ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ ମାନବିକତା, ସାଧୁତା, ସଚୋଟତା, ସମ୍ବେଦନଶୀଳତା, ଦୟା, କରୁଣା ଆଦି ଗୁଣ କ୍ରମେ ଉଭେଇ ଯାଉଛି। ତା’ ସତ୍ତ୍ୱେ ପୁଣି ମନକୁ ଆସେ ମଣିଷ ହେଉଛି ଈଶ୍ୱରଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି। ହୁଏତ କେହି କେହି ମଣିଷ ପାଶବିକ ପ୍ରବୃତ୍ତି ପରିଚାଳିତ ହୋଇ ଅମାନବିକ ଆଚରଣ କରୁଛନ୍ତି। ତଥାପି କିଛି ସାଧୁ, ସଚୋଟ, ନୀତିବାନ୍‌ ମଣିଷ ମଧ୍ୟ ଅଛନ୍ତି ଯଦିଓ ସେମାନଙ୍କ ସଂଖ୍ୟା କମ୍‌। ଏମିତି ଏକ ସମୟ ଆସିପାରେ ସେମାନେ ଜନମାନସକୁ ପ୍ରଭାବିତ କରି ଏକ ପରିବର୍ତ୍ତନ ଆଣିବେ। ଗାନ୍ଧୀ, ବୁଦ୍ଧ, ଖ୍ରୀଷ୍ଟ ଆଦି ମହାପୁରୁଷ ଏହିଭଳି ସହସ୍ର ସହସ୍ର ମଣିଷ ମଧ୍ୟରେ ଏକାକୀ ଜନମାନସକୁ ପ୍ରଭାବିତ କରିଥିଲେ। ସେମାନଙ୍କ ପରେ ହୁଏତ ପୁଣି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ସମାଜରେ ପ୍ରବେଶ କରିଛି। ଏହା ମଧ୍ୟ ସତ୍ୟ ଯେ ପୁଣି ମହାପୁରୁଷମାନେ ଜନ୍ମନେଇ ସମାଜକୁ ସୁଧାରିଛନ୍ତି। ଏହା ହେଉଛି ଜଗତର ଘୂର୍ଣ୍ଣାୟମାନ ପ୍ରକ୍ରିୟା। ଏଣୁ ସାମ୍ପ୍ରତିକ ହିଂସା, ଦୁର୍ନୀତି ଓ ବ୍ୟଭିଚାରମୟ ପୃଥିବୀକୁ ଦେଖି ଏଠାରୁ ପଳାୟନ କରିବା ପାଇଁ ଇଚ୍ଛା ପ୍ରକାଶ କରିବାର କୌଣସି କାରଣ ନାହିଁ। ଆଶା ହିଁ ଜୀବନଯାତ୍ରାର ଏକ ପୁଞ୍ଚି। ମାର୍ଟିନ ଲୁଥର କିଙ୍ଗ କହିଥିଲେ, ଆମେ ସୀମିତ ହତାଶାକୁ ଗ୍ରହଣ କରିବା, କିନ୍ତୁ ଅନନ୍ତ ଆଶାକୁ ହରାଇବା ନାହିଁ।
ଏହି ପ୍ରସଙ୍ଗରେ ପାଣ୍ଡୋରା ବକ୍ସ କିମ୍ବଦନ୍ତୀ ମନକୁ ଆସେ। ଏକଦା ସ୍ବର୍ଗରେ ଦେବତାମାନଙ୍କ ସମ୍ପଦ ଥିଲା ଅଗ୍ନି। ପ୍ରୋମିଥ୍ୟୁସ ନାମକ ଜଣେ ଦେବତା ତାକୁ ସ୍ବର୍ଗରୁ ଭୂପୃଷ୍ଠକୁ ଚୋରାଇ ଆଣି ମଣିଷକୁ ଦେଲେ। ଏଥିରେ ଦେବତାମାନେ କ୍ରୋଧ ହୋଇ ପ୍ରତିଶୋଧ ନେବାକୁ ଚିନ୍ତାକଲେ। ଦେବରାଜ ଜୁପିଟରଙ୍କ ନିର୍ଦ୍ଦେଶରେ ତାଙ୍କ ପୁତ୍ର ଭୋଲ୍‌କାନ୍‌ ନିର୍ମାଣ କଲେ ଏକ ଅତୀବ ସୁନ୍ଦରୀ ନାରୀ ପାଣ୍ଡୋରା। ତାକୁ ଧରାଇ ଦିଆଗଲା ଏକ ଆକର୍ଷଣୀୟ ପେଡି। ଯିଏ ତାକୁ ବାହା ହେବ ସେ ପାଇବ ପେଡିରୂପକ ସେହି ଉପହାର। ପାଣ୍ଡୋରା ପ୍ରୋମିଥ୍ୟୁସକୁ ବିବାହ କରିବାକୁ ଚାହିଁଲେ। ମାତ୍ର ସେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ସେ ପହଞ୍ଚତ୍ଲେ ତାଙ୍କ ଭାଇ ଏପିମେଥ୍ୟୁସଙ୍କ ପାଖରେ ଓ ବିବାହ ପ୍ରସ୍ତାବ ଦେଲେ। ସେ ପ୍ରସ୍ତାବକୁ ଗ୍ରହଣ କଲେ। ବିବାହ ସରିଲା। ଯେତେବେଳେ ସେ ଆଗ୍ରହରେ ପେଡିଟି ଖୋଲିଲେ, ତା’ ଭିତରୁ ନିର୍ଗତ ହେଲା ଦୁଃଖ, ଦୈନ୍ୟ, ବ୍ୟାଧି, ଶୋକ, ସନ୍ତାପ ଆଦି ଅନେକ ଦୁର୍ଦ୍ଦଶା। ଏଥିରେ ଡରିଯାଇ ପାଣ୍ଡୋରା ପେଡିଟିକୁ ବନ୍ଦକରିଦେଲା। ଫଳରେ ପେଡି ଭିତରେ ସୁରକ୍ଷିତ ରହିଗଲା ”ଆଶା“। କିମ୍ବଦନ୍ତୀର ସ୍ରଷ୍ଟା କହିବାକୁ ଚାହାନ୍ତି ମଣିଷ ଜୀବନରେ ସମସ୍ତ ଦୁର୍ଦ୍ଦଶା ଥିବା ସତ୍ତ୍ୱେ ତା’ପାଇଁ ତଥାପି ରହିଛି ଆଶା ଯାହା ତାକୁ ବଞ୍ଚତ୍ବା ପାଇଁ ପ୍ରେରଣା ଦେଉଛି।
ଯୁଗେ ଯୁଗେ ଭଲ ମନ୍ଦ, ପାପ ପୁଣ୍ୟ, ସୁଗୁଣ-ଦୁର୍ଗୁଣ ଏକତ୍ର ରହିଛନ୍ତି। ଭଲ, ପାପ, ସୁଗୁଣ ନ ଥିଲେ ମନ୍ଦ, ପୁଣ୍ୟ, ଦୁର୍ଗୁଣକୁ ଚିହ୍ନିତ କରିହେବ ନାହିଁ। ଅନ୍ଧକାର ନ ଥିଲେ ଆଲୋକକୁ ଅନୁଭବ କରିହେବ ନାହିଁ। କଳୁଷିତ ଚେତନା ମଧ୍ୟରୁ ଦିବ୍ୟଚେତନାର ବିକାଶ ମଧ୍ୟ ସମ୍ଭବ। ପ୍ରତିଦିନ ମଣିଷକୁ ହତ୍ୟାକରି ସେମାନଙ୍କ ଅଙ୍ଗୁଳି ସଂଗ୍ରହ କରୁଥିବା ଅଙ୍ଗୁଳିମାଳା, ବେଶ୍ୟାବୃତ୍ତି କରୁଥିବା ଆମ୍ରପଲ୍ଲୀ ମଧ୍ୟ ଦିନେ ବୁଦ୍ଧଙ୍କ ପ୍ରଭାବରେ ଶୁଦ୍ଧଚେତନାର ଅଧିକାରୀ ହୋଇପାରିଥିଲେ। ଏଣୁ ସାମ୍ପ୍ରତିକ କଳୁଷିତ ବାତାବରଣରେ ହତାଶ ହେବାର କାରଣ ନାହିଁ। ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ ଦାସ ଗୋଟିଏ ସ୍ମରଣୀୟ ଘଟଣାକୁ ଉଦ୍ଧୃତ କରିଛନ୍ତି। ଥରେ ଗୋଟିଏ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଓ ଗବେଷକଙ୍କର ଏକ ସମାବେଶରେ ଜଣେ ବିଦେଶାଗତ ବିଶିଷ୍ଟ ବିଦ୍ୱାନ୍‌ କ୍ରମବିକାଶ ତତ୍ତ୍ୱ ଉପରେ ଭାଷଣ ଦେଉଥାନ୍ତି। ଡାରୱିନଙ୍କ କ୍ରମବିକାଶ ତତ୍ତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କଲାପରେ ସେ କହିଲେ ଯେ ଏହି ତତ୍ତ୍ୱ ପରିପୂର୍ଣ୍ଣତା ଲାଭ କରିଛି ଶ୍ରୀ ଅରବିନ୍ଦଙ୍କ ଦର୍ଶନରେ। ସେ କହିଲେ, କ୍ରମବିକାଶ ଏହା ସ୍ବାଭାବିକ ପ୍ରକ୍ରିୟା। ବସ୍ତୁ ଭିତରେ ପ୍ରାଣସତ୍ତା ସଂଗୁପ୍ତ ଥିଲା ବୋଲି ପ୍ରାଣର ପ୍ରସ୍ଫୁଟନ ଓ ବିକାଶ ହେଲା। ପ୍ରାଣ ଭିତରେ ମନ ସଂଗୁପ୍ତ ଥିଲା ବୋଲି ତା’ର ପ୍ରସ୍ଫୁଟନ ଓ ବିକାଶ ସମ୍ଭବ ହେଲା। ଠିକ୍‌ ସେହିପରି ମନ ମଧ୍ୟ ଦିନେ ବିକଶିତ ହେବ ଓ ଅତିମାନସ ଚେତନାରେ ପରିଣତ ହେବ। ମଣିଷ ହେବ ଦିବ୍ୟମାନବ। ବକ୍ତା ମହାଶୟଙ୍କ ଏହି ବକ୍ତବ୍ୟକୁ କିଛି ଗବେଷକ ସହଜରେ ଗ୍ରହଣ କରିପାରି ନ ଥିଲେ। ସେମାନେ ପ୍ରଶ୍ନ କରିଥିଲେ ଆଜି ମଣିଷର ଚରିତ୍ରର ଯେଭଳି ଅଧୋଗତି ଓ କଳୁଷିତ ହେଲାଣି ଦିନେ ତା’ ଭିତରୁ ଦିବ୍ୟମାନବର ବିକାଶ ଘଟିବା ବିଶ୍ୱାସଯୋଗ୍ୟ ହେଉନାହିଁ। ସଭା ସରିଲା। ବକ୍ତା ମହାଶୟ ବାହାରକୁ ଚାଲିଆସିଲେ। ଜଣେ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ତାଙ୍କ ନିକଟକୁ ଆସି କହିଲେ, ”ମହାଶୟ! ଆପଣଙ୍କ ବକ୍ତବ୍ୟକୁ ଅନେକ ଶ୍ରୋତା ଗ୍ରହଣ କରି ପାରୁ ନ ଥିଲେ। ମାତ୍ର ମୋ ମନରେ ଆଦୌ ଶଙ୍କା ନାହିଁ। ଆମ ବସା ସମ୍ମୁଖରେ ରହିଛି ଏକ ପୁଷ୍କରିଣୀ। ପ୍ରତିଦିନ ସକାଳେ ମୁଁ ଯେତେବେଳେ ପୁଷ୍କରିଣୀ କୂଳରେ ବୁଲେ, ଦେଖେ ବହୁ ସଂଖ୍ୟାରେ ପଦ୍ମଫୁଲ ଫୁଟି ସୁଗନ୍ଧ ବିତରଣ କରୁଛନ୍ତି। ଯଦି ପଙ୍କ ଭିତରୁ ସୂର୍ଯ୍ୟକିରଣର ଆଶୀର୍ବାଦରେ ମନୋରମ ପଦ୍ମ ସମ୍ଭବ ହୋଇପାରେ, ତେବେ ଆଜିର ମଣିଷର ଆବିଳ ଚେତନା ଭିତରୁ ଦିବ୍ୟଚେତନା ସୃଷ୍ଟି ହେବ ନାହିଁ କାହିଁକି?“ ବକ୍ତାଜଣକ ଏହା ଶୁଣି କହିଲେ, ”ମଁୁ ଧନ୍ୟ ହେଲି“। ଏହି ଆଶା ହିଁ ଆଜି ଆମର ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି। ସାମ୍ପ୍ରତିକ ସମୟକୁ ଅନ୍ଧକାରମୟ କହି ନିରାଶ ହେବା ଠିକ୍‌ ନୁହେଁ। ଅନ୍ଧକାର ଅଛି ବୋଲି ଆମେ ଆଲୋକ ଖୋଜୁଛୁ। ଅନ୍ଧକାର ଭିତରୁ ହିଁ ଆଲୋକର ଜନ୍ମ। ଏଣୁ କବି ଗଙ୍ଗାଧର ମେହେର ମହାନ୍ଧକାର କବିତାରେ ଲେଖିଲେ -”ଅଙ୍ଗାର ଗରଭେ ଯଥା ହୀରକ ଜନମ/ତମୋଗର୍ଭେ ଜନମିବା ଜ୍ୟୋତିଷ୍କ ଧରମ।“ ଅବଶ୍ୟ ଅନ୍ଧକାରରୁ ଆଲୋକକୁ ଯିବାପାଇଁ ପ୍ରସ୍ତୁତି ଆବଶ୍ୟକ। ସେହି ପ୍ରସ୍ତୁତି କରିବେ ସମାଜର ସ୍ବଳ୍ପ ସଂଖ୍ୟକ ଶୁଦ୍ଧ ଚେତନାର ଅଧିକାରୀ ବୁଦ୍ଧିଜୀବୀମାନେ।
