ପିଆଜ ସଙ୍କଟ ଟଳିନାହିଁ

ନଟବର ଖୁଣ୍ଟିଆ
ଦେଶର ପିଆଜ ସଙ୍କଟ ବିଷୟରେ ଆଜି ସର୍ବତ୍ର ଆଲୋଚନା ହେଉଛି। ଗତ ଅଗଷ୍ଟ ମାସରେ ପିଆଜ ଦର କେଜି ପ୍ରତି ୨୫ରୁ ୩୦ ଟଙ୍କା ମଧ୍ୟରେ ଥିଲାବେଳେ ଆଜି ତାହା ୧୫୦ ଟଙ୍କା ଟପିଲାଣି। ପିଆଜ ଏପରି ଏକ ମସଲା ଜାତୀୟ ପରିବା ଯାହାକି ଦୈନିକ ଖାଦ୍ୟ ମେନୁରେ ଅପରିହାର୍ଯ୍ୟ। ୧୯୯୮ରେ ପିଆଜର ଦର ବୃଦ୍ଧି ଯୋଗୁ ଦିଲ୍ଲୀର ଭାଜପା ସରକାର ନିର୍ବାଚନରେ ହାରିଯାଇଥିଲା।
ରବି ପିଆଜ ଯଥେଷ୍ଟ ପରିମାଣରେ ଅମଳ ହୋଇଥିବା ବେଳେ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଦର ୧୫ରୁ ୩୦ ଟଙ୍କା ମଧ୍ୟରେ ସୀମିତ ଥିଲା। କିନ୍ତୁ ଖରିଫ ପିଆଜ ଫସଲ ଭଲ ହୋଇଥିଲେ ମଧ୍ୟ ମହାରାଷ୍ଟ୍ର, କର୍ନାଟକ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଆଦି ରାଜ୍ୟରେ ଅଚାନକ ବର୍ଷା ଓ ବନ୍ୟା ହେବାରୁ କ୍ଷେତରୁ ଅମଳ ହୋଇ ନ ପାରି ଅଧିକାଂଶ ପଚି ନଷ୍ଟ ହୋଇଗଲା। ରବି ଋତୁରେ ଅମଳ ହୋଇଥିବା ପିଆଜକୁ ଚାଷୀମାନେ କିଲୋପ୍ରତି ମାତ୍ର ୬ରୁ ୭ ଟଙ୍କା ମଧ୍ୟରେ ବିକିଦେଇଥିଲେ ବ୍ୟବସାୟୀମାନଙ୍କୁ। ଆମ ଓଡ଼ିଶାର ବଲାଙ୍ଗୀର, ନୂଆପଡା, କଳାହାଣ୍ଡି, ଅନୁଗୋଳ ଜିଲାର ଚାଷୀମାନେ ମଧ୍ୟ ଦରଅଦରରେ ବିକ୍ରି କରିଥିଲେ। ଏହାର କାରଣ ହେଲା ପିଆଜ ସାଇତି ରଖିବାକୁ ଆବଶ୍ୟକ ପରିମାଣରେ ସାଇତା ଭଣ୍ଡାର ନାହିଁ। ଓଡ଼ିଶାର ଚାଷୀ ଗତ ଏପ୍ରିଲରେ ୫ରୁ ୬ଟଙ୍କା ମୂଲ୍ୟରେ ଛତିଶଗଡ଼ ଓ ନାସିକ ଅଞ୍ଚଳର ବ୍ୟବସାୟୀଙ୍କୁ ବିକି ଆଜି ପିଆଜ କିଣୁଛି ୧୫୦ ଟଙ୍କାରେ।
ଆମ ଦେଶରେ ପିଆଜ ଅମଳ ହୁଏ ୨୪ ନିୟୁତ ଟନ୍‌ ଆଉ ଆମର ବାର୍ଷିକ ଆବଶ୍ୟକତା ୧୩ ନିୟୁତ ଟନ୍‌। ଅର୍ଥାତ୍‌ ଆମ ଦେଶ ପିଆଜରେ ଆତ୍ମନିର୍ଭରଶୀଳ ହେବା ସହ ଆମେ ପିଆଜ ରପ୍ତାନି ମଧ୍ୟ କରୁ। କିନ୍ତୁ ବର୍ଷେ ବର୍ଷେ ପାଣିପାଗର ଦୌରାତ୍ମ୍ୟରେ ପିଆଜ ଫସଲ କେତେକ ଅଞ୍ଚଳରେ ନଷ୍ଟ ହେଲେ ସମସ୍ୟା ଦେଖାଯାଏ। ଏହି ସମସ୍ୟାର ସମାଧାନ ପାଇଁ ଗୋଟିଏ ମାତ୍ର ପନ୍ଥା ହେଲା ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବରେ ଉଦ୍ୟମ କରି ଆମର ବାର୍ଷିକ ଆବଶ୍ୟକ ହେଉଥିବା ପିଆଜର ଅନ୍ତତଃ ୨୦ ପ୍ରତିଶତ ଅମଳ ବେଳେ ଚାଷୀକୁ ଲାଭଜନକ ମୂଲ୍ୟ ଦେଇ କିଣି ବଫର ଷ୍ଟକ୍‌ ଭାବେ ସାଇତି ରଖିବା। କୌଣସି ଋତୁରେ ପିଆଜ ଅମଳ ଦୈବୀ ଦୁର୍ବିପାକ ଯୋଗୁ ନଷ୍ଟ ହେଲେ ଏହି ବଫର ଷ୍ଟକ୍‌ରୁ ବଜାରକୁ ଛାଡି ପିଆଜର ମୂଲ୍ୟ ନିୟନ୍ତ୍ରଣ କରାଯାଇ ପାରିବ। ଯେଉଁ ବର୍ଷ ଫସଲ ନଷ୍ଟ ନ ହେବ ସେ ବର୍ଷ ଏହି ପିଆଜକୁ ରପ୍ତାନି କରିଦେଇ ନୂତନ ଫସଲ କିଣି ପୁନଃ ବଫର ଷ୍ଟକ୍‌ ରୂପେ ସାଇତି ରଖିବାକୁ ହେବ। ଏହି ବ୍ୟବସ୍ଥା ସରକାରମାନେ କରୁ ନାହାନ୍ତି। ଓଡ଼ିଶା କଥା ବିଚାରକୁ ନିଅନ୍ତୁ। ଆମର ବାର୍ଷିକ ହାରାହାରି ୪ ଲକ୍ଷ ଟନ ପିଆଜ ଅମଳ ହେଉଛି, ଯାହା ଆମର ଆବଶ୍ୟକତା ପାଇଁ ଯଥେଷ୍ଟ। କିନ୍ତୁ ଭଣ୍ଡାର ନ ଥିବାରୁ ଅମଳବେଳେ ଚାଷୀମାନେ ଶସ୍ତାରେ ବିକିଦିଅନ୍ତି ବ୍ୟବସାୟୀମାନଙ୍କୁ। ଛତିଶଗଡ଼ ଓ ନାସିକର ବ୍ୟବସାୟୀମାନେ କିଣି ନେଇ ପୁନଶ୍ଚ ଆମକୁ ଅଧିକ ମୂଲ୍ୟରେ ବିକନ୍ତି। କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଯଥେଷ୍ଟ ଅନୁଦାନ ପିଆଜ ସାଇତା ଭଣ୍ଡାର ପାଇଁ ଆସୁଥିଲେ ମଧ୍ୟ ରାଜ୍ୟ ସରକାର ତାହାର ଠିକ୍‌ ଉପଯୋଗ କରିପାରୁ ନ ଥିବାରୁ ଭଣ୍ଡାର ନିର୍ମାଣ ହୋଇପାରୁନାହିଁ।
ଦେଶରେ ଖରିଫ ଋତୁରେ ପିଆଜ ଫସଲ ନଷ୍ଟ ହେବାରୁ ବ୍ୟବସାୟୀମାନେ ଯେଉଁ ପିଆଜ ରବି ଫସଲରୁ ସଂଗ୍ରହ କରି ରଖିଥିଲେ ତାକୁ ବଜାରକୁ ଧୀରେ ଧୀରେ ଅଧିକ ମୂଲ୍ୟରେ ଅଳ୍ପ ଅଳ୍ପ ଛାଡି ଲାଭବାନ ହେଉଛନ୍ତି। ଏଥିରେ ଚାଷୀର କିଛି ଲାଭ ହେଉନାହିଁ। ଚାଷୀ ପାଖରେ ପିଆଜ ନାହିଁ। ଜଣେ ପାଇକାରୀ ବ୍ୟବସାୟୀ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ତା’ ଗୋଦାମରେ ରଖିବାକୁ ନିର୍ଦ୍ଦେଶ ଥିବାବେଳେ ଜଣେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୧୦୦ କୁଇଣ୍ଟାଲ ରଖିପାରିବ। ତାକୁ ମାନୁଛି କିଏ? ଧରପଗଡ କଥା ବି କେଉଁଠି ଶୁଣାଯାଉନାହିଁ। ବର୍ତ୍ତମାନର ସ୍ଥିତିକୁ ଲାଘବ କରିବା ପାଇଁ କେନ୍ଦ୍ର ସରକାର ଇଜିପ୍ଟ ଓ ତୁର୍କୀରୁ ୨୧ ହଜାର ଟନ୍‌ ପିଆଜ ଆମଦାନି କରିବା ପାଇଁ ବ୍ୟବସ୍ଥା କରିଛନ୍ତି ବୋଲି କହୁଛନ୍ତି। କିନ୍ତୁ ବିଦେଶରୁ ଜାହାଜରେ ପିଆଜ ଆଣି ଦେଶରେ ପହଞ୍ଚାଇବାକୁ ଜାନୁୟାରୀ ପ୍ରଥମ ସପ୍ତାହ ହୋଇଯିବ। ସେ ପିଆଜ ଆସିଲେ ମୂଲ୍ୟ କେଜି ପ୍ରତି ୬୦ରୁ ୬୫ ଟଙ୍କା ହେବ ବୋଲି କୁହାଯାଉଛି। ସେ ପର୍ଯ୍ୟନ୍ତ ଖାଉଟିମାନଙ୍କୁ ୧୫୦ରୁ ଅଧିକ ଟଙ୍କାରେ ପିଆଜ କିଣିବା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏକମାତ୍ର ବିକଳ୍ପ ହେଉଛି, ଆମେ ପିଆଜ କିଛିଦିନ ପାଇଁ ଖାଇବାନି। ଏବେ ଜିଡିପିର ଅଭିବୃଦ୍ଧି ଖସି ୫ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ କହିବା ପରେ ମୋଦି ସରକାର ପ୍ରବଳ ସମାଲୋଚନାର ସମ୍ମୁଖୀନ ହେବା ବେଳେ ପିଆଜ ଦର ୧୫୦ ଟଙ୍କା ଛୁଇଁବା କଟାଘାରେ ଚୂନ ଦେବା ପରି ହୋଇଛି।
ବର୍ତ୍ତମାନ ଯେଉଁସବୁ ପଦକ୍ଷେପ ନିଆଯାଇଛି, ସେସବୁ ‘ବାହାଘର ବେଳେ ବାଇଗଣ ରୁଆ’ ପରି। ଏହାର ଦୀର୍ଘସ୍ଥାୟୀ ସମାଧାନର ଏକମାତ୍ର ପନ୍ଥା ହେଲା ଆବଶ୍ୟକ ପରିମାଣର ପିଆଜ ସାଇତା ଭଣ୍ଡାର ପ୍ରତି ପିଆଜ ଚାଷ ହେଉଥିବା ଅଞ୍ଚଳରେ ନିର୍ମାଣ କରିବା ସହିତ ସରକାର ଅନ୍ତତଃ ଦୁଇ ନିୟୁତ ଟନ୍‌ର ବଫର ଷ୍ଟକ୍‌ ରଖିଲେ ପିଆଜ ସଙ୍କଟ ଉପୁଜିବ ନାହିଁ। ପିଆଜ ଚାଷୀ ଦର ଅଦରରେ ବିକି କ୍ଷତିଗ୍ରସ୍ତ ହେବେ ନାହିଁ ଏବଂ ପିଆଜ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଶୋଷଣ କରିପାରିବେ ନାହିଁ।
ଏ ୫୦୨, ତୋଷାଳୀ ଆପାର୍ଟମେଣ୍ଟ, ସତ୍ୟନଗର, ଭୁବନେଶ୍ୱର, ମୋ-୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri