ନୌକା ସୁରକ୍ଷା

ସୁରେଶ ଚନ୍ଦ୍ର ମିଶ୍ର
ଏହି ବର୍ଷ ଫେବୃୟାରୀ ଦୁଇ ତାରିଖ ଦିନ ୨୫ ଜଣ ଯାତ୍ରୀ ନେଇ ଯାଉଥିବା ଗୋଟିଏ କାଠ ଡଙ୍ଗା କାଳିଜାଈ ନିକଟରେ ଚିଲିକାରେ ବୁଡ଼ିଗଲା, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଗଲା ଏବଂ ଦୁଇଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାହୋଇଥିଲା। ଗତ ୫/୬ ବର୍ଷ ଭିତରେ ଖବରକାଗଜରେ ପ୍ରକାଶିତ ଡଙ୍ଗାବୁଡ଼ି ଖବର ଅନୁସାରେ ୨୦୧୪ ଫେବୃୟାରୀ ୯ ତାରିଖରେ ହୀରାକୁଦ ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ ି ୩୧ ଜଣଙ୍କର ଜୀବନ ଯାଇଥିଲା। ହୁଡ଼ହୁଡ଼ ତୋଫାନ ପୂର୍ବରୁ ଜୁଲାଇ ୪ ତାରିଖରେ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଯିବା ସମୟରେ ଡଙ୍ଗା ବୁଡ଼ି ୨ ଜଣଙ୍କର ଜୀବନ ଯାଇଥିଲା। ୨୦୧୬ ଡିସେମ୍ବର ୧୦ରେ ଚିଲିକାରେ ଡଙ୍ଗାବୁଡି ୪ ଜଣଙ୍କର ଜୀବନ ଯାଇଥିଲା। ଜୁନ୍‌ ୧୬, ୨୦୧୮ରେ ଚିଲିକାରେ ଡଙ୍ଗା ବୁଡି ୬ ଜଣଙ୍କର ଜୀବନ ଯାଇଥିଲା। ଗତବର୍ଷ ଜାନୁୟାରୀ ୩ ତାରିଖରେ କେନ୍ଦ୍ରାପଡ଼ା ନିକଟରେ ନୌକା ଦୁର୍ଘଟଣାରେ ୧୦ ଜଣ ଲୋକଙ୍କର ଜୀବନ ଯାଇଥିଲା। ଗତବର୍ଷ ସେପ୍ଟେମ୍ବର ୮ ତାରିଖରେ ବ୍ରାହ୍ମଣୀ ନଦୀରେ ନୌକା ଦୁର୍ଘଟଣାରେ ଚାରି ଜଣ ହଜିଯାଇଥିଲେ। ତା’ ପରଦିନ ୯ ତାରିଖରେ ବୁଢ଼ାବଳଙ୍ଗ ନଦୀରେ ନୌକାବୁଡ଼ି ହୋଇଥିଲେ ମଧ୍ୟ ସମସ୍ତେ ଉଦ୍ଧାର ପାଇଥିଲେ। ଏହାଛଡ଼ା ଛୋଟବଡ଼ ନୌକା ଦୁର୍ଘଟଣା ବହୁତ ହେଉଛି।
ସାରା ପୃଥିବୀର ସାମୁଦ୍ରିକ ଜାହାଜ କାରବାରରେ ଦୁର୍ଘଟଣା କମାଇବା ପାଇଁ ସମସ୍ତ ଦେଶ ମିଶି ଉଦ୍ୟମ କରିବା ଫଳରେ ସାମୁଦ୍ରିକ ଦୁର୍ଘଟଣା ଓ କ୍ଷତି ବହୁତ କମିଯାଇଛି। କିନ୍ତୁ ଏହାର ଫଳାଫଳ ଓଡ଼ିଶାର ନୌକା ଯାତାୟାତଜନିତ ଦୁର୍ଘଟଣାରେ ଦେଖାଯାଇନାହିଁ। ତେବେ ଉଦ୍ଧାର କାର୍ଯ୍ୟରେ ବହୁତ ଉନ୍ନତି ଘଟିଛି, ସେଥିପାଇଁ ସ୍ଥାନୀୟ ଜନତାର ସହଯୋଗିତା ଏବଂ ଓଡ୍ରାଫ୍‌ ଦଳର ସହାୟତା ଧନ୍ୟବାଦାର୍ହ।
ସାମୁଦ୍ରିକ ଯାତ୍ରା ପାଇଁ ବଡ଼ବଡ଼ ଜାହାଜ ନିର୍ମାଣ ଏବଂ ଯାତାୟାତ ନିମନ୍ତେ ନିୟମାବଳୀ ଅଛି, ଯାହା କି ଅନ୍ତର୍ଜାତୀୟ ନୌବାଣିଜ୍ୟ ସଂସ୍ଥା (ଆଇ.ଏମ୍‌.ଓ)ର ଉପଦେଶକ୍ରମେ ପ୍ରତ୍ୟେକ ଦେଶ ଆପଣାଇଛନ୍ତି। କିନ୍ତୁ ଏ ନିୟମାବଳୀ ଅନ୍ତର୍ଦେଶୀୟ ନୌକା ବା ଜାହାଜ ଚଳାଚଳ ପାଇଁ ଉପଯୁକ୍ତ ନୁହେଁ। ଅନ୍ତର୍ଦେଶୀୟ ନୌକା ବା ଜାହାଜ ଆକାରରେ ଛୋଟ ଏବଂ ସେଥିପାଇଁ ବିଭିନ୍ନ ଦେଶ ନିଜ ନିଜର ନିୟମାବଳୀ ଜାରି କରିଛନ୍ତି। ଭାରତରେ ଏଥିପାଇଁ ଭାରତୀୟ ନୌବାଣିଜ୍ୟ ରେଜିଷ୍ଟ୍ରାର ଏବଂ ଇନ୍‌ଲ୍ୟାଣ୍ଡ ଓାଟରଓ୍ବେଜ୍‌ ଅଫ୍‌ ଇଣ୍ଡିଆ କିଛି ନିୟମାବଳୀ ତିଆରି କରିଛନ୍ତି। କିନ୍ତୁ ଏ ନିୟମାବଳୀ ୨୪ମି. କିମ୍ବା ସାତ ଫୁଟ୍‌ ଲମ୍ବାଠାରୁ ବେଶି ଲମ୍ବା ନୌକା ପାଇଁ ଉଦ୍ଦିଷ୍ଟ ଏବଂ ଏ ନୌକା ସବୁର ଉପର ଡେକ୍‌ ପୂରା ବନ୍ଦ। କିନ୍ତୁ ଖାଲି ଆମ ଓଡ଼ିଶାରେ ନୁହେଁ, ସାରା ଦେଶରେ ଲକ୍ଷ ଲକ୍ଷ କାଠ ଡଙ୍ଗା ଚାଲୁଛି, ଯାହା କି ଲମ୍ବାରେ ୨୪ମିଟରରୁ ଛୋଟ ଏବଂ ଡଙ୍ଗା ଉପରଟି ପୂରା ଖୋଲା, ଯାହାଫଳରେ ଡଙ୍ଗା ଯଦି ଟଳିଯାଏ, ତାହାହେଲେ ପାଣି ଡଙ୍ଗା ଭିତରେ ପଶିବା ସମ୍ଭବ। ଏହି ଡଙ୍ଗା ସବୁ ରାଜ୍ୟ ସରକାରଙ୍କ ଦାୟିତ୍ୱରେ ଚାଲେ। ଲେଖକର ଜ୍ଞାନରେ କୌଣସି ରାଜ୍ୟ ସରକାର ଏହି ଡଙ୍ଗା ବିଷୟରେ ନିର୍ଦ୍ଦିଷ୍ଟ ନିୟମ କରିନାହାନ୍ତି।
ଆମ ଓଡ଼ିଶାରେ ସାଧାରଣତଃ ଗୋଟିଏ ନୌକାବୁଡ଼ି ପରେ ସରକାର ଗୋଟିଏ ତଦନ୍ତ କମିଶନ୍‌ ବସାନ୍ତି ଏବଂ ସାଧାରଣତଃ କମିଶନ୍‌ ରିପୋର୍ଟରେ ୨/୩ଟି ଜିନଷ ଉପରେ ନଜର ଦିଆଯାଇଥାଏ। ପ୍ରଥମତଃ ନୌକା ସରକାରଙ୍କଠାରେ ପଞ୍ଜୀକୃତ ହୋଇଛି କି ନାହିଁ, ଦ୍ୱିତୀୟତଃ ନୌକାରେ ବେଶି ଲୋକ ବସିଥିଲେ ବା ବେଶି ଓଜନ ଥିଲା କି ନାହିଁ, ତୃତୀୟତଃ ଲୋକ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିଲେ କି ନାହିଁ।
ଓଡ଼ିଶା ସରକାର ୨୦୦୪ରେ ଓଡ଼ିଶା ନୌକା ନିୟମ (ଓଡ଼ିଶା ବୋଟ୍‌ ରୁଲ୍‌) ପ୍ରଣୟନ କରିଥିଲେ, ଯାହା ଫଳରେ ସବୁ ନୌକା ପଞ୍ଜୀକୃତ ହେବା ଦରକାର। କିନ୍ତୁ ପଞ୍ଜୀକରଣ ପାଇଁ ଯେଉଁ ଟେକ୍‌ନିକ୍‌ ଷ୍ଟାଣ୍ଡାର୍ଡ (କୌଶଳ ମାନ) ଦରକାର ତାହା ରାସ୍ତାରେ ଯିବା ଯାନ ପାଇଁ ଠିକ୍‌ ହୋଇଥିଲେ ମଧ୍ୟ ନୌକା ଲାଗି ପ୍ରଯୁଜ୍ୟ ନୁହେଁ। ନୌକାର ଗଣିତ ଜରିଆରେ ତାହାର ଓଜନ ବହନ କରିବା ଏବଂ ଯାତ୍ରୀ ବୋହିବାର ସାମର୍ଥ୍ୟ ଠିକ୍‌ କରାଯାଇପାରିବ। ସେହିପରି ଷ୍ଟାବିଲିଟି ଏବଂ ଅନ୍‌ସିଙ୍କେବିଲିଟିର ମାନ ମଧ୍ୟ ଠିକ୍‌ କରାଯାଇପାରିବ। ନୌକାର ଅବସ୍ଥା କିପରି ଅଛି ତାହା ମଧ୍ୟ ମଝିରେ ମଝିରେ ଯାଞ୍ଚ ହେବା ଦରକାର।
ସରକାର ମଝିରେ ମଝିରେ କମିଟି ବସାନ୍ତି ଏହିସବୁ ବିଷୟରେ ନିୟମାବଳୀ ଠିକ୍‌ କରିବା ପାଇଁ। ସାଧାରଣତଃ ଏହି କମିଟିଗୁଡ଼ିକର ସଭ୍ୟ ଥାନ୍ତି ପ୍ରଶାସନିକ ଅଫିସର୍‌, କେହି ଟେକ୍‌ନିକାଲ୍‌ ଲୋକ ନ ଥାନ୍ତି। ତେଣୁ ଏହି ନିୟମାବଳୀରେ କୌଣସି ଟେକ୍‌ନୋଲୋଜିର ପ୍ରୟୋଗ ନ ଥାଏ।
ପୂର୍ବ ଦୁର୍ଘଟଣାଗୁଡ଼ିକର ଆଲୋଚନା କରିବା ଦ୍ୱାରା ଦୁର୍ଘଟଣାର କାରଣ ଜଣାପଡ଼ିପାରେ, ଯାହା କି ଟେକ୍‌ନିକ୍‌ କାରଣରୁ ହୋଇପାରେ କିମ୍ବା ନୌକା ଚଳାଚଳରେ ବେପରୁଆ ଭାବରୁ କିମ୍ବା ପାଗ ହେତୁ ହୋଇପାରେ। ଏହି ସବୁ ଆଲୋଚନା କରି ନୂତନ ନିୟମାବଳୀ କରାଯାଇପାରେ। ନୌକାବିହାର କିମ୍ବା ମାଛଧରା ନୌକା କିମ୍ବା କାର୍ଗୋ ନୌକାର ସୁରକ୍ଷା ଓ ନିରାପତ୍ତା ନିମନ୍ତେ ସବୁଦିଗରୁ ଦୃଷ୍ଟି ରଖିବାକୁ ହୁଏ। ଯଥା- ଲୋଡିଙ୍ଗ୍‌ ଓ ଅନ୍‌ଲୋଡିଙ୍ଗ୍‌, ନୌକାର ଗଠନଶୈଳୀ, ନୌକାର ଚଳନ ପ୍ରକ୍ରିୟା, ପାଗର ଅବସ୍ଥା ଏବଂ ଯଦି ଦୁର୍ଘଟଣା ଘଟେ, ତା’ହେଲେ ସଙ୍ଗେ ସଙ୍ଗେ ଉଦ୍ଧାର ବ୍ୟବସ୍ଥା।
ନିୟମ ଗଠନ ସମୟରେ ନୌକା ଗଠନର ଖର୍ଚ୍ଚ, ନୌକା ଚାଳକର ସୁବିଧା ଅସୁବିଧା, ନୌକା ଚାଳନ ଖର୍ଚ୍ଚ ଏବଂ ଆୟ ଇତ୍ୟାଦି ନଜରରେ ରଖିବାକୁ ହେବ। ସାରାଦେଶରେ କାଠଡଙ୍ଗା ଚଳାଉଥିବା ଲୋକେ ସାଧାରଣତଃ ବୃତ୍ତିଗତ ବ୍ୟବସାୟ କରନ୍ତି ଏବଂ ସେମାନଙ୍କର ଆର୍ଥିକ ଅବସ୍ଥା ବିଶେଷ ଭଲ ନୁହେଁ। ତେଣୁ ଯାହା ବା ନିୟମ ହେବ ତାହା ସୁବିଧାରେ ଲାଗୁହେବା ଦରକାର। ଷ୍ଟେକ୍‌ ହୋଲ୍ଡର୍‌ ମିଟିଙ୍ଗ୍‌ କରି ପ୍ରସ୍ତାବିତ ନିୟମାବଳୀ ସମ୍ବନ୍ଧରେ ଆଲୋଚନା କରିବା ଦରକାର।
ନିୟମାବଳୀ ଲାଗୁ କରିବେ ସରକାରୀ କର୍ମଚାରୀ କିମ୍ବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କର୍ମଚାରୀମାନେ। ବଡ଼ବଡ଼ ଜାହାଜରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କର୍ମଚାରୀମାନେ ଯା’ଆସ କରିଥାଆନ୍ତି। ସେମାନଙ୍କର ବେତନ ହାର ବହୁତ ଉପରେ। କିନ୍ତୁ କାଠଡଙ୍ଗା ପାଇଁ ଯେଉଁ କର୍ମଚାରୀ ଦରକାର ତାଙ୍କୁ ବିଭିନ୍ନ ଗ୍ରାମାଞ୍ଚଳକୁ ଯାତ୍ରା କରିବାକୁ ହୋଇଥାଏ। ସେଥିପାଇଁ ସରକାର ବ୍ୟକ୍ତିଗତ ଭାବରେ ପ୍ରଶିକ୍ଷିତ ଲୋକଙ୍କୁ ନିଯୁକ୍ତ କରିବା ଦରକାର, ଯେଉଁମାନେ ଏସବୁ କାମ ପୂର୍ବ ନିର୍ଦ୍ଧାରିତ ଦରରେ କରିପାରିବେ। ନୂତନ ସେମିନାର୍‌, ନୂତନ ଷ୍ଟେକ୍‌ ହୋଲ୍ଡର୍‌ ମିଟ୍‌, ନୂତନ ନିୟମାବଳୀ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦରକାର ହେବ ନୌକା ସୁରକ୍ଷା ନିମନ୍ତେ।
ପ୍ରେସିଡେଣ୍ଟ, ଫୋରମ୍‌ ଫର୍‌ ରିଭର ଏଣ୍ଡ ଓସେନ୍‌ ସାଇଣ୍ଟିଷ୍ଟ ଏଣ୍ଡ ଟେକ୍ନୋଲୋଜିଷ୍ଟସ୍‌, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri