ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା ସ୍ବଭାବ ଚିତ୍ରଣ କେବଳ ସାମାଜିକ ସମ୍ପର୍କ ମାଧ୍ୟମରେ ପ୍ରତିଫଳିତ ହୁଏ। ପାର୍ଥିବ ଶରୀର ଓ ପାର୍ଥିବ ଦୁନିଆରେ ସାମାଜିକ ଓ ସାଂସାରିକ ସମ୍ପର୍କ ହିଁ ଶ୍ରେଷ୍ଠ ସମ୍ପର୍କ। ବସ୍ତୁବାଦୀ ଦୁନିଆର ବସ୍ତୁ ହିଁ ସର୍ବସ୍ବ। ଅଧିକାଂଶ ସମ୍ପର୍କ ବସ୍ତୁଗତ। ବସ୍ତୁର ଆଦାନପ୍ରଦାନରେ ତଥା ଗ୍ରହଣରେ ହିଁ ସାମାଜିକ ସମ୍ପର୍କ ନ୍ୟସ୍ତ। ଏଠି ହସ ଏବଂ ଲୁହ ସବୁକିଛି ବସ୍ତୁ ସହ ଜଡ଼ିତ। ସମାଜରେ ବସବାସ କରୁଥିବା ବ୍ୟକ୍ତି ମଧ୍ୟରେ ସାମାଜିକ କାର୍ଯ୍ୟକ୍ରମ ଯଥା ଘର ପ୍ରତିଷ୍ଠା, ଜନ୍ମଦିନ, ଏକୋଇଶା, ବ୍ରତଘର, ବାହାଘର, ମଘାକାମ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଆମ ସାମାଜିକ ଜୀବନ ସହ ସଂଶ୍ଳିଷ୍ଟ । ଏ ସମସ୍ତ ସାମାଜିକ କାର୍ଯ୍ୟକ୍ରମରେ ସମ୍ପର୍କୀୟ ତଥା ପରିଚିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ସହ ସେମାନଙ୍କର ଉପସ୍ଥିତିକୁ ଆମେ ସଦାସର୍ବଦା ଅନୁଭବ କରନ୍ତି। ସେମାନଙ୍କ ଉପସ୍ଥିତି ଓ ସହଯୋଗ ଆମ ପାଇଁ ଏକ ଶକ୍ତି ଓ ସାହସ। ନିମନ୍ତ୍ରଣ ପାଇଥିବା ଲୋକଟି କୌଣସି କାର୍ଯ୍ୟକ୍ରମରେ ନିଜକୁ ଯୋଡ଼ିବା ପୂର୍ବରୁ ପ୍ରଥମେ ଚିନ୍ତାକରେ ମୋତେ ଉପହାରରେ କ’ଣ ଦେବାକୁ ହେବ। ଖାଲି ହାତରେ କୌଣସି କାର୍ଯ୍ୟକ୍ରମକୁ ସାମିଲ ହେବା ମଣିଷର ପରିକଳ୍ପନା ବାହାରେ। ଉପହାର ପ୍ରଦାନ ଓ ଗ୍ରହଣ ଏକ ମାନସିକ ଅବସ୍ଥା ଓ ସାମାଜିକ ବ୍ୟବସ୍ଥା। ଲୋକ କଥା ପ୍ରସଙ୍ଗରେ ଭିନ୍ନ ଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ନେଇ ଆଲୋଚନା କରନ୍ତି, ଯେମିତି କି ବାହାଘର କାର୍ଯ୍ୟକ୍ରମରେ ପଚରାଉଚରା କରନ୍ତି; ତୋ ପୁଅ ବାହାକଲୁ କ’ଣ ସବୁ ପାଇଲୁ, କେତେ ଯୌତୁକ ଆଣିଲୁ। ବାହାଘରକୁ କିଏ ଆସିଥିଲେ ଓ କ’ଣ ବେଭାର ଦେଲେ? ବୋହୂକୁ ମୁହଁଦେଖା କିଏ କ’ଣ ସବୁ ଦେଲେ। ଏସବୁ ପରିବାର, ସମ୍ପର୍କୀୟ ତଥା ସାହିପଡ଼ିଶାଙ୍କ ବାର୍ତ୍ତାଲାପ। ଜ୍ୟାଇଁପୁଅକୁ ପଖାଳ ଖିଆରେ କ’ଣ ଦେଲ ?
ଆରମ୍ଭ କରିବା ମଣିଷର ଜନ୍ମରୁ। ଜନ୍ମ ଏକୋଇଶା ଓ ଜନ୍ମଦିନ ଏକ ସାମାଜିକ ବ୍ୟବସ୍ଥା। ସନ୍ତାନପ୍ରାପ୍ତିର ଆଗମନ ତଥା ଖୁସିରେ କିଛି କାର୍ଯ୍ୟକ୍ରମର ଆୟୋଜନ ଅବସରରେ ନିମନ୍ତ୍ରିତ ବ୍ୟକ୍ତି, ଅତିଥି, ଆଗନ୍ତୁକ ସେମାନଙ୍କ ପରିବାର ସହ ଯୋଗଦେବା ସମୟରେ ଲଫାପାରେ କିଛି ଅର୍ଥ ନଚେତ୍‌ ଉପହାର ସାମଗ୍ରୀ ରଙ୍ଗିନ ଜରି ଆଚ୍ଛାଦିତ ଧରି ଆସି ଶୁଭେଚ୍ଛା ଜଣାଇ ଉପହାର ବଢ଼ାଇବା ପରେ ହିଁ ଭୋଜିଭାତ ଖାଇବାକୁ ଆଗାନ୍ତି। ଆଜିକାଲି ସହର ହେଉ କି ଗାଁ ବିନା ଉପହାରରେ କୌଣସି ଭୋଜିରେ ଯୋଗଦାନ କରିବାର ପରିକଳ୍ପନା ଅସମ୍ଭବ। ଆଜିର ଏହା ଫ୍ୟାଶନ। ଉପହାର ଧରି ପେଣ୍ଡାଲରେ ସମସ୍ତଙ୍କ ସମ୍ମୁଖରେ ଉପସ୍ଥିତ ଏକ ସମ୍ମାନସୂଚକ। ସାମାଜିକ ଦୃଷ୍ଟିକୋଣରୁ ଅର୍ଥ ଉପହାର ଏକ ସହଯୋଗ। ବନ୍ଧୁଘରକୁ କେବେ ବୁଲିବାକୁ ଗଲେ କିଛି ନ ହେଲେ ମିଠାଧରି ଯିବାକୁ ହୁଏ। ବିନା ମିଠାରେ ସମ୍ପର୍କ ପାଣିଚିଆ। ଆଗରେ ନ ହେଲେ ପଛରେ କଥା ହେବେ କିଛି ଆଣି ନ ଥିଲେ, ଖାଲି ହାତରେ କେମିତି ଆସୁଛନ୍ତି? ଛୁଆପିଲା ଘର। ଏକଥା ମୁଁ ଲୋକମାନଙ୍କ ମୁହଁରେ ପ୍ରାୟ ଶୁଣିବାକୁ ପାଏ। ଫେରିଲାବେଳେ ପୁଣି ମୁନାମୁନିଙ୍କ ହାତରେ ଟଙ୍କାପଇସା ଦେଇ ଆସିବାକୁ ପଡ଼େ। ପର୍ବପର୍ବାଣିରେ ପୋଷାକପତ୍ର ଦିଆନିଆ ଏକପ୍ରକାର ସାମାଜିକ ରୀତିନୀତି। ଭୋଜିଭାତରେ କୌଣସି କାରଣରୁ ବନ୍ଧୁଘରକୁ ଯାଇ ନ ପାରିଲେ ଶାଢ଼ି ଟଙ୍କା ନଚେତ କିଛି ଆଭୂଷଣ ବନ୍ଧୁବେଭାର ହିସାବରେ ପଠାଯାଏ, ନଚେତ୍‌ ବନ୍ଧୁ କଟିଯାଏ। ସବୁ ସମ୍ପର୍କ ପଛରେ ଅର୍ଥ ହେଉକି ଜିନିଷ ଏକ ଉପହାର ସଦୃଶ। ଉପହାର ଏକ ଆକର୍ଷଣ ଯାହା ଅଧିକାଂଶ ସମ୍ପର୍କକୁ ଯୋଡ଼େ, ମଜଭୁତ କରେ, କିନ୍ତୁ ତା’ର ବ୍ୟତିକ୍ରମରେ ସମ୍ପର୍କ ଭାଙ୍ଗେ। ଏହା ଏକ ନିରାଟ ସତ୍ୟ। ମୋର ଜଣେ ପଡ଼ୋଶୀଙ୍କ ସମ୍ପର୍କୀୟଙ୍କ ଝିଅ ବାହାଘର କାର୍ଯ୍ୟକ୍ରମରେ କୌଣସି କାରଣରୁ ସେ ଅନୁପସ୍ଥିତ ରହିବା ସହ ଆର୍ଥିକ ସହଯୋଗ କରିପାରି ନ ଥିବାରୁ ତାଙ୍କ ସହ ବନ୍ଧୁ କଟିଗଲା ବୋଲି ତାଙ୍କ କହିବା କଥା। ସ୍ତ୍ରୀକୁ ଜନ୍ମଦିନରେ, ବିବାହ ବାର୍ଷିକରେ ଉପହାର ନ ଦେଲେ ସେ ୟା ତା’ ଦାୟିକା ଦିଏ। ଛଅମାସ ଛୁଆକୁ ଧରି ଆସିଥିବା ଜଣେ ସମ୍ପର୍କୀୟଙ୍କୁ ହାତରେ ଟଙ୍କା ନ ଯାଚିଥିବାରୁ ସେ ଅନ୍ୟ ବନ୍ଧୁଙ୍କ ଆଗରେ ଗାଇଲେ ଛୁଆଟା ହାତରେ କିଛି ଦେଲେନି। ଆମେ ବି ଆସିଲେ କିଛି ଦେବୁନି। ଉପହାର ଦେଲେନେଲେ ସବୁ ଆପଣାର। ପାନରୁ ଚୂନ ଖସିଲେ ସଭିଏଁ ବେକାର, ଆଉ ପର। କାହାକୁ କହିବା ! ଏ ସବୁ ବସ୍ତୁବାଦୀ ଦୁନିଆର ସାଧାରଣ ଜନତାଙ୍କ ମାନସିକ ଅବସ୍ଥା। ଏସବୁ ସତ୍ତ୍ବେ ମନରେ ଅନେକ ସମୟରେ ପ୍ରଶ୍ନଉଠେ, ଯଦି ଉପହାର ସାମାଜିକ ସମ୍ପର୍କର ମାପକାଠି, ତେବେ ସାମାଜିକ ମୂଲ୍ୟବୋଧ ଏକ ମିଥ୍ୟା ପ୍ରହସନ ନୁହେଁ ତ ?

ଡ.ମନୋଜ କୁମାର ମହାନ୍ତି

ଦର୍ଶନ ବିଭାଗ ମୁଖ୍ୟ
ବିଏନଏମଏ ମହାବିଦ୍ୟାଳୟ
ଭଦ୍ରକ, ମୋ:୮୮୯୫୩୪୧୦୩୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri