ପ୍ରବୃତ୍ତି ଓ ନିବୃତ୍ତି

ବୈକୁଣ୍ଠନାଥ ମିଶ୍ର
ଜୀବନର ଏକ ମହାସତ୍ୟ ହେଉଛି ଯେ ଆମେ କୌଣସି କୁପ୍ରବୃତ୍ତିକୁ ଯଦି ପରିହାର କରିବାକୁ ଇଚ୍ଛା କରିବା ଓ ସେଥିପାଇଁ ଆମ ଇଚ୍ଛାଶକ୍ତି ଯଦି ଐକାନ୍ତିକ ହୋଇଥାଏ ତେବେ ତାକୁ ସମ୍ପୂର୍ଣ୍ଣ ତ୍ୟାଗ କରିବା ଅସମ୍ଭବ ନୁହେଁ। ଅନ୍ୟଥା ସେହିସବୁ ପ୍ରବୃତ୍ତିଗୁଡିକ ଭୟଙ୍କର ରୂପ ଧାରଣ କରି ଆମକୁ ତୀବ୍ରଜ୍ୱଳନର ପୀଡ଼ା ଦେଇଥାନ୍ତି। ସମ୍ପ୍ରତି ମଣିଷ ଅନେକ କୁପ୍ରବୃତ୍ତିରେ ଆସକ୍ତ ଯହିଁରୁ ମୁକ୍ତି ଲଭିବା କଷ୍ଟକର। ଏଗୁଡିକ ମଧ୍ୟରେ ଅର୍ଥ, କ୍ଷମତା ଓ ନାରୀପ୍ରତି ଆସକ୍ତି ଅବଦମିତ। ପୃଥିବୀ ବକ୍ଷରେ ଯେତେ ରକ୍ତପାତର ବିଭୀଷିକା ସୃଷ୍ଟି ହୋଇଛି ତା’ ମୂଳରେ ଏହି ତିନି ଆସକ୍ତି ହିଁ ବିଦ୍ୟମାନ। ସାଧାରଣ ମଣିଷର ଆକାଙ୍‌କ୍ଷା, ଭୟ, କ୍ରୋଧ, ଈର୍ଷା ଓ ଈପ୍‌ସିତ ବସ୍ତୁର ଅପ୍ରାପ୍ତିରେ ନିରାଶା ତାକୁ ବହୁ କଷ୍ଟ ଦିଏ ଜାଣି ମଧ୍ୟ ସେଥିରୁ ସେ ନିବୃତ୍ତ ହୋଇପାରେ ନାହିଁ। ବୃଥା ଗର୍ବ, ଦମ୍ଭ, ଅଭିମାନ ଓ ପରଶ୍ରୀକାତରତା ତାକୁ ସର୍ବଦା ବିଚଳିତ କରୁଥାଏ। ଏହିସବୁ ପ୍ରବୃତ୍ତିଗୁଡ଼ିକର ଉଦ୍ଭବ ହୁଏ ବନ୍ଧନ, ଅନୁରକ୍ତି ଓ ଅତିଶୟ ଆସକ୍ତି ଯୋଗୁ। ମଣିଷ ସହଜରେ ପ୍ରବୃତ୍ତିର ଦାସତ୍ୱ ସ୍ବୀକାର କରିଯାଏ। ଫଳରେ ନିବୃତ୍ତି ଏକ ସ୍ବପ୍ନ ପରି ପ୍ରତୀତ ହୁଏ। ପ୍ରବୃତ୍ତି ଓ ଆସକ୍ତିର ଦାସ ହୋଇ ରହିଥିବା ପର୍ଯ୍ୟନ୍ତ ଆମର ଦାସତ୍ୱରୁ ମୁକ୍ତିନାହିଁ। ପ୍ରବୃତ୍ତିର ଦାସ ନ ହୋଇ ପ୍ରବୃତ୍ତିକୁ ଦାସ କରିପାରିଲେ ମଣିଷ ଭିତରେ ଦିବ୍ୟତ୍ୱର ସଞ୍ଚାର ହେବ। କୁପ୍ରବୃତ୍ତିଧାରୀ ମଣିଷଙ୍କ ଦ୍ୱାରା ଆଚ୍ଛନ୍ନ ଏ ସଂସାରରେ ନିରୋଳା ସ୍ବଚ୍ଛ ମଣିଷଟିଏ ଅତ୍ୟନ୍ତ ଦୁଷ୍ପ୍ରାପ୍ୟ। ବାଲି, ଗୋଡ଼ି, ସିମେଣ୍ଟରେ ରୂପାୟିତ ଅନୁଷ୍ଠାନକୁ ଯେତେବେଳେ ‘ଘର’ କହିବା ସମୀଚୀନ ନୁହେଁ, ସେତେବେଳେ ରକ୍ତ, ମାଂସ ଓ ଅସ୍ଥିର ମିଶ୍ରଣରେ ମାନବର ଅବୟବ ଧାରଣ କରିଥିବା ଜୀବସତ୍ତାକୁ ମଣିଷ କହିବା ସମୀଚୀନ ନୁହେଁ। ସେଥିପାଇଁ ତ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ ପ୍ରକାଶ୍ୟ ଦିବାଲୋକରେ ଆଲୋକ ଜଳାଇ ମଣିଷ ଖୋଜୁଥିଲେ।
ସାଧାରଣ ମଣିଷର ଆଉ ଏକ କୁପ୍ରବୃତ୍ତି ହେଲା ସେ ଅତିମାତ୍ରାରେ ସ୍ବାର୍ଥକୈନ୍ଦ୍ରିକ। ଯେଉଁ ସମାଜ ବା ରାଷ୍ଟ୍ରର ଅବଦାନରେ ସେ ପରିପୁଷ୍ଟ ତାକୁ ଥରେ ଚାହିଁବା ପାଇଁ ତା’ର ଆଗ୍ରହ ନାହିଁ। ଜଞ୍ଜାଳରୂପକ ଜାଲର ବେଷ୍ଟନୀରେ ଥିବା ମଣିଷ ପାଖରେ ଅନ୍ୟ ପାଇଁ ସମୟ କାହିଁ? ଜଞ୍ଜାଳ ମାୟାରୁ ତା’ର ମୁକ୍ତି ନାହିଁ। ଏ ସମ୍ବନ୍ଧରେ ଇଂଲଣ୍ଡର ଏକ କାହାଣୀର ପ୍ରାସଙ୍ଗିକତା ଅନୁଭୂତ ହୁଏ। ଇଂଲଣ୍ଡରେ ରାଜତ୍ୱ କରୁଥାନ୍ତି ରାଜା ‘ଅର୍ଥର୍‌’। ତାଙ୍କ ମୁଖ୍ୟ ଅମାତ୍ୟ ‘ବେଡିଭର’ ନିଜର କିଛି ଘରୋଇ ଆବଶ୍ୟକତା ଯୋଗୁ ଏକ ସପ୍ତାହ ଛୁଟି ପାଇଁ ଆବେଦନ କଲେ। ଅତି ବିଶ୍ୱସ୍ତ ଓ କର୍ତ୍ତବ୍ୟାନୁରାଗୀ ହୋଇଥିବାରୁ ତାଙ୍କୁ ଛୁଟି ମଞ୍ଜୁର କରାଗଲା। କିନ୍ତୁ ସାତଦିନ ପୂର୍ତ୍ତି ପରେ ମଧ୍ୟ ଅମାତ୍ୟ କାର୍ଯ୍ୟରେ ଯୋଗ ନ ଦେବାରୁ ରାଜା ତାଙ୍କ ଘରକୁ ଦୂତ ପ୍ରେରଣ କଲେ। ଅମାତ୍ୟ ଦୂତକୁ କହିଲେ ମୋର କର୍ମଜଞ୍ଜାଳ ଏତେ ବଢିଯାଇଛି ଯେ ମୁଁ ଆଉ ତିନିଦିନ ପରେ କାର୍ଯ୍ୟରେ ଯୋଗଦେବି। ତିନିଦିନ ପରେ ସେ କାର୍ଯ୍ୟରେ ଯୋଗଦେଲେ; କିନ୍ତୁ ରାଜାଙ୍କ ସହ ସାକ୍ଷାତ୍‌ ହେଲା ନାହିଁ। ରାଜାଙ୍କ ଅନୁପସ୍ଥିତି ସମ୍ବନ୍ଧରେ ଦ୍ୱାରପାଳକୁ ପଚାରିବାରୁ ସେ କହିଲେ ଯେ ରାଜା ଉଦ୍ୟାନରେ ଥାଇ ଆପଣଙ୍କୁ ସେଠାକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅମାତ୍ୟ ରାଜ ଉଦ୍ୟାନକୁ ଯାଇ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ। ରାଜା ଉଦ୍ୟାନରେ ଥିବା ଏକ ଆମ୍ବଗଛକୁ କୁଣ୍ଢାଇ ଧରି ଠିଆ ହୋଇଛନ୍ତି। ଅମାତ୍ୟ ରାଜାଙ୍କୁ ପ୍ରଣାମ କରି ସବିନୟ ଏହାର କାରଣ ପଚାରନ୍ତେ, ରାଜା କହିଲେ-କ’ଣ କରିବି? ଏ ବୃକ୍ଷ ମୋତେ ଆଦୌ ଛାଡୁନାହିଁ। କିପରି ଏହା କବଳରୁ ମୁକ୍ତି ପାଇବି? ଅମାତ୍ୟ ବିନମ୍ରତାର ସହ କହିଲେ, ମହାରାଜ! ଆପଣ ଗଛକୁ ଧରିଥିବା ପର୍ଯ୍ୟନ୍ତ ସେ ଆପଣଙ୍କୁ କିପରି ଛାଡ଼ିବ? ଆପଣ ଗଛଟିକୁ ଛାଡ଼ିଦିଅନ୍ତୁନା, ଦେଖିବେ ଗଛ ଛାଏଁ ଛାଏଁ ଛାଡି ହୋଇଯିବ। ରାଜା ଛାଡିଦେବା ମାତ୍ରକେ ଗଛଟି ରାଜାଙ୍କଠାରୁ ବିଚ୍ଛିନ୍ନ ହୋଇଗଲା। ଅମାତ୍ୟ କହିଲେ, ମଣିମା! ଗଛଟି ଆପଣଙ୍କୁ ଛାଡୁ ନ ଥିଲା, ଏହାର ତାତ୍ପର୍ଯ୍ୟ କ’ଣ? ରାଜା କହିଲେ-ଏ ଗଛ ଠିକ୍‌ ଆମ ସାଂସାରିକ ଆସକ୍ତିର ପ୍ରତୀକ। ଆମେ ଯେତେଦିନ ପର୍ଯ୍ୟନ୍ତ ମୋର ମୋର କହି ଆସକ୍ତିକୁ ଧରି ରଖିଥିବା ତାହା ଆମକୁ ଏ ବୃକ୍ଷ ପରି ଆକୃଷ୍ଟ କରୁଥିବ। ଆସକ୍ତି ଓ ଜଞ୍ଜାଳକୁ ତ୍ୟାଗ କଲେ ତାହା ଆମକୁ କବଳିତ କରିବ ନାହିଁ। ଅମାତ୍ୟ ତାଙ୍କ ଭୁଲ୍‌ ବୁଝିପାରିଲେ ଯେ ଆସକ୍ତିର ମାୟାଜାଲ ଆମକୁ ଅନ୍ତହୀନ ଭାବେ ପ୍ରଲୁବ୍ଧ କରୁଥିବ। ଆମେ ତାକୁ ଚ୍ଛିନ୍ନ କରିପାରିଲେ, ତାହା ଆମଠାରୁ ଅପସୃତ ହୋଇଯିବ।
ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ଶ୍ରୀଚୈତନ୍ୟ ପାଞ୍ଚଟି ପନ୍ଥା ନିର୍ଦ୍ଧାରଣ କରିଛନ୍ତି, ଯଦ୍ଦ୍ବାରା ଜଣେ ଅନାୟାସରେ ନିବୃତ୍ତିକୁ ହାସଲ କରିପାରେ। ପ୍ରଥମତଃ ଆମକୁ ମନ ଉପରେ ନଜର ରଖିବାକୁ ହେବ। କିପରି ଭାବନା ଆମ ମନୋରାଜ୍ୟକୁ ପ୍ରବେଶ କରୁଛି ତାକୁ ନିରୀକ୍ଷଣ କରି ଅସଦ୍‌ ଭାବନାକୁ ନିଷ୍କାସିତ କରିବାକୁ ହେବ। ଦ୍ୱିତୀୟତଃ ଗର୍ବକୁ ପରିହାର କରିବାକୁ ହେବ। ସବୁ କ୍ଷେତ୍ରରେ ‘ମୁଁ’କୁ ଗୌଣ କରି ରଖିବା ଉଚିତ। ଅହଂକାରର ଆବିର୍ଭାବ ଘଟେ ଯେବେ ଆମେ ଗର୍ବ ଓ ଅବାଞ୍ଛିତ କାମନା ଦ୍ୱାରା ବଶୀଭୂତ ହେଉ। ମୋର କେହି ନ ହୁଅନ୍ତୁ ବରଂ ମୁଁ ସମସ୍ତଙ୍କର ହୁଏ- ଏପରି ଭାବନାରେ ଉଦ୍‌ବୁଦ୍ଧ ହେବା ଜରୁରୀ। ତୃତୀୟତଃ ନିଜକୁ ଫଳାଫଳରହିତ କରିବା ବିଧେୟ। ଫଳ ଯଦି ଆଶାନୁରୂପ ନ ହୁଏ, ତେବେ ମନରେ ସଂଶୟ ଓ କ୍ରୋଧ ଜାତ ହୁଏ। କିନ୍ତୁ କର୍ମାନୁସାରେ ଫଳପ୍ରାପ୍ତିର ବିଚାର ଆମ ମଧ୍ୟରେ ନାହିଁ। ଆମେ କେବଳ ଭଲ ଚାହୁଁ, କୌଣସି ମନ୍ଦକୁ ସହ୍ୟ କରିବାର ଧୈର୍ଯ୍ୟ ଆମର ନାହିଁ। ଚତୁର୍ଥ ପନ୍ଥା ହେଉଛି ତପଶ୍ଚରଣ। ତପସ୍ୟାର ଅର୍ଥ ନୀରବରେ ଏବଂ ନିରୋଳାରେ ଇଷ୍ଟ ଚିନ୍ତନ ଓ ଆତ୍ମସମୀକ୍ଷା। ଏ ବିଶାଳ ସଂସାରରେ ମୁଁ କିଏ, ମୋର ଅସ୍ତିତ୍ୱ କ’ଣ ଓ ମୋ ଜନ୍ମର ଉଦ୍ଦେଶ୍ୟ କ’ଣ- ତାକୁ ଅନୁଚିନ୍ତନ କରି ଉପଯୁକ୍ତ ମାର୍ଗ ଅନୁସରଣ କରିବା। ପଞ୍ଚମ ତଥା ସର୍ବଶ୍ରେଷ୍ଠ ମାର୍ଗ ହେଲା- ଆମ ଭିତରେ ଜମାଟ ବାନ୍ଧିଥିବା କୁଅଭ୍ୟାସଗୁଡିକୁ ପରିହାର କରିବା। ଆମ ବଂଶ ପରମ୍ପରାରେ ପ୍ରଚଳିତ କୁପ୍ରଥାକୁ ତ୍ୟାଗ କରି ନୂତନ ତତ୍ତ୍ୱ ଓ କାଳଜୟୀ ଚିନ୍ତାଧାରାକୁ ଆପଣେଇ ନେବା। ଆମ ଭିତରର ତତ୍ନାକରକୁ ବିଲୋପ କରି ବାଲ୍ମୀକିଙ୍କୁ ଆରୋପଣ କରିବାର ଆବଶ୍ୟକତା ଅଛି।
ଆଜି ପର୍ଯ୍ୟନ୍ତ ସଂସାର ରଙ୍ଗମଞ୍ଚର ଜୀବନ ନାଟକରେ ଆମେ କିପ୍ରକାର ଭୂମିକା ନିର୍ବାହ କରି ଆସିଲେ, ତା’ର ଅନୁଶୀଳନ ପୂର୍ବକ କୁପ୍ରବୃତ୍ତିକୁ ପରିହାର କରି ଉତ୍ତମ ଗୁଣାବଳୀକୁ ଆଦରି ନେଲେ ଜନ୍ମ ସାର୍ଥକ ହେବ। ମହାବୀର କର୍ଣ୍ଣ କହିଥିଲେ, ”ମୋର ଜନ୍ମ ଦୈବାଧୀନ ଥିଲା; କିନ୍ତୁ ପୌରୁଷ ମୋର ଅଧୀନ।“ କିଏ କେଉଁ ପରିବାରରେ ଜନ୍ମ ହେବ ତାହା ସେ ଜାଣେନା; କିନ୍ତୁ ତା’ର ଏ ସଂସାରରେ କ’ଣ କରଣୀୟ, ତାହା ସେ ଭଲଭାବରେ ଜାଣେ। ଅତି ଦରିଦ୍ର ପରିବାରରେ ଜନ୍ମିତ ଓ ବାଲ୍ୟକାଳୁ ପିତୃହୀନ ହୋଇ ମାତାଙ୍କ ଉତ୍କୃଷ୍ଟ ଅନୁଶାସନରେ ପାଳିତ ଆବ୍ରାହମ୍‌ ଲିଙ୍କନ ଦିନେ ଆମେରିକାର ଘୃଣ୍ୟ କ୍ରୀତଦାସ ପ୍ରଥା ଓ ବିଭୀଷିକାମୟ ଗୃହଯୁଦ୍ଧର ଅବସାନ ଘଟାଇ ସେ ଦେଶର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିପାରିଲେ। ଦରିଦ୍ର ପରିବାରରେ ଜନ୍ମିତ ଓ ଛାତ୍ରାବସ୍ଥାରେ ଖବରକାଗଜ ବିକୁଥିବା ଅବଦୁଲ କଲାମ୍‌ ପୃଥିବୀର ଜଣେ ଶ୍ରେଷ୍ଠ ମହାକାଶ ବିଜ୍ଞାନୀ ହୋଇ ପରିଶେଷରେ ସର୍ବବୃହତ୍‌ ଗଣତନ୍ତ୍ର ଭାରତବର୍ଷର ରାଷ୍ଟ୍ରପତି ହୋଇପାରିବା କର୍ମଯୋଗୀର ସର୍ବଶ୍ରେଷ୍ଠ ଉଦାହରଣ। ପ୍ରବୃତ୍ତି ଓ ଆସକ୍ତିକୁ ଚିର ବିଦାୟ ଦେଇ ନିବୃତ୍ତିକୁ ଆଦରି ପାରିଲେ ଏହା ସମ୍ଭବ ହେବ। ନିବୃତ୍ତି ହିଁ ସର୍ବଶ୍ରେଷ୍ଠ ଧର୍ମ।
ସିଦ୍ଧଳ,ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?