ଏକ ନୂଆ ସକାଳର ପ୍ରତୀକ୍ଷାରେ

ଉପେନ୍ଦ୍ର ବିଶ୍ୱାଳ

ବିଶ୍ୱ ବରେଣ୍ୟ ବୈଜ୍ଞାନିକ ଆଇନ୍‌ଷ୍ଟାଇନ୍‌ କହିଥିଲେ ‘ବ୍ରହ୍ମାଣ୍ଡ ଯେମିତି ଅନନ୍ତ, ମଣିଷର ନିର୍ବୋଧତା ବି ସେମିତି ଅନନ୍ତ।’ ମଣିଷର ଏହି ନିର୍ବୋଧପଣିଆ ହିଁ ତା’ ଦୁଃଖ ଓ ଦୁର୍ଦ୍ଦିନର କାରଣ। ନିର୍ବୋଧତା ହିଁ ମଣିଷର ପତନର ପଥକୁ ପ୍ରଶସ୍ତ କରିଥାଏ। ଠିକ୍‌ ଏହି କଥାକୁ ବି ଆମ ବିଜ୍ଞ ମୁନି-ଋଷିମାନେ ଚେତାଇ ଯାଇଛନ୍ତି ବାରମ୍ବାର। ସେମାନେ ଥିଲେ ଅତିମାନସର ସନ୍ଧାନୀ। ଭୌତିକ ଜଗତର ଊର୍ଦ୍ଧ୍ୱରେ ରହି ଉଚ୍ଚତର ବିଭବକୁ ପ୍ରାପ୍ତ କରିଥିଲେ। ଦୂରଦ୍ରଷ୍ଟା ଏହି ମୁନି-ଋଷିଙ୍କର ଆପ୍ତବାକ୍ୟ ତ ଅକାଟ୍ୟ। ଏପରି ଅତିଭୌତିକ ଜ୍ଞାନୀମାନେ କହନ୍ତି ‘ମଣିଷର ଚେତନାଗତ ବିକୃତି ଭିତରୁ ନୂଆ ନୂଆ ଜୀବାଣୁ ଜନ୍ମ ନେଇପାରନ୍ତି’ (ଅନ୍ତରଙ୍ଗ ଭାରତ, ମନୋଜ ଦାସ, ପୃଷ୍ଠା ୩୫୫)। ଭୂତାଣୁଜନିତ ଆଜିର ବିଭୀଷିକା, ଆମ ବିକୃତିର ସାଙ୍କେତିକ ଇଙ୍ଗିତ ନୁହଁ କି? ସିଧାସିଧା ଆମେ କହିପାରିବା ଆମ ପାପାଚାର ଯୋଗୁଁ ଆଜିର ଭାଇରସ୍‌ର ବ୍ୟୁପତ୍ତ୍ତି। ଠିକ୍‌ ଏହି କଥାକୁ ବି ଭଗବାନ ଶ୍ରୀକୃଷ୍ଣ ଆମକୁ ସୂଚାଇ ଯାଇଛନ୍ତି। ସୃଷ୍ଟିଚକ୍ରର ନିୟମାନୁଯାୟୀ ଦୁନିଆରେ ପାପାଚାର ବଢ଼ିଗଲେ, ଭୟଙ୍କର ସଙ୍କଟ କବଳରୁ ଜଗତକୁ ରକ୍ଷା କରିବାକୁ ଭଗବାନ ସମୁଚିତ ବ୍ୟବସ୍ଥା କରିଥାନ୍ତି। ମଣିଷର ଚେତନା ବିକୃତ ବା କୁଟିଳ ହେଲେ, ସେ ସୈତାନରେ ରୂପାନ୍ତରିତ ହୋଇଯାଏ। ତା’ର ସତ୍ୟାନାଶୀ କ୍ରିୟାକଳାପ ହିଁ ସର୍ବନାଶକୁ ଆମନ୍ତ୍ରଣ କରେ। ବୋଧହୁଏ ଏଇଥିପାଇଁ ପୃଥିବୀର ଭାରସାମ୍ୟ ରକ୍ଷା କରିବାକୁ ବିଧାତାଙ୍କର ଆଜି ଏପରି ଏକ ଲୀଳା ଖେଳା। ଫଳରେ ମଣିଷ ହେଜିବ। ନିଜକୁ ତର୍ଜମା କରିବ ଓ ସଚେତନ ହେବ। ରାମରୁ ମରାକୁ ଆସିଯାଇଥିବା ମଣିଷ ପୁଣି ମରାରୁ ରାମକୁ ଫେରିଆସିବ। ଦସ୍ୟୁରୁ ମହର୍ଷି ହେବ। ଜୀବନର ମହାକାବ୍ୟ ରଚିବ, ଠିକ୍‌ ବାଲ୍ମୀକିଙ୍କ ପରି। ମର୍ଯ୍ୟାଦାଚ୍ଛାଦିତ ମହାର୍ଘ୍ୟ ମୂଲ୍ୟବୋଧଭରା ରାଜ୍ୟଟିଏ ଗଢ଼ିବ। ଅପରାଧୀକୁ ବନ୍ଦୀ କରି ରଖାଯାଏ, କାରଣ ସେ ହୁଏତ ଆମତ୍ଅନୁଶୀଳନ କରିବ, କୃତକର୍ମ ପାଇଁ ପଶ୍ଚାତ୍ତାପ କରିବ। ତା’ପରେ ବନ୍ଦୀମୁକ୍ତ ହୋଇ ସୁସ୍ଥ ଓ ସୁନ୍ଦର ଜୀବନ ଜିଇବ। ଆଜିର ଏ ପରିପ୍ରେକ୍ଷୀରେ ମଣିଷ ହିଁ ଅସଲ ଅପରାଧୀ। ବିଧାତାଙ୍କ ସୁନ୍ଦର ସୃଷ୍ଟିକୁ ବିପର୍ଯ୍ୟସ୍ତ କରିବାରେ, ପ୍ରକୃତି ଓ ପ୍ରାଣୀ ଜଗତକୁ ଜଘନ୍ୟ ଯନ୍ତ୍ରଣାଯୁକ୍ତ କରିବାରେ ମଣିଷର ଭୂମିକା ଅତି ନିନ୍ଦନୀୟ। ମଣିଷ ଯେମିତି ଅମାନିଆ ପ୍ରାଣୀଙ୍କୁ ତୁଣ୍ଡରେ ବାନ୍ଧି ଆୟତ୍ତ କରିବାକୁ ପ୍ରୟାସ କରେ, ଠିକ୍‌ ସେମିତି ଭଗବାନ ମଧ୍ୟ ଆମକୁ ଜବତ୍‌ କରିବାକୁ ମୁହଁରେ ତୁଣ୍ଡି ଓ ବନ୍ଦୀ ଜୀବନର ବ୍ୟବସ୍ଥା କରିଛନ୍ତି। ସୁଧୁରିଯିବା ହିଁ ଭବିଷ୍ୟତ ପାଇଁ ଖୁବ୍‌ ମଙ୍ଗଳପ୍ରଦ। ବିଜ୍ଞାନ ବଳରେ ବଳିଆନ ହୋଇ ମଣିଷ ଭାବୁଥାଏ, ବଞ୍ଚିବା ଓ ବଢ଼ିବାର କାମ କରିଚାଲିଛି। କିନ୍ତୁ ସେ ଜାଣିପାରୁ ନ ଥାଏ ଯେ ତଥାକଥିତ ବଞ୍ଚିବା ଓ ବଢ଼ିବାର ଉପାୟ ଭିତରେ ମରିବାର ବାଟକୁ ବାଛିନେଉଛି ବୋଲି। ସତରେ କି ହୀନସ୍ତା ଭୋଗୁଛି ଏ ମଣିଷ ଆଜି? ବିଶ୍ୱରେ ପ୍ରାୟ ଏଭଳି କୌଣସି ଦେଶ ନାହିଁ କି ଏପରି କେହି ମଣିଷ ନାହାନ୍ତି, ଯିଏ କି କଲବଲ ନ ହେଉଛି, ଏଥିରେ। ଦିନେ ବା ଦୁଇଦିନ ନୁହଁ, ନିଜକୁ ବନ୍ଦୀ କରି ରଖୁଛି ମାସ ମାସ ଧରି।
କେହି ଜଣେ ପ୍ରାଜ୍ଞ ମଣିଷ କହିଥିଲେ, ”ମଣିଷ ଢେର ଉନ୍ନତି କରିଚାଲିଛି, କିନ୍ତୁ ବଞ୍ଚିବାର ବାଟକୁ ଛାଡ଼ି। ଅସୀମ ଉଚ୍ଚ ଆକାଶରେ ପକ୍ଷୀ ପରି ଉଡ଼ିପାରୁଛି, ମାଛ ପରି ଅତଳ ଜଳରେ ସନ୍ତରଣ କରିପାରୁଛି। କିନ୍ତୁ ଧରାପୃଷ୍ଠରେ ମଣିଷ ପରି କେମିତି ବଞ୍ଚିବାକୁ ହୁଏ, ତାହା ସେ ଜାଣିପାରୁନି।“ ମଣିଷ ନିଜର ସ୍ବାର୍ଥ ପାଇଁ ସମଗ୍ର ସୃଷ୍ଟିସତ୍ତାକୁ ବିପର୍ଯ୍ୟସ୍ତ କରିଚାଲିଛି। ଭଗବାନଙ୍କ ସୁନ୍ଦର ଏ ସୃଷ୍ଟି, ଯେଉଁ ପଞ୍ଚ ମହାଭୂତକୁ ନେଇ ଗଠିତ, ତାହା ଆଜି ଭୀଷଣ କ୍ଷତାକ୍ତ। ପଞ୍ଚଭୂତରେ ଗଢ଼ା, ପ୍ରକୃତିରୁ ପାଳିତ-ପୋଷିତ ମଣିଷ ଯେବେ ପ୍ରକୃତି ଛଡ଼ା ହୋଇଯାଏ, ସେତେବେଳେ ବିପର୍ଯ୍ୟୟ ଘନେଇ ଆସେ ଜୀବନରେ। ଗତ ପାଞ୍ଚ ବର୍ଷ ତଳେ ଗୋ-ଋଷି ଦତ୍ତଶରଣାନନ୍ଦ ମହାରାଜ ଏକ ସନ୍ଦର୍ଭରେ ଆଶଙ୍କା ବ୍ୟକ୍ତ କରିଥିଲେ ”ତୀବ୍ର ଗତିରେ ଏଠି ଯେମିତି ବିନାଶ ଲୀଳା ଚାଲିଛି, ପ୍ରକୃତିମାତା ଅସମୟରେ ସୃଷ୍ଟିକୁ ଅସ୍ତବ୍ୟସ୍ତ କରିଦେବେ।“ ପେଟ, ପଇସା, ପ୍ରଜନନ ଜୀବନର ଆବଶ୍ୟକତା ନିଶ୍ଚିତ, କିନ୍ତୁ ଜୀବନର ଲକ୍ଷ୍ୟ ନୁହଁ କି ଆଦର୍ଶ ନୁହଁ। ପେଟ, ପଇସା, ପ୍ରଜନନ ପାଖରେ ଅଟକି ଯିବାଟା ପଶୁ ପ୍ରବୃତ୍ତି। ମାତ୍ର ଉକତ୍ର୍ଷର ଉପଲବ୍ଧି କରିବା, ଅମୃତ ଅନ୍ବେଷୀ ହେବା, ମଣିଷର ପ୍ରକୃତି। ତଥାକଥିତ ସୁଖର ମାୟା ଜାଲରେ ପଡ଼ି ବିଳାସଯୁକ୍ତ ବଞ୍ଚିବାକୁ ଜୀବନ କୁହାଯାଏନି। ଆହୁରି ବି ଜୀବନର ସୁନ୍ଦରତା କେବଳ ବଞ୍ଚିବାରେ ନିହିତ ନୁହେଁ। କରୋନା କବଳିତ ଆଜିର ଦିନ ପରି ଧୂଳି-ଧୂଆଁ ହୀନ ନିର୍ମଳ ଆକାଶର ଜ୍ୟୋତ୍ସ୍ନାର ସୌନ୍ଦର୍ଯ୍ୟଠାରୁ ବି ବଳି ଜୀବନର ସୌନ୍ଦର୍ଯ୍ୟ। ବିଭୂଷିତ ହୋଇ ବଞ୍ଚିବାରେ ହିଁ ନିହିତ ଜୀବନର ସୌନ୍ଦର୍ଯ୍ୟ। ସମଗ୍ର ଦୁନିଆ ଆଜି ଯେତେବେଳେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷରତ, ଅର୍ଥର କ୍ରୀତଦାସ ସାଜିଥିବା ଆମେରିକା ଓ ୟୁରୋପ ଜଗତ ସେତେବେଳେ ତାଲାବନ୍ଦରୁ ମୁକୁଳିବାକୁ ଭାରି ବ୍ୟଗ୍ର। ମହାସଂକଟକୁ ଟାଳିବାକୁ ଖୁବ୍‌ ଧୈର୍ଯ୍ୟର ସହିତ ଯୁଝିଲେ ଯାଇ ଜିତାପଟ ସମ୍ଭବ। ଏ ସମୟରେ ଭାରତ ହେଉଛି ଦୁନିଆ ପାଇଁ ଦିଗ୍‌ଦର୍ଶକ। ବିଧାତା ମଧ୍ୟ ବିଶ୍ୱ ସମୁଦାୟକୁ ଇଙ୍ଗିତ କରୁଛନ୍ତି, ଭାରତ ତଥା ଭାରତୀୟତାକୁ ଆଦର କରିବାକୁ କାରଣ ଭାରତ କେବଳ ଏକ ଭୂମି ମାତ୍ର ନୁହଁ, ଏହା ଏକ ଚେତନଶୀଳ ସତ୍ତା। ଦୀର୍ଘ ନିରାମୟ ଜୀବନ ଓ ଶାନ୍ତି ସହାବସ୍ଥାନର ଶାଶ୍ୱତ ସୂତ୍ର ଭାରତ ଭୂମିରେ ହିଁ ନିହିତ ଅଛି। ଏଠାରେ ଜଡ଼କୁ ଜୀବନ୍ୟାସ ଦିଆଯାଇଥାଏ। ପଥର ଓ ମୂର୍ତ୍ତି ପରି ନିର୍ଜୀବ ବସ୍ତୁ ଭିତରେ ପ୍ରାଣ ସଂଚାର ପୂର୍ବକ ଆରାଧନା କରାଯାଇଥାଏ। ମାତ୍ର ଜୀବକୁ ନିର୍ଜୀବରେ ପରିଣତ କରିବା ବା ପ୍ରାଣସତ୍ତାର ବିଲୁପ୍ତି କରିବା, ଭାରତୀୟ ଚେତନାର ବିପରୀତ ବା ବିକୃତିର ବିଲକ୍ଷଣ। ଏଣୁ ଏଠାରେ ଧ୍ୱଂସ ରଚନା, ହିଂସାମତ୍କ କ୍ରିୟାକଳାପ ଚେତନା ବିରୋଧୀ ଓ ସଂସ୍କୃତିର ପରିପନ୍ଥୀ। ସେଇଥିପାଇଁ ଦୂବଠୁ ଦାରୁ, ପଥଠୁ ରଥ ପର୍ଯ୍ୟନ୍ତ ସବୁଠି ଈଶ୍ୱରଙ୍କ ସତ୍ତା ଅନୁଭୂତ ହୁଏ। ପୁନଶ୍ଚ ଭଗବାନ ଏମିତି ଏକ ମହାମାରୀ ଛାଡ଼ିଲେ ଯେ ଯାହାର ନିଦାନ ଭାରତ ପାଖରେ ଭରପୂର ଅଛି। କରମର୍ଦ୍ଦନ, ଆଲିଙ୍ଗନ ଆଦି ସାବ୍ୟସ୍ତ ହୋଇସାରିଛି ବୁମେରାଂ ଭଳି। ନମସ୍କାର ହିଁ ପାଇଛି ବିଶ୍ୱସ୍ବୀକୃତି, ସୌଜନ୍ୟତାର। କେବଳ ଯୋଗ ବା ନମସ୍କାର ମୁଦ୍ରା ନୁହଁ, ଆମର ପ୍ରତିଟି ଚଳଣି ଓ ପରମ୍ପରାରେ ବିଜ୍ଞାନ ନିହିତ। ମୂଲ୍ୟବୋଧ ଜଡ଼ିତ। ଭାରତୀୟମାନଙ୍କୁ ଭଗବାନ ବି ଏହି ସନ୍ଧିକ୍ଷଣରେ ଚେତାଇ ଦେଉଛନ୍ତି, ଉକତ୍ର୍ଷଭରା ଏପରି ସଂସ୍କୃତି ପ୍ରତି ବୀତସ୍ପୃହ ଭାବ ରଖିଲେ, ସଂସ୍କୃତି ବିଚ୍ୟୁତ ମଣିଷର ଅଧପତନ ଅବଶ୍ୟମ୍ଭାବୀ। ଅତଏବ ସମାଜ ସରୋବରର ପଙ୍କ ଅର୍ଥାତ୍‌ ଭୂତାଣୁ ଜନିତ ଏ ପୀଡ଼ନ ଭିତରୁ ବିକଶିତ ହେଉ ଚେତନାର କମଳ। ଭାରତୀୟ ଚେତନାର ଦୀପ୍ତିରେ ଆଲୋକିତ ହେଉ ଆଗାମୀ ଦୁନିଆ। ଆସନ୍ତୁ ପ୍ରସ୍ତୁତ ରହିବା, ଏକ ନୂଆ ସକାଳର ସ୍ବାଗତ ଅପେକ୍ଷାରେ।

ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ-୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri