେ କାହିଁକି ପଦକ୍ଷେପ ନିଆଯାଉ ନାହିଁ? ପୂର୍ବରୁ କେନ୍ଦ୍ର ସରକାରଙ୍କ ଘୋଷଣା ଆଧାରରେ ଓଡ଼ିଶାରେ ଓବିସି ଓ ଅର୍ଥନୈତିକ ପଛୁଆ ବର୍ଗ ପାଇଁ ଶିକ୍ଷା ଏବଂ ଚାକିରି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା କାହିଁକି ଲାଗୁ କରାଯାଉ ନାହିଁ ? ସାମ୍ବିଧାନିକ ବିଧିବ୍ୟବସ୍ଥାନୁଯାୟୀ ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ ଆଦି ରାଜ୍ୟରେ ହୋଇଥିବା ସଂରକ୍ଷଣ ଓଡ଼ିଶାରେ କାହିଁକି ନୁହେଁ? ଯଦି ସରକାର ସରକାରୀ ସ୍କୁଲ୍‌ ପ୍ରତି ଏତେ ନିଷ୍ଠାବାନ୍‌ ତେବେ କିଛି ସ୍କୁଲ୍‌କୁ ବନ୍ଦ କରିବା ନିଷ୍ପତ୍ତି ସମଗ୍ର ବ୍ୟବସ୍ଥାର ପରିପନ୍ଥୀ ନୁହେଁ କି?
ଯଥାର୍ଥରେ କହିଲେ ଏ ସମସ୍ତ ପ୍ରଶ୍ନର ଉତ୍ତର ସରକାରଙ୍କ ସକାରାତ୍ମକ ମାନସିକତା ତଥା ଇଚ୍ଛାଶକ୍ତି ଉପରେ ନିର୍ଭର କରେ। ସରକାର ଯଦି ସରକାରୀ ବିଦ୍ୟାଳୟଗୁଡିକର ବାସ୍ତବ ବିକାଶ ଚାହୁଁଛନ୍ତି, ତେବେ ଆଚରଣ ଓ ଉଚ୍ଚାରଣରେ ବାସ୍ତବଧର୍ମୀ ହେବା ଆବଶ୍ୟକ। ସରକାରୀ ବିଦ୍ୟାଳୟର ଉତ୍ତମ ସଂସ୍କାର ଉପରେ ସବିଶେଷ ଧ୍ୟାନଦେବା ଉଚିତ। ଶିକ୍ଷା ସହିତ ଜଡିତ ନାନାଦି ସମସ୍ୟାର ତୁରନ୍ତ ସମାଧାନ କରାଯିବା ଆବଶ୍ୟକ। ଗଛଟିକୁ ବଞ୍ଚେଇବାକୁ ହେଲେ ମୂଳରେ ପାଣିଦିଆଯାଏ, ଗଛ ଡାଳରେ ପାଣିଢାଳିଲେ ତାହା ବଞ୍ଚେନାହିଁ। ସେହିଭଳି ନାମଫଳକରେ ଆଦର୍ଶ ଲେଖି ଦେଲେ ବିଦ୍ୟାଳୟଟି ଆଦର୍ଶ ହୁଏନାହିଁ। ଏ ଦିଗରେ ସରକାର ଯତ୍ନବାନ ହେବା ଉଚିତ । ସରକାରୀ ଓ ଘରୋଇ ବିଦ୍ୟାଳୟ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବା ପରିବର୍ତ୍ତେ ସରକାରୀ ସ୍କୁଲ୍‌ କିପରି ଘରୋଇ ସ୍କୁଲ୍‌ ସମକକ୍ଷ ହୋଇ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ପ୍ରଦାନ କରିପାରିବ ସେ ଦିଗରେ ତତ୍ପର ହେବା ବାଞ୍ଛନୀୟ। ପିଲାମାନେ କାହିଁକି ଘରୋଇ ସ୍କୁଲ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି ସେ ସବୁର ଯଥାର୍ଥ କାରଣ ଖୋଜି ବାହାର କରିବାର ସମୟ ଆସିଛି। ଏ ସମସ୍ତ ବିଷୟ ପ୍ରତି ଉପଯୁକ୍ତ ଧ୍ୟାନଦେଲେ ସରକାରଙ୍କର ସଂରକ୍ଷଣ ନୀତିର ସଫଳ ରୂପାୟନ ହୋଇପାରିବ, ଏଥିରେ କୌଣସି ସନ୍ଦେହର ଅବକାଶ ନାହିଁ।
ରାଜନୀତି ବିଜ୍ଞାନ ବିଭାଗ,
ବଡବିଲ ମହାବିଦ୍ୟାଳୟ, କେନ୍ଦୁଝର
ମୋ:୮୨୪୯୧୩୭୦୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri