ନାଗରିକ ହେବ କିଏ

ପ୍ରଦୀପ୍ତ ନାୟକ
ଭାରତବର୍ଷର ନାଗରିକ କିଏ? ଏ ପ୍ରଶ୍ନ ଏବେ ଉଙ୍କି ମାରୁଛି ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ। ଆସନ୍ତା ଏପ୍ରିଲ ପହିଲାରୁ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌.ପି.ଆର୍‌.) କରାଯିବ। ସରକାରୀ ଅଧିକାରୀମାନେ ଲୋକମାନଙ୍କର ସମସ୍ତ ବିବରଣୀ ସମେତ ପିତାମାତାଙ୍କ ଜନ୍ମ ତାରିଖ ଟିପିନେଇ ଆଧାର ସଂଯୋଗ କରିଦେବେ। ତା’ପରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌.ଆର୍‌.ସି.) କରାଯିବ। ଯେଉଁମାନଙ୍କର ବ୍ୟକ୍ତିଗତ ତଥ୍ୟ ଦସ୍ତାବିଜ୍‌ରେ ସମ୍ପୂର୍ଣ୍ଣ ବୁଝାପଡ଼ୁ ନ ଥିବ କିମ୍ବା କୌଣସି ସନ୍ଦେହ ଥିବ ତାଙ୍କୁ ପୂର୍ଣ୍ଣ ନାଗରିକତା ଦିଆଯିବ ନାହିଁ। ଆସାମ ଭଳି ସେମାନଙ୍କୁ ‘ଅଟକବନ୍ଦୀ ଶିବିର’କୁ ପଠାଯିବ। ସେମାନଙ୍କୁ ବିଦେଶୀ ଟ୍ରିବ୍ୟୁନାଲ ଓ କୋର୍ଟର ସାମ୍ନା କରିବାକୁ ପଡ଼ିବ। ସେମାନଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯିବ। ସେମାନେ ଭାରତର ନାଗରିକ ହୋଇ ରହିବେ ନାହିଁ। କଂଗ୍ରେସ, କମ୍ୟୁନିଷ୍ଟ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳମାନେ ଧର୍ମଭିତ୍ତିରେ ଦେଶରେ ପ୍ରଥମଥର ପାଇଁ ହେବାକୁ ଥିବା ନାଗରିକ ପଞ୍ଜୀକରଣକୁ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ କହି ବିରୋଧ କରୁଛନ୍ତି। କେନ୍ଦ୍ର ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତୁମ୍ବିତୋଫାନ କରୁଛନ୍ତି। ପ୍ରତିବାଦରେ ପୁରୋଭାଗରେ ଅଛନ୍ତି ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକର ଛାତ୍ରୀଛାତ୍ର ଓ ମହିଳା। ୧୩ଟି ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଇ ଦେବେନି ବୋଲି ରୋକଠୋକ ମନା କରିଦେଇଛନ୍ତି। ତାମିଲନାଡ଼ୁରେ ଜାନୁୟାରୀ ୩୦ ତାରିଖ ଦିନ ୪୦ ଲକ୍ଷ ଲୋକ ପ୍ରତିବାଦ କରି ମାନବ ଶୃଙ୍ଖଳ କରିଛନ୍ତି। ଉତ୍ତରପ୍ରଦେଶରେ ଏହି ଆଇନକୁ ବାତିଲ କରିବା ପାଇଁ ପ୍ରତିବାଦ ଆନ୍ଦୋଳନରେ ୨୪ ଜଣ ବିକ୍ଷୋଭକାରୀଙ୍କୁ ପୋଲିସ୍‌ ଗୁଳିର ଶିକାର ହେବାକୁ ପଡ଼ିଛି। ସମଗ୍ର ଦେଶରେ ଶାହିନବାଗରୁ ଭଦ୍ରକର ମଦିନା ମଇଦାନ ପର୍ଯ୍ୟନ୍ତ ୫୩ଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା, ସତ୍ୟାଗ୍ରହ, ଶୋଭାଯାତ୍ରା ଓ ସଭା ଚାଲୁରହିଛି। ଶାହିନବାଗରେ ହଜାର ହଜାର ମହିଳା ଆଜକୁ ୨ ମାସ ଧରି ପ୍ରଚଣ୍ଡ ଶୀତ ଲହରିକୁ ଖାତିର ନ କରି ଦିନରାତି ଧାରଣାରେ ବସି ରହିଛନ୍ତି। ୟୁରୋପୀୟ ସଂଘ ସିଏଏକୁ ବିରୋଧ କରି ଏହାର ସଂସଦରେ ପ୍ରସ୍ତାବ ପାଶ୍‌ କରିଛି। ଆମେରିକା, କାନାଡ଼ା, ବ୍ରିଟେନ ଇତ୍ୟାଦି ଦେଶରେ ବଡ଼ ବଡ଼ ବିକ୍ଷୋଭମାନ ଆୟୋଜିତ ହେଉଛି। ଆମର ବନ୍ଧୁ ରାଷ୍ଟ୍ର ପଡ଼ୋଶୀ ବାଂଲାଦେଶର ୫ ଜଣ ମନ୍ତ୍ରୀ ଭାରତକୁ ସେମାନଙ୍କର ସରକାରୀ ଗସ୍ତ ବାତିଲ କରିଛନ୍ତି।
କେନ୍ଦ୍ର ସରକାରରେ ଥିବା ଦଳ ନିର୍ବାଚନ ପୂର୍ବରୁ ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସବୁଠୁ ଉତ୍କଟ ହୋଇଛି ବେକାରି ସମସ୍ୟା ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଆକାଶଛୁଆଁ ଦରଦାମ ବୃଦ୍ଧି। ତାହାର ସମାଧାନ ନିମନ୍ତେ କୌଣସି ଠୋସ୍‌ ପଦକ୍ଷେପ ନିଆଯାଉନାହିଁ। କୃଷକ ଓ ଶ୍ରମଜୀବୀ ମଣିଷର ଦୁଃଖ ବହୁଗୁଣ ବଢିଯାଇଛି। ସେମାନଙ୍କର ରୋଜଗାର କମିବାରେ ଲାଗିଛି। ଫଳତଃ ଦେଶର ଜିଡିପି ବିଗତ ୧୦ ବର୍ଷରେ ୪.୫%କୁ ଖସିଯାଇଛି। ଦେଶରେ ଭୋକିଲାଙ୍କ ସଂଖ୍ୟା ବଢୁଛି। ଠିକ୍‌ ସେତିକିବେଳେ ୧ ଭାଗ ବିତ୍ତଶାଳୀ ଲୋକଙ୍କ ସମ୍ପତ୍ତି ୭୦ଭାଗ ଲୋକଙ୍କ ସମ୍ପତ୍ତିର ୪ ଗୁଣା ସହିତ ସମାନ ବୋଲି ସଦ୍ୟ ପ୍ରକାଶିତ ଅକ୍ସଫାମ୍‌ ରିପୋର୍ଟରେ କୁହାଯାଇଛି। ସବ୍‌କା ସାଥ ସବ୍‌କା ବିକାଶର ଧାରା ଅଧା ବାଟରେ କେଉଁଠି ଅଟକି ଯାଇଛି। ଜାତୀୟତା ଓ ଦେଶପ୍ରୀତିର ସ୍ରୋତରେ ଦେଶବାସୀ ଭାସିବାକୁ ନାରାଜ ହୋଇ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ି ବାହାରିଛନ୍ତି। ସମ୍ବିଧାନ ପ୍ରତ୍ୟେକଙ୍କୁ ମୌଳିକ ଅଧିକାର ଦେଇଛି। ସମ୍ବିଧାନର ଧାରା ୧୧ ମୁତାବକ ସରକାରଙ୍କର ନାରଗିକ ପଞ୍ଜୀକରଣ ନିମନ୍ତେ ଆଇନ ଆଣିବା ଅଧିକାରଭୁକ୍ତ। ୧୯୫୫ ମସିହାରେ କେନ୍ଦ୍ର ସରକାର ନାଗରିକ ପଞ୍ଜୀକରଣ ଆଇନ ସମ୍ବିଧାନର ଧାରା ୫, ୬, ୭ ଓ ୮ ଅନୁସାରେ ପ୍ରଣୟନ କରିଛନ୍ତି। ଏଥିରେ କୌଣସି ଧର୍ମ କିମ୍ବା ଜାତି କଥା ଉଲ୍ଲିଖିତ ନାହିଁ।
ଏହି ଆଇନ୍‌ ମୁତାବକ ୪ ପ୍ରକାରର ଜନଗଣ ଭାରତର ନାଗରିକ ହୋଇପାରିବେ। (୧) ଧାରା ୫ ଅନୁସାରେ ଜନ୍ମଗତ ଅର୍ଥାତ ଯାହାଙ୍କର ଜନ୍ମ ୧ ଜାନୁୟାରୀ ୧୯୫୧ ପରେ ଦେଶରେ ହୋଇଥିବ ଓ ସ୍ଥାୟୀ ଘର ଥିବ ଏବଂ ପିତା କିମ୍ବା ମାତା ଅତି କମ୍‌ରେ ଭାରତର ୫ ବର୍ଷର ବାସିନ୍ଦା ହୋଇଥିବେ, (୨) ଧାରା ୬ ଅନୁସାରେ ଯେଉଁ ବ୍ୟକ୍ତି ୧୯୪୮ ଜୁଲାଇ ପାକିସ୍ତାନରୁ ଭାରତକୁ ଆସିଥିବେ। ୧୯୪୮ ଜୁଲାଇ ୧୯ କିମ୍ବା ତା’ପରେ ଆସିଥିବେ ଓ ୬ ମାସ ରହିବା ପରେ ନାଗରିକ ପଞ୍ଜୀକରଣ କରିଛନ୍ତି, ସେ ଭାରତର ନାଗରିକ ହୋଇପାରିବେ, (୩) ଧାରା ୭ କହୁଛି ଯଦି ଜଣେ ଭାରତର ନାଗରିକ ୧୯୪୭ ମାର୍ଚ୍ଚ ୧ ପରେ ପାକିସ୍ତାନ ଯାଇ ଭାରତ ଫେରିଆସି ପୁନର୍ବାର ସ୍ଥାୟୀ ଭାବେ ରହିବା ପାଇଁ ଚାହିଁବେ ଏବଂ ଯଦି ୬ ମାସ ରହିବା ପରେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପାଖରେ ପଞ୍ଜୀକରଣ କରିଥିବେ ସେ ନାଗରିକ ହୋଇପାରିବେ, (୪) ଧାରା ୮ରୁ ଶିକ୍ଷା ମିଳେ ଭାରତୀୟ ବଂଶୋଦ୍ଭବ ଯାହାଙ୍କର ବାପା ମା’ କିମ୍ବା ଜେଜେ ବାପା ଜେଜେମା’ ଭାରତରେ ଜନ୍ମ ହୋଇଥିବେ ଏବଂ ବିଦେଶରେ ରହୁଥିବେ ସେ ୧୯୩୫ ଭାରତ ଶାସନ ଆଇନ୍‌ ମୁତାବକ ଦେଶର ନାଗରିକ ହୋଇପାରିବେ ଯଦି ସେ ରହୁଥିବା ସମ୍ପୃକ୍ତ ବିଦେଶୀ ରାଷ୍ଟ୍ରରେ ଥିବା ଭାରତର ରାଷ୍ଟ୍ରଦୂତ କିମ୍ବା କନ୍‌ସଲେଟଙ୍କ ନିକଟରେ ପଞ୍ଜୀକରଣ କରିଥିବେ। ମାତ୍ର ୨୦୧୯ ନାଗରିକ ସଂଶୋଧନ ଆଇନ୍‌ ମୁସଲମାନ ଧର୍ମକୁ ବାଦ ଦେଇ ପାସ୍‌ କରାଯାଇଥିବାରୁ ଏହାକୁ ଦେଶବାସୀ ତୀବ୍ର ବିରୋଧ କରୁଛନ୍ତି। କାରଣ ସଦ୍ୟ ସମାପ୍ତ ଆସାମରେ ନାଗରିକ ପଞ୍ଜୀକରଣ ଘଟଣାରେ ୧୯ ଲକ୍ଷରୁ ଅଧିକ ଦେଶବାସୀ ନିଜର ନାଗରିକତା ସୁରକ୍ଷା ପାଇଁ ଆବଶ୍ୟକ ପ୍ରମାଣ ଦେଇ ନ ପାରି ‘ଅଟକ ବନ୍ଦୀ’ ଭାବରେ ରହିଛନ୍ତି। ସେଥିପାଇଁ ଏହିଭଳି ଏକ ଅସାମ୍ବିଧାନିକ ଆଇନ ଆସିଛି। ଏହା କାର୍ଯ୍ୟକାରୀ ହେଲେ କୋଟି କୋଟି ମୁସଲମାନ, ଦଳିତ, ଆଦିବାସୀ, ତାମିଲ, ରୋହିଙ୍ଗ୍ୟା ଓ ଦରିଦ୍ର ଅଶିକ୍ଷିତ ଜନତା ନାଗରିକତାରୁ ବାଦ ପଡ଼ିଯିବେ ବୋଲି ଘୋର ଚିନ୍ତା ପ୍ରକଟ କରାଯାଉଛି।
ଟିକରପଡ଼ା, କାକଟପୁର, ପୁରୀ, ମୋ : ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri