ବିଜ୍ଞାନ ଲଢୁଛି

ଡ. ପ୍ରଫୁଲ୍ଲ କୁମାର ସାହୁ

ବିଜ୍ଞାନ ବଳରେ ମଣିଷ ଆଜି ଉପଭୋଗ କରୁଛି ଅକଳ୍ପନୀୟ ସୁବିଧା। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ସବୁ ଦୋଷ ଲଦୁଛି ବିଜ୍ଞାନ ଉପରେ। ୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍‌ ବା ଫନୀ ହେଉ, ତା’ର ଉଗ୍ରରୂପ ଦେଖି ବିଜ୍ଞାନ ଉପରେ ଖାଲି ଦୋଷ ଲଦିନି,ତାକୁ ବି ଖୁବ୍‌ ଖର୍ବ ମନେକରିଛି ବିପର୍ଯ୍ୟୟ ଭୟରେ। ସଂପ୍ରତି ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନାକୁ ନେଇ ବୁଦ୍ଧିଜୀବୀଙ୍କ ମନ ଭିତରେ ବି ପ୍ରକାଶ ପାଇଛି ସେହି ବିଜ୍ଞାନ ବିରୋଧୀ ଆଭିମୁଖ୍ୟ। ଚାଇନାରୁ ଏହା ଆରମ୍ଭ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ତା’ର ଚରିତ୍ର, ଆଚରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ବିଭିନ୍ନ ଖବରକାଗଜରେ ପ୍ରତିଦିନ ପ୍ରକାଶ ପାଉଛି ଅସୁମାରି ଆଲେଖ୍ୟ। ସେସବୁ ଅଧିକାଂଶ ଲେଖାରେ ରହିଛି ବିଜ୍ଞାନ ପ୍ରତି ନକାରାତ୍ମକ ଭାବନା, ଯାହାର ମର୍ମାର୍ଥ ହେଉଛି ମହାମାରୀ କରୋନା ଆଗରେ ଆଜି ଆଣ୍ଠେଇ ପଡିଛି ବିଜ୍ଞାନ। ଲକ୍‌ଡାଉନ୍‌ ହୋଇଯାଇଛି ତା’ର ଜୟଯାତ୍ରା। ସେମାନଙ୍କର ଯୁକ୍ତି ହେଉଛି ବିଶ୍ବବ୍ୟାପୀ ବିଶେଷଜ୍ଞଙ୍କ ନିରନ୍ତର ପ୍ରୟାସ ସତ୍ତ୍ବେ ଏ ଯାବତ୍‌ ଆବିଷ୍କୃତ ହୋଇପାରିଲାନି କରୋନାର ପ୍ରତିଷେଧକ। ସେମାନଙ୍କ ଆଶଙ୍କା ଠିକ୍‌ ହୋଇପାରେ, ମାତ୍ର ବିଜ୍ଞାନ କିଛି ଯାଦୁବିଦ୍ୟା ନୁହେଁ ଯେ ସେ ସହସା ଶୂନ୍ୟରୁ ତୋଳି ଆଣି ଥୋଇଦେବ ସଫଳତା। ବିଜ୍ଞାନ ଆଡକୁ ଆଙ୍ଗୁଠି ନିର୍ଦ୍ଦେଶ କରିବା ପୂର୍ବରୁ ଜାଣି ରଖିବା ଦରକାର ବିଜ୍ଞାନ କେବେ କୌଣସି ସଫଳତା ରାତାରାତି ପାଇନି, ଯେତେ ଯାହା ସବୁ ହାସଲ କରିଛି, ତାହା ଏକ ପ୍ରଲମ୍ବିତ ସଂଗ୍ରାମର ଫଳ। ତା’ର ସେହି ସଂଗ୍ରାମିକ ଇତିହାସରେ ଏବେ ଯୋଡି ହୋଇଯାଇଛି ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅଧ୍ୟାୟ, ଯାହା ବିଶ୍ବ ମହାମାରୀ କରୋନା ସହିତ ବିଜ୍ଞାନର କୌଶଳପୂର୍ଣ୍ଣ ଲଢ଼େଇ।
ଏକଦା ବଣ ଜଙ୍ଗଲରେ ବାସ କରୁଥିବା ଆଦିମ ମଣିଷ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ ନିର୍ମାଣ କଲା ଘର। ଖାଦ୍ୟ ପାଇଁ ପଶୁପକ୍ଷୀ ଶିକାର ଉପରେ ନିର୍ଭର ନ କରି ଶିଖିଲା କୃଷି କାର୍ଯ୍ୟ। ଏକ ବ୍ୟବସ୍ଥିତ ଢଙ୍ଗରେ ସଂପାଦିତ ହେଲା ତା’ର ପ୍ରତ୍ୟେକ କାର୍ଯ୍ୟ। ମଣିଷର ଏହି ସୌନ୍ଦର୍ଯ୍ୟ ଚେତନାରୁ କ୍ରମଶଃ ଜନ୍ମ ନେଲା ଧର୍ମ ଦର୍ଶନ, ସାହିତ୍ୟ ଓ ଅନ୍ୟାନ୍ୟ କଳା। ଅର୍ଥାତ୍‌ ସଭ୍ୟତାର ପ୍ରଥମ ସୋପାନରୁ ମଣିଷ କେବଳ ପ୍ରକୃତିର ସଂଗୀତରେ ଆତ୍ମହରା ହୋଇନି, ବିଜ୍ଞାନ ସହ ମଧ୍ୟ ଯୋଡି ହୋଇଯାଇଛି ନିବିଡ ଭାବରେ। ଏହି କ୍ରମରେ ବିଜ୍ଞାନ ଆଜି ପାଲଟି ଯାଇଛି ଆମ ଜୀବନର ଏକ ଅଙ୍ଗ ଓ ଅଙ୍ଗୀକାର। ଏହାକୁ ଅସ୍ବୀକାର କରିବା ଅର୍ଥ ଜୀବନ ପ୍ରତି ଏକ ବିରାଟ ଛଳନା ବା ଆତ୍ମ ପ୍ରବଞ୍ଚନା। ଅସ୍ବୀକାର କରିବା ପୂର୍ବରୁ ଥରେ ଭାବିଲେ ଦେଖି, ଯଦି ହଠାତ୍‌ ବିଜୁଳି ସଂଯୋଗ ଚାଲିଯାଉଛି, ତେବେ କେମିତି ଡହଳ ବିକଳ ହେଉଛି ଜୀବନ! ଅର୍ଥାତ୍‌ ଆଉ ବିଜୁଳି ଶକ୍ତିକୁ ଛାଡ଼ି ବଞ୍ଚିବା ଏବେ ଆମ ପାଇଁ ଅସମ୍ଭବ କହିଲେ ଚଳେ। ଅଥଚ ଆମେ କେହି ଅନୁରକ୍ତ ନୁହେଁ ତା’ର ଉଦ୍ଭାବକ ବେଞ୍ଜାମିନ୍‌ ଫ୍ରାଙ୍କଲିନଙ୍କ ଅବଦାନ ପ୍ରତି। ଯିଏ ଆମକୁ ଏବେ ବଡ ସୁବିଧା ଆଣି ଦେଲେ ଆମେ ତାଙ୍କୁ ମନେରଖିବା ତ ଦୂରର କଥା ଜାଣିବାକୁ ବି କୁଣ୍ଠିତ। ଆମ ସମସ୍ତଙ୍କ ଘରେ ଏବେ ଟେଲିଭିଜନ୍‌ ଏକ ଅତ୍ୟାବଶ୍ୟକ ସାମଗ୍ରୀ, ମାତ୍ର କେତେ ଜଣ ଆଜି ମନେ ପକାଉଛନ୍ତି ତା’ର ଉଦ୍ଭାବକ ଜନ୍‌ ଲୋଗି ବେୟାଡଙ୍କ କଥା। ଆମର ଯାହା ସୁବିଧା ଦରକାର ଥିଲା,ତା’ ଆମକୁ ଯୋଗାଇ ଦେଲା ବିଜ୍ଞାନ। ଆମେ କିନ୍ତୁ ସୁବିଧା ପାଇଲା ପରେ ଭୁଲିଗଲେ ବର୍ଷ ବର୍ଷ ସାଧନା କରି ଆମ ପାଇଁ ସୁବିଧା ଆଣିଥିବା ସେହି ମହାନ୍‌ ବ୍ୟକ୍ତିଙ୍କ ନାଁ। ଅନ୍ୟପକ୍ଷରେ ଆମେ ଆଦୌ ଭୁଲି ନାହୁଁ ଧର୍ମ ନାମରେ ବ୍ୟଭିଚାର କରୁଥିବା ଅନେକ ବାବାଙ୍କ ନାମ, ଧାମ ଓ ଆହୁରି ଅନେକ କିଛି। ଅତି ଆଗ୍ରହର ସହିତ ମନେରଖିଛୁ କେଉଁ ବାବାଙ୍କ ଆଶ୍ରମରେ ସିମେଣ୍ଟ ଗାଈ କେତେ କ୍ଷୀର ଦିଏ ଓ ସେ କ୍ଷୀରର ସାନ୍ଦ୍ରତା କେତେ। ପଠାଣି ସାମନ୍ତଙ୍କ ବିିଷୟରେ ଆମକୁ ହୁଏତ କିଛି ଜଣାନାହିଁ । ଆଚ୍ଛା ଥରେ ଭାବିଲେ ଦେଖି ଜନ୍ମ ନିୟନ୍ତ୍ରଣ ପଦ୍ଧତି ବାହାରି ନ ଥିଲେ କେଉଁଠି ଥାଆନ୍ତା ଆଜି ପୃଥିବୀର ଜନସଂଖ୍ୟାର ସ୍ଥିତି ? ଚିକିତ୍ସା ବିଜ୍ଞାନର ମାଇଲ ଖୁଣ୍ଟ କୁହା ଯାଉଥିବା ନିଶ୍ଚେତକ ବା ଆନାସ୍ଥେସିଆ ଯଦି ବାହାରି ନ ଥାନ୍ତା, ତେବେ କେମିତି ସମ୍ଭବ ହୋଇଥାନ୍ତା ଜଟିଳ ରୋଗର ଅସ୍ତ୍ରୋପଚାର? ମହାମାରୀ ପ୍ରସଙ୍ଗରେ ବି ମନକୁ ଆନ୍ଦୋଳିତ କରେ ସେହି ସମାନ ପ୍ରଶ୍ନ। ବିଗତ ଶତାବ୍ଦୀରେ ବସନ୍ତ ଓ ହଇଜା ଆଦି ମହାମାରୀ ପାଇଁ ପ୍ରତିଷେଧକ ବାହାରି ନ ଥିଲେ କେତେ କାଳ ତିଷ୍ଠି ଥାଆନ୍ତା ଏ ମାନବ ଜାତି?
ପ୍ରାକୃତିକ ବିପର୍ଯ୍ୟୟ ସବୁକାଳରେ ରହିଛି ଓ ରହିବ, କାରଣ ପ୍ରକୃତି ପରି ପ୍ରାକୃତିକ ବିପର୍ଯ୍ୟୟ ବି ଧ୍ରୁବ ସତ୍ୟ। ଅର୍ଥାତ୍‌ ଏହା ମଣିଷର ଅକ୍ତିଆର ବାହାରେ। କେବଳ ଆଧୁନିକ ଜ୍ଞାନକୌଶଳ ବଳରେ ତା’ର ମୁକାବିଲା କରି ସୁରକ୍ଷିତ ରହିବା ଆମର ଦାୟିତ୍ୱ। ମନେ ପକାନ୍ତୁ ୯୯ ମହାବାତ୍ୟାର ଓଡ଼ିଶାର ବିପୁଳ କ୍ଷୟକ୍ଷତି କଥା। ପରବର୍ତ୍ତୀ ସମୟରେ ବି ଆମ ମଥା ଉପର ଦେଇ ପ୍ରବାହିତ ହୋଇଛି ଫାଇଲିନ, ହୁଡ୍‌ହୁଡ୍‌,ତିତ୍‌ଲି ଓ ଫନୀ ଆଦି ଭୟଙ୍କର ସାମୁଦ୍ରିକ ଝଡ଼। ମାତ୍ର ‘ଡପଲର ରାଡାର’ ର ପୂର୍ବାନୁମାନ ବଳରେ ସେ ସବୁ ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିଲା ଅତି ସଫଳତାର ସହିତ। ଏହି ରାଡାର ସାହାଯ୍ୟରେ ଏବେ ପ୍ରାୟ ସପ୍ତାହକ ପୂର୍ବରୁ ବାତ୍ୟା ସଂପର୍କିତ ସତର୍କ ସୂଚନା ପ୍ରଦାନ କରିପାରୁଛି ପାଣିପାଗ ବିଭାଗ। ଏହାଦ୍ବାରା ବିପର୍ଯ୍ୟୟ ପରିଚାଳନା ସହଜ ହେବା ସହିତ ରକ୍ଷା ହୋଇପାରୁଛି ହଜାର ହଜାର ଲୋକଙ୍କ ଜୀବନ। ଏହା ହିଁ ବିଜ୍ଞାନର କମାଲ୍‌। ଏହି ପରିପ୍ରେକ୍ଷୀରେ ଆମେ ବୁଝିବା ଦରକାର, ଯେଉଁ ବୈଜ୍ଞାନିକ ଉଦ୍ଭାବନ ବଳରେ ମଣିଷ ଆଜି ଆରାମ ଦାୟକ ଜୀବନ ଅତିବାହିତ କରୁଛି ତାହା ଅକସ୍ମାତ ଆକାଶରୁ ଖସିପଡିନି କି କେଉଁ ଦେବଦେବୀ ଦେଇ ନାହାନ୍ତି ଦୟା ପରବଶ ହୋଇ। ଏସବୁ ମିଳିଛି ବିଶେଷଜ୍ଞମାନଙ୍କ ବର୍ଷ ବର୍ଷର ଗବେଷଣା ଓ ସଂଘର୍ଷ ଫଳରେ। ଅର୍ଥାତ୍‌ ଦୁଇଖଣ୍ଡ କାଠରୁ ଆରମ୍ଭ କରି ଆଜିର ଇଣ୍ଟରନେଟ୍‌ ପର୍ଯ୍ୟନ୍ତ ବିଜ୍ଞାନର ଯାତ୍ରା ଖୁବ୍‌ ସୁଦୀର୍ଘ ଓ ଘଟଣା ବହୁଳ। ତା’ର ଏହି ପ୍ରଲମ୍ବିତ ଯାତ୍ରା ସତ୍ତ୍ବେ ବି ପ୍ରକୃତି କେବେ କ୍ଷୁବ୍ଧ ହୋଇନି କି ସେଥିପାଇଁ ସୃଷ୍ଟି ହେଉନି ପ୍ରାକୃତିକ ବିତ୍ପାତ। କାରଣ ପ୍ରକୃତି ଓ ବିଜ୍ଞାନ ପରସ୍ପର ବିରୋଧୀ ନୁହନ୍ତି, ପରିପୂରକ। ପ୍ରକୃତି ବିନା ବିଜ୍ଞାନର ସ୍ଥିତି ଯେମିତି ଶୂନ୍‌ ଓ ବିଜ୍ଞାନ ବିନା ସେମିତି ପ୍ରକୃତିକୁ ଜୀବନ ଉପଯୋଗୀ କରିବା ଅସମ୍ଭବ। ତେଣୁ ବିଜ୍ଞାନ କେବେ ପ୍ରକୃତି ବିରୋଧରେ ଯାଏନି, ବରଂ ବିଜ୍ଞାନ ଚାହେଁ ପ୍ରକୃତିର ସୁସ୍ଥତା ଓ ପରିପୁଷ୍ଟତା। କାରଣ ପ୍ରକୃତି ସୁସ୍ଥ ନ ରହିଲେ ସଫଳ ହେବନି ବିଜ୍ଞାନ। ମାତ୍ର ବୈଜ୍ଞାନିକ ଆବିଷ୍କାରର ପ୍ରୟୋଗ ଯଦି ପ୍ରକୃତି ବିରୋଧରେ ଯାଏ, ତେବେ ତାହା ସମଗ୍ର ମାନବ ଜାତି ପାଇଁ ସାବ୍ୟସ୍ତ ହୁଏ ହାନିକାରକ। ତେଣୁ ପ୍ରକୃତି ବିରୋଧରେ ଯାଉଥିବା ଶକ୍ତିକୁ ଖୋଜି ବାହାର କରିବା ଉଚିତ। ସାଧାରଣତଃ ବୈଜ୍ଞାନିକ ଆବିଷ୍କାରକୁ ପ୍ରକୃତି ବିରୋଧରେ ସେହିମାନେ କେବଳ ନେଇପାରନ୍ତି, ଯିଏ ଭାବନ୍ତି ପ୍ରକୃତି ହେଉଛି ଉତ୍ପାଦନ ନିମନ୍ତେ ଆବଶ୍ୟକୀୟ କଞ୍ଚାମାଲର ଏକ ଗନ୍ତାଘର। ସେହିମାନେ ଲାଭ ଓ ଲୋଭର ବଶବର୍ତ୍ତୀ ହୋଇ ପ୍ରାକୃତିକ ସଂପଦକୁ ଲୁଣ୍ଠନ କରି ପାରନ୍ତି, ଯାହାଦ୍ବାରା ବିପଦ ଭିତରକୁ ଠେଲି ହୋଇଯାଏ ସମଗ୍ର ମାନବ ଜାତି।
କୁହାଯାଏ ଲୁହାରେ ଯଦି ଲଙ୍ଗଳ ତିଆରି ହୁଏ, ତେବେ କୃଷି କ୍ଷେତ୍ରରେ ବୃଦ୍ଧି ପାଏ ଶସ୍ୟ ଉତ୍ପାଦନ। ଅନ୍ୟପକ୍ଷରେ ଲୁହାରେ ଯଦି ଖଣ୍ଡା ବର୍ଚ୍ଛା ତିଆରି ହେବ, ତେବେ ଦେଶରେ ସୃଷ୍ଟି ହେବ ରକ୍ତପାତ। ଅର୍ଥାତ୍‌ ଦେଶରେ ସାମରିକ ଖର୍ଚ୍ଚଠାରୁ ବେସାମରିକ ଖର୍ଚ୍ଚ ଅଧିକ ହେବା ବାଞ୍ଛନୀୟ। ମାତ୍ର ବିଶ୍ବବ୍ୟାପୀ ସବୁ ଦେଶରେ ଏବେ ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ପଛରେ ପକାଇ ବଢିଚାଲିଛି ସାମରିକ ଖର୍ଚ୍ଚ। ବିଶେଷଜ୍ଞମାନଙ୍କ ମତରେ ପ୍ରକୃତି ଉପରେ ସବୁଠାରୁ ଅଧିକ ପ୍ରତିକୂଳ ପ୍ରଭାବ ପକାଉଛି ମହାକାଶରେ ହେଉଥିବା ଗୋଳା ବାରୁଦ ପରୀକ୍ଷା। ରାଷ୍ଟ୍ରମୁଖ୍ୟମାନଙ୍କ ଯୁଦ୍ଧଖୋର ମନୋଭାବ ଯୋଗୁ ଗୋଳା ବାରୁଦ ଗନ୍ଧରେ ଅତିଷ୍ଠ ହୋଇ ପଡୁଛି ପ୍ରକୃତି। ଅଥଚ ଏବେ ସାମରିକ ଖର୍ଚ୍ଚର ପାହାଡ ଶିଖରରେ ବସିଥିବା ସେହି ପ୍ରବଳ ପ୍ରତାପୀମାନେ ଖୋଜି ପାଉନାହାନ୍ତି କରୋନା ପ୍ରକୋପରୁ ନିସ୍ତାର ପାଇବାର ରାସ୍ତା। କେବଳ ଅସହାୟ ଭାବରେ ଚାହିଁ ରହିଛନ୍ତି ସେହି ବିଜ୍ଞାନାଗାର ଆଡକୁ, ଯେଉଁଠି ଆହାର ନିଦ୍ରା ଭୁଲି କରୋନା ଭୂତାଣୁ ପ୍ରତିଷେଧକ ସନ୍ଧାନରେ ଲାଗି ପଡ଼ିଛନ୍ତି ଅନେକ ଫଟାକୋର୍ଟ ପିନ୍ଧା ମଣିଷ। ଅର୍ଥାତ୍‌ ମାନବ ଜାତିକୁ ଏ ସଙ୍କଟରୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଛା ଲଢୁଛି ବିଜ୍ଞାନ। ଏ ଲଢ଼େଇର କେବେ ଅନ୍ତ ହେବ ସେ ନିଷ୍ପତ୍ତି କରିବ ଭବିଷ୍ୟତ। ମାତ୍ର ବିଜ୍ଞାନ ଯେ କେବେ କୌଣସି ସଂଗ୍ରାମରେ ହାରି ନାହିଁ, ତା’ର ସାକ୍ଷୀ ହେଉଛି ଇତିହାସ। ତାହା ହିଁ ସବୁଠାରୁ ବଡ଼ ଆଶ୍ବାସନାର ବିଷୟ।

ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ, ପଡ଼ିଆବେଡା, ମୟୂରଭଞ୍ଜ,
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?