ପ୍ରକୃତିଦତ୍ତ ସମ୍ପଦର ବିକଳ୍ପ ନାହିଁ

ଡ. ହରିଶରଣ ମହାରାଜ

ବୃକ୍ଷ ସମଗ୍ର ଜୀବଜଗତର ଉପକାର କରିଥାଏ। ”ପରୋପକାରାୟ ବହନ୍ତି ନଦ୍ୟଃ, ପରୋପକାରାୟ ଫଳନ୍ତି ବୃକ୍ଷାଃ, ପରୋପକାରାୟ ଦୁହ୍ୟନ୍ତି ଗାବୋ ପରୋପକାରାର୍ଥମିଦଂ ଶରୀରମ୍‌। (ମାଣ୍ଡବ୍ୟ ସଂହିତା)। ତାଦୃଶ୍ୟ ଗୋଟିଏ ବୃକ୍ଷ ତା’ର ଜୀବଦ୍ଦଶା କାଳରେ ଔଷଧ, ଖାଦ୍ୟ, ଜଳସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜାଳେଣି, ଅମ୍ଳଜାନଯୁକ୍ତ ବିଶୁଦ୍ଧ ବାୟୁ ପ୍ରଦାନ, ପକ୍ଷୀ ଜଗତକୁ ମନୋମୟ ଖାଦ୍ୟ, ବାସ ଯୋଗାଇଥାଏ। ସୁତରାଂ ଅଧିକମାତ୍ରା ଓ ବିଚ୍ଛିନ୍ନତାର ବନରାଜି ସ୍ଥିତି ହିଁ ଜୀବଜଗତର ‘ପ୍ରାକୃତିକ ପୋଷଣୀୟ’ର ସହାୟକ ହୋଇଥାଏ। ସଂପ୍ରତି ଜଙ୍ଗଲ ସୁରକ୍ଷା ଏକ ମହତ୍ତ୍ୱପୂର୍ଣ୍ଣ ତଥା ସମୟୋପଯୋଗୀ ଆହ୍ବାନ। କାରଣ ଏହି ସମ୍ପଦର କୌଣସି ବିକଳ୍ପ ନାହିଁ। ବର୍ତ୍ତମାନ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ସରକାର, ଏନ୍‌ଜିଓ, ସାମାଜିକ କର୍ମକର୍ତ୍ତା, ଆୟୁର୍ବେଦାଚାର୍ଯ୍ୟ, ବୃକ୍ଷପ୍ରେମୀ, ବନପ୍ରେମୀ ଆଗେଇ ଆସିବାର ସମୟ ଆସିଛି। ବିଶ୍ୱରେ ଶିଳ୍ପାୟନ ପ୍ରଗତି ନାମରେ ପ୍ରତିବର୍ଷ ୩୨୦ ଲକ୍ଷ ଏକର ଜଙ୍ଗଲ ଅବିଚାରିତ ଭାବେ ଧ୍ୱଂସ ପାଇଚାଲିଛି। ଏହି ଧାରା ଅବ୍ୟାହତ ରହିଲେ ପୃଥିବୀ କ୍ରମଶଃ ମରୁଭୂମିରେ ପରିଣତ ହେବ। ଅଙ୍ଗାରକାମ୍ଳ ଗ୍ୟାସ୍‌ ଆତଙ୍କ ସୃଷ୍ଟି ହେବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ୮୦ପ୍ରତିଶତ ପଶୁପକ୍ଷୀ ନିଶ୍ଚିହ୍ନ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସମଗ୍ର ବିଶ୍ୱର ଜନସଂଖ୍ୟା ପ୍ରାୟ ୭୦୦ କୋଟି। ଜନ ବିସ୍ଫୋରଣ ଜଙ୍ଗଲ କ୍ଷୟର ଏକ ମୁଖ୍ୟ କାରଣ ତଥା ବିଶ୍ୱ ରାଷ୍ଟ୍ର ନାୟକମାନଙ୍କର ଶିଳ୍ପ ପ୍ରତିଷ୍ଠା ଜଙ୍ଗଲ ପ୍ରତି ନକାରାତ୍ମକ ଭାବ ଥିଲାପରି ପ୍ରତିଭାତ ହୁଏ।
ପରିସଂଖ୍ୟାନରୁ ଜଣାଯାଏ ବିଶ୍ୱ ଭୂଭାଗର ୩୦% ଜଙ୍ଗଲ ସମ୍ପଦ। ଜଙ୍ଗଲରେ ମିଳେ ୬୦ ହଜାର ପ୍ରଜାତିର ବୃକ୍ଷଲତା ତଥା ଦୁର୍ଲଭ ଜଡ଼ିବୁଟି, ସେହିପରି ପ୍ରାୟ ୧୮୦ କୋଟି ମଣିଷ ମଧ୍ୟ ଜୀବିକା ନିର୍ବାହ ଉଦ୍ଦେଶ୍ୟରେ ଜଙ୍ଗଲ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ”ପାଦପାଃ ବୈ ପ୍ରାଣାଃ“ (ଅଥର୍ବବେଦ) ଅର୍ଥାତ୍‌ ବୃକ୍ଷ ହିଁ ମଣିଷ ସମାଜକୁ ପ୍ରାଣଶକ୍ତି ପ୍ରଦାନ କରିଥାଏ। ସଂପ୍ରତି ଓଡ଼ିଶାର ଜଙ୍ଗଲ ପରିବେଶ ଉପରେ ଆଲୋଚନା କରିବା। ସରକାର କହୁଛନ୍ତି ଜଙ୍ଗଲ ଗାଣିତିକ ହିସାବରେ ବଢ଼ିଛି। କିନ୍ତୁ କେଉଁ ପ୍ରଜାତିର ବୃକ୍ଷରାଜିର ପରିବର୍ଦ୍ଧନ ଘଟିଛି, ତାହା ବୁଝାପଡ଼େ ନାହିଁ। ‘ସେବିତବ୍ୟୋ ମହାବୃକ୍ଷଃ ଫଳଚ୍ଛାୟାସମନ୍ବିତଂ, ଯଦି ଦୈବାତ୍‌ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ।’ ଜଙ୍ଗଲରେ ଘଞ୍ଚ ମହୀରୁହ (ଦ୍ରୁମ) ଉପସ୍ଥିତ ଜଙ୍ଗଲର ଶୋଭାବର୍ଦ୍ଧନ କରିଥାଏ। ପୂର୍ବେ ରାଜା ମହାରାଜାଙ୍କ ଦ୍ୱାରା ରୋପିତ ଦୀର୍ଘସ୍ଥାୟୀ, ଜୀବଦାୟୀ, ପ୍ରାଣଦାୟୀ, ବାସଦାୟୀ ମହାବୃକ୍ଷ, ଆମ୍ବ, ବଉଳ, ଜାମୁ, ଗଉଡୁକଷା, ବର, ଅଶ୍ୱତ୍ଥ, ଜମ୍ବିଲୋ, ବେଲ, ପଣସ, ଚାଉଳଧୁଆ, କ୍ଷୀରୀକୋଳି, ଫିରିକ, ଜେଉଟ ଆଦି ରାସ୍ତା ପାର୍ଶ୍ୱ ଫଳଦାୟୀ ଗଛମାନ ସମ୍ପୂର୍ଣ୍ଣ ଭୂତଳଶାୟୀ। ଉଦୁଉଦିଆ ରୌଦ୍ର ତାପରେ ପଥାଶ୍ରୟୀ ପଥଚାରୀ ସାମାନ୍ୟ ତରୁଛାୟା ଲାଭାର୍ଥେ କେତେ ଡହଳବିକଳ ତାହା ଅନୁଭବୀ ହିଁ କହିପାରେ। ଜଙ୍ଗଲରେ ଆଉ ଅତି ଆବଶ୍ୟକ ବୃକ୍ଷରାଜି ଦୁର୍ଲଭପ୍ରାୟ। ତଦୁପରି ପ୍ରକୃତି ଅନୁଯାୟୀ ଘଞ୍ଚ ଜଙ୍ଗଲର ଛାୟା ତଳେ ବଂଶବିସ୍ତାର କରି ମାନବ ଜଗତର କଲ୍ୟାଣ ସାଧନ କରୁଥିବା କ୍ଷୁପ, ସୃପ, ଜାତୀୟ ଗୁଳ୍ମଲତା ମୟୂରଚୂଳିଆ, ବିଦାରୀ କନ୍ଦ (ଭୂଇଁ କଖାରୁ) ରାମକେଦାର, ଚକ୍ରକେଦାର, ପରଶୁକେଦାର, ତାଳମାଖ୍‌ନା, ଅଗ୍ନିତୁଣ୍ଡୀ, ଜୀବନ୍ତୀ, ରୁଦନ୍ତୀ, ଅଗ୍ନିମନ୍ଥନ ଆଦି ଗୁଳ୍ମତରୁ ଘଞ୍ଚ ଜଙ୍ଗଲର ଛାୟା ଅଭାବ ତଥା ପାହାଡ଼ ପର୍ବତର ଅହରହ ଦହନ, ଖନନ ଯୋଗୁଁ ଭାରତୀୟ ରସାୟନ ଶାସ୍ତ୍ର ‘ଆୟୁର୍ବେଦ ଜଡ଼ିବୁଟି ସଂଗ୍ରହ’ ଅନୁଯାୟୀ ସଂପୂର୍ଣ୍ଣ ଲୁପ୍ତପ୍ରାୟ। ଆୟୁର୍ବେଦ ଶାସ୍ତ୍ରବେତା ବାଗଭଟ୍‌ କୃତ ଅଷ୍ଟାଙ୍ଗ ହୃଦୟ, ଅଷ୍ଟାଙ୍ଗ ସଂଗ୍ରହମ୍‌, ଚରକ ସଂହିତା, ଶ୍ରୁଶୁତ ସଂହିତା, ରସରତ୍ନ ସମୁଚ୍ଚୟ, ରସ ତରଙ୍ଗିଣୀ, ଦ୍ରବ୍ୟଗୁଣ କଳ୍ପଦ୍ରୁମ, ମାଧବ କର ନିଦାନ ଆଦି ଗ୍ରନ୍ଥ ବର୍ଣ୍ଣିତ ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ ନେଇ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଗତି ନାମରେ ଅବିଚାରିତ ଜଙ୍ଗଲ କାଟିବା କେତେଦୂର ଗ୍ରହଣୀୟ। ଓଡ଼ିଶାର ଲାଇଫ୍‌ଲାଇନ୍‌ କୁହାଯାଉଥିବା ଜଙ୍ଗଲରାଣୀ ନୟାଗଡ଼ ବନଖଣ୍ଡରେ ଖୋର୍ଦ୍ଧା-ବଲାଙ୍ଗୀର ରେଳଲାଇନ୍‌ ନିର୍ମାଣାର୍ଥେ ଦଶପଲ୍ଲା ବନମଣ୍ଡଳ (ରେଞ୍ଜ)ର ଅରାସାହି, କୁଞ୍ଜବନଗଡ଼, ନିଜ ଅନ୍ଧାରକୋଟ ରିଜର୍ଭ ଓ ରେଭିନ୍ୟୁ ଜଙ୍ଗଲରୁ ପ୍ରାୟ ୩୩ ହେକ୍ଟର ଦୁର୍ମୁଲ୍ୟ ତଥା ଦୁର୍ଲଭ ଘଞ୍ଚ ଜଙ୍ଗଲ କଟାଯିବ ବୋଲି ଜଣାପଡ଼ିଛି। ଏଠାରେ ପ୍ରଶ୍ନ ଉଠୁଛି ରେଳପଥ ନିର୍ମାଣ ହେଉ, ଏହା ସ୍ବାଗତଯୋଗ୍ୟ, କିନ୍ତୁ ଯଥାସମ୍ଭବ ବୃକ୍ଷର ସୁରକ୍ଷା କରାଯାଉ। ଅଧିକ ବୃକ୍ଷରୋପଣ ମଧ୍ୟ କରାଯାଉ। ଅନ୍ୟଥା ଘଞ୍ଚ ଜଙ୍ଗଲ ଧ୍ୱଂସ ପାଇବା ସହ ବହୁ ଦୁର୍ଲଭ ଜଡିବୁଟି ବିଲୁପ୍ତ ହେବ। ବହୁ ବନ୍ୟ ଜୀବଜନ୍ତୁ ବାସହରା ଏବଂ ଖାଦ୍ୟାଭାବରେ ମୃତ୍ୟୁବରଣ କରିବେ।
ତଦୋପରି ପର୍ବତ ସଂଜାୟତେ ବାରି, ବାରି ସଂଜାୟତେ ବୃକ୍ଷାଃ- ସୁତରାଂ ପାହାଡ଼ ପର୍ବତର ସୁରକ୍ଷା ତଥା ସଂରକ୍ଷଣ ହୋଇପାରିିଲେ ସେଠାରେ ସ୍ବତଃ ଜଙ୍ଗଲ ସୃଷ୍ଟି ହେବା ସହ ଜୈବ ବିବିଧତା ତିଷ୍ଠି ରହିବ। ଫ୍ରାନ୍ସର ଜଙ୍ଗଲ ପୁରୁଷ ବେର୍ଣ୍ଣଡ଼ ଅଫ୍‌ କ୍ଲେରଭସ୍‌ କୁହନ୍ତି, ”ବୃକ୍ଷ ଓ ପର୍ବତଠାରୁ ମାନବ ତାହା ଶିକ୍ଷା କରେ ଯାହା ସେ ଶିକ୍ଷକଙ୍କଠାରୁ ମଧ୍ୟ ଶିକ୍ଷା କରି ନ ଥାଏ। ପ୍ରକାଶ ଥାଉ କି ଆମେରିକା ଓ ଇଂଲଣ୍ଡରେ କୁତ୍ରାପି ପାହାଡ଼ ପର୍ବତ ଖନନ, ଦହନ କରାଯାଏ ନାହିଁ। ପାହାଡ଼ ପର୍ବତ ସୁରକ୍ଷିତ ରହିଲେ ନଦୀ ଝରଣା ଚିରସ୍ରୋତା ରହିବ। ବର୍ଷା କରିବାରେ ବୃକ୍ଷର ଯେହେତୁ ବଡ଼ ଭୂମିକା ରହିଛି, ନଦୀର ଉପରମୁଣ୍ଡରେ ଘଞ୍ଚ ଜଙ୍ଗଲ ଥିଲେ ବୃଷ୍ଟିଜଳ ତତ୍‌କ୍ଷଣାତ୍‌ ପ୍ରବାହିତ ନ ହୋଇ ବୃକ୍ଷର ଚେର ଓ ମୃତ୍ତିକା ଦ୍ୱାରା ବିଶୋଷିତ ହୋଇ ଭୂତଳ ଜଳସ୍ତର ବୃଦ୍ଧି କରିଥାଏ।୨୦୧୯ ମସିହା ଅକ୍ଟୋବର ୨୦ରୁ୨୩ ତାରିଖ ପର୍ଯ୍ୟନ୍ତ ଆର୍ମେନିଆର ଓରେଗାନ୍‌ ଷ୍ଟେଟ୍‌ ୟୁନିଭରସିଟି କଲେଜ ଅଫ୍‌ ଫରେଷ୍ଟ୍ରିଠାରେ ସଂପ୍ରତି ଏସିଆ ସମେତ ପାଞ୍ଚଗୋଟି ମହାଦେଶର ଦ୍ରୁତ ଜଙ୍ଗଲ ବନୀକରଣ ଓ ପାହାଡ଼ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା ହୋଇଯାଇଅଛି। ଶ୍ରୀସୂକ୍ତରେ ମଧ୍ୟ ଜଙ୍ଗଲର ସୁରକ୍ଷା ନେଇ ମା’ ଲକ୍ଷ୍ମୀ ଆଶୀର୍ବଚନ କରିଛନ୍ତି, ଘଞ୍ଚ ଜଙ୍ଗଲ ରହିଲେ ଜଳର ଉଦ୍‌ଗୋମ ହେବ। ଯେହେତୁ ଜଳ ଓ ଜଙ୍ଗଲ ପରସ୍ପର ପରିପୂରକ। ତେବେ ଆମେ ସମସ୍ତେ ଆସନ୍ତୁ ଜଙ୍ଗଲ, ପାହାଡ଼, ପର୍ବତ ସୁରକ୍ଷା ଅଭିଯାନରେ ସାମିଲ ହୋଇ ଦ୍ରୁତ ଜଙ୍ଗଲ ବୃଦ୍ଧିରେ ସହାୟକ ହେବା।
ଆୟୁର୍ବେଦାଚାର୍ଯ୍ୟ (ପଞ୍ଚଗବ୍ୟ), ନୟାଗଡ଼
ମୋ: ୯୫୮୩୧୪୭୬୪୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri