ବିରୋଧୀଙ୍କୁ ମାରିଦେବା ନୁହେଁ

ଭାରତୀୟ ଆଇନ ବ୍ୟବସ୍ଥାରେ ନିମ୍ନ ଅଦାଲତକୁ ତାଗିଦ୍‌ କରିବା ଘଟଣା କ୍ୱଚିତ ଶୁଣିବାକୁ ମିଳିଥାଏ। ସାଧାରଣତଃ ତଳ ସ୍ତରରୁ ବା ଟ୍ରାଏଲ୍‌ କୋର୍ଟରୁ ଯାହା ଉପରକୁ ଯାଇଥାଏ, ତାହାକୁ ମାଜିଷ୍ଟ୍ରେଟ୍‌ଙ୍କଠାରୁ ଜଜ୍‌ ପର୍ଯ୍ୟନ୍ତ ଗୋଟିଏ ମଣିଷ ଭାବେ କଥା କହିଥାଏ। ଏହା ସତ୍ୟ ଯେ, ଅନେକ ମାମଲାରେ ତଳ ନ୍ୟାୟାଳୟର ନିଷ୍ପତ୍ତିକୁ ଉପର ନ୍ୟାୟାଳୟ ରଦ୍ଦ କରିଦେଇଥାନ୍ତି। ହୁଏତ ସେଥିପାଇଁ ଭାରତର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ନିକଟରେ ତଳ ବିଚାରପତିଙ୍କୁ ତାଗିଦ୍‌ କରିଛନ୍ତି। ଉତ୍ତର ପ୍ରଦେଶର ପରିଚିତ ଗ୍ୟାଙ୍ଗ୍‌ଷ୍ଟର୍‌ ତଥା ଅପରାଧୀ ବିକାଶ ଦୁବେଙ୍କ ବିରୋଧରେ ପ୍ରାୟ ୬୫ ମକଦ୍ଦମା ଥିବାବେଳେ ତାଙ୍କୁ କେଉଁ ପରିସ୍ଥିତିରେ ଜାମିନ ଦିଆଯାଇଥିଲା, ତାହା କେବଳ ପ୍ରଧାନ ବିଚାରପତି ବୋବ୍‌ଡେ ନୁହନ୍ତି, ସମଗ୍ର ଦେଶକୁ ଚିନ୍ତିତ କରିଛି। ବିକାଶ ଦୁବେଙ୍କ ସମଗ୍ର ଜୀବନବ୍ୟାପୀ ଯେଉଁ ଉତ୍‌ଥାନ ଘଟିଛି ସେଥିରେ କୁହାଯାଇଛି, ଅନେକ ରାଜନେତା ଏବଂ ପୋଲିସ ଅଫିସର ତାଙ୍କ ସକ୍ରିୟ ସହଯୋଗୀ ଥିଲେ। ଏପରି କି ବିକାଶ ଦୁବେଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି। ବିକାଶଙ୍କ ହାତ ଯେଉଁଭଳି ଭାବେ ଉପରକୁ ପହଞ୍ଚି ପାରୁଥିଲା, ଏବେ ମନେହେଉଛି ସେହିଭଳି ବ୍ୟକ୍ତି ଆହୁରି ଦୀର୍ଘ ସମୟ ସୁରକ୍ଷିତ ରହିପାରିଥାଆନ୍ତେ। ପରିସ୍ଥିତି ଅସମ୍ଭାଳ ହେଲା। କାରଣ ଜଣେ ସଚ୍ଚୋଟ ଡିଏସ୍‌ପି ଏହି ଅପରାଧୀର ହାତବାରିସି ହେବାକୁ ଅସମ୍ମତ ହେଲେ। ବିକାଶଙ୍କୁ ଗିରଫ କରିବା ପାଇଁ ଯାଇଥିବା ପୋଲିସ ଦଳ ଉପରେ ଆକ୍ରମଣ ହେଲା। ଆଠ ଜଣ ପୋଲିସ କର୍ମୀ ଯେତେବେଳେ ନିହତ ହେଲେ ସେତେବେଳେ ପରିସ୍ଥିତି ଅଣାୟତ୍ତ ହୋଇଗଲା। ଘଟଣାଟି ଗଣମାଧ୍ୟମରେ ଦେଶବ୍ୟାପୀ ଏତେ ଜୋର୍‌ ଧରିଲା ଯେ, ସେହି ସମୟରେ ଚାଲିଥିବା ଭାରତ-ଚାଇନା ଯୁଦ୍ଧ ମଧ୍ୟ ପ୍ରାଇମ୍‌ ଟାଇମ୍‌ ଟେଲିଭିଜନରୁ ଖସିପଡ଼ିିଲା। ଏହା ପରେ ବାଧ୍ୟହୋଇ ଏବଂ ସମ୍ଭବତଃ ଅନିଚ୍ଛା ସତ୍ତ୍ୱେ ବିକାଶଙ୍କୁ ଅତିଶୀଘ୍ର ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଏନ୍‌କାଉଣ୍ଟର ବାହାନାରେ ସବୁଦିନ ପାଇଁ ନୀରବ କରିଦେଲା। ଗଣମାଧ୍ୟମର ଚିତ୍କାର ଅତ୍ୟଧିକ ମାତ୍ରାରେ ହେବାରୁ ଏବେ ପ୍ରଧାନ ବିଚାରପତି ବୋବ୍‌ଡେ ନିମ୍ନ ଅଦାଲତ ଉପରେ ବିରକ୍ତି ଭାବ ପ୍ରକଟ କରିଛନ୍ତି।
କୌତୂହଳର ବିଷୟ ହେଉଛି ଏହି ପ୍ରଧାନ ବିଚାରପତିଙ୍କ ଦୃଷ୍ଟିକୁ ବିକାଶ ଦୁବେ ଭଳି ଅପରାଧୀ ଜାମିନ ପାଇବା ବିଷୟ ଆସିଥିବା ବେଳେ ଆହୁରି ଅନେକ ରାଜନୈତିକ ଓ ସାମାଜିକ ନେତା ବିନା କାରଣରେ ଗିରଫ ହୋଇ ଜାମିନ ପାଉ ନ ଥିବା କଥା ତାଙ୍କ ନଜରକୁ ଆସୁନାହିଁ। ଏଠାରେ ତେଲୁଗୁ କବି ବାରବରା ରାଓଙ୍କ ଗିରଫ ପ୍ରସଙ୍ଗକୁ ନିଆଯାଇପାରେ। ବାମପନ୍ଥୀ ଚିନ୍ତାଧାରା ପୋଷଣ କରୁଥିବା ୮୦ ବର୍ଷୀୟ ଏହି ବୃଦ୍ଧଙ୍କୁ କେବଳ ମୋଦିଙ୍କ ସରକାର ଗିରଫ କରିଛି ବୋଲି ନୁହେଁ, ପ୍ରଥମେ ୧୯୭୩ରେ ରାଓଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ଗିରଫ କରିଥିଲା। କାରଣ ଦର୍ଶାଯାଇଥିଲା ଯେ ତାଙ୍କ କବିତା ମାଧ୍ୟମରେ ସରକାର ବିରୋଧରେ ଜନସାଧାରଣଙ୍କୁ ଉସୁକାଯାଉଛି। ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି ବେଳେ ମଧ୍ୟ ରାଓଙ୍କୁ ଗିରଫ କରାଯାଇଥିଲା। କେବଳ ବାମପନ୍ଥୀ କବିତା ଲେଖିବା ପାଇଁ ବାରବରା ରାଓଙ୍କୁ ରାଜନୈତିକ ଆକ୍ରୋଶ ରଖି ଜୀବନରେ ଅନେକ ଥର ଗିରଫ କରାଯାଇଥିଲା। ଅଗଷ୍ଟ ୨୦୧୮ ମସିହାରୁ ରାଓଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଛି। କୁହାଯାଇଛି ଯେ ଭୀମା କୋରେଗାଓଁ ଘଟଣାରେ ସମ୍ପୃକ୍ତିକୁ ନେଇ ରାଓଙ୍କୁ ଗିରଫ କରାଯାଇଛି। ଏଲଗର ପରିଷଦର ବୈଠକରେ ରାଓ ଏବଂ ଅନ୍ୟ ବୁଦ୍ଧିଜୀବୀ, କବି ଏବଂ ଶିକ୍ଷାବିତ୍‌ମାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋନା ଉଲ୍‌ସନ୍‌, ଅରୁଣ ଫେରେରା, ସୁଧା ଭରଦ୍ୱାଜ, ଅନନ୍ତ ତେଲତୁମ୍ବଡେଙ୍କ ଭଳି ବ୍ୟକ୍ତି ରହିଛନ୍ତି। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ବୁଦ୍ଧିଜୀବୀଙ୍କୁ ମୁକ୍ତ କରିବା ପାଇଁ ଦାବି ସତ୍ତ୍ୱେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ରାଓଙ୍କ ଭଳି ବୃଦ୍ଧଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜେଲ୍‌ରୁ କୋଭିଡ୍‌ ଆକ୍ରାନ୍ତ ହୋଇ ସେ ଏବେ ବମ୍ବେର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଉଛି। କିନ୍ତୁ ପରିବାରବର୍ଗଙ୍କୁ ତାଙ୍କ ସହ ଭେଟିବାର ସୁଯୋଗ ଦିଆଯାଉ ନାହିଁ। ସେହିଭଳି ଉତ୍ତର ପ୍ରଦେଶର ଡାକ୍ତର କଫିଲ୍‌ ଖାନ୍‌ଙ୍କ ଘଟଣା ମଧ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ପ୍ରଶ୍ନବାଚୀରେ ପକାଉଛି। ଭାରତୀୟ ସମ୍ବିଧାନରେ ବାକ୍‌ ସ୍ବାଧୀନତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସେହି ଉଦାହରଣ ଦେଖାଇ ଅନେକେ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଗିରଫ କରି ଦୀର୍ଘ ସମୟ ଜେଲ୍‌ରେ ରଖାଯାଇଛି। ଡାକ୍ତର କଫିଲଙ୍କ ଅପରାଧ ହେଲା ଯେ ଅଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟରେ ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ଭାଷଣ ଦେଇଥିଲେ। ତାହାକୁ ମଧ୍ୟ ହିଂସା ଉଦ୍ରେକକାରୀ ଭାଷଣ ଆଖ୍ୟା ଦିଆଯାଇ ତାଙ୍କୁ ୨୦୨୦ ପ୍ରାରମ୍ଭରେ ଗିରଫ କରାଯାଇଥିଲା।
ଏହିଭଳି ବ୍ୟକ୍ତିମାନଙ୍କୁ ଆଧୁନିକ ଭାଷାରେ ‘ଅର୍‌ବାନ ନକ୍ସଲ’ ବା ‘ସହରୀ ମାଓବାଦୀ’ ଆଖ୍ୟା ଅତି ସହଜରେ ଦିଆଯାଉଛି। ଦିଲ୍ଲୀର ଜାମିଆ ମିଲିଆ ୟୁନିଭର୍ସିଟି ଓ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଅନେକ ଛାତ୍ରୀଛାତ୍ର ଏହିଭଳି ହାଲୁକା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ଯୋଗୁ ଏମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ଦେଶରେ କାହାରି ସମୟ ନାହିଁ। ଏଠାରେ ଆମେ କାହାରିକୁ ଦୋଷୀ ବା ନିର୍ଦ୍ଦୋଷ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁନାହୁଁ। କେବଳ ନ୍ୟାୟ ବ୍ୟବସ୍ଥାର ଦୁର୍ବଳତା ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି। ଭାରତର ଅନେକ ବଡ଼ ନେତା ଏବଂ ଅଫିସର କହୁଥିବାର ଶୁଣାଯାଏ, ଯେ ଆଇନ ତା’ର ନିଜ ବାଟରେ ଯିବ। ଅର୍ଥାତ୍‌ ଆଇନ ବ୍ୟବସ୍ଥାରେ କୌଣସି ରାଜନୈତିକ ବା ଅମଲାତାନ୍ତ୍ରିକ ଚାପ ପକାଯିବ ନାହିଁ। ଏହାକୁ ସତ୍ୟ ବୋଲି ଧରି ନିଆଯାଉ। ତେବେ ବଡ଼ ଶିଳ୍ପପତିମାନଙ୍କ ମାମଲାର ତତ୍‌କ୍ଷଣାତ୍‌ ଶୁଣାଣି କରି ଅନେକ ଥର ସପ୍ତାହକ ମଧ୍ୟରେ ରାୟ ଶୁଣାଇ ଦିଆଯାଇପାରୁଛି। ଧରିନିଆଯାଉ ଏହି ‘ଅର୍ବାନ ନକ୍ସଲମାନେ’ ଦୋଷୀ। ତେବେ ସେମାନଙ୍କ ମାମଲାକୁ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଭଳି ନିଆଯାଇଥିଲେ ଜାମିନ ମିଳିସାରନ୍ତାଣି। ଯଦି ବିଚାରାଳୟ ଜାମିନ ଦେଉନାହାନ୍ତି, ତେବେ ସାଧାରଣ ଅପରାଧୀଙ୍କ ଭଳି ଶୁଣାଣି କରି ଦଣ୍ଡ ମଧ୍ୟ ଦେଇପାରନ୍ତେ। କିନ୍ତୁ ଭାରତର ନ୍ୟାୟ ବ୍ୟବସ୍ଥା ଜାଣିଛି ଯେ ଏହି ସହରୀ ନକ୍ସଲଙ୍କୁ ଦଣ୍ଡ ଦେବା ପାଇଁ କୌଣସି ଆଇନ ନାହିଁ। ତାଙ୍କର କବିତା କିମ୍ବା ଭାଷଣରେ ଉତ୍‌କ୍ଷିପ୍ତ ହୋଇ ହିଂସାତ୍ମକ ଘଟଣା ଘଟିଛି ବୋଲି ପ୍ରମାଣ କରିବା ଅସମ୍ଭବ। ସେଥିପାଇଁ ସେହି ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ କଏଦୀ କରି ଶଢ଼ି ପଚେଇ ଦେବା ହେଉଛି ବ୍ୟବସ୍ଥାର ଲକ୍ଷ୍ୟ। ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁଃଖଦାୟକ। ବିରୋଧର ଆଭାସ ଶୁଣି ପ୍ରତିକାର କରିବା ହେଉଛି ବ୍ୟବସ୍ଥାର ଦାୟିତ୍ୱ। ବିରୋଧୀଙ୍କୁ ମାରିଦେବା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?