ପ୍ରେମର ଦିବ୍ୟତା ଓ ଶ୍ରୀଅରବିନ୍ଦଙ୍କ ସାବିତ୍ରୀ

ଡ. ପ୍ରଫୁଲ୍ଲ କୁମାର ସାହୁ

ମୁକ୍ତିର ମାନ୍ତ୍ରିକ ମହାଯୋଗୀ ଶ୍ରୀଅରବିନ୍ଦ। ଜଣେ ମହାନ୍‌ ଦାର୍ଶନିକ, ମହାକବି ତଥା ଅଧିବିଦ୍ୟା ବିଶାରଦ। ତାଙ୍କ ମତରେ ମଣିଷ ଏକ ବୁଦ୍ଧିମାନ ପ୍ରାଣୀ ଏବଂ ତା’ ଭିତରେ ରହିଛି ଏକ ବିକାଶଶୀଳ ଅଭୀପ୍ସାପରାୟଣ ଅନ୍ତଃସତ୍ତା ବା ଚୈତ୍ୟପୁରୁଷ। ଯିଏ ମଣିଷର ଜାଣତରେ ବା ଅଜାଣତରେ ତାକୁ ସର୍ବଦା ଆଗକୁ ଠେଲୁଥାଏ ‘ଚରୈବେତି ଚରୈବେତି’ କହି। ଅନ୍ୟ ପକ୍ଷରେ ମଣିଷର ଗତି ଆଗରେ ବଡ଼ ପ୍ରତିବନ୍ଧକ ହୋଇ ଠିଆ ହୋଇଛି ତା’ର ମୃତ୍ୟୁ ଚେତନା। ମୃତ୍ୟୁ କହିଲେ କେବଳ ଦୈହିକ ମୃତ୍ୟୁ ନୁହେଁ, ବରଂ ଏହା ଏକ ନୈରାଶ୍ୟକର ନାସ୍ତିତ୍ୱ। ମଣିଷ ହେତୁ ପାଇବା ମାତ୍ରେ ତାକୁ ଏଠି ବୁଝେଇ ଦିଆଯାଏ ଜୀବନ ଅନିତ୍ୟ, ସଂସାର ଅଳିକ ଏବଂ ସମ୍ପର୍କ ସବୁ ଅସତ୍ୟ, ଛାୟାବାଜି ଓ ଭେଳିକି। ଏମିତି ଏକ ଅସତ୍ୟବୋଧକୁ ଆପଣେଇ ଘୋର ସଂଶୟ , ନୈରାଶ୍ୟ ଓ ଦୁଃଖରେ ନିତ୍ୟ ଘାରିହୁଏ ମଣିଷ। ଏହି ଅସତ୍ୟ ଓ ନୈରାଶ୍ୟବୋଧକୁ ଶ୍ରୀଅରବିନ୍ଦ କହନ୍ତି ମୃତ୍ୟୁ। ଏହା ଏକ ପାରଂପରିକ ଅଭ୍ୟାସ ଏବଂ ଶକ୍ତିଶାଳୀ ପ୍ରବୃତ୍ତି ଭାବରେ ଆଜି ପର୍ଯ୍ୟନ୍ତ ମଣିଷକୁ ଦେଖେଇ ଆସିଛି ତା’ର ପରାକ୍ରମ। ମୃତ୍ୟୁବୋଧ ଆମତ୍ାରେ ନୁହେଁ, ଥାଏ କେବଳ ଦେହ, ମନ ଓ ପ୍ରାଣରେ। ବିଡ଼ମ୍ବନାର ବିଷୟ ମଣିଷ ଏଯାଏ ଆମତ୍ାରେ ନ ବଞ୍ଚତ୍, କେବଳ ବଞ୍ଚତ୍ଛି ଦେହ, ମନ ଓ ପ୍ରାଣକୁ ନେଇ। ମଣିଷର ଦେହ, ମନ ଓ ପ୍ରାଣ ଯେଉଁ ଦିନ ଆମତ୍ାଠାରୁ ବିଛିନ୍ନ ନ ହୋଇ ତା’ ସହିତ ଏକୀଭୂତ ହେବ, ସେଦିନ ସେ ମୁକୁଳି ଆସିପାରିବ ମିଥ୍ୟାବୋଧ ବା ମୃତ୍ୟୁରୁ।
ଶ୍ରୀଅରବିନ୍ଦ କେବଳ ଜଣେ ମହାଯୋଗୀ ବା ମହାକବି ନୁହନ୍ତି, ସେ ଥିଲେ ଏହି ସୁଖଦୁଃଖଭରା ପୃଥିବୀର ଜଣେ ଉଦାରବାଦୀ ପ୍ରେମିକ। ତାଙ୍କ ମତରେ ମୃତ୍ୟୁ ଭଳି ଏକ ସର୍ବଶ୍ରେଷ୍ଠ ବଳୀୟାନ୍‌ ଶତ୍ରୁ ସହିତ ଲଢି ତାକୁ ପରାସ୍ତ କରିବା ପାଇଁ ଏକମାତ୍ର ପ୍ରତିପକ୍ଷ ହେଉଛି ପ୍ରେମ। ପୃଥିବୀରେ ଏବେ ଏ ଦୁଇଟି ଶକ୍ତିର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ଏବଂ ଏ ଯାବତ୍‌ ପୃଥିବୀକୁ କବଳିତ କରିରଖିଛି ମୃତ୍ୟୁ। ପ୍ରେମ ହାତରୁ ତା’ର ପାତ୍ରୀପାତ୍ରକୁ ସେ ଛଡ଼ାଇ ନେଇ ପାରୁଛି ଆପଣା ପରାକ୍ରମ ବଳରେ। ମାତ୍ର ଆଶ୍ୱାସନାର ବିଷୟ, ସ୍ବୟଂ ପ୍ରେମ କେବେ କବଳିତ ହୋଇନି ମୃତ୍ୟୁ ହାତରେ। ମଣିଷର ଏହି ପ୍ରେମ ଯେଉଁଦିନ ଦିବ୍ୟପ୍ରେମର ଶକ୍ତି, ସାମର୍ଥ୍ୟ, ଉଦାରତା ଓ ଶୁଦ୍ଧତା ଅର୍ଜନ କରିବ, ସେଦିନ ମୃତ୍ୟୁ ଉପରେ ବିଜୟଲାଭ କରିବ ପ୍ରେମ। ବିଶ୍ୱ ମାନବକୁ ଏହି ଦିବ୍ୟ ସନ୍ଦେଶ ଦେବାପାଇଁ ଶ୍ରୀଅରବିନ୍ଦଙ୍କ ‘ସାବିତ୍ରୀ’ ମହାକାବ୍ୟର ପରିକଳ୍ପନା।
ଶାସ୍ତ୍ର କହେ ‘ଜାତସ୍ୟ ହିଁ ଧ୍ରୁବୋ ମୃତ୍ୟୁଃ’। ଏହା ସଂସାରର ଏକ ଅଲଘଂନୀୟ ବିଧାନ। ମାତ୍ର ପ୍ରେମର ଦିବ୍ୟତା ବଳରେ ଏହି ବିଧାନକୁ ଯେ ଅତିକ୍ରମ କରାଯାଇ ପାରେ, ତା’ର ଏକ ପଟାନ୍ତରହୀନ ଦୃଷ୍ଟାନ୍ତ ହେଉଛି ବ୍ୟାସକୃତ ମହାଭାରତର ବନପର୍ବରେ ବର୍ଣ୍ଣିତ ସାବିତ୍ରୀ ଉପାଖ୍ୟାନ। ବନପର୍ବ ଅନ୍ତର୍ଗତ ଆଖ୍ୟାନ ଅନୁସାରେ ମଦ୍ରଦେଶର ରାଜା ଅଶ୍ୱପତିଙ୍କର ଏକମାତ୍ର ତେଜସ୍ବିନୀ ଓ ମନସ୍ବିନୀ କନ୍ୟା ସାବିତ୍ରୀ। ସ୍ନେହ , ପ୍ରେମ, ସେବା, ତ୍ୟାଗ, ଧୈର୍ଯ୍ୟ ଓ କରୁଣାର ଏକ ସମନ୍ବିତ ରୂପ। ବାଲ୍ୟକାଳରୁ ରାଜକୀୟ ଭୋଗବିଳାସ ପ୍ରତି ଉଦାସୀନ ଥିଲେ ବି ତାଙ୍କ ଭିତରେ ଚମକୁଥିଲା ଏକ ଉଚ୍ଚାଙ୍ଗ ଆଦର୍ଶବୋଧର ଭବ୍ୟ ଭାବନା। ସେଥିପାଇଁ ଯୌବନରେ ପତି ଚୟନ ବେଳେ ତାଙ୍କୁ ଆଦୌ ଆକୃଷ୍ଟ କରିପାାରିନଥିଲା ରାଜପୁତ୍ରମାନଙ୍କର ପରାକ୍ରମ ବା ସେମାନଙ୍କର ବିଶାଳ ସାମ୍ରାଜ୍ୟ। ବହୁ ଅନ୍ବେଷଣ ପରେ ଯେତେବେଳେ ସତ୍ୟବାନଙ୍କ ସହ ତାଙ୍କର ସାକ୍ଷାତ ହେଲା ସେତେବେଳେ ତାଙ୍କ ବିଶାଳ ଓ ପରିଶୁଦ୍ଧ ହୃଦୟରେ କଲ୍ଲୋଳିତ ହେଉଥିଲା ବିଶ୍ୱପ୍ରତି କରୁଣାର ଅସୀମ ସାଗର। ସେଥିପାଇଁ ତାଙ୍କୁ ଆକର୍ଷିତ କରିଥିଲା ସାଲ୍ବ ଦେଶର ରାଜପୁତ୍ର ଉଦାରଚେତା ସତ୍ୟବାନଙ୍କର ଶୌର୍ଯ୍ୟ, ତେଜ, ସରଳତା ଓ ମର୍ଯ୍ୟାଦାବୋଧ। ଶତ୍ରୁମାନଙ୍କଦ୍ୱାରା ଗାଦିଚ୍ୟୁତ ହୋଇ ଅରଣ୍ୟରେ ତପସ୍ୟା କରୁଥିବା ଦୃଷ୍ଟିହୀନ ରାଜା ଦ୍ୟୁମତ୍‌ସେନଙ୍କ ସୁପୁତ୍ର ସତ୍ୟବାନ ସନ୍ନ୍ୟାସୀ ପରି ପର୍ଣ୍ଣକୁଟୀରରେ ଅବସ୍ଥାନ କରି ଅଭିନିବିଷ୍ଟ ଥିଲେ ପିତାମାତାଙ୍କ ସେବାରେ। ଧୀମାନ ସତ୍ୟବାନଙ୍କ ଅସାଧାରଣ ପିତୃମାତୃ ଭକ୍ତିରେ ପ୍ରଭାବିତ ହୋଇ ତାଙ୍କୁ ପତିରୂପେ ବରଣ କରିବାକୁ ସଂକଳ୍ପ ନେଲେ ସାବିତ୍ରୀ।
କନ୍ୟାର ନିଷ୍ପତ୍ତି ରାଜା ଅଶ୍ୱପତି ଓ ରାଣୀ ମାଳବୀଙ୍କୁ ଆଶ୍ୱସ୍ତ କରିବାର ପରମୂହୁର୍ତ୍ତରେ ତାଙ୍କୁ ହତଭମ୍ବ କରିଦେଇଥିଲା ଦେବର୍ଷି ନାରଦଙ୍କ ଭବିଷ୍ୟବାଣୀ। ତ୍ରିକାଳଦର୍ଶୀ ନାରଦଙ୍କ ଅଭ୍ରାନ୍ତ ଉକ୍ତି ଅନୁସାରେ ଆଉ ମାତ୍ର ବର୍ଷକ ପରେ ମୃତ୍ୟୁ ଦ୍ୱାରା କବଳିତ ହେବେ ସତ୍ୟବାନ। ମାତ୍ର ଭାବୀ ପତିଙ୍କ ଅଳ୍ପାୟୁଷ କଥା ଜାଣିବା ପରେ ବି ସାବିତ୍ରୀ ଆଦୌ ବିଚଳିତ ହୋଇ ନ ଥିଲେ କି ପିତାମାତାଙ୍କ ପରାମର୍ଶ ମାନି ବଦଳେଇ ନ ଥିଲେ ନିଷ୍ପତ୍ତି। ବରଂ ନମ୍ରତାର ସହିତ ସମସ୍ତ ପରାମର୍ଶକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଜଣକୁ ସର୍ବାନ୍ତଃକରଣରେ ପତିରୂପେ ବରଣ କରିସାରିବା ପରେ ଯେକୌଣସି ପରିସ୍ଥିତିରେ ସିଦ୍ଧାନ୍ତରୁ ଓହରିଯିବା ଅର୍ଥ ସତୀଧର୍ମର ଘୋର ଅବମାନନା। ସାବିତ୍ରୀଙ୍କର ଏହି ଅଙ୍ଗୀକାରବଦ୍ଧତା ପ୍ରତି ନିରବ ସମ୍ମତି ଜଣେଇଥିଲେ ପିତାମାତା। ଉଭୟପକ୍ଷ ପିତାମାତାଙ୍କ ଅନୁମୋଦନକ୍ରମେ ଯଥାରୀତି ଅନୁଷ୍ଠିତ ହେଲା ସାବିତ୍ରୀ-ସତ୍ୟବାନଙ୍କ ବିବାହ।
ଶ୍ୱଶୁରାଳୟର ତପୋବନ କୁଟୀରରେ ଶାଶୁ, ଶ୍ୱଶୁର ଓ ସ୍ବାମୀଙ୍କ ସେବାରେ ମନପ୍ରାଣ ଢାଳି ଦେଇଥିବା ସାବିତ୍ରୀ ସମ୍ଭାବ୍ୟ ଦୁର୍ଭାଗ୍ୟକୁ ଏଡ଼େଇବା ପାଇଁ ଆଦରି ନେଇଥିଲେ ଜଣେ ବ୍ରତଚାରିଣୀର କଠୋର ଜୀବନ। ମୁହୂର୍ତ୍ତକ ପାଇଁ ବି ଭୁଲୁ ନ ଥିଲେ ଦେବର୍ଷି ନାରଦଙ୍କ ଭବିଷ୍ୟବାଣୀ। ଦିନ ପରେ ଦିନ ଗଡ଼ି ଚାଲିଲା ଓ ଶେଷରେ ଉପସ୍ଥିତ ହେଲା ସତ୍ୟବାନଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁର ସେହି ନିର୍ଦ୍ଧାରିତ ଦିବସ। ଏଭଳି ଏକ ଶ୍ୱାସରୋଧୀ ଦୁଃସ୍ଥିତିକୁ ସାମ୍ନା କରିବାର ସକଳ୍ପ ନେଇ ସ୍ବାମୀଙ୍କ ପାଖେ ପାଖେ ଜଗି ରହିଲେ ସାବିତ୍ରୀ। ମାତ୍ର ସବୁ ସଜାଗ ଓ ସତର୍କତା ସତ୍ତ୍ୱେ ଅକସ୍ମାତ୍‌ ଅସୁସ୍ଥତା ଅନୁଭବ କରିବା ସହିତ ସଂଜ୍ଞାହୀନ ହୋଇପଡ଼ିଲେ ସତ୍ୟବାନ। ଅବିଳମ୍ବେ ସାବିତ୍ରୀଙ୍କ ଅନ୍ତର୍ଚକ୍ଷୁ ସମ୍ମୁଖରେ ଉଭାହେଲେ ଜଣେ ତେଜସ୍ବୀ ପୁରୁଷ। ସତ୍ୟବାନଙ୍କ ଶରୀରରୁ ବଳପୂର୍ବକ ପ୍ରାଣସତ୍ତାକୁ କାଢିନେଇ ଆଗେଇ ଚାଲିଲେ ପ୍ରତ୍ୟାବର୍ତ୍ତନ ପଥରେ। ସ୍ବାମୀଙ୍କର ଅପହୃତ ଆମତ୍ାକୁ ଅନୁସରଣ କରି ସାବିତ୍ରୀ ମଧ୍ୟ ଚାଲିଲେ ନିଶ୍ଚଳ ଚିତ୍ତରେ। ଅନୁଧାବନ କରୁଥିବା ଜଣେ ଦିବ୍ୟ ବ୍ରତଚାରିଣୀର ଅନ୍ତଃଚେତନ ଶକ୍ତିକୁ ଏଡ଼େଇଦେଇ ପାରିଲେ ନାହିଁ ମୃତ୍ୟୁଦେବ। ଆରମ୍ଭ ହୋଇଗଲା ପ୍ରାଣପୋଷକ ପ୍ରେମର ପ୍ରତୀକ ସାବିତ୍ରୀ ଓ ପ୍ରାଣନାଶକ ମୃତ୍ୟୁ ଦେବତାଙ୍କ ମଧ୍ୟରେ ବାକ୍‌ଯୁଦ୍ଧ। ବିଶ୍ୱମୟ ଚେତାନାସ୍ନିଗ୍ଧ କୋମଳ ସ୍ବରକୁ ଚାପିଦେଇ ପାରିଲାନି ନାସ୍ତିବାଦ ଓ ନୈରାଶ୍ୟଜର୍ଜ୍ଜରିତ ମୃତ୍ୟୁର କର୍କଶ ନିର୍ଦ୍ଦେଶ। ବ୍ରତସିଦ୍ଧାର ପାତିବ୍ରତ୍ୟ ଆଗରେ ବିବଶ ହେଲେ ମୃତ୍ୟୁଦେବ। ତାଙ୍କ ଅନୁଗ୍ରହରୁ ପୂର୍ଣ୍ଣ ହେଲା କୂଳବଧୁ ଓ ଦୁହିତା ସାବିତ୍ରୀଙ୍କର ଏକାଧିକ ମନସ୍କାମନା ଏବଂ ଶେଷରେ ମୃତ୍ୟୁର ବ୍ୟାଦିତ ମୁଖରୁ ସ୍ବାମୀ ସତ୍ୟବାନଙ୍କୁ ଫେରାଇ ଆଣିଲେ, ଯାହାଥିଲା ଜନ୍ମମୃତ୍ୟୁର ବିଧାନ ଉପରେ ଏକ ପ୍ରଚଣ୍ଡ ପ୍ରହାର।
ଏକନିଷ୍ଠ ସାଧିକା ସାବିତ୍ରୀଙ୍କର ଏହି ବିରଳ ସଫଳତା ତାଙ୍କ ସାମର୍ଥ୍ୟର ଏକ ପରିପୂର୍ଣ୍ଣ ଅବସ୍ଥା। ନାରୀସତ୍ତାର ଏକ ଉତ୍ତୀର୍ଣ୍ଣତମ ରୂପ। ଅନେକ ପାର୍ଥିବ ସୁଖର ସମାଧି ଉପରେ ଗଢିଉଠିଥିବା ସତୀତ୍ୱର ଏହି ଶାଶ୍ୱତ ସ୍ତମ୍ଭକୁ ଆଧାର କରି ଆମତ୍ପ୍ରକାଶ କରିଛି ଶ୍ରୀଅରବିନ୍ଦଙ୍କ କାଳଜୟୀ କାବ୍ୟ ‘ସାବିତ୍ରୀ’। ମହାଭାରତରେ ମାତ୍ର ୭ଶହ ଧାଡ଼ିରେ ବର୍ଣ୍ଣିତ ହୋଇଥିବା ଏହି ପ୍ରସଙ୍ଗକୁ କାବ୍ୟାନ୍ତର କରିବାକୁ ଯାଇ ଶ୍ରୀଅରବିନ୍ଦ ରଚନା କରିଛନ୍ତି ୨୪ହଜାର ପଦ। କେବଳ କଳେବର ଦୃଷ୍ଟିରୁ ନୁହେଁ, ଏକ ଜୀବନ୍ତ ପ୍ରତୀକ ହୋଇ ବିଶ୍ୱ ମାନବକୁ ଆଲୋକ ଦେଖେଇଥିବା ‘ସାବିତ୍ରୀ’ର ପ୍ରତିଟି ସ୍ତରରେ ଉଦ୍‌ଭାସିିତ ହୋଇଛି ଏକ ଊର୍ଦ୍ଧ୍ୱଲୋକର ଜ୍ୟୋତି। ଏଥିରେ ଠୁଳୀଭୂତ ହୋଇଛି ମାନବଜାତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପ୍ରଜ୍ଞା। ସେଥିପାଇଁ କୁହାଯାଏ ମାନବଜାତି ପାଇଁ ‘ସାବିତ୍ରୀ’ ହେଉଛି ଏକ ଭବିଷ୍ୟତର ମହାକାବ୍ୟ।
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri