ଦୀର୍ଘଜୀବୀ ହେଉ ଆମ ଗଣତନ୍ତ୍ର

ପ୍ରକାଶ ତ୍ରିପାଠୀ
ଜାନୁୟାରୀ ୨୪, ୧୯୫୦ରେ ଇଂଲିଶ ଖବରକାଗଜ ହିନ୍ଦୁସ୍ଥାନ ଟାଇମ୍ସର ପ୍ରଥମ ପୃଷ୍ଠାରେ ପ୍ରକାଶ ପାଇଥିଲା ଏକ ଦୃଷ୍ଟି ଆକର୍ଷଣକାରୀ କାର୍ଟୁନ। ଦୃଶ୍ୟଟି ଥିଲା ଏକ ଡାକ୍ତରଖାନାର ପ୍ରସବ କୋଠରିର। ବେଡ୍‌ ଉପରେ ଶୋଇଥାନ୍ତି ସଦ୍ୟ ସନ୍ତାନପ୍ରସବା ଭାରତମାତା। ବେଡ୍‌ ପାଖରେ ଗୋଟିଏ ସଦ୍ୟଜାତ ସନ୍ତାନ (ଗଣତାନ୍ତ୍ରିକ ଭାରତ)କୁ ଧରି ଠିଆ ହୋଇଥାନ୍ତି ସମ୍ବିଧାନ ଚିଠା କମିଟିର ଅଧ୍ୟକ୍ଷ ଡ. ବି.ଆର୍‌. ଆମ୍ବେଡକର ଓ ପାଖରେ ଠିଆ ହୋଇ ସହାସ୍ୟବଦନରେ ଶିଶୁଟିକୁ ଦେଖୁଥାନ୍ତି ଡ. ରାଜେନ୍ଦ୍ର ପ୍ରସାଦ, ପଣ୍ଡିତ ଜବାହରଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ସେମାନଙ୍କ ପଛରେ ଠିଆହୋଇ ଫାଙ୍କରେ ଶିଶୁଟିକୁ ଦେଖୁଥାନ୍ତି ଜଣେ ସାଧାରଣ ଭାରତୀୟ। ଏଠାରେ ଉକ୍ତ କାର୍ଟୁନ ସମ୍ପର୍କିତ ଖବର ଉପସ୍ଥାପନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି- ୧୯୫୦ରେ ଜନ୍ମଲାଭ କରିଥିବା ସାଧାରଣତନ୍ତ୍ର ଭାରତକୁ ଆଜି ସତୁରି ପୂରି ଏକସ୍ତରି ବର୍ଷ ଚାଲିଲା। ବିଗତ ସତୁରି ବର୍ଷ ମଧ୍ୟରେ ସମାଜବାଦୀ, ଧର୍ମନିରପେକ୍ଷ ଗଣରାଜ୍ୟ ଭାରତ କେତେଦୂର ନିଜକୁ ବିଶ୍ୱ ସମୁଦାୟରେ ସଫଳ ପ୍ରତିପାଦିତ କରିପାରିଛି ତାହା ଉପରେ ସମ୍ୟକ୍‌ ଦୃଷ୍ଟିଦେବା।
୧୯୪୭ରେ ଭାରତ ସ୍ବାଧୀନ ହେଲା ଓ ଏକ ସର୍ବବୃହତ୍‌ ସମ୍ବିଧାନ ପ୍ରଣୟନ ସହ ଏକ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ପରିଚିତ ହେଲା ଏହାର ତିନିବର୍ଷ ପରେ ଅର୍ଥାତ୍‌ ୧୯୫୦ରେ। ମାତ୍ର ଭାରତରୁ ବିଚ୍ଛିନ୍ନ ହୋଇ ଏକ ସମୟରେ ସ୍ବାଧୀନତା ହାସଲ କରିଥିବା ପାକିସ୍ତାନକୁ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଲାଗିଯାଇଥିଲା ଦୀର୍ଘ ନଅବର୍ଷ। କେବଳ ପଡୋଶୀ ପାକିସ୍ତାନ ନୁହେଁ ଅନ୍ୟ ପଡୋଶୀ ଦେଶ ନେପାଳ, ବର୍ମା ଓ ବାଂଲାଦେଶରେ ସମ୍ବିଧାନକୁ ବଦଳାଯାଇଛି ବା ବାତିଲ କରିଦିଆଯାଇଥିଲା ବେଳେ ଦୀର୍ଘ ୭୦ ବର୍ଷ ଧରି ଏକ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ବଜାୟ ରଖି ଆସିଛି ଭାରତ ଓ ଏସିଆ ମହାଦେଶର ଏକ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦିତ କରିଆସିଛି। ଶହେରୁ ଅଧିକ ଥର ସଂଶୋଧନ ହୋଇଥିବା ସତ୍ତ୍ୱେ ଭାରତ ଆଜି ତା’ର ସମ୍ବିଧାନ ଓ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ପୂର୍ଣ୍ଣ ସମ୍ମାନ ପ୍ରଦର୍ଶନ କରିଆସିଛି ଏବଂ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା ଭଳି ସୁସ୍ଥ ଓ ସଫଳ ଗଣତାନ୍ତ୍ରିକ ଦେଶ ସହ ନିଜକୁ ଯୋଡିପାରିଛି। ଗଣତନ୍ତ୍ର ଓ ସାମାଜିକ ନ୍ୟାୟ ଉପରେ ତିଷ୍ଠିରହିଥିବା ଭାରତ ବିଶ୍ୱ ସମୁଦାୟକୁ ପ୍ରମାଣ ଦେଇଆସିଛି ଯେ, ଶାସନ ବ୍ୟବସ୍ଥାର ସବୁଠାରୁ ଅଧିକ ସଫଳ ବ୍ୟବସ୍ଥା ହେଉଛି ଗଣତାନ୍ତ୍ରିକ ପଦ୍ଧତି। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସ ୨୦୦୦-୩୦୦୦ ବର୍ଷର ହେଲେ ମଧ୍ୟ ଆଧୁନିକ ଗଣତନ୍ତ୍ରର ବୟସ ମାତ୍ର ୨୦୦ରୁ ୩୦୦ ବର୍ଷ। ସେ ଦୃଷ୍ଟିରୁ ମାତ୍ର ସତୁରି ବର୍ଷୀୟ ଭାରତୀୟ ଗଣତନ୍ତ୍ର କନିଷ୍ଠ ହେଲେ ବି ଏକ ସୁସ୍ଥ, ସବଳ ଓ ସଫଳ ଗଣତନ୍ତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ସାର୍ବଭୌମ, ସମାଜବାଦ, ଧର୍ମନିରପେକ୍ଷତାରେ ବିଶ୍ୱାସ ରଖୁଥିବା ଭାରତୀୟ ଗଣତନ୍ତ୍ର ପ୍ରତ୍ୟେକ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ ନ୍ୟାୟ ପ୍ରଦାନ ସହ ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବିଶ୍ୱାସ ଏବଂ ଉପାସନାର ସ୍ବତନ୍ତ୍ରତା ପ୍ରଦାନ କରିଆସିଛି। ବ୍ୟକ୍ତି ମର୍ଯ୍ୟାଦା ଏବଂ ରାଷ୍ଟ୍ରୀୟ ଐକ୍ୟ ଓ ସଂହତି ସ୍ଥାପନପୂର୍ବକ ପରସ୍ପର ମଧ୍ୟରେ ଭ୍ରାତୃଭାବକୁ ଉଜ୍ଜୀବିତ କରିପାରିଛି। ଭାରତ ସ୍ବାଧୀନତା ସମୟରେ ବିଭାଜନଜନିତ କ୍ଷତି, ଏକ ନିୟୁତ ଲୋକ ମୃତାହତ, ଦଶ ନିୟୁତ ଲୋକ ସ୍ଥାନାନ୍ତର, ୫୬୫ ଦେଶୀୟ ରାଜ୍ୟ ଭାରତ ସହ ମିଶ୍ରଣ ଓ ସର୍ବୋପରି କଶ୍ମୀର ସଙ୍କଟ ମଧ୍ୟରେ ପ୍ରସ୍ତୁତ ହୋଇଥିଲା ବିଶ୍ୱର ସର୍ବବୃହତ୍‌ ଭାରତୀୟ ସମ୍ବିଧାନ। ଅନେକ ତର୍କବିତର୍କ ମଧ୍ୟରେ ଗୃହୀତ ହୋଇଥିଲା ଏହି ଚିଠା ପ୍ରସ୍ତାବ। ୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ବୁଧବାର ସକାଳ ଦଶଟା ଅଠର ମିନିଟରେ ସେ ସମୟର ଗଭର୍ନମେଣ୍ଟ ହାଉସ (ବର୍ତ୍ତମାନର ରାଷ୍ଟ୍ରପତି ଭବନ)ର ଦରବାର ହଲରେ ଭାରତକୁ ଏକ ସାର୍ବଭୌମ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷଣା କରିଥିଲେ ତତ୍କାଳୀନ ଭାରତର ଶେଷ ଗଭର୍ନର ଜେନେରାଲ ସି. ରାଜଗୋପାଳଚାରୀ। ଏହାର ଛଅ ମିନିଟ ପରେ ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଡ. ରାଜେନ୍ଦ୍ର ପ୍ରସାଦ। ୩୧ ତୋପସଲାମି ପ୍ରଦାନ ପୂର୍ବକ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାର ଓ ସମ୍ବିଧାନ ପ୍ରଣୟନର ଶୁଭାରମ୍ଭ ହେଲା। ନିଜର ଅଭିଭାଷଣରେ ସ୍ବାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦ କହିଥିଲେ ଯେ, ନୂତନ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଜନ୍ମଗ୍ରହଣ କରିଥିବା ଭାରତବର୍ଷର ଲକ୍ଷ୍ୟ ହେଉଛି ଏହାର ନାଗରିକଙ୍କୁ ସ୍ବତନ୍ତ୍ରତା ଓ ସମତା ପ୍ରଦାନ ତଥା ଏହି ବିଶାଳ ଦେଶର ସୀମା ଭିତରେ ରହୁଥିବା ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କ ମଧ୍ୟରେ ଭ୍ରାତୃଭାବ ସୃଷ୍ଟି କରିବା। ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ସହ ଭାରତ ମୈତ୍ରୀଭାବ ରକ୍ଷା କରିବ ଓ ଦେଶରୁ ରୋଗ, ଗରିବୀ ଓ ଅଜ୍ଞାନତାର ବିନାଶ ପାଇଁ ଯତ୍ନବାନ ହେବ। ପ୍ରଥମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଅନୁଯାୟୀ ଭାରତ ତା’ର ଲକ୍ଷ୍ୟପଥରେ ଆଗେଇ ଚାଲିଛି।
ନିର୍ବାଚନ ମାଧ୍ୟମରେ ଗଣତନ୍ତ୍ରକୁ ସୁଦୃଢରୁ ସୁଦୃଢତର କରିବାରେ ଭାରତୀୟ ନାଗରିକଙ୍କ ଅବଦାନ ପ୍ରଶଂସାଯୋଗ୍ୟ। ଭାରତୀୟ ସମ୍ବିଧାନ କେବଳ ଆମର ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିନାହିଁ। ବରଂ ଦେଶ ପ୍ରତି ଦାୟିତ୍ୱ, କର୍ତ୍ତବ୍ୟ ଓ ଦେଶପ୍ରେମ ଶିଖାଇଆସିଛି। ଦେଶର ଏକତା, ଅଖଣ୍ଡତା ଓ ଧର୍ମନିରପେକ୍ଷତାକୁ ନେଇ ସୃଷ୍ଟି ହୋଇଥିବା ସଙ୍କଟ ସମୟରେ ପ୍ରତ୍ୟେକ ଭାରତୀୟ ଏକଜୁଟ ହୋଇଛନ୍ତି। ଜାତୀୟ ସ୍ବାର୍ଥ ଆଗରେ ବ୍ୟକ୍ତିଗତ ସ୍ବାର୍ଥ ନିଷ୍ପ୍ରଭ ହୋଇଛି। ବିଭିନ୍ନତାରେ ଏକତା ଆମ ମଜଭୁତ ଗଣତନ୍ତ୍ରର ପ୍ରମାଣ ଦିଏ। ଅହିଂସା, ସହିଷ୍ଣୁତା ଏ ଦେଶର ଜାତୀୟ ଚରିତ୍ର।
ମହାକାଶ ଗବେଷଣାରେ ଅନ୍ୟାନ୍ୟ ପ୍ରଗତିଶୀଳ ରାଷ୍ଟ୍ରଗୁଡିକ ସହ ଭାରତ ଆଜି ସମକକ୍ଷ। କ୍ରୀଡା କ୍ଷେତ୍ରରେ ଏହା ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ଜାହିର କରିପାରିଛି। ବିଜ୍ଞାନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, କାରିଗରି ଜ୍ଞାନକୌଶଳ କ୍ଷେତ୍ରରେ ଏହା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ୧୨୫ କୋଟି ଦେଶବାସୀଙ୍କ ପାଇଁ ଖାଦ୍ୟ ସୁରକ୍ଷା କରିପାରିଛି। ସବୁଜ ବିପ୍ଳବ, ଶ୍ୱେତ ବିପ୍ଳବ, ନୀଳ ବିପ୍ଳବ ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ପୁଷ୍ଟିଯୁକ୍ତ ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଶିକ୍ଷା, ଚିକିତ୍ସା, ଶିଳ୍ପ, ଯୋଗାଯୋଗ, ରାସ୍ତାଘାଟ, ପରିବହନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିପାରିଛି। ତୃତୀୟ ଅର୍ଥନୈତିକ ମହାଶକ୍ତି ଭାବେ ଉଭା ହେବାକୁ ଭାରତ ଆଜି ପ୍ରସ୍ତୁତ ହେଉଛି। ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ଭାବେ ପରିଚିତ ହେବା ସହ କାହା ନାଲି ଆଖିରେ ଡରିଯିବାର ସ୍ଥିତିରେ ଆଜି ଆଉ ଭାରତ ନାହିଁ ବୋଲି ଅନ୍ତତଃ ସ୍ବୀକାର କରିବାକୁ ପଡିବ।
ବ୍ୟକ୍ତି ସ୍ବାଧୀନତା, ସମାନତା, ମାନବାଧିକାର, ଉତ୍ତରଦାୟିତ୍ୱକୁ ସମ୍ମାନ ପ୍ରଦାନ କରୁଥିବା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସର୍ବୋତ୍କୃଷ୍ଟ ଶାସନ ବ୍ୟବସ୍ଥା କୁହାଯାଇଥାଏ। ଫରାସୀ ବିପ୍ଳବ ପରଠାରୁ ଅନ୍ୟ ବିକଳ୍ପ ଶାସନ ବ୍ୟବସ୍ଥା ଅପେକ୍ଷା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଅଧିକ ଉତ୍କୃଷ୍ଟ ବୋଲି ବାରମ୍ବାର ପ୍ରତିପାଦିତ ହୋଇଛି। କିନ୍ତୁ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟଟଲଙ୍କ ମତକୁ ବି ଅଣଦେଖା କରାଯିବା ଅନୁଚିତ। ତାଙ୍କ ମତରେ ଗଣତନ୍ତ୍ରର ସ୍ବାଦ ମିଠା ସେଇଠି, ଯେଉଁଠି ଲୋକେ ଶିକ୍ଷିତ ଓ ସଚେତନ। ଏ ଦିଗରେ କିଛି ଦଶନ୍ଧି ହେବ ଭାରତର ରାଜନୈତିକ ସ୍ଥିତି, ପ୍ରଶାସନିକ ବ୍ୟବସ୍ଥା ତଥା ସାମାଜିକ ଚିତ୍ର ଦେଖିଲେ ମନରେ ଭାରତର ଭବିଷ୍ୟତକୁ ନେଇ ବେଳେ ବେଳେ ଆଶଙ୍କା ଜାତ ହୁଏ। ଯେଉଁ ଅହିଂସା ପରମ ଧର୍ମ ସ୍ଲୋଗାନରୁ ଶହ ଶହ ବର୍ଷର ଗୋଲାମିରୁ ମୁକ୍ତି ପାଇ ଭାରତ ସ୍ବାଧୀନତା ହାସଲ କଲା, ସେହି ଆଚରଣ କ୍ରମଶଃ ଭାରତୀୟ ଜନମାନସରୁ ଅପସରି ଯାଉଛି। ହିଂସାକାଣ୍ଡ, ପୋଡାଜଳା, ଦଙ୍ଗା ଓ ବଳାତ୍କାର ଭଳି ଅସାମାଜିକ ଘଟଣା ବେଳେ ବେଳେ ଶାନ୍ତିପ୍ରିୟ ଭାରତର ଆତ୍ମାକୁ ବ୍ୟଥିତ କରୁଛି। ପ୍ରତି କ୍ଷେତ୍ରରେ ଦୁର୍ନୀତି ଭାରତର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଛି। କୁସଂସ୍କାର, ଅନ୍ଧବିଶ୍ୱାସ ସମୂଳେ ଲୋପ ପାଇନି। ରାଜନୀତି ଏକ ସାମାଜିକ ସେବା ଅପେକ୍ଷା ସର୍ବାଧିକ ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟ ପେସା ଭାବେ ଧାରଣା ସୃଷ୍ଟି ହେଲାଣି। ଗଣତନ୍ତ୍ରର ତିନୋଟିଯାକ ସ୍ତମ୍ଭ ବ୍ୟବସ୍ଥାପକ, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର କାର୍ଯ୍ୟକଳାପ ଦେଶବାସୀଙ୍କ ପାଇଁ କ୍ରମଶଃ ଭରସାହୀନ ହେବାରେ ଲାଗିଛି। ଅଲିଖିତ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ବି ନିରପେକ୍ଷ ହୋଇପାରୁ ନାହିଁ। ନିର୍ବାଚନରେ ବାହୁବଳ, ଅର୍ଥବଳ ବୃଦ୍ଧି ପାଉଥିବାରୁ ଯଥାର୍ଥ ଲୋକପ୍ରତିନିଧି ନିର୍ବାଚିତ ହେବାରେ ବାଧା ସୃଷ୍ଟି ହେଉଛି। ରାଜନୀତିରେ ଅପରାଧତତ୍ତ୍ୱ ବୃଦ୍ଧି ପାଉଛି। କଳେବଳେ କ୍ଷମତା ଦଖଲ ଯଦି ରାଜନୈତିକ ଦଳର ମୁଖ୍ୟ ଲକ୍ଷ୍ୟ ହୁଏ ସେଠି ଗଣତନ୍ତ୍ରର ସୁଫଳ ଆଶା କରିବା ହାସ୍ୟାସ୍ପଦ। ଅସହିଷ୍ଣୁତାର ଗନ୍ଧ ଏବେ ସମାଜର ପ୍ରତିଟି କ୍ଷେତ୍ରରେ ବାରି ହୋଇ ପଡିଲାଣି। ସମ୍ବିଧାନ, ଶାସନ ପ୍ରଣାଳୀ, ରାଜନୈତିକ ଦଳ, ନିର୍ବାଚନ, ଏସବୁ ଲୋକତନ୍ତ୍ରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମାତ୍ର ଯେପର୍ଯ୍ୟନ୍ତ ଲୋକଙ୍କଠାରେ ନୈତିକତା ରହିବନାହିଁ, ଆଚାର-ବିଚାର ଠିକ୍‌ ରହିବ ନାହିଁ ସେପର୍ଯ୍ୟନ୍ତ ଉତ୍ତମ ସମ୍ବିଧାନ ଓ ରାଜନୈତିକ ପ୍ରଣାଳୀ ଥାଇ ମଧ୍ୟ ଲୋକତନ୍ତ୍ରର ସୁଫଳ ମିଳିପାରିବ ନାହିଁ। ଦେଶ ପ୍ରତି ଦାୟିତ୍ୱ, କର୍ତ୍ତବ୍ୟ ଓ ସମର୍ପଣ ଭାବ ସୃଷ୍ଟିହୋଇପାରିଲେ ଭାରତୀୟ ଗଣତନ୍ତ୍ର ଦୀର୍ଘଜୀବୀ ହେବାସହ ପ୍ରଗତିର ଶିଖରରେ ପହଞ୍ଚିପାରିବ।
Email-prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri