ପ୍ରତିବାଦ ଯଥାର୍ଥ

ଆକାର ପଟେଲ
ଜାନୁୟାରୀ ୨୫, ଶନିବାର ସୁଦ୍ଧା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ୨୪ ଘଣ୍ଟିଆ ପ୍ରତିବାଦ ସଂଖ୍ୟା ୫୦ ଟପିଛି। ଅହମଦାବାଦ, ଆଲିଗଡ଼, ଆଲ୍ଲାହାବାଦ, ଔରଙ୍ଗାବାଦ, ବାଙ୍ଗାଲୋର, ବରେଲୀ, ଭାଗଲପୁର, ଭୋପାଳ, କୋଚିନ, ଦରଭଙ୍ଗା, ଦେଓବନ୍ଦ, ଦଓ୍ବୋସ, ଗୟା, ଗୋପାଲଗଞ୍ଜ-ସିଓ୍ବାନ, ଇନ୍ଦୋର, ଜବଲପୁର, କଲ୍ୟାଣ, କିଷନଗଞ୍ଜ, କୋଲକାତା, କୋଟା, ଲକ୍ଷ୍ନୌ, ମୁମ୍ବ୍ରା, ମୁଜାଫରପୁର, ନାନ୍ଦେଡ଼, ନାଳନ୍ଦା, ପର୍ଭାନି, ପାଟନା, ପୁଣେ, ରାଞ୍ଚି, ସମ୍ଭଲ, ସମସ୍ତିପୁର, ଟୋଙ୍କ ଓ ବିଜୟଓ୍ବାଡ଼ାରେ ଭାରତୀୟମାନେ ଏକତ୍ରିତ ହୋଇ ପ୍ରତିବାଦ କରିଥିଲେ। କେତେକ ସହରରେ ଏକାଧିକ ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି। କେବଳ ଦିଲ୍ଲୀରେ ଏକ ଡଜନରୁ ଅଧିକ ପ୍ରତିବାଦ ହୋଇଛି।
ଏହା ଏକ ଗଣ-ଆନ୍ଦୋଳନ, ଯାହା ଆଗରୁ କେବେ ଦେଖାଯାଇ ନ ଥିଲା। ପ୍ରତିବାଦକାରୀଙ୍କ ଭିତରେ ପ୍ରତିବଦ୍ଧତା ଦେଖିବାକୁ ମିଳିଥିଲା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଗୁଡ଼ିକର କେହି ନେତା ନ ଥିଲେ। ସେମାନଙ୍କର ପ୍ରତିବଦ୍ଧତା ଓ ନୀତି ନରେନ୍ଦ୍ର ମୋଦି ସରକାରକୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରିଛି। ଏନ୍‌ଆର୍‌ସିକୁ ଅଳ୍ପେବହୁତେ ସ୍ଥଗିତ ରଖାଯାଇଛି। ସିଏଏ ଏବେ କୋର୍ଟର ବିଚାରାଧୀନ ଥିବାବେଳେ ରାମବିଳାସ ପାଶ୍ୱାନ ଓ ପ୍ରକାଶ ଜାଭ୍‌ଡେକରଙ୍କ ସମେତ ତିନିଜଣ ମନ୍ତ୍ରୀ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)ରେ ମାତାପିତାଙ୍କ ସ୍ଥାନ ଓ ଜନ୍ମତାରିଖ ପଞ୍ଜୀକୃତ ହେବା ନେଇ ରହିଥିବା ନିୟମ ଉପରେ ପାଣି ଢାଳିଛନ୍ତି। ପୂର୍ଣ୍ଣସଂଖ୍ୟାଗରିଷ୍ଠତା ଥିବା ଏକ ସରକାର ବିରୋଧରେ ଏହା ଏକ ବିରାଟ ସଫଳତା। ପ୍ରଶ୍ନ ହେଉଛି ପ୍ରତିବାଦକାରୀମାନେ କାହିଁକି ଏକା ଏକା ଲଢ଼େଇ କରୁଛନ୍ତି ଏବଂ ରାଜନୈତିକ ଦଳଗୁଡ଼ିକ କାହିଁକି ଏହି ଆନ୍ଦୋଳନରେ ସାମିଲ ହେଉନାହାନ୍ତି। ପୁଣି ବିରୋଧୀ ଦଳଗୁଡ଼ିକ ଏଥିରୁ ନିବୃତ୍ତ ରହିବା ଫଳରେ ସିଏଏ-ବିରୋଧୀ ଆନ୍ଦୋଳନ ଦୁର୍ବଳ ହୋଇଛି କି?
ପ୍ରଥମତଃ ଉପରେ ଯେଉଁ ସହରଗୁଡ଼ିକର ନାମ ଉଲ୍ଲେଖ କରାଗଲା, ସେଥିମଧ୍ୟରୁ ପ୍ରାୟ ଅଧଡଜନ ହେଉଛି ଉତ୍ତରପ୍ରଦେଶର। ପ୍ରତିବାଦକାରୀଙ୍କ ବିରୋଧରେ ଅଧିକାଂଶ ହିଂସା ଏହି ରାଜ୍ୟରେ ହୋଇଛି। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଆନ୍ଦୋଳନରୁ ଦୂରେଇ ରହିଛନ୍ତି। ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବହୁସଂଖ୍ୟକ ଯୁବକଙ୍କୁ ମତେଇବାର ସାମର୍ଥ୍ୟ ରଖିଥିଲେ ମଧ୍ୟ ଏହା ପୂରା ଚୁପ୍‌ ରହିଛି। କାରଣ ଅଖିଳେଶ ଭାବୁଛନ୍ତି, ଉତ୍ତରପ୍ରଦେଶରେ ଏହାକୁ ହିନ୍ଦୁ-ମୁସଲମାନ ଲଢ଼େଇ ଭାବରେ ଦେଖାଯିବ ଏବଂ ହିନ୍ଦୁ (ଯାଦବ) ଭୋଟଗୁଡ଼ିକ ତାଙ୍କ ହାତରୁ ଚାଲିଯିବ। ତେଣୁ ଆନ୍ଦୋଳନକାରୀଙ୍କୁ ସମର୍ଥନ କଲେ ତାଙ୍କୁ କିଛି ଲାଭ ମିଳିବ ନାହିଁ।
ମାୟାବତୀଙ୍କ ପାଇଁ ପରିସ୍ଥିତି ଆଉ ଟିକେ ଜଟିଳ। ସିଏଏ ବିରୋଧରେ ସେ ଅଖିଳେଶଙ୍କ ଅପେକ୍ଷା ଅଧିକ ତମ୍ବିତୋଫାନ କରିଛନ୍ତି। କିନ୍ତୁ ତାଙ୍କ କ୍ୟାଡର ତାଙ୍କୁ ପ୍ରତିବାଦକାରୀଙ୍କ ସହ ଯୋଗଦେବାକୁ ବାରଣ କରିଛନ୍ତି। ସେ ଭୟ କରୁଛନ୍ତି ନିଜକୁ ‘ରାବଣ’ ବୋଲାଉଥିବା ଯୁବ ଦଳିତ ନେତା ଚନ୍ଦ୍ରଶେଖର ଆଜାଦ, ଯିଏ ହିନ୍ଦୁ ଜାତିବାଦକୁ ମାନନ୍ତି ନାହିଁ, ତାଙ୍କ ଆଡ଼ୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। ସେ ଉତ୍ତରପ୍ରଦେଶର ସହରଗୁଡ଼ିକରେ ତୃଣମୂଳ ସ୍ତରରେ ନିଜର ଅସ୍ତିତ୍ୱ ଜାହିର କରିବା ସହିତ ବହୁଜନ ସମାଜ ପାର୍ଟିର ଦଳିତ ଭିତ୍ତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ମାୟାବତୀ ଭାବୁଛନ୍ତି ଏହା ଏପରି ଏକ ପ୍ରସଙ୍ଗ ନୁହେଁ, ଯାହା ତାଙ୍କ ଭୋଟରମାନଙ୍କୁ ପ୍ରଭାବିତ କରିବ। ତେଣୁ ସେ ଆନ୍ଦୋଳନ ଭିତରେ ପଶିବାକୁ ଚାହୁଁନାହାନ୍ତି। ତା’ଛଡ଼ା ଶୁଣିବାକୁ ମିଳୁଛି ଯେ, ତାଙ୍କ ବିରୋଧରେ ଅନେକ ମାମଲା ରହିଥିବାରୁ ମୋଦି ସରକାରଙ୍କ ପକ୍ଷରୁ ସେ ଅତ୍ୟନ୍ତ ଚାପରେ ଅଛନ୍ତି। କାରଣ ଲାଲୁ ପ୍ରସାଦ ଯାଦବଙ୍କ ପରି ସେ ଜେଲରେ ଶଢ଼ିବାକୁ ଚାହୁଁନାହାନ୍ତି।
ପ୍ରତିବାଦକାରୀଙ୍କ ସହ ଖୋଲାଖୋଲି ମୈଦାନକୁ ଓହ୍ଲାଇଥିବା ଏକମାତ୍ର ଦଳ ହେଉଛି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ। ଏହା ଏକ ଅସ୍ବାଭାବିକ ଦଳ, ଯିଏ କ୍ଷମତାରେ ଥାଉ ବା ନ ଥାଉ ସବୁବେଳେ ପ୍ରଚାର ମୋଡ୍‌ରେ ଥାଏ ଏବଂ ଏହା ହେଉଛି ପ୍ରଚାରର ଏକ ଉତ୍କୃଷ୍ଟ ମାଧ୍ୟମ। ତେବେ ଅଧିକାଂଶ ବିରୋଧୀ ଦଳ ଖୋଲାଖୋଲି ପ୍ରତିବାଦରୁ ଦୂରେଇ ରହିବା ଫଳରେ ସିଏଏ-ବିରୋଧୀ ଆନ୍ଦୋଳନ ଦୁର୍ବଳ ହେବ କି? ସତ କଥା ହେଲା, ଏହା ଦୁର୍ବଳ ହେବ ନାହିଁ ଏବଂ ତା’ର ଅନେକ କାରଣ ଅଛି। ପ୍ରଥମ କଥା ହେଲା ପ୍ରତିବାଦକାରୀମାନେ କୌଣସି ଦଳର ସାହାଯ୍ୟ ଚାହିଁନାହାନ୍ତି। ବିଭିନ୍ନ ସ୍ଥାନରୁ ଲଢ଼େଇ କରୁଥିବାରୁ ସେମାନେ ଏକ ସଂଗଠିତ ସଂସ୍ଥା ନୁହନ୍ତି। ଲକ୍ଷ ଲକ୍ଷ ପ୍ରତିବଦ୍ଧ ମଣିଷ ଗୋଟିଏ କାରଣ ପାଇଁ ଲଢ଼ୁଛନ୍ତି। ଦ୍ୱିତୀୟତଃ ବୃହତ୍ତମ ରାଜନୈତିକ ଦଳ ଭାଜପା ସମେତ କୌଣସି ରାଜନୈତିକ ଦଳ ଏତେ ସଂଖ୍ୟକ ଲୋକଙ୍କୁ ଉପେକ୍ଷା କରିପାରିବ ନାହିଁ। ରାଜନୈତିକ ଗତିବିଧି ତ ଦେଖିବାକୁ ମିଳିବ ଓ ମିଳୁଛି କାରଣ ରାଜନୈତିକ ଦଳ ଏହା ଚାହୁଁଛି, ସାଧାରଣ ଜନତା ନୁହନ୍ତି। ସେଥିପାଇଁ ରାଜନୈତିକ ଦଳ ଏହା ସପକ୍ଷରେ ରାଲି କରାଉଛନ୍ତି। କିନ୍ତୁ ସିଏଏ ବିରୋଧରେ ଯେଉଁ ଆନ୍ଦୋଳନ ଦେଖିବାକୁ ମିଳୁଛି ତାହା ସ୍ବତଃସ୍ଫୂର୍ତ୍ତ। ତୃତୀୟତଃ ରାଜନୈତିକ ଦଳଗୁଡ଼ିକ ପ୍ରତିବାଦରୁ ଦୂରେଇ ରହିବା ଫଳରେ ଆନ୍ଦୋଳନ ସମସ୍ତଙ୍କର ବିଶ୍ୱାସଯୋଗ୍ୟ ହୋଇପାରିଛି। ପ୍ରତିବାଦକାରୀ ମୋଦି ସରକାରକୁ ଗାଦିଚ୍ୟୁତ କରିବାକୁ ଦାବି କରୁନାହାନ୍ତି। ସେମାନେ କେବଳ ଅସାମ୍ବିଧାନିକ ଓ ପକ୍ଷପାତମୂଳକ ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ସେଥିପାଇଁ ସରକାର ଉଭୟ ଭିତରୁ ଓ ବାହାରୁ ଏବଂ ବାହାର ଦେଶଗୁଡ଼ିକରୁ ଚାପରେ ଅଛନ୍ତି। ପ୍ରତିବାଦକାରୀଙ୍କ ଦାବି ଯୁକ୍ତିଯୁକ୍ତ ଏବଂ ସେମାନଙ୍କର ପ୍ରତିବାଦର ଶୈଳୀ ମଧ୍ୟ ଯଥାର୍ଥ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?