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପାଶ୍ଚାତ୍ୟ ଭୂଖଣ୍ଡରେ ଏଥେନ୍‌ସ ଥିଲା ଗୋଟିଏ ସମୃଦ୍ଧ ନଗରୀ। ଗୁଡାଏ ଅନ୍ଧବିଶ୍ୱାସ ତଥା ଅବୈଜ୍ଞାନିକ ଓ ଅଯୌକ୍ତିକ ବ୍ୟବସ୍ଥା ସେତେବେଳେ ଗ୍ରୀକ୍‌ ସମାଜକୁ ସ୍ଥାଣୁ କରିଦେଇଥିଲା। ସେତେବେଳେ ମହାନ ଦାର୍ଶନିକ ସକ୍ରେଟିସ୍‌ଙ୍କ ଆବିର୍ଭାବ ହୋଇଥିଲା। ଯୁବ ସମାଜକୁ ସ୍ବାଧୀନ ଚିନ୍ତାରେ ଉଦ୍‌ବୁଦ୍ଧ କରିବା, ସମାଜରେ ପ୍ରଚଳିତ ମୂଲ୍ୟବୋଧର ଊର୍ଦ୍ଧ୍ୱକୁ ସେମାନଙ୍କୁ ନେଇ ବାଟ କଢ଼ାଇବା ଥିଲା ତାଙ୍କ ବ୍ରତ। ମାତ୍ର ସେତେ ବେଳର ଶାସକମାନେ ତାଙ୍କ କାର୍ଯ୍ୟକୁ ରାଷ୍ଟ୍ରଦ୍ରୋହର ଆଖ୍ୟାଦେଇ ତାଙ୍କୁ ପ୍ରାଣଦଣ୍ଡ ଦେଲେ ଓ ସେ ବିଷପାନ କରି ଜୀବନ ବିସର୍ଜନ କଲେ। ମାତ୍ର ସେ ଯେଉଁ ଚିନ୍ତା ବିପ୍ଳବର ଅୟମାରମ୍ଭ କରିଥିଲେ, ତାହା ସେଠି ଅଟକି ନ ଥିଲା। ପରବର୍ତ୍ତୀ ସମୟରେ ଆସିଲେ ତାଙ୍କ ଶିଷ୍ୟ ପ୍ଲାଟୋ ଓ ପ୍ଲାଟୋଙ୍କ ଶିଷ୍ୟ ଆରିଷ୍ଟୋଟଲ। ଗ୍ରୀକ୍‌ ସଭ୍ୟତାରେ ଆସିଲା ଏକ ବିରାଟ ପରିବର୍ତ୍ତନ। ଯୁଗେଯୁଗେ ଦୁର୍ଦ୍ଦଶା, ଭ୍ରଷ୍ଟାଚାର, ଅନ୍ୟାୟ ଅତ୍ୟାଚାର ରହିବ, ମାତ୍ର ତାହା କ୍ରମବିକାଶ ପଥରେ ପ୍ରତିବନ୍ଧକ ହେଲେ ମଧ୍ୟ କ୍ରମବିକାଶକୁ ଅଟକାଇ ପାରିବ ନାହିଁ। ଅରବିନ୍ଦ କହିଥିଲେ, ”କ୍ରମବିକାଶ ସମାପ୍ତ ହୋଇନାହିଁ। ହେତୁବୋଧ ହିଁ ଶେଷ କଥା ନୁହେଁ କିମ୍ବା ହେତୁବାଦୀ ଜୀବ ହିଁ ପ୍ରକୃତିର ଚୂଡ଼ାନ୍ତ ରୂପାୟନ ନୁହେଁ। ମଣିଷ ଯେପରି ପଶୁ ଭିତରୁ ବିକଶିତ ହେଲା, ସେପରି ମଣିଷ ଭିତରୁ ଅତିମାନବ ବିକଶିତ ହେବ।“
ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଭାରତ ଏକ ଗୋତ୍ର

ଭାରତରେ ନାମ ପରିବର୍ତ୍ତନ କିଛି ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିଲା। ମୁମ୍ବାଇ, ଚେନ୍ନାଇ ଓ କୋଲକାତା ଆଦି ନାମ ଚଳିତ ଶତାବ୍ଦୀର ଟିକେ ପୂର୍ବରୁ ବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri