ବିହନ ଅନୁକୂଳ, ସାଥୀ ବାଛିବାର ପର୍ବ ‘ଚୈତ୍ର’: ଗୀତବାଦ୍ୟ ସହ ଢେମ୍‌ସା ନାଚରେ କମ୍ପୁଛି ଆଦିବାସୀ ପଡ଼ା

କୋରାପୁଟ,୧୯।୪(ସ୍ବ.ପ୍ର.): କୋରାପୁଟ ଜିଲାର ଆଦିବାସୀ ବହୁଳ ଅଞ୍ଚଳ ଚୈତ୍ର ପରବ ପାଇଁ ଉତ୍ସବମୁଖର ହୋଇପଡ଼ିଛି। ଆଦିବାସୀ ତରୁଣୀଙ୍କ ଢେମସା ନାଚ ସାଙ୍ଗକୁ ମାଇକରେ ଆଦିବାସୀ ଗୀତ ସାଙ୍ଗକୁ ଯୁବକଙ୍କ ବାଦ୍ୟ ଗାଁଦାଣ୍ଡ ପ୍ରକମ୍ପିତ କରୁଛି। ଗୁରୁବାର ଜିଲାର କୋରାପୁଟ ବ୍ଲକର ମସ୍ତିପୁଟ, ପଣସପୁଟ, କେନ୍ଦାର ଗ୍ରାମ ସମେତ ସହରର ବଡଚିନ୍ଦିରି, ସାନ ଚିନ୍ଦିରି, ତେନ୍ତୁଳିଗୁଡ଼ା, କୁମ୍ଭା, ଜାନିଗୁଡା, ରେଲିକୁମ୍ଭା, ଡାଙ୍ଗଦେଉଳା ଗ୍ରାମରେ ଚୈତ୍ର ପର୍ବର ଝଲକ ଦେଖିବାକୁ ମିଳିଛ।
ଆଦିବାସୀମାନେ ବିହନ ଅନୁକୂୂଳ କରିବା ତଥା ଜୀବନ ସାଥୀ ବାଛିବାର ପର୍ବ ହେଉଛି ଚୈତ୍ର। ଏହି ପରବରେ ବେଣ୍ଟ ଶିକାର ପାଇଁ ବୟସ୍କ ଲୋକେ ଗାଁ ଛାଡି ଜଙ୍ଗଲମୁହଁା ହୋଇଛନ୍ତି। ଶିକାର ନ ମିଳିବା ଯାଏ ସେମାନେ ଜଙ୍ଗଲରେ ରହୁନ୍ତି। ଶିକାର ନ ମିଳିଲେ ଗାଁରେ ମହିଳାମାନେ ତାଙ୍କୁ ବୀରତ୍ୱହୀନ ପୁରୁଷ କହି ଘରେ ପୂରାଇ ନଦେବା ପରମ୍ପରା ରହିଛି। ମହିଳା ଓ ପିଲାମାନେ ଗାଁ ରାସ୍ତାରେ ଚଇତି ପରବର ଇନାମ ଆଦାୟ କରିବାରେ ବ୍ୟସ୍ତ ଅଛନ୍ତି। ଏହି ପର୍ବ ଅବସରରେ ବିଭିନ୍ନ ସ୍ଥାନରେ ଚଇତି ଇନାମ ସଂଗ୍ରହ, ଆମ୍ବ, ମହୁଲ, ମୁଆଁ ଓ ବଣୁଆ ଫୁଲ ଦେଇ ଗ୍ରାମ ଠାକୁରାଣୀଙ୍କ ପୂଜା କରାଯାଏ। ମାସେବ୍ୟାପୀ ପାଳିତ ହେଉଥିବା ଏହି ସମୟ ଭିତରେ ବଙ୍ଗଳାଣୀ ଯାତ୍ରା, ହୁଣ୍ଡି ଶୀତଳରାଣୀ, ଅସ୍ତ୍ରଶସ୍ତ୍ର ପୂଜା, ଶିକାର ପର୍ବ ଓ ବିହନ ବୁଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏହି ସମୟରେ ଚାଷବାସ, କାଠକଟା, ମାଟିଖୋଳା ଓ ଧାନକୁଟା ବାରଣ ଥାଏ। ଅନ୍ୟପକ୍ଷରେ ଆଦିବାସୀ ଯୁବତୀ ଯୁବକଙ୍କ ପାଇଁ ଏହା ମନ ଦିଆନିଆର ସମୟ ା ସେମାନେ ନିଜ ମନ ପସନ୍ଦର ଜୀବନସାଥୀ ଏହି ଅବସରରେ ବାଛି ନିଅନ୍ତି। ସେମାନେ ପରସ୍ପରକୁ ରଙ୍ଗମାଟିରେ ରଙ୍ଗେଇ ବଣୁଆଫୁଲର ମାଳ ପିନ୍ଧେଇ ଦିଅନ୍ତି। ସାଥୀ ବାଛିବା ପରେ ବିବାହ ହୋଇଥାଏ। ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ହେଉଛି ପଶୁ ଶିକାର। ଏଥିରେ ପ୍ରଥମେ ହୁଏ ଟିଙ୍ଗିରି ବେଣ୍ଟ। ଏଥିରେ ଆଦିବାସୀ ବାଳକମାନେ ଜଙ୍ଗଲକୁ ଶିକାରରେ ଯାଇ ଛୋଟବଡ଼ ବନ୍ୟଜନ୍ତୁ ଧରି ଫେରିବା ପରେ ସେମାନଙ୍କୁ ମହିଳାମାନେ ବାଟବରଣ କରନ୍ତି। ଏହାପରେ ସୁସଜ୍ଜିତ ବିମାନରେ ଶିକାରକୁ ରଖି ଘରଘର ବୁଲି ପଇସା ସଂଗ୍ରହ କରାଯାଏ। ଟିଙ୍ଗିରି ବେଣ୍ଟ ପରଦିନ ପଡ଼େ ବଡ଼ବେଣ୍ଟ। ହୁଣ୍ଡି ଠାକୁରାଣୀ ପୀଠରେ ଅସ୍ତ୍ରଶସ୍ତ୍ର ପୂଜାକରି ଗାଁର ସମସ୍ତେ ଶିକାର ଅଭିଯାନରେ ବାହାରନ୍ତି। ବଡ଼ବେଣ୍ଟରେ ଯିବାକୁ ଯେଉଁ ପୁରୁଷ ଅମଙ୍ଗ ହୁଏ, ମହିଳାମାନେ ସେମାନଙ୍କ ଉପରେ ଗୋବର ପାଣି ଛିଞ୍ଚତ୍ ଜଙ୍ଗଲକୁ ତଡ଼ିଦିଅନ୍ତି। ସେହିଦିନ ଗ୍ରାମ ପୁରୁଷ ଶୂନ୍ୟ ହୋଇପଡ଼େ। ସେମାନଙ୍କ ଅନୁପସ୍ଥିତିରେ ମହିଳାମାନେ ନାଚଗୀତ ସହ ରାସ୍ତା ଅବରୋଧ କରି ବାଟୋଇଙ୍କଠାରୁ ଖୁଚୁରା ପଇସା (ଚଇତି ଇନାମ) ଆଦାୟ କରନ୍ତି। ଶିକାର ଧରି ପୁରୁଷ ଫେରିବା ପରେ ମହିଳାମାନେ ଗୀତନାଚରେ ସ୍ବାଗତ କରନ୍ତି। ବଡ଼ବେଣ୍ଟ ପରଦିନ ସମସ୍ତେ ହୁଣ୍ଡିପୀଠରେ ଜମା ହୁଅନ୍ତି। ସେଠାରେ ମହିଳାଙ୍କ ମଧ୍ୟରେ ଡାଲ ସମ୍ବର ପ୍ରଥା ଅନୁଷ୍ଠିତ ହୁଏ। ଏହି ପରବ ଶେଷ ହେଲେ ହୁଣ୍ଡିରେ ପୂଜା ପାଉଥିବା ବିହନକୁ ପୂଜାରୀ ଜମିରେ ବୁଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ଭିଡ଼ ହିଂସା, ୨୪ ଅଭିଯୁକ୍ତଙ୍କ ହେଲା ଟିଆଇ ପରେଡ୍‌

ରାୟଗଡ଼ା/ବିଷମ କଟକ, ୬।୭ (କୈଳାସ ଚନ୍ଦ୍ର ପୃଷ୍ଟି/ ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଘଟିଥିବା ବହୁଚର୍ଚ୍ଚିତ ଭିଡ଼ ହିଂସା ମାମଲାରେ ସୋମବାର ବିଷମକଟକ ଉପକାରାଗାରରେ…

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

କଲ୍ୟାଣସିଂହପୁର,୪।୭(ଦୀପକ କୁମାର ପରିଡା): କଲ୍ୟାଣସିଂହପୁର ବ୍ଲକ ସୀମାନ୍ତ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବିଜେପୁର ପଞ୍ଚାୟତ ଫୁକେର ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri