ମକଦ୍ଦମାପାହାଡ଼ ଓ ବିଳମ୍ବିତ ନ୍ୟାୟ

ପ୍ରତୀକ ଦାଶ

ଦେଶର ବିଭିନ୍ନ କୋର୍ଟରେ ଏବେ ପ୍ରାୟ ୩ କୋଟି ୨୦ଲକ୍ଷ ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ସେଥିରୁ ପ୍ରାୟ ଅଧା (୪୬%) ହେଉଛି କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ସହ ଜଡ଼ିତ ମାମଲା। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ରିପୋର୍ଟରୁ ଏକଥା ଜଣାପଡ଼ିଛି। ସେଥିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ପ୍ରାୟ ୧ଲକ୍ଷ ୩୫ହଜାର ୬୦ଟି ମାମଲାରେ ଜଡ଼ିତ। ଭାରତରେ ପ୍ରାୟ ୧୩୦ କୋଟି ଲୋକ ଥିବାବେଳେ ସେମାନଙ୍କ ତୁଳନାରେ କୋର୍ଟ ଓ ବିଚାରପତିଙ୍କ ସଂଖ୍ୟା ବହୁତ କମ୍‌। ତଳକୋର୍ଟରେ ସବୁଠାରୁ ଅଧିକ ମାମଲା ପଡ଼ି ରହିଛି। ଫଳରେ ସାଧାରଣ ଗରିବ ଲୋକଟିକୁ ତ୍ୱରିତ୍‌ ନ୍ୟାୟ ମିଳିପାରୁ ନାହିଁ। ନ୍ୟାୟ ପାଇବା ଲାଗି ବହୁ ବର୍ଷ ଲାଗିଯାଉଛି। ବିଚାରାଧୀନ ରହିଥିବା ମାମଲା ମଧ୍ୟରୁ ରେଳ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ହେଉଛି ୬୬,୬୮୫। ସେଥିରୁ ୧୦,୪୬୪ ମାମଲା ହେଉଛି ୧୦ ବର୍ଷରୁ ଅଧିକ ପୁରୁଣା। ସେହିଭଳି ଅନ୍ୟ ପାଞ୍ଚଟି ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ମଧ୍ୟ ଯଥେଷ୍ଟ ଅଧିକ ରହିଛି। ଅର୍ଥ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂଖ୍ୟା ୧୫,୬୫୧ ରହିଥିଲାବେଳେ ଯୋଗାଯୋଗ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲା ସଂଖ୍ୟା ୧୨,୫୪୨, ସ୍ବରାଷ୍ଟ ମନ୍ତ୍ରଣାଳୟର ୧୧,୬୬୮, ପ୍ରତିରକ୍ଷାର ୩,୪୩୩ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହ ଜଡ଼ିତ ମାମଲାର ସଂଖ୍ୟା ରହିଛି ୩,୨୭୫। ସୁପ୍ରିମ୍‌କୋର୍ଟରେ ବର୍ତ୍ତମାନ ୬୦,୭୫୦ଟି ମାମଲା ପଡ଼ି ରହିଥିଲା ବେଳେ ବିଭିନ୍ନ ହାଇକୋର୍ଟରେ ୪୦ଲକ୍ଷ ଓ ଅଧସ୍ତନ କୋର୍ଟରେ ୨ କୋଟି ୭୪ ଲକ୍ଷ ମାମଲା ବିଚାରାଧୀନ ଭାବେ ପଡ଼ିରହିଛି। ଏସବୁ ମାମଲା ମଧ୍ୟରୁ ସରକାରୀ ମାମଲା ସଂଖ୍ୟା ହେଉଛି ୪୬ ପ୍ରତିଶତ। ତା’ ଭିତରେ ରହିଛି ରାଷ୍ଟ୍ରାୟତ୍ତ ସଂସ୍ଥା ଓ ଅନ୍ୟାନ୍ୟ ସ୍ବୟଂଶାସିତ ସଂସ୍ଥା ସହ ଜଡ଼ିତ ମାମଲା। ସରକାରୀ ମାମଲା ମଧ୍ୟରେ ରହିଛି ସେବା, ଘରୋଇ ବ୍ୟକ୍ତିବିଶେଷ କିମ୍ବା ସଂସ୍ଥା ସହ ଜଡ଼ିତ ବିବାଦ, ଦୁଇଟି ସରକାରୀ ବିଭାଗ ଭିତରେ ବିବାଦ କିମ୍ବା ଦୁଇଟି ରାଷ୍ଟ୍ରାୟତ୍ତ ସଂସ୍ଥା ସହ ଜଡ଼ିତ ବିବାଦ। ସରକାରଙ୍କ ବିରୋଧରେ ରହିଥିବା ସବୁ ମାମଲାକୁ ଗୋଟିଏ ସମ୍ଭାବ୍ୟ ଅନ୍‌ଲାଇନ ପ୍ଲାଟ୍‌ଫର୍ମକୁ ଆଣିବା ଲାଗି ଗତବର୍ଷ ଆରମ୍ଭ କରାଯାଇଥିଲା ଲିଗାଲ ଇନ୍‌ଫର୍ମେସନ ମ୍ୟାନେଜମେଣ୍ଟ ଆଣ୍ଡ ବ୍ରିଫିଙ୍ଗ ସିଷ୍ଟମ (ଲିମ୍ବସ୍‌)। କୋର୍ଟରେ ଗୋଟିଏ ପ୍ରସଙ୍ଗରେ ବିଭିନ୍ନ ବିଭାଗ ଭିନ୍ନ ଭିନ୍ନ ମତ ରଖିବାକୁ ଏଡ଼ାଇବା ହେଉଛି ଏହାର ଉଦ୍ଦେଶ୍ୟ। ତା’ ସହିତ କୋର୍ଟ ବାହାରେ କୌଣସି ବିବାଦର ସମାଧାନ ମଧ୍ୟ କରାଇବା ହେଉଛି ଏହାର ଅନ୍ୟତମ ଲକ୍ଷ୍ୟ। ବର୍ତ୍ତମାନ ସୁଦ୍ଧା ଲିମ୍ବସ୍‌ ଅଧୀନକୁ ଆସିଛି ୧,୩୦,୨୩୧ ମାମଲା। ମାମଲା ସଂଖ୍ୟା ବୃଦ୍ଧି ପାଉଥିବାରୁ କୋର୍ଟ ବାହାରେ ବିବାଦ ସମାଧାନ ପାଇଁ ସୁପ୍ରିମ୍‌କୋର୍ଟର କେତେଜଣ ପ୍ରଧାନ ବିଚାରପତି ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ ସ୍ୟାଟରେ ଏବେ ବିଚାରାଧୀନ ଭାବେ ୭୪୬୯୬ ମାମଲା ପଡ଼ିରହିଛି। ସ୍ୟାଟ ବନ୍ଦ ହୋଇଯିବା ପରେ ଏହି ମାମଲା ହାଇକୋର୍ଟକୁ ଯିବାର ସମ୍ଭାବନା ମଧ୍ୟ ରହିଛି।
ଜିଲାସ୍ତର ପର୍ଯ୍ୟନ୍ତ ରହିଥିବା ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଉନ୍ନତି ଏକାନ୍ତ ଆବଶ୍ୟକ। ଦେଶର ସାମାଜିକ ଚିତ୍ର ଯେତିକି ଜଟିଳ ହେଉଛି ଅପରାଧ ସଂଖ୍ୟା ସେହି ପରିମାଣରେ ବଢ଼ୁଛି। ଚୋରି, ଡକାୟତି, ହତ୍ୟା, ବଳାତ୍କାର, ଅପହରଣ ଓ ଠକେଇ ଇତ୍ୟାଦି ଛୋଟବଡ଼ ସମସ୍ତ ଅପରାଧ ପାଇଁ ଜିଲା ପର୍ଯ୍ୟନ୍ତ ରହିଥିବା ନ୍ୟାୟିକ ବ୍ୟବସ୍ଥା ସଂପ୍ରସାରଣ ଆଶାନୁରୂପ ହୋଇନାହିଁ। କିନ୍ତୁ ବିଭିନ୍ନ ପ୍ରକାର ଅପରାଧ ହୁ ହୁ ହୋଇ ବଢ଼ୁଥିବାରୁ ଲୋକମାନେ ଠିକ୍‌ ସମୟରେ ନ୍ୟାୟ ପାଉନାହାନ୍ତି। ଅପରାଧ କେବଳ ବଢ଼ୁନାହିଁ, ନ୍ୟାୟାଳୟମାନଙ୍କରେ ବିଚାରପତିମାନଙ୍କର ସଂଖ୍ୟା ମଧ୍ୟ ସେହି ପରିମାଣରେ ସୃଷ୍ଟି କରାଯାଉନାହିଁ। ଏହି କାରଣରୁ ଜିଲାସ୍ତରରେ ବିଚାର ପାଇଁ ଆସୁଥିବା ବିଭିନ୍ନ ମାମଲା ସଂଖ୍ୟା ବଢ଼ି ବଢ଼ି ଚାଲିଛି। କାରଣ ମାମଲା ସଂଖ୍ୟାର ସୁବିଚାର ପାଇଁ ଯେତିକି ଭିତ୍ତିଭୂମି ଓ ବିଚାରପତି ରହିବା କଥା ସେତେ ନାହିଁ। ଦୁର୍ଭାଗ୍ୟର କଥା , ଉଚ୍ଚ ଅଦାଲତରେ ଯେତିକି ଭିତ୍ତିଭୂମି ଏବଂ ବିଚାରପତି ରହିବା ଆବଶ୍ୟକ ସେଥିରେ ପ୍ରାୟ ୪୦ ପ୍ରତିଶତ ଊଣା। ଫଳରେ ନ୍ୟାୟ ପ୍ରଦାନ ସଂସ୍ଥା ଦୀର୍ଘଦିନ ଧରି ଯେଉଁ ଖ୍ୟାତି ବଜାୟ ରଖିଥିଲା ସେଥିରେ ଅବକ୍ଷୟ ଘଟୁଛି। ଉଚ୍ଚ ନ୍ୟାୟାଳୟ ଓ ନିମ୍ନ ନ୍ୟାୟାଳୟରେ ନ୍ୟାୟ ପ୍ରଦାନ ପାଇଁ ପଡ଼ି ରହିଥିବା ମାମଲାଗୁଡ଼ିକ ସଂଖ୍ୟା ଦୁଇ କୋଟିରୁ ଅଧିକ। ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କରେ ଜଟିଳ ସମସ୍ୟାଗୁଡ଼ିକର ତର୍ଜମା ହୋଇଥାଏ। କିନ୍ତୁ ଆଇନର ପରିସର ଓ ସାମ୍ବିଧାନିକ ବିଧିବ୍ୟବସ୍ଥା ପରିସର ମଧ୍ୟରେ ଯେତିକି ସଂଖ୍ୟାରେ ବିଚାରପତି ରହିବା କଥା ସେତିକି ନାହାନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ ୭ଜଣ ବିଚାରପତିଙ୍କ ସ୍ଥାନ ଶୂନ୍ୟ ପଡ଼ିଛି। ଏହାବାଦ୍‌ କଲିକତା, ମୁମ୍ବାଇ ପ୍ରଭୃତି ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ୪୦ରୁ ୫୦ପ୍ରତିଶତ ବିଚାରପତି ପଦ ଖାଲି ପଡ଼ିଥିବାରୁ ହଜାର ହଜାର ମାମଲା ନ୍ୟାୟ ବିଚାର ପାଇଁ ଅପେକ୍ଷା କରୁଛି। ଦୁର୍ଭାଗ୍ୟର କଥା ଯେ ସରକାର ନ୍ୟାୟ ପ୍ରଦାନ ବ୍ୟବସ୍ଥା ପ୍ରତି ଯେତିକି ଧ୍ୟାନଦେବା କଥା ତାହା ଦେଉ ନହାନ୍ତି।
ବିଚାରପତିଙ୍କ ସଂଖ୍ୟା ଓ ଭିତ୍ତିଭୂମି ବିକାଶ ପ୍ରତି ଧ୍ୟାନ ଦିଆଯାଉ ନ ଥିତ୍ବାରୁ ନ୍ୟାୟ ପ୍ରଦାନ ଶିଥିଳ ହୋଇଯାଇଛି। କୁହାଯାଏ ଯେ ବିଳମ୍ବରେ ନ୍ୟାୟ ପ୍ରଦାନ ନ୍ୟାୟ ନ ମିଳିବା ସହିତ ସମାନ। ବର୍ତ୍ତମାନ ଜନସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ସାମାଜିକ ଜଟିଳତା ଓ ସେଥିରେ ଘଟୁଥିବା ଘନ ଘନ ପରିବର୍ତ୍ତନ ସହିତ ଅପରାଧ ସଂଖ୍ୟା ବଢ଼ୁଥିବାରୁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ଅଧିକ ଦାୟିତ୍ୱ ପଡ଼ୁଛି। କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟମାନଙ୍କରେ କେତେକ ଆଭ୍ୟନ୍ତରୀଣ ସଂସ୍କାର କରାଯାଇଥିବାରୁ ନ୍ୟାୟ ପ୍ରଦାନ ବିଳମ୍ବିତ ହେଲେ ମଧ୍ୟ ସହଜସାଧ୍ୟ ହୋଇଛି। ନ୍ୟାୟ ପ୍ରଦାନ ସଂସ୍ଥା ପାଇଁ ବିଚାରପତି ନିଯୁକ୍ତି ଏବଂ ଅଧିକ ଉତ୍ତରଦାୟିତ୍ୱ ଦେବା ନିମନ୍ତେ ସରକାର ଯେଉଁ ଆଇନ ପ୍ରଣୟନ କରିଥିଲେ ତାହା ସର୍ବୋଚ୍ଚ ନ୍ୟାୟାଳୟରେ ରଦ୍ଦ ହୋଇଯିବା ପରେ ନ୍ୟାୟପାଳିକା ଉପରେ ଅଧିକ ଦାୟିତ୍ୱ ରହିଛି। କାରଣ ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହିତ କାର୍ଯ୍ୟପାଳିକାର ପ୍ରଶାସନିକ ସମ୍ପର୍କ ରହିଥିବାରୁ ନ୍ୟାୟ ପ୍ରଦାନ ସଂସ୍ଥାର ଯେପରି ପରିବର୍ତ୍ତନ ଆଣିବା ପାଇଁ ଆଇନ ପ୍ରଣୟନ କରାଯାଇଥିଲା ତାହା ନ୍ୟାୟପାଳିକା କାର୍ଯ୍ୟ ସଂପାଦନରେ ବାଧା ସୃଷ୍ଟି କରିପାରେ। ଏଥିପାଇଁ ବିଚାରପତି ନିଯୁକ୍ତି ଓ ଉତ୍ତରଦାୟିତ୍ୱ ସମ୍ପର୍କିତ ଆଇନ ରଦ୍ଦ ହୋଇଗଲା। କିନ୍ତୁ ନ୍ୟାୟପାଳିକା ସ୍ବାଧୀନ ମତ ପ୍ରକାଶ କରିବା ସପକ୍ଷରେ ଥିବାରୁ ଏବଂ ସେଥିରେ କାର୍ଯ୍ୟପାଳିକାର କୌଣସି ପ୍ରକାର ହସ୍ତକ୍ଷେପ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅକାମୀ କରିଦେଇପାରେ। ଏହି କାରଣରୁ ପୂର୍ବରୁ ବିଚାରପତି ନିଯୁକ୍ତି, ପଦୋନ୍ନତି ଇତ୍ୟାଦି ପାଇଁ ପାଞ୍ଚଜଣ ବରିଷ୍ଠ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ସେଥିରେ କୌଣସି ପ୍ରକାର ହସ୍ତକ୍ଷେପ ନ କରିବା ହିଁ ଅଧିକ ଯୁକ୍ତିଯୁକ୍ତ ହେବ। ଯେଉଁ ବିଚାରପତିମାନଙ୍କୁ ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତି କରାଯିବ ସେମାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟର କଲେଜିୟମ କମିଟି ଅନୁମୋଦନ କରିବାପରେ ସରକାରଙ୍କର ଆଇନ ବିଭାଗକୁ ପଠାଯାଏ। ନ୍ୟାୟପାଳିକାର ସୁପାରିସ ସହିିତ କାର୍ଯ୍ୟପାଳିକା ଅମତ ହେଲେ ନିଯୁକ୍ତି, ପଦୋନ୍ନତି ଇତ୍ୟାଦିରେ ବିଳମ୍ବ ହୋଇଥାଏ। ବିଚାରପତିମାନଙ୍କର ନିଯୁକ୍ତି ଓ ଉତ୍ତରଦାୟିତ୍ୱ ସମ୍ପର୍କିତ ନୂଆ ଆଇନ କାର୍ଯ୍ୟପାଳିକା ପ୍ରସ୍ତୁତ କରିବା ପରେ ତାହା ସର୍ବୋଚ୍ଚ ଅଦାଲତରେ ନାକଚ ହୋଇଯିବାରୁ କାର୍ଯ୍ୟପାଳିକା ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ ସମ୍ପର୍କିତ ନିଯୁକ୍ତି, ପଦୋନ୍ନତି କ୍ଷେତ୍ରରେ ତାହା ଅନୁମୋଦନ କରି ରାଷ୍ଟ୍ରପତିଙ୍କ ପାଖକୁ ପଠାଇବା ପ୍ରକ୍ରିୟାରେ ବିଳମ୍ବ ହେଉଛି। କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ଥିବା ଯୋଗସୂତ୍ରକୁ ଅଧିକ ଅନୁକୂଳ କରାଗଲେ ନ୍ୟାୟପାଳିକା କାର୍ଯ୍ୟପାଳିକା ପାଖକୁ ପଠାଉଥିବା ନିଯୁକ୍ତି ଓ ପଦୋନ୍ନତି ସମ୍ପର୍କିତ ସୁପାରିସ ଯଦି ଯଥାଶୀଘ୍ର ରାଷ୍ଟ୍ରପତିଙ୍କ ଆଦେଶ ମିଳିଯାଏ ତେବେ ଫାଇଲର ମନ୍ଦଗତି ଦୂର ହେବ। କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରେ ସହଯୋଗ ଓ ସମବାୟିକ ଉଦ୍ୟମ ଯୁକ୍ତିଯୁକ୍ତ ହେଲେ ନିଯୁକ୍ତି ପ୍ରକ୍ରିୟା ତ୍ୱରାନ୍ବିତ ହେବ।
ତୁଳସୀପୁର, କଟକ, ମୋ: ୯୮୫୩୮୪୭୪୧୪


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?