ବିରୋଧୀଙ୍କୁ ମାରିଦେବା ନୁହେଁ

ଭାରତୀୟ ଆଇନ ବ୍ୟବସ୍ଥାରେ ନିମ୍ନ ଅଦାଲତକୁ ତାଗିଦ୍‌ କରିବା ଘଟଣା କ୍ୱଚିତ ଶୁଣିବାକୁ ମିଳିଥାଏ। ସାଧାରଣତଃ ତଳ ସ୍ତରରୁ ବା ଟ୍ରାଏଲ୍‌ କୋର୍ଟରୁ ଯାହା ଉପରକୁ ଯାଇଥାଏ, ତାହାକୁ ମାଜିଷ୍ଟ୍ରେଟ୍‌ଙ୍କଠାରୁ ଜଜ୍‌ ପର୍ଯ୍ୟନ୍ତ ଗୋଟିଏ ମଣିଷ ଭାବେ କଥା କହିଥାଏ। ଏହା ସତ୍ୟ ଯେ, ଅନେକ ମାମଲାରେ ତଳ ନ୍ୟାୟାଳୟର ନିଷ୍ପତ୍ତିକୁ ଉପର ନ୍ୟାୟାଳୟ ରଦ୍ଦ କରିଦେଇଥାନ୍ତି। ହୁଏତ ସେଥିପାଇଁ ଭାରତର ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେ ନିକଟରେ ତଳ ବିଚାରପତିଙ୍କୁ ତାଗିଦ୍‌ କରିଛନ୍ତି। ଉତ୍ତର ପ୍ରଦେଶର ପରିଚିତ ଗ୍ୟାଙ୍ଗ୍‌ଷ୍ଟର୍‌ ତଥା ଅପରାଧୀ ବିକାଶ ଦୁବେଙ୍କ ବିରୋଧରେ ପ୍ରାୟ ୬୫ ମକଦ୍ଦମା ଥିବାବେଳେ ତାଙ୍କୁ କେଉଁ ପରିସ୍ଥିତିରେ ଜାମିନ ଦିଆଯାଇଥିଲା, ତାହା କେବଳ ପ୍ରଧାନ ବିଚାରପତି ବୋବ୍‌ଡେ ନୁହନ୍ତି, ସମଗ୍ର ଦେଶକୁ ଚିନ୍ତିତ କରିଛି। ବିକାଶ ଦୁବେଙ୍କ ସମଗ୍ର ଜୀବନବ୍ୟାପୀ ଯେଉଁ ଉତ୍‌ଥାନ ଘଟିଛି ସେଥିରେ କୁହାଯାଇଛି, ଅନେକ ରାଜନେତା ଏବଂ ପୋଲିସ ଅଫିସର ତାଙ୍କ ସକ୍ରିୟ ସହଯୋଗୀ ଥିଲେ। ଏପରି କି ବିକାଶ ଦୁବେଙ୍କ ସହ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ଦେଖିବାକୁ ମିଳୁଛି। ବିକାଶଙ୍କ ହାତ ଯେଉଁଭଳି ଭାବେ ଉପରକୁ ପହଞ୍ଚି ପାରୁଥିଲା, ଏବେ ମନେହେଉଛି ସେହିଭଳି ବ୍ୟକ୍ତି ଆହୁରି ଦୀର୍ଘ ସମୟ ସୁରକ୍ଷିତ ରହିପାରିଥାଆନ୍ତେ। ପରିସ୍ଥିତି ଅସମ୍ଭାଳ ହେଲା। କାରଣ ଜଣେ ସଚ୍ଚୋଟ ଡିଏସ୍‌ପି ଏହି ଅପରାଧୀର ହାତବାରିସି ହେବାକୁ ଅସମ୍ମତ ହେଲେ। ବିକାଶଙ୍କୁ ଗିରଫ କରିବା ପାଇଁ ଯାଇଥିବା ପୋଲିସ ଦଳ ଉପରେ ଆକ୍ରମଣ ହେଲା। ଆଠ ଜଣ ପୋଲିସ କର୍ମୀ ଯେତେବେଳେ ନିହତ ହେଲେ ସେତେବେଳେ ପରିସ୍ଥିତି ଅଣାୟତ୍ତ ହୋଇଗଲା। ଘଟଣାଟି ଗଣମାଧ୍ୟମରେ ଦେଶବ୍ୟାପୀ ଏତେ ଜୋର୍‌ ଧରିଲା ଯେ, ସେହି ସମୟରେ ଚାଲିଥିବା ଭାରତ-ଚାଇନା ଯୁଦ୍ଧ ମଧ୍ୟ ପ୍ରାଇମ୍‌ ଟାଇମ୍‌ ଟେଲିଭିଜନରୁ ଖସିପଡ଼ିିଲା। ଏହା ପରେ ବାଧ୍ୟହୋଇ ଏବଂ ସମ୍ଭବତଃ ଅନିଚ୍ଛା ସତ୍ତ୍ୱେ ବିକାଶଙ୍କୁ ଅତିଶୀଘ୍ର ଉତ୍ତର ପ୍ରଦେଶ ପୋଲିସ ଗିରଫ କରି ଏନ୍‌କାଉଣ୍ଟର ବାହାନାରେ ସବୁଦିନ ପାଇଁ ନୀରବ କରିଦେଲା। ଗଣମାଧ୍ୟମର ଚିତ୍କାର ଅତ୍ୟଧିକ ମାତ୍ରାରେ ହେବାରୁ ଏବେ ପ୍ରଧାନ ବିଚାରପତି ବୋବ୍‌ଡେ ନିମ୍ନ ଅଦାଲତ ଉପରେ ବିରକ୍ତି ଭାବ ପ୍ରକଟ କରିଛନ୍ତି।
କୌତୂହଳର ବିଷୟ ହେଉଛି ଏହି ପ୍ରଧାନ ବିଚାରପତିଙ୍କ ଦୃଷ୍ଟିକୁ ବିକାଶ ଦୁବେ ଭଳି ଅପରାଧୀ ଜାମିନ ପାଇବା ବିଷୟ ଆସିଥିବା ବେଳେ ଆହୁରି ଅନେକ ରାଜନୈତିକ ଓ ସାମାଜିକ ନେତା ବିନା କାରଣରେ ଗିରଫ ହୋଇ ଜାମିନ ପାଉ ନ ଥିବା କଥା ତାଙ୍କ ନଜରକୁ ଆସୁନାହିଁ। ଏଠାରେ ତେଲୁଗୁ କବି ବାରବରା ରାଓଙ୍କ ଗିରଫ ପ୍ରସଙ୍ଗକୁ ନିଆଯାଇପାରେ। ବାମପନ୍ଥୀ ଚିନ୍ତାଧାରା ପୋଷଣ କରୁଥିବା ୮୦ ବର୍ଷୀୟ ଏହି ବୃଦ୍ଧଙ୍କୁ କେବଳ ମୋଦିଙ୍କ ସରକାର ଗିରଫ କରିଛି ବୋଲି ନୁହେଁ, ପ୍ରଥମେ ୧୯୭୩ରେ ରାଓଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ଗିରଫ କରିଥିଲା। କାରଣ ଦର୍ଶାଯାଇଥିଲା ଯେ ତାଙ୍କ କବିତା ମାଧ୍ୟମରେ ସରକାର ବିରୋଧରେ ଜନସାଧାରଣଙ୍କୁ ଉସୁକାଯାଉଛି। ଇନ୍ଦିରା ଗାନ୍ଧୀଙ୍କ ଜରୁରିକାଳୀନ ପରିସ୍ଥିତି ବେଳେ ମଧ୍ୟ ରାଓଙ୍କୁ ଗିରଫ କରାଯାଇଥିଲା। କେବଳ ବାମପନ୍ଥୀ କବିତା ଲେଖିବା ପାଇଁ ବାରବରା ରାଓଙ୍କୁ ରାଜନୈତିକ ଆକ୍ରୋଶ ରଖି ଜୀବନରେ ଅନେକ ଥର ଗିରଫ କରାଯାଇଥିଲା। ଅଗଷ୍ଟ ୨୦୧୮ ମସିହାରୁ ରାଓଙ୍କୁ ଗିରଫ କରି ଜେଲ୍‌ରେ ରଖାଯାଇଛି। କୁହାଯାଇଛି ଯେ ଭୀମା କୋରେଗାଓଁ ଘଟଣାରେ ସମ୍ପୃକ୍ତିକୁ ନେଇ ରାଓଙ୍କୁ ଗିରଫ କରାଯାଇଛି। ଏଲଗର ପରିଷଦର ବୈଠକରେ ରାଓ ଏବଂ ଅନ୍ୟ ବୁଦ୍ଧିଜୀବୀ, କବି ଏବଂ ଶିକ୍ଷାବିତ୍‌ମାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ମଧ୍ୟ ଗିରଫ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ରୋନା ଉଲ୍‌ସନ୍‌, ଅରୁଣ ଫେରେରା, ସୁଧା ଭରଦ୍ୱାଜ, ଅନନ୍ତ ତେଲତୁମ୍ବଡେଙ୍କ ଭଳି ବ୍ୟକ୍ତି ରହିଛନ୍ତି। ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ବୁଦ୍ଧିଜୀବୀଙ୍କୁ ମୁକ୍ତ କରିବା ପାଇଁ ଦାବି ସତ୍ତ୍ୱେ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ରାଓଙ୍କ ଭଳି ବୃଦ୍ଧଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜେଲ୍‌ରୁ କୋଭିଡ୍‌ ଆକ୍ରାନ୍ତ ହୋଇ ସେ ଏବେ ବମ୍ବେର ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି କୁହାଯାଉଛି। କିନ୍ତୁ ପରିବାରବର୍ଗଙ୍କୁ ତାଙ୍କ ସହ ଭେଟିବାର ସୁଯୋଗ ଦିଆଯାଉ ନାହିଁ। ସେହିଭଳି ଉତ୍ତର ପ୍ରଦେଶର ଡାକ୍ତର କଫିଲ୍‌ ଖାନ୍‌ଙ୍କ ଘଟଣା ମଧ୍ୟ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ ପ୍ରଶ୍ନବାଚୀରେ ପକାଉଛି। ଭାରତୀୟ ସମ୍ବିଧାନରେ ବାକ୍‌ ସ୍ବାଧୀନତା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ସେହି ଉଦାହରଣ ଦେଖାଇ ଅନେକେ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ଗିରଫ କରି ଦୀର୍ଘ ସମୟ ଜେଲ୍‌ରେ ରଖାଯାଇଛି। ଡାକ୍ତର କଫିଲଙ୍କ ଅପରାଧ ହେଲା ଯେ ଅଲିଗଡ଼ ମୁସ୍‌ଲିମ୍‌ ବିଶ୍ୱବିଦ୍ୟାଳୟରେ ଗତବର୍ଷ ଡିସେମ୍ବରରେ କେନ୍ଦ୍ର ସରକାରଙ୍କ ନାଗରିକ ସଂଶୋଧନ ଆଇନ (ସିଏଏ) ବିରୋଧରେ ଭାଷଣ ଦେଇଥିଲେ। ତାହାକୁ ମଧ୍ୟ ହିଂସା ଉଦ୍ରେକକାରୀ ଭାଷଣ ଆଖ୍ୟା ଦିଆଯାଇ ତାଙ୍କୁ ୨୦୨୦ ପ୍ରାରମ୍ଭରେ ଗିରଫ କରାଯାଇଥିଲା।
ଏହିଭଳି ବ୍ୟକ୍ତିମାନଙ୍କୁ ଆଧୁନିକ ଭାଷାରେ ‘ଅର୍‌ବାନ ନକ୍ସଲ’ ବା ‘ସହରୀ ମାଓବାଦୀ’ ଆଖ୍ୟା ଅତି ସହଜରେ ଦିଆଯାଉଛି। ଦିଲ୍ଲୀର ଜାମିଆ ମିଲିଆ ୟୁନିଭର୍ସିଟି ଓ ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ଅନେକ ଛାତ୍ରୀଛାତ୍ର ଏହିଭଳି ହାଲୁକା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ଏବେ କୋଭିଡ୍‌-୧୯ଜନିତ ଲକ୍‌ଡାଉନ୍‌ ଯୋଗୁ ଏମାନଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଚିନ୍ତା କରିବାକୁ ଦେଶରେ କାହାରି ସମୟ ନାହିଁ। ଏଠାରେ ଆମେ କାହାରିକୁ ଦୋଷୀ ବା ନିର୍ଦ୍ଦୋଷ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରୁନାହୁଁ। କେବଳ ନ୍ୟାୟ ବ୍ୟବସ୍ଥାର ଦୁର୍ବଳତା ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲାଣି। ଭାରତର ଅନେକ ବଡ଼ ନେତା ଏବଂ ଅଫିସର କହୁଥିବାର ଶୁଣାଯାଏ, ଯେ ଆଇନ ତା’ର ନିଜ ବାଟରେ ଯିବ। ଅର୍ଥାତ୍‌ ଆଇନ ବ୍ୟବସ୍ଥାରେ କୌଣସି ରାଜନୈତିକ ବା ଅମଲାତାନ୍ତ୍ରିକ ଚାପ ପକାଯିବ ନାହିଁ। ଏହାକୁ ସତ୍ୟ ବୋଲି ଧରି ନିଆଯାଉ। ତେବେ ବଡ଼ ଶିଳ୍ପପତିମାନଙ୍କ ମାମଲାର ତତ୍‌କ୍ଷଣାତ୍‌ ଶୁଣାଣି କରି ଅନେକ ଥର ସପ୍ତାହକ ମଧ୍ୟରେ ରାୟ ଶୁଣାଇ ଦିଆଯାଇପାରୁଛି। ଧରିନିଆଯାଉ ଏହି ‘ଅର୍ବାନ ନକ୍ସଲମାନେ’ ଦୋଷୀ। ତେବେ ସେମାନଙ୍କ ମାମଲାକୁ କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ଭଳି ନିଆଯାଇଥିଲେ ଜାମିନ ମିଳିସାରନ୍ତାଣି। ଯଦି ବିଚାରାଳୟ ଜାମିନ ଦେଉନାହାନ୍ତି, ତେବେ ସାଧାରଣ ଅପରାଧୀଙ୍କ ଭଳି ଶୁଣାଣି କରି ଦଣ୍ଡ ମଧ୍ୟ ଦେଇପାରନ୍ତେ। କିନ୍ତୁ ଭାରତର ନ୍ୟାୟ ବ୍ୟବସ୍ଥା ଜାଣିଛି ଯେ ଏହି ସହରୀ ନକ୍ସଲଙ୍କୁ ଦଣ୍ଡ ଦେବା ପାଇଁ କୌଣସି ଆଇନ ନାହିଁ। ତାଙ୍କର କବିତା କିମ୍ବା ଭାଷଣରେ ଉତ୍‌କ୍ଷିପ୍ତ ହୋଇ ହିଂସାତ୍ମକ ଘଟଣା ଘଟିଛି ବୋଲି ପ୍ରମାଣ କରିବା ଅସମ୍ଭବ। ସେଥିପାଇଁ ସେହି ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ କଏଦୀ କରି ଶଢ଼ି ପଚେଇ ଦେବା ହେଉଛି ବ୍ୟବସ୍ଥାର ଲକ୍ଷ୍ୟ। ଏହା ଭାରତୀୟ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଦୁଃଖଦାୟକ। ବିରୋଧର ଆଭାସ ଶୁଣି ପ୍ରତିକାର କରିବା ହେଉଛି ବ୍ୟବସ୍ଥାର ଦାୟିତ୍ୱ। ବିରୋଧୀଙ୍କୁ ମାରିଦେବା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri