ବିରଳ ବଳୟ ସୂର୍ଯ୍ୟୋପରାଗ

ଡ. ଶୁଭେନ୍ଦୁ ପଟ୍ଟନାୟକ
ଡିସେମ୍ବର ୨୬ ତାରିଖ ପୂର୍ବାହ୍ଣରେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ। ଏହି ମହାଜାଗତିକ ଘଟଣା ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ। ସମଗ୍ର ଓଡିଶାରେ ସେହି ସମୟରେ ଆଂଶିକ ସୂର୍ଯ୍ୟୋପରାଗ ଦେଖାଯିବ। ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଗୋଟିଏ ଗୋଟିଏ ବିରଳ ମହାଜାଗତିକ ଘଟଣା। ଆମ ସମାଜରେ ଆବହମାନ କାଳରୁ ଗ୍ରହଣ ଓ ଉପରାଗକୁ ନେଇ ଅନେକ ବିଶ୍ୱାସ ଓ ଅନ୍ଧବିଶ୍ୱାସ ରହିଛି। ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରକୁ ରାହୁ ବା କେତୁ ନାମକ ରାକ୍ଷସ ଗିଳି ଦେଉଥିବା ପରି ଅନେକ ଲୋକକଥା ପ୍ରଚଳିତ ଅଛି। ଗ୍ରହଣ ସମୟରେ ଦେବନୀତିରେ ପରିବର୍ତ୍ତନ, ପାକ ନିଷେଧ, ଗର୍ଭବତୀ ମହିଳାଙ୍କ ଉପରେ କଟକଣା ଆଦି। ଏବେ କିନ୍ତୁ ଆମେ ଉପରାଗ କାହିଁକି ଏବଂ କିପରି ଘଟେ ତାହା ଜାଣିସାରିଲେଣି। ଗ୍ରହଣ ଓ ଉପରାଗ ଏକ ଛାଇଆଲୁଅର ଖେଳ ଯାହା, ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ। ଏବେ ସେଗୁଡିକୁ ସମ୍ପୂର୍ଣ୍ଣ ଠିକ୍‌ ଭାବରେ ପୂର୍ବାନୁମାନ ମଧ୍ୟ କରାଗଲାଣି ଯାହା ପୂର୍ବକାଳରେ ସମ୍ଭବ ନ ଥିଲା। ଏବେ ଆମେ ଜାଣିଛୁ ଯେ ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରି ବୁଲୁଛନ୍ତି। ମହାକାଶରେ ବୁଲୁଥିବା ଏହି ପିଣ୍ଡ ଦୁଇଟି ବେଳେବେଳେ ସୂର୍ଯ୍ୟ ସହ ଏକ ସରଳରେଖାରେ ରହିଥାନ୍ତି ଓ ସେ ସମୟରେ ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟୋପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ ଏବଂ ସେହି ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ଦିନବେଳେ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ସୂର୍ଯ୍ୟୋପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିବା ସମ୍ଭବ।
ଏଠି ସୂଚାଇ ଦିଆଯାଇପାରେ ଯେ ଚନ୍ଦ୍ରର କକ୍ଷପଥ ଓ ପୃଥିବୀର କକ୍ଷ ଗୋଟିଏ ସମତଳରେ ନ ରହି ୫ ଡିଗ୍ରୀ ଢଳି ରହିଛି। ଯଦି କକ୍ଷପଥ ଦୁଇଟି ଗୋଟିଏ ସମତଳରେ ଥାଆନ୍ତା ତା’ହେଲେ ପ୍ରତି ଅମାବାସ୍ୟାରେ ସୂର୍ଯ୍ୟୋପରାଗ ଓ ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ହେଉଥାଆନ୍ତା, କିନ୍ତୁ କକ୍ଷପଥ ଦୁଇଟି ସାମାନ୍ୟ ଢଳି ରହିଥିବାରୁ ଏପରି ଘଟୁ ନାହିଁ। ଗ୍ରହଣ ଓ ଉପରାଗ ମିଶି ବର୍ଷକୁ ଅତି ବେଶିରେ ୭ଟି ଓ ଅତି କମ୍‌ରେ ୨ଟି ଘଟିଥାଏ।
ଡିସେମ୍ବର୨୬ ତାରିଖ ପୂର୍ବାହ୍ଣରେ ସଂଘଟିତ ହେବ ଏକ ବଳୟ ସୂର୍ଯ୍ୟୋପରାଗ। ଏହି ବିରଳ ମହାଜାଗତିକ ଘଟଣାଟି ସମଗ୍ର ଓଡିଶାକୁ ଆଂଶିକ ସୂର୍ଯ୍ୟୋପରାଗ ଭାବରେ ଦେଖାଯିବ। ଏହା ଭାରତର ଦକ୍ଷିଣରେ ଥିବା କେତେକ ରାଜ୍ୟକୁ ସଂପୂର୍ଣ୍ଣ ଦେଖାଯିବ। ଏହି ଉପରାଗ ଓଡିଶାବାସୀଙ୍କ ପାଇଁ ସକାଳ ୮ଟା ୨୦ ମିନିଟ୍‌ରେ ଆରମ୍ଭ ହୋଇ ଦିନ ୧୧ଟା ୨୮ ମିନିଟ୍‌ରେ ଶେଷ ହେବ। ଓଡିଶାରେ ସର୍ବାଧିକ ଉପରାଗ ଦେଖାଯିବ ସକାଳ ୯ଟା ୪୬ ମିନିଟ ସମୟରେ। ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପ୍ରାୟ ୫୫ରୁ ୬୫% ଘୋଡାଇଦେବ ଓ ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦେଖାଯିବ। ଏହା ଏକ ବିରଳ ଦୃଶ୍ୟ।
ସୂର୍ଯ୍ୟକୁ ବା ସୂର୍ଯ୍ୟୋପରାଗକୁ ଖାଲିଆଖିରେ କେବେ ବି ଦେଖନ୍ତୁ ନାହିଁ। ଏହାକୁ ଦେଖିବା ପାଇଁ ଅନେକ ନିରାପଦ ଉପାୟ ରହିଛି। ସେଗୁଡିକ ବ୍ୟବହାର କରି ନିରାପଦ ଭାବରେ ସୂର୍ଯ୍ୟୋପରାଗ ଦେଖି ହେବ। ନିରାପଦ ଓ ସହଜ ଉପାୟଗୁଡିକ ମଧ୍ୟରେ ରହିଛି ସୌର ଚଷମା, ୧୪ ନମ୍ବର ଓ୍ବେଲ୍ଡିଂ କାଚ, ପିନ୍‌ହୋଲ ପ୍ରକ୍ଷେପଣ ଓ ଦର୍ପଣ ମାଧ୍ୟମରେ ପ୍ରତିଫଳନ କରି। ଏହି ଉପାୟଗୁଡିକ ବିଷୟରେ ସବିଶେଷ ତଥ୍ୟ ଇଣ୍ଟର୍‌ନେଟକୁ ତଥା ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ରୁ ମିଳିପାରିବ। ଓଡିଶାର ସବୁ ଅଞ୍ଚଳରୁ ଏହା ଦେଖି ହେବ। ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ତଥା ଅନେକ ଅନୁଷ୍ଠାନ ତରଫରୁ ଲୋକମାନଙ୍କୁ ସଚେତନ କରାଇବା ସହ ଏହି ଦୃଶ୍ୟକୁ ନିରାପଦରେ ଦେଖିବା ପାଇଁ ସୁବ୍ୟବସ୍ଥା କରାଯାଉଛି। ତେଣୁ ଏହି ସୁଯୋଗକୁ ହାତଛଡା ନ କରିବା ପାଇଁ ଅନୁରୋଧ କରାଯାଉଛି। ଆସନ୍ତୁ ସମସ୍ତେ ଏହି ବିରଳ ଦୃଶ୍ୟକୁ ଉପଭୋଗ କରିବା, ଏହା ପଛରେ ଥିବା ବୈଜ୍ଞାନିକ କାରଣଗୁଡିକ ଜାଣିବା ଏବଂ ସମାଜରେ ଭରି ରହିଥିବା ଅନ୍ଧବିଶ୍ୱାସଗୁଡିକୁ ଦୂରକରିବାରେ ସହାୟକ ହେବା।
ପଠାଣି ସାମନ୍ତ ପ୍ଲାନେଟାରିୟମ୍‌, ଭୁବନେଶ୍ୱର, ମୋ- ୯୪୩୭୦୦୩୨୮୧


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ କଇଁଆ ଚିଲିକା ମାଛ

ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି।…

ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ

ଶ୍ରୀଜଗନ୍ନାଥଙ୍କର ପହଣ୍ଡି ବିଜେ ଉପରେ ଆଲୋଚନା କରିବା ପୂର୍ବରୁ ଆମକୁ ପ୍ରଥମେ ବୁଝିବାକୁ ହେବ ଯେ, ପହଣ୍ଡି ବିଜେ କ’ଣ? ଅତି ସରଳଭାଷାରେ ବୁଝାଇ କହିଲେ ଜଣାଯିବ…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